Unknown

 

 

 

 

 

 

 

 

 

 

 

ଅଥ ନେତା ପୁରାଣମ୍‌

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ

 

ଲେଖକର ବଧେଇ

 

ଏ ଯୁଗରେ ଲେଖିବାଟା ସହଜ ହୋଇପାରେ,

ମାତ୍ର ତାକୁ ଲୋକଲୋଚନକୁ ଆଣିବା

ଅତୀବ କଷ୍ଟସାଧ୍ୟ ।

ସେହି କଷ୍ଟକର କାମ ପାଇଁ

ଯେଉଁମାନଙ୍କୁ ଧରାଧରି କରିବାକୁ ପଡ଼ିଅଛି,

ସେମାନଙ୍କୁ ବଧେଇ ଜଣାଉଛି ।

ସେମାନେ ହେଲେ–

ବନ୍ଧୁ ଶ୍ରୀ ଶୁକଦେବ ସାହୁ–ପ୍ରକାଶନ ପାଇଁ,

ସହକର୍ମୀ ଶ୍ରୀ ନାରାୟଣ ମହାପାତ୍ର–

ଲେଖାଗୁଡ଼ିକ ପ୍ରକାଶଯୋଗ୍ୟ କରିଦେବା ପାଇଁ

ପ୍ରଧାନ ଉତ୍ସାହଦାତା, ନାତି ଶ୍ରୀ ଦେବବ୍ରତ ଦାଶ–

ବିଭିନ୍ନ ପତ୍ରିକାରୁ ସଂଗ୍ରହ କରିଦେବା ପାଇଁ ।

କେତେକ ଲେଖା ଆଗରୁ ‘ଜୀବନରଙ୍ଗ’ରେ

ପ୍ରକାଶିତ ହୋଇଥିଲା ।

ସମ୍ପାଦକ ଶ୍ରୀ ରଣଧୀର ଦାସ

ତାହା ପୁସ୍ତକସ୍ଥ କରିବାକୁ ସମ୍ମତି ଦେବା ପାଇଁ ।

☆☆☆

 

ଏଥିରେ ଅଛି

 

୧.

ଅଥ ନେତା ପୁରାଣମ୍‌

୨.

ଧରାଧରି

୩.

କଟକ ନଗରୀ

୪.

ଖବରକାଗଜ ଅଫିସର ନାଲିଫିତା

୫.

କାହ୍ନା ଲାଗି ସିନା ଗାଈ ଗୁହାଳ

୬.

ତୈଳ ଡକ୍‌ଟର

୭.

ଚାମଚା ସ୍ତବ

୮.

ଖର୍ଚ୍ଚ କାଟ ଯୋଜନା

୯.

ପ୍ରେତପୁରୀରେ ପାଞ୍ଚ ପ୍ରହର

୧୦.

ସତ୍ୟ ସମ୍ବାଦ

୧୧.

ଧରମ ଘଟ

୧୨.

ଆମରଣ ଅନଶନ

୧୩.

ଦୁର୍ଗାପୂଜା ସମସ୍ୟା

୧୪.

ନୀଳୋତ୍ପଳ କଳା ପରିଷଦ

୧୫.

କୁମ୍ଭୀର କାନ୍ଦଣା

୧୬.

ଇସପ ଗଳ୍ପର ନୂଆ ରୂପ

୧୭.

ଏମ୍‌. ଏଲ୍‌. ଏ. ଙ୍କ ସାହିତ୍ୟ ସାଧନା

୧୮.

ହାକିମଙ୍କ ଦଶ ଅବତାର

୧୯.

ମନୁଷ୍ୟ–ଏକ ଦୁଇଗୋଡ଼ିଆଁ ଜୀବ

୨୦.

ଦୈବୀଦୁର୍ଘଟଣା

୨୧.

ମାରୁ ଭିତରେ ସାରୁ

୨୨.

ଆମ ଶିକ୍ଷାୟତନ ଓ ଶିକ୍ଷକ

୨୩.

ବକ୍ତା ଓ ବକ୍ତୃତା

☆☆☆

 

ଅଥ ନେତା ପୁରାଣମ୍‌

 

କୈଳାସ ଶିଖରାସୀନଂ ଗୌରୀ ପୃଚ୍ଛତି ଶଂକରଂ

ଅଧୂନା ବ୍ରୂହିମେ ନାଥ ! କଳିଯୁଗ ନେତାଗୁଣମ୍‌ ।

 

କୈଳାସ ଶିଖରରେ ଦିନେ ପାର୍ବତୀ ମାହାଦେବଙ୍କୁ ପୃଚ୍ଛା କଲେ–‘‘ନାଥ ! କଳି ଯୁଗରେ ନେତା ବୋଲି ଗୋଟିଏ ଜାତି ସୃଷ୍ଟି ହୋଇଅଛନ୍ତି । ଏମାନଙ୍କ ଆଦି ଓ ଅନ୍ତ କେଉଁଠି ? ଏମାନଙ୍କର କି ଧର୍ମ, କି କର୍ମ, କି ମାର୍ଗ ? ଏମାନଙ୍କର କର୍ତ୍ତବ୍ୟ କଅଣ ? ଏମାନଙ୍କର ଅକର୍ତ୍ତବ୍ୟ କଅଣ ? ଧ୍ୟାନ କଅଣ ? ଧାରଣା କଅଣ ? ବିଦ୍ୟା କେତେ ? ବୁଦ୍ଧି କେତେ ? ଆଶୁତୋଷ ! ମୋ ପ୍ରତି ଦୟା ବହି ଏହି ନେତାଜାତିର ଗୁଣଗ୍ରାମ ବର୍ଣ୍ଣନା କର । ତୁମେ ଶ୍ରୀମୁଖରୁ ଶୁଣି ମୋ କାନ ପବିତ୍ର ହେବ ।’’

 

ଦେବଦେବ ମହାଦେବ ପ୍ରାଣପ୍ରିୟା ପାର୍ବତୀଙ୍କର ଏହି ଅତି ଗୂଢ଼ ପ୍ରଶ୍ନତକ ଶୁଣି ମୁହୂର୍ତ୍ତେ ସମୟ ଆଖିବୁଜି ଧ୍ୟାନରେ ବସିଗଲେ । ତା’ପରେ ନନ୍ଦୀ ବହୁ ଯତ୍ନରେ ସଜାଇ ଦେଇଥିବା ଦୁଇ ମିଟର ଲମ୍ବର ଚିଲମରୁ ଅତି ଜୋରରେ ଗୋଟିଏ ଦମ୍‌ ଟାଣିନେଲେ ଓ ତିନିଥର ଖୁଁ ଖୁଁ କାଶିଉଠିଲେ ।

 

ତା’ପରେ ପାର୍ବତୀଙ୍କ ଆଡ଼କୁ ବକ୍ରଦୃଷ୍ଟି ପକାଇ ହସହସ ବଦନରେ କହିଲେ–

 

‘‘ପ୍ରାଣପ୍ରିୟେ ପର୍ବତନନ୍ଦିନୀ ! ତୁମେ ଆଜି ଯେଉଁ ଅତି ଗହନ ତତ୍ତ୍ୱ କଥା ପୁଚ୍ଛା କଲ, ତାହା ସ୍ୱର୍ଗ, ମର୍ତ୍ତ୍ୟ, ପାତାଳରେ ସମସ୍ତଙ୍କୁ ଅମାଲୁମ । ମୁନିଋଷିମାନେ ବହୁତ ପୁରାଣ ରଚନା କରିଯାଇଅଛନ୍ତି । ମାତ୍ର କଳିଯୁଗର ନେତା–ପୁରାଣ–ରହସ୍ୟ ଭେଦ କରିବାକୁ କାହାରି ସାଧନା ନ ଥିଲା । ସେ ପୁରାଣ କେବଳ ମୋତେ ହିଁ ଜଣା । ଏ ଗୋପନ ରହସ୍ୟ ଆଜି ମୁଁ ତୁମ ଆଗରେ ବୟାନ କରୁଅଛି । କିନ୍ତୁ ଦେଖ, ଏହା ଯେପରି ଷଡ଼କାନ ମନ୍ତ୍ରଭେଦ ନ ହୁଏ । ଦୁନିଆରେ ସମସ୍ତେ କହନ୍ତି, ମାଇପିଙ୍କ ପେଟରେ କଥା ରହେ ନାହିଁ । ମାତ୍ର ତୁମେ ଯେପରି ଏହାକୁ ପେଟ ଭିତରେ ସାତ ଗଣ୍ଠି ପକାଇ ରଖିବ, ସେହି ଶପଥ ନିଅ । ଯଦି ଏହା ପ୍ରକାଶ ପାଇଯାଏ, ତେବେ ମୋର ଏ ତ୍ରିନେତ୍ର ଶୋଭିତ ମୁଣ୍ଡ ବାଏଁ ବାଏଁ ଉଡ଼ିଯିବ । ତୁମକୁ ଚବିଶ ଏକାଦଶୀ ଓ କାର୍ତ୍ତିକ ମାସର ହବିଷ୍ୟ ପାରଣା କରିବାକୁ ପଡ଼ିବ ।’’

 

ଏହା ଶୁଣିବାକ୍ଷଣି ପାର୍ବତୀ ଜିଭ କାମୁଡ଼ି ପକାଇଲେ । କହିଲେ–‘‘ନା–ନା, ମୁଁ ଆଉ କାହାରି ଆଗରେ ଏ ଗୂଢ଼ତତ୍ତ୍ୱ ପ୍ରକାଶ କରିବି ନାହିଁ । ମୋତେ ବିଶ୍ୱାସ କର’’ ।

 

ମହାଦେବ ଉବାଚ

 

–ଦେବୀ ଶୁଣ । ଶ୍ରୀକୃଷ୍ଣ ଶ୍ରୀମଦ୍‌ଭଗବତ୍‌ଗୀତାରେ ପ୍ରଚାର କରିଥିଲେ, ‘ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ’ । ତାଙ୍କର ଯଦି ଟିକିଏ ଦୂରଦୃଷ୍ଟି ଥାଆନ୍ତା, ତେବେ ସେ ନିଶ୍ଚୟ କହି ଥାଆନ୍ତେ–‘ପଞ୍ଚବର୍ଣ୍ଣ୍ୟଂ’ । କାରଣ କଳିଯୁଗରେ ଏହି ଦେବବାଂଛିତ ଭରତଖଣ୍ଡରେ ଯେ ନେତା ନାମକ ଆଉ ଗୋଟିଏ ବର୍ଣ୍ଣ ଜାତ ହୋଇ ମହୀ, ମହୀଧର ଥରହର କରିଦେବେ, ତାହା ସେହି ସମୟରୁ ସେ ଜାଣି ପାରିଥାଆନ୍ତେ । ଗୋପାଳ ପିଲାଟିଏ ତ, ତାଙ୍କର ଦଉଡ଼ ବା କେତେ ଦୂର ? ସେଇଥିପାଇଁ ଆଜିକାଲିର ବଡ଼ ବଡ଼ ପଣ୍ଡିତମାନେ ତାଙ୍କ ମୁଣ୍ଡରେ ନଡ଼ିଆ ଭାଙ୍ଗୁଅଛନ୍ତି । ସେ ଯେ ଗୋଟାଏ ଲମ୍ପଟ, ନିଷ୍ଠୁର, ନିର୍ଦ୍ଦୟ, ସ୍ୱାର୍ଥପର, ସୁବିଧାବାଦୀ, ମାଇଚିଆ ଥିଲେ, ତାହା ପ୍ରମାଣ କରି ସାରିଲେଣି ।

 

ସେ ଯାହାହେଉ ଏବେ ନେତାପୁରାଣ ଶ୍ରବଣ କର । ବର୍ଣ୍ଣ ସୃଷ୍ଟି ହେଲେ ‘ଗୁଣକର୍ମବିଭାଗଶଃ’ । କଳିଯୁଗର ନେତାମାନେ ନିର୍ଗୁଣ–ନିଷ୍କର୍ମା । ସେମାନଙ୍କର କିନ୍ତୁ ଧର୍ମ ଅଛି–ତା’ ହେଲା ମାଦଳର ଦୁଇ ପାଖରେ ହାତ ବାଡ଼େଇବା । ତାହା ଯେ କରି ନ ପାରିଲା, ସେ ନେତା ନୁହେଁ ।

 

ଯେ ନେଇପାରେ, ସେହି ହିଁ ନେତା । ପାଖପଡ଼ିଶା ଲୋକଙ୍କୁ ଧପେଇ, ବେଳେବେଳେ କୌଶଳରେ ଯେ ଧନସମ୍ପତ୍ତି ନେଇଥାଏ, ବିନା ପାଠରେ ପଣ୍ଡିତ ପଦବୀ ନେଇଥାଏ, ଗାଲୁ ଭୁରୂଡ଼ି ମାରି ଭୋଟ ନେଇଥାଏ, ବିନା କର୍ମରେ କର୍ମୀ ପଦ ନେଇଥାଏ, ତିନିମହଲା ପ୍ରାସାଦରେ ଭୋଗବିଳାସରେ ରହି ଦରିଦ୍ରର ବନ୍ଧୁ ଆଖ୍ୟା ନେଇଥାଏ, କୌଣସି ଶ୍ରମ ନ କରି ଶ୍ରମିକନେତା ବିଶେଷଣ ନେଇଥାଏ–କେବଳ ସେହି ହିଁ ନେତା ପଦବାଚ୍ୟ ହୁଏ ।

 

–ପୁଣି ନେତା ବହୁ କିସମର–ବାଳ ନେତା, କାଳ ନେତା, ଡାଳ ନେତା, ଫାଳ ନେତା । ଏମାନେ ବହୁରଙ୍ଗୀ, ବହୁରୂପୀ । ବର୍ଣ୍ଣ, ବେଶପୋଷାକ, ଭାବଭଙ୍ଗୀ, ଚାଲିଚଳନ, ନୀତିନିୟମ ବଦଳାଇବାରେ ଏମାନେ ଧୁରନ୍ଧର । ଗୋଟାଏ ଆଖିରୁ ଆଷାଢ଼ ମାସର ବଢ଼ିପାଣି ବୁହାଇ ଆର ଆଖିରେ କୁରୁଳା ହସ ଫୁଟାଇବାକୁ ଏମାନେ ପାରଙ୍ଗମ ।

 

–ନେତାମାନଙ୍କର ଗୁରୁଗୌରବ ବୋଧ ନାହିଁ, ନୀତିନିୟମ ନାହିଁ, ଧର୍ମକର୍ମ ନାହିଁ, ବାଛବିଚାର ନାହିଁ ।

 

–ବିବେକଠାରୁ ଏମାନେ ସାତ ହାତ ଦୂରରେ ରହନ୍ତି । ଲଜ୍ଜା ଏମାନଙ୍କ ପାଖ ପଶିବାକୁ ଲଜ୍ଜାପାଏ । ବିବେକର ବେକ ଏମାନେ ଆଗରୁ ମୋଡ଼ି ଦେଇଥାଆନ୍ତି ।

 

ଯେ ପଦେ କଥା କହି ନ ପାରେ, ସେ ବଡ଼ ବକ୍ତା । ଯେ ବର୍ଣ୍ଣଶିକ୍ଷା କରି ନାହିଁ, ସେ ବଡ଼ ସାହିତ୍ୟିକ–ବିବୃତିଦାତା । ଯେ କେବଳ ନିଜର ସ୍ୱାର୍ଥ ଚିନ୍ତାରେ ସର୍ବଦା ତତ୍ପର, ସେ ନିଃସ୍ୱାର୍ଥପର । ଯେ ସାତ ଘର ଭାଙ୍ଗେ, ସେ ପରୋପକାରୀ । ଯାହାର କୌଣସି ବିଚାର ନାହିଁ, ସେ ବିଚାରବନ୍ତ । ନେତାମାନଙ୍କଠାରେ ହିଁ ଏହିସବୁ ଗୁଣ ବିଦ୍ୟମାନ । ଯେ ରାଜା ପଦବାଚ୍ୟ ନୁହନ୍ତି, ଯେ ନୀତିର ପାଖ ମାଡ଼ି ନାହାନ୍ତି, ସେହିମାନେ ହିଁ ରାଜନୈତିକ ନେତା ବୋଲାନ୍ତି ।

 

–‘କରି କରାଉଥାଏ ମୁହିଁ, ମୋ ବିନୁ ଆନ ଗତି ନାହିଁ ।’ ଏହା କେବଳ ଏହି ନେତା ଜାତିର ଜୀବମାନଙ୍କ ପକ୍ଷରେ ହିଁ ସମ୍ଭବ । ସେମାନେ ଦିନକୁ ରାତି, ରାତିକୁ ଦିନ କରିପାରନ୍ତି । କଳାକୁ ଧଳା, ଧଳାକୁ କଳା କରିବା ତ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ । ସେହିମାନଙ୍କ କଥା ହିଁ ବେଦର ଗାର । ସେ ଯେତେବେଳେ ଯାହା ନିଜର ସ୍ୱାର୍ଥସାଧନ ପାଇଁ କହିପକାନ୍ତି, ତାହା ହିଁ ଆଇନ-। ସେମାନେ ସର୍ବଜ୍ଞ, ସର୍ବଭୂକ୍‌, ସବୁ ପ୍ରକାର ସର୍ବୋଚ୍ଚ ପଦବୀଧାରୀ ।

 

–ଯେ ରାତିରେ କୁକୁଡ଼ା ଝୋଳ, ପଲାଉ ଖାଇ (ଅବଶ୍ୟ ପର ପଇସାରେ) ମାସମାସ ଧରି ଅନଶନ କରେ, ଯେ ଖବରକାଗଜରେ ଫଟୋ ଛାପା ହେବ ବୋଲି ଫୁଲମାଳ ବେକରେ ପକାଇ ଧାରଣା ଦିଏ, ନାମ ସମ୍ୱାଦପତ୍ରରେ ପ୍ରକାଶ ପାଇବା ପାଇଁ ସଭାରେ ଗର୍ଜନ କରି ବକ୍ତୃତା ଝାଡ଼େ, ସେହି କେବଳ ନେତା ।

 

–ଯେ ବିବାହିତା, ଅବିବାହିତା, ଅର୍ଦ୍ଧବିବାହିତା ସ୍ତ୍ରୀବୃନ୍ଦ ନାମରେ ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି ରଖି ନିଜେ ସର୍ବହରା ବୋଲାଏ, ଯେ ଦିନରେ ନିରାହାରୀ ସାଧୁ ବନି ରାତିରେ ହାତୀ ଧରେ, ଯେ ଚୋରି କରି ଚୋର ପଛରେ ଗୋଡ଼ାଏ, ଯେ ବାଟରେ କୁକ୍ରିୟା କରି ପରମୁଣ୍ଡରେ ଲଦେ, ଯେ ଡାହାଣୀ ହୋଇ ଲାଗେ ଓ ଗୁଣିଆ ହୋଇ ଝାଡ଼େ–ସେହି କେବଳ ନେତା ହେବା ଯୋଗ୍ୟ ।

 

–ଯେ ଅଷ୍ଟପ୍ରହର କୀର୍ତ୍ତନରେ ମଗ୍ନ–ପ୍ରଥମ ପ୍ରହରରେ ପୁଞ୍ଜିପତିଙ୍କ ଶ୍ୟାଳକ, ଦ୍ୱିତୀୟ ପ୍ରହରରେ ସର୍ବହରାଙ୍କ ବନ୍ଧୁ, ତୃତୀୟ ପ୍ରହରରେ ସାମ୍ୟବାଦୀ, ଚତୁର୍ଥ ପ୍ରହରରେ କଳାବଜାରୀ ପଞ୍ଚମ ପ୍ରହରରେ ଚାଉଳ–ବାଲି, ସୋରିଷ–ଅଗରା, ଘିଅ–ଚର୍ବି. ଚା–କରତଗୁଣ୍ଡ ମିଶ୍ରଣକାରୀ ଭେଜାଲୀ, ଷଷ୍ଠ ପ୍ରହରରେ ବିପ୍ଳବୀ, ସପ୍ତମ ପ୍ରହରରେ ଶାସକ ଓ ଅଷ୍ଟମ ପ୍ରହରରେ ମାଳାଗଡ଼ା ସାଧୁ ବନିପାରେ, ଏକା ତାହାରି ନେତା ହେବାର ଯୋଗ୍ୟତା ଅଛି ।

 

–ଯେ ଅବାଟରେ ବାଟ କରେ, ଯେ ଅଖାଦ୍ୟକୁ ଖାଦ୍ୟ କରେ, ଯେ ଅକଥାକୁ କଥା କରେ, ଯେ ଅନୀତିକୁ ନୀତି କରେ, ସେହି ହିଁ ନେତା ।

 

–ଯେ ଲୋକକୁ କଥାରେ ସ୍ୱର୍ଗକୁ ଉଠାଇଦିଏ, କାର୍ଯ୍ୟରେ ପାତାଳକୁ ଖସାଇ ପକାଏ, ଅନ୍ୟର ଘର ପୋଡ଼ିଦେଇ ଆନନ୍ଦ ପାଏ, ପରର ସୁଖସମୃଦ୍ଧି ଦେଖିଲେ ଜଳିପୋଡ଼ି ମରେ, ତାଙ୍କୁ ନେତା କୁହାଯାଏ ।

 

–ଯାହାଙ୍କର ମୁହଁର କଥା ପେଟରେ ନ ଥାଏ, ଯାହାଙ୍କର ଡାହାଣ ହାତର କାର୍ଯ୍ୟ ବାମ ହାତ ଜାଣେ ନାହିଁ; କେବଳ ଭୋଟ ପାଇବା ହିଁ ଯେଉଁମାନଙ୍କର ଏକମାତ୍ର ଧ୍ୟାନ, ଧାରଣା, ସାଧନା; ଭୋଟ ପାଇବା ପୂର୍ବର କଥା ଯେ ଭୋଟ ପାଇବା ପରେପରେ ଭୁଲିଯାଏ; ନିଜର ସ୍ୱାର୍ଥ ହାସଲ ପାଇଁ ଗଧପାଦ ଧରିବାକୁ ଯେ କୁଣ୍ଠାବୋଧ କରେନାହିଁ–କ୍ଷମତା ପାଇଗଲେ ଗଧ ପିଠିରେ ସବାର ହୁଏ, ସେହିମାନଙ୍କୁ ନେତା କୁହାଯାଏ ।

 

–ଯେଉଁମାନଙ୍କ ମୁହଁର ଚମ ଗଣ୍ଡା ଚମ ପରି, ଯେଉଁମାନେ ବାଘ ପରି ଦୟାଳୁ, ହିପୋ ପରି ନିରାହାରୀ, ଛେଳି ପରି ଜିତେନ୍ଦ୍ରିୟ, ମେଣ୍ଢାପରି ସାହସୀ, ଘୁଷୁରି ପରି ପବିତ୍ର, ଗଧ ପରି ସର୍ବଜ୍ଞ, ସାପ ପରି ପରୋପକାରୀ, ବିଲେଇ ପରି ଏ ଘର ମାଉସୀ ସେ ଘର ପିଉସୀ–ସେହିମାନେ ହିଁ ନେତା ।

 

–କଥାରେ କହନ୍ତି, ‘‘ଓଡ଼ିଆମାନେ ମେଣ୍ଢା’’ କିନ୍ତୁ କଳିଯୁଗରେ ଭାରତବର୍ଷର ଷାଠିଏ କୋଟି ଦେବତା ସମସ୍ତେ ମେଣ୍ଢା ହୋଇଯିବେ । ନେତା ଗୋଟାଏ ମେଣ୍ଢାକୁ ଧରି ଯୁଆଡ଼କୁ ଚାଲିବେ, ସବୁ ମେଣ୍ଢା ଆଖିବୁଜି ସେହି ଆଡ଼କୁ ଧାଇଁବେ । ନେତାମାନେ ସବୁବେଳେ ଦଳେ ‘‘ଚାମଚା’’ ନିଜ ପାଖରେ ରଖିଥିବେ । ସେ ହାଇମାରିଲା ବେଳେ ଚାମଚାମାନେ ଫୁଟ୍‌କି ମାରିବେ । ଚାଲିଗଲା ବେଳେ ପଛରେ କଚ୍ଛା ଧରିବେ । ସଭାରେ ବକ୍ତୃତା ଦେଲାବେଳେ ତାଳି ମାରିବେ । ନେତାଙ୍କ ଇଙ୍ଗିତରେ ଶତ୍ରୁଙ୍କ ଘର ଆଗରେ ଅନଶନ କରିବେ ନ ହେଲେ ବେଳକାଳ ଦେଖି ମୁଣ୍ଡରେ ପାହାର ବସାଇବେ । ତାହାର ଚଉଦ–ପୁରୁଷ ଉଝାଳିବେ । ଏହା ନେତାଙ୍କ ମନଃତୁଷ୍ଟି ପାଇଁ ନିଃସ୍ୱାର୍ଥ କାମ । କେବଳ ପ୍ରାପ୍ୟ ସାମାନ୍ୟ କିଛି ଖୋରାକପୋଷାକ ଆଉ ଗୋଟାଏ ଦୁଇଟା ବୋତଲ ।

 

ଏହି ନେତାମାନେ କଳିଯୁଗରେ ଦେଶର ରାଜା ହେବେ । ସମସ୍ତେ ଦୁଆ ଦେଉଥିବେ ଦେଶର ଅଗ୍ରଗତି ପାଇଁ, ଲୋକଙ୍କ ସୁଖସୁବିଧା ପାଇଁ, ରାଜ୍ୟକୁ ମହୁ ଆଉ ଘିଅରେ ଭସାଇ ଦେବା ପାଇଁ, ଦେଶର ଗଣତନ୍ତ୍ରର ସୁରକ୍ଷା ପାଇଁ, କେବଳ ସେହିମାନେ ହିଁ ସମର୍ଥ । ନେତାମାନଙ୍କ ଗଣତନ୍ତ୍ରର ପଟାନ୍ତର ନାହିଁ । ଲୋକଙ୍କ ହିତପାଇଁ ହିଁ ସେମାନେ ଗଣତନ୍ତ୍ରକୁ ଜାବୋଡ଼ି ଧରିଥାଆନ୍ତି–ନିଜର ସ୍ୱାର୍ଥ ତିଳେ ହେଲେ ନ ଥାଏ ।

 

–କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ–ଏହି ଷଡ଼ଗୁଣ ବିଭୂଷିତ ନେତାମାନଙ୍କର ଶକ୍ତି କ୍ଷମତାଲାଭରେ ହିଁ ମୋକ୍ଷପ୍ରାପ୍ତି ହୁଏ । ତାହା ହିଁ ସେମାନଙ୍କର ଜୀବନର ଅନ୍ତିମ କାମନା ।

 

ଏଣୁ, ହେ ଦେବୀ ପାର୍ବତୀ ! ନେତାମାନଙ୍କର ମାହାତ୍ମ୍ୟ ଅକଳନୀୟ । ତାହା ବର୍ଣ୍ଣନା କଲେ ଅଠରଶହ ପୋଥି ହେବ । ଗୋଟାଏ ଥରର ଚିଲମ ଝୁଙ୍କରେ ମହାଦେବ ତ ମହାଦେବ, ମହାଦେବର ବୋପା ବି ତାହା ବର୍ଣ୍ଣନା କରିପାରିବ ନାହିଁ ।

 

–ଯେଉଁମାନେ କହନ୍ତି ବେଶି, କୁହାନ୍ତି ଅଳ୍ପ; ଶୁଣନ୍ତି କମ୍‌, ଶୁଣାନ୍ତି ଅଧିକ; କିଛି କରନ୍ତି ନାହିଁ; କରାନ୍ତି ବହୁତ କିଛି; ଯେଉଁମାନଙ୍କ ଜନ୍ମ ଖାଇବା ପାଇଁ, ଖୁଆଇବାପାଇଁ ନୁହେଁ; ଯେଉଁମାନଙ୍କ କ୍ଷୁଧା–ନିଦ୍ରା–ଭୟ–ମୈଥୁନ ବହୁତ–ସେହିମାନେ ହିଁ କଳିଯୁଗର ନେତା ।

 

ମହାଦେବୀ ପାର୍ବତୀ ପୁଚ୍ଛା କଲେ, ‘‘ନାଥ, ଏ ଯେଉଁ ନେତା ଜାତି କଳିଯୁଗରେ ସୃଷ୍ଟି ହେବେ, ସେମାନଙ୍କର ଆଦି ଅନ୍ତ କେଉଁଠି’’ ?

 

ଦେବଦେବ ସଦାଶିବ ଉତ୍ତର ଦେଲେ, ‘‘ସତୀ, ଏକ ଗୃହ୍ୟ ସତ କଥା ପ୍ରଶ୍ନ କଲ । ନେତା ଜାତିର ଆଦି ନାହିଁ କି ଅନ୍ତ ନାହିଁ । ଥଳ ନାହିଁ କି କୂଳ ନାହିଁ । ଅଗ ନାହିଁ କି ମୂଳ ନାହିଁ । ସେମାନଙ୍କ ସଂଖ୍ୟା ଅଗଣନୀୟ, କାର୍ଯ୍ୟ ଅବର୍ଣ୍ଣନୀୟ, ମହାତ୍ମ୍ୟ ଅତୁଳନୀୟ । ଚଉଦ ଜନ୍ମର ତପସ୍ୟା ଫଳ ସ୍ୱରୁପ ଜୀବ ନେତା ରୂପେ ଜନ୍ମଗ୍ରହଣ କରିଥାଏ ।

 

ଇତି ଶ୍ରୀ ନେତା ପୁରାଣେ ‘ନେତା ମହାତ୍ମ୍ୟ ବର୍ଣ୍ଣନେ’ ନାମୋ ପ୍ରଥମ ଅଧ୍ୟାୟଃ ।

☆☆☆

 

ଧରାଧରି

 

କନ୍ୟା ବେଦୀଉପରେ ବସିଚି ବାହାହେବ ବୋଲି; ମାତ୍ର ବରାଦ ମୁତାବକ ଯୌତୁକ ମିଳିଲା ନାହିଁ । ବର ଅଡ଼ି ବସିଲା–ସେ ଏ କନ୍ୟାକୁ ବିବାହ କରିବ ନାହିଁ । କିମ୍ୱା ଗୋଟାଏ କିଛି ଦୈବୀଦୁର୍ଘଟଣା ଘଟିଗଲା । ବାହାଘର ବନ୍ଦ ହୋଇ ଯାଉଛି–ସେତେବେଳେ ଉପାୟ କଅଣ ? ମଙ୍ଗୁଳା ଝିଅକୁ ତ ଘରେ ରଖି ହେବ ନାହିଁ । କନ୍ୟାପକ୍ଷ ଦଉଡ଼ିଲେ ବର ଅନୁସନ୍ଧାନରେ । ଯେଉଁଠାରେ, ଯେପରି ଅବସ୍ଥାରେ ଥାଉ ନା କାହିଁକି, ନିଜ ଜାତିର କୌଣସି ଅବିବାହିତ ଯୁବକକୁ ପାଇଲେ ତାକୁ ଧରିଆଣି ବେଦୀ ଉପରେ ବସାଇଦେଲେ । ବରର ଇଚ୍ଛା ଥାଉ ବା ନ ଥାଉ, ବିଭାଘର ହୋଇଗଲା । ଏପରି ମଧ୍ୟ ଶୁଣାଯାଇଛି, ମଫସଲ ଅଞ୍ଚଳରେ ଭୋରରୁ ଜଣେ ଯୁବକ କିଆବାଡ଼ ମୂଳରେ ତା’ର ପ୍ରାତଃକାଳୀନ କର୍ମ କରିବାକୁ ବସିଅଛି । ସେହି ଅବସ୍ଥାରେ ତାକୁ ବେଦୀ ଉପରକୁ ଉଠାଇ ଅଣାଗଲା । ଶୌଚ ହେବାକୁ ଗଲେ କାଳେ ବିବାହର ଶୁଭମୁହୂର୍ତ୍ତ ଗଡ଼ିଯିବ–ଅର୍ଥାତ୍ ବର ନିଜ ଅସମ୍ମତିରେ ଅଡ଼ି ବସିବ । ଏହି ବରକୁ ହିଁ କହନ୍ତି ‘ଧରାବର’ । ସାଧାରଣତଃ ଦେଖା ଯାଇଥାଏ, ଏହି ଧରାବରମାନେ ହିଁ ଭବିଷ୍ୟତରେ ସ୍ତ୍ରୀ ଉପରେ ବେଶୀ ହାକିମି ଦେଖାଇଥାଆନ୍ତି । –ଦୁନିଆ ଚାଲ୍‌ର ଠିକ୍‌ ଓଲଟା । ଅନ୍ତତଃ ଏତକ ତ ସେହି ବରମାନଙ୍କର କହିବାକୁ ଫାବେ–‘‘ମୁଁ କଅଣ ବିବାହ ହେବାକୁ ଚାହୁଁଥିଲି କି ? ତମେ ତ ମୋ ଗୋଡ଼ତଳକୁ ଦଉଡ଼ି ଆସିଥିଲ ।’’

ଆଜିକାଲି ଏ ଅତ୍ୟାଧୁନିକ ଯୁଗରେ ଏ ଧରାବର ପ୍ରଥା ସେତେ ବେଶୀ ନ ଥାଇ ପାରେ; ମାତ୍ର ରେଜେଷ୍ଟ୍ରି ଅଫିସକୁ ବାହା ହେବାକୁ ଗଲାବେଳେ ବରକନ୍ୟା ଉଭୟେ ଧରାଧରି ହୋଇ ଯାଆନ୍ତି, କିଏ କାଳେ ଖସିଯିବ–ଏହି ଭୟରେ ।

 

‘ଧରାବର’କୁ ଛାଡ଼ିଦେଲେ ‘ଧରିବା’ର ଆଉ ଗୋଟିଏ ମଧ୍ୟ ଗୂଢ଼ ଅର୍ଥ ରହିଅଛି । ତା’ ହେଉଛି ବାଛୁରୀ ଧରିବା । ଅର୍ଥାତ୍‌ ଅଣ୍ଡିରା ବାଛୁରୀମାନଙ୍କ ଅଣ୍ଡିରାତ୍ୱ ଲୋପ କରିଦେବା–ସାଧାରଣତଃ ବିବାହ ପରେ ମନୁଷ୍ୟର ଯାହା ହୋଇଥାଏ ।

 

ମାତ୍ର ଆଜି ‘ଧରାଧରି’ର ଯେ ବ୍ୟାପକ ପ୍ରୟୋଗ ଚାଲିଛି, ସେହି ଶବ୍ଦ ସହିତ ‘ଧରାବର’ ବା ‘ବାଛୁରୀ ଧରା’ର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ଅଛି କି ନାହିଁ, ତାହା ଭାଷାବିଦ୍‌ ‘ଧରାଧରି’ କରି ଡକ୍‌ଟରେଟ ପାଇଥିବା ପଣ୍ଡିତମାନଙ୍କର ଗବେଷଣାର ବିଷୟ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ଅବଦାନ ‘କିଳା ପୋତେଇ’ର ସର୍ବବ୍ୟାପକତା ଭଳି ଭାରତର ସ୍ୱାଧୀନତା ଲାଭର ପରବର୍ତ୍ତୀ ଅବଦାନ ‘ଧରାଧରି’ ଅତି ଅଳ୍ପ ସମୟ ମଧ୍ୟରେ ଯେପରି ଦେଶକାଳପାତ୍ରର ସୀମା ଟପିଯିବାକୁ ବସିଲାଣି, ରକ୍ତବୀର୍ଯ୍ୟ ପରି ସମାଜର ପ୍ରତି ଗଳି କନ୍ଦିରେ ଯେପରି ନିଜର ବ୍ୟାପକ କାୟା ବିସ୍ତାର କଲାଣି, ତାହା ଭାବିଲେ ଯେ କେହି ନିଶ୍ଚୟ ଚମକି ଉଠିବ ।

 

ଗୋବର୍ଦ୍ଧନ ଏପର୍ଯ୍ୟନ୍ତ କୌଣସି ପରୀକ୍ଷାରେ ତୃତୀୟ ଉଦ୍ୟମରୁ କମ୍‌ରେ ତୃତୀୟ ଶ୍ରେଶୀରେ ଉତ୍ତୀର୍ଣ୍ଣ ହୋଇପାରି ନ ଥିଲା । କିନ୍ତୁ ଏମ୍‌.ଏ. ପାଶ୍ କରି ପକାଇଲା ଗୋଟିଏ ଥରରେ, ପୁଣି ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି । ଯେତେବେଳେ ତା’ର ବନ୍ଧୁବାନ୍ଧବ, ଜଣାଶୁଣା ସାଙ୍ଗସଥୀ ଏହାର ରହସ୍ୟ ପଚାରିଲେ, ସେ ଅମ୍ଳାନକଣ୍ଠରେ କହି ପକାଇଲା–‘‘ଏଇଟା ମା’ ସରସ୍ୱତୀଙ୍କ କୃପା ନୁହେଁ, ‘ଧରାଧରି’ ଦେବୀଙ୍କ ଅନୁଗ୍ରହ ।’’

 

ଧରାଧରି ଦେବୀଙ୍କ କ୍ଷମତା ଯେ ଲକ୍ଷ୍ମୀ, ସରସ୍ୱତୀ, ବୁଦ୍ଧି, ବିବେକ, ଜ୍ଞାନ, ଗାରିମା–ଏ ସମସ୍ତଙ୍କ ଅପେକ୍ଷା ଅତି ବେଶି, ତାହା ଆଜି କାଲି କିଏ ଅବା ଅଙ୍ଗେ ନ ନିଭାଉଛି ? ଏହି ଦେବୀଙ୍କର କରୁଣା ଊଣା ହେଲେ କୌଣସିମତେ ତ୍ରାହି ମିଳିବ ନାହିଁ । ଅମୁକ ଖୁବ୍‌ ଭଲ ଛାତ୍ର, ଏପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପରୀକ୍ଷା କ୍ଷେତ୍ରରେ ସୁନାମ ରଖି ଆସିଅଛି, ମାତ୍ର ଶେଷ ପରୀକ୍ଷାରେ ହୁଏତ ଫେଲ୍‌ ହୋଇଗଲା କିମ୍ୱା ପାଶ୍‌ କଲେ ମଧ୍ୟ ସମସ୍ତଙ୍କ ପାଦତଳେ । ଏହା କିପରି ହେଲା ? ପିଲାସବୁ ନିଶ୍ଚୟ ଉତ୍ତର ଦେବେ, ‘ଧରାଧରି ଦେବୀଙ୍କ କୃପା ଅଭାବରୁ’ । ପୁଣି ଯେଉଁ ପିଲା ସବୁ ପରୀକ୍ଷାରେ ସମସ୍ତଙ୍କ ପାଦତଳେ ରହିଥିଲା, ଶେଷକୁ ଦେଖାଗଲା, ଏକା କ୍ଷେପାକେ ସେ ସମସ୍ତଙ୍କ ମୁଣ୍ଡ ଉପରେ ବସିଅଛି–ଏହା କେବଳ ଯେ ଧରାଧରିର ଫଳ, ସେ କଥା ଆଜିକାଲି ସମସ୍ତଙ୍କ ମୁହଁରେ । ତେବେ ଏହାର ସତ୍ୟତା କେତେ, ତାହା ଅବଶ୍ୟ ନିଧାର୍ଯ୍ୟ କୁହାଯାଇ ନ ପାରେ ।

 

ଗୋପାଳ ବେହେରା ବାବୁଙ୍କର ମଫସଲ ଘରେ ଗତ ଦଶ ବର୍ଷ ହେଲା ଚାଷକାମ କରୁଅଛି । ତା’ର ପୁଅଟି ତିନି ଥର ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ଫେଲ୍‌ ହୋଇ ଏଥରକ ପୁଣି ପରୀକ୍ଷା ଦେଇଅଛି । ଦିନେ ଗୋପାଳ ହଠାତ୍‌ ଆସି ବାବୁଙ୍କ କଟକ ବସାରେ ହାଜର । ସଙ୍ଗେସଙ୍ଗେ ବାବୁଙ୍କ ଗୋଡ଼ ଧରି, ନେହୁରା ହୋଇ ଅର୍ଜି ପେଶ୍‌ କଲା, ‘‘ଆପଣ ଟିକିଏ ଧରାଧରି ନ କଲେ ମୋ ପୁଅଟି ପାଶ୍‌ କରିପାରିବ ନାହିଁ ।’’

 

ବାବୁ ତ ଆବାକାବା, କିଛି ବୁଝିପାରୁ ନାହାନ୍ତି । ଶେଷକୁ ବହୁତ ଆଲୋଚନା ପରେ ସେ ଜାଣିଲେ, ଯେଉଁମାନେ ପରୀକ୍ଷା ଖାତା ଦେଖି ନମ୍ୱର ଦେବାକୁ ନେଇଅଛନ୍ତି, ସେମାନଙ୍କୁ ଧରାଧରି କରି ନମ୍ୱର ଟିକିଏ ଟିକିଏ ବେଶି ଆଦାୟ କରିବାକୁ ପଡ଼ିବ । ଆଜିକାଲି ସମସ୍ତେ ତାହାହିଁ କରୁଛନ୍ତି-। ଖାତାରେ ଯାହା ଲେଖା ହୋଇଥାଉ ନା କାହିଁକି; କିଛି ଲେଖା ନ ହୋଇଥାଉ ପଛକେ, ଧରାଧରି ଫଳରେ ନିଶ୍ଚୟ ଅଧିକ ନମ୍ୱର ମିଳିବ ଓ ପାଶ୍‌ଟା ଥୁଆ । ତା’ ପୁଅ ପାଇଁ ଧରାଧରି କରିବାକୁ କେହି ନାହାନ୍ତି, ତେଣୁ ସେ ଥରକୁଥର ଫେଲ୍‌ ହେଉଅଛି ।

ବାବୁ ପଚାରିଲେ, ‘‘କାହା ପାଖରେ ଖାତା ଅଛି, ମୁଁ ଜାଣିବି କିପରି ? ତାହା ଯେ ଅତି ଗୋପନୀୟ ।’’

ଉତ୍ତର ମିଳିଲା, ‘‘ଅଫିସରେ କିରାଣି ବାବୁଙ୍କୁ ଧରାଧରି କଲେ ତାହା ଜଣାପଡ଼ିବ । ମୋ ପୁଅ ବଡ଼ ବୁଦ୍ଧିଆ । ସେ ସବୁ କଥା ସଂଗ୍ରହ କରି ଭଲ ରୂପେ ବୁଝି ମୋତେ ଆପଣଙ୍କ ପାଖକୁ ପଠାଇଅଛି । ଏଥିରେ ଯଦି କିଛି ଖର୍ଚ୍ଚ ହୁଏ, ମୁଁ ଦେବାକୁ ପ୍ରସ୍ତୁତ ଅଛି ।’’

ସଙ୍ଗେ ସଙ୍ଗେ ଅଣ୍ଟାରୁ ସାତପ୍ରସ୍ତ ମୋଡ଼ା ହୋଇଥିବା ଦଶଟଙ୍କିଆ ମଇଳା ନୋଟ ଖଣ୍ଡିକ ବାହାର କରି ତଳେ ରଖିଦେଲା ।

ଗୋପାଳ କଥାରୁ ବୁଝାଗଲା, ଏ ଦୁନିଆରେ ଯେତେ ପରୀକ୍ଷାରେ ପାଶ୍‌ କରିବାକୁ ହୁଏ, ସେ ସମସ୍ତ ଧରାଧରି ଜୋରରେ ହିଁ ହେଇଥାଏ–ଏ ବିଶ୍ୱାସ ତା’ର ଅସ୍ଥିମଜ୍ଜାଗତ ହୋଇଯାଇଛି ।

ନ ହେବ ବା କାହିଁକି ? ସହରର ଉଚ୍ଚଶିକ୍ଷିତ ମହଲରେ ତ ଏଇ ବିଶ୍ୱାସ । ସେମାନଙ୍କର ପୁଣି ଏହା ଗୋଟିଏ ପ୍ରଧାନ କାମ ।

ପରୀକ୍ଷାରେ ପାଶ୍‌ ଫେଲ୍‌ ତ ପଛ କଥା । ସ୍କୁଲ କଲେଜରେ ପିଲାଙ୍କ ନାମ ଲେଖାଇବାକୁ ପଡ଼ିବ । ବାପ୍‌ରେ ବାପ୍‌, ସେଥିପାଇଁ ଯେଉଁ ଦୌଡ଼ ଧାପଡ଼, ଯେଉଁ ଧରାଧରି, ତାହା କିଏ ଅଙ୍ଗେ ନ ନିଭାଉଛି ? ପ୍ରଧାନଶିକ୍ଷକ ବା ଅଧ୍ୟକ୍ଷ ଭାରି କଡ଼ା, ଟିକିଏ ଏପାଖ ସେପାଖ ହୁଅନ୍ତି ନାହିଁ । ତେଣୁ ୪୯୯ ନମ୍ୱର ପାଇଥିବା ପିଲା ମୁଣ୍ଡ କୋଡ଼ି ହେଉଅଛି; କିନ୍ତୁ ଦେଖ୍‌ ଦେଖ୍‌, ୩୯୯ ନମ୍ୱର ପାଇଥିବା ଛାତ୍ର ଛାତି ଫୁଲାଇ ଶ୍ରେଣୀରେ ବସୁଅଛି ।

 

ଆଉ ଗୋଟିଏ ପାହାଚ ଉପରକୁ ଯିବା । କୌଣସି ଉଚ୍ଚଶିକ୍ଷା ପାଇଁ ବା ଗବେଷଣା କରିବାକୁ ଇଉରୋପ ବା ଆମେରିକା ଯିବାକୁ ସରକାରୀ ଷ୍ଟାଇପେଣ୍ଡ ମିଳିବ । ପ୍ରାର୍ଥୀମାନଙ୍କୁ ପରୀକ୍ଷାକୁ ଡକାଗଲା । ମାତ୍ର ପରେ ପ୍ରତ୍ୟେକ ଯୋଗ୍ୟ ପ୍ରାର୍ଥୀଙ୍କ ମନରେ ବିଶ୍ୱାସ ହେଲା ଯେ, ସେ ନିଶ୍ଚୟ ସରକାରୀ ଷ୍ଟାଇପେଣ୍ଡ ପାଇଥାଆନ୍ତା; ମାତ୍ର ଧରାଧରି କରି ନ ପାରିବାରୁ ଏ ସୁଯୋଗ ହରାଇଲା । ଉପଯୁକ୍ତ ବିଦ୍ୟା ବୁଦ୍ଧି ନ ଥିଲେ ମଧ୍ୟ ଧରାଧରି ବଳରେ ଷ୍ଟାଇପେଣ୍ଡ୍‌ଟିକୁ ସେହି ଅଜଣା ଅଶୁଣା ଅଯୋଗ୍ୟ ପ୍ରାର୍ଥୀ ମାରିନେଲା ।

 

କୌଣସି ସ୍ଥାନରେ ପାଞ୍ଚଗୋଟି ଚାକିରି ଖାଲି ଅଛି । ତାହା ପଚାଶ ଟଙ୍କିଆ ଚପରାସିଠାରୁ ଆରମ୍ଭ କରି ପାଞ୍ଚଶହ ଟଙ୍କା ଦରମା ବିଶିଷ୍ଟ ଉଚ୍ଚପଦ ହେଉ ପଛକେ, ପାଞ୍ଚଶହ ପ୍ରାର୍ଥୀ । ଦେଖାଚାହାଁ, (Interview) ଦିନ ଯେତେ ପାଖେଇ ଆସେ, ପ୍ରାର୍ଥୀମାନଙ୍କ ଧା ଦଉଡ଼ ସେତେ ବେଶି ବଢ଼ିଯାଏ । ଗାଁର ସରପଞ୍ଚ, ଚେୟାର୍‌ମ୍ୟାନ୍‌ଠାରୁ ଆରମ୍ଭ କରି ଏମ. ଏଲ. ଏ, ମନ୍ତ୍ରୀ ତୁଙ୍ଗ ନେତାଙ୍କ ଦରବାର ସରଗରମ ହୋଇଉଠେ । ଯେଉଁ ଦେବତାଙ୍କୁ ଯେଉଁ ପୂଜା, କିଛି ବାଦ୍‌ ଯାଏ ନାହିଁ । ଦେଖାଚାହାଁରେ ନିଜର ଯୋଗ୍ୟତା, ସାଧୁତା ବା କର୍ମଠତା ବେଶି କିଛି ସାହାଯ୍ୟ କରେ ନାହିଁ–କରେ ଏହି ‘‘ଧରାଧରି’’ ।

 

କୌଣସି ଚାକିରିରେ ବିଶେଷ ଯୋଗ୍ୟତା ସମ୍ପନ୍ନ ଲୋକ ଦରକାର । ସେ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀ ଅଛନ୍ତି: କିନ୍ତୁ ଧରାଧରିରେ ଅପାରଗ । ତେଣୁ ସେମାନେ ଅଯୋଗ୍ୟ । ଯେ ଧରାଧରି କରିପାରିଲା, ସେ ବିଶେଷ ଯୋଗ୍ୟତା ନ ଥିଲେ ମଧ୍ୟ ତାହାର ହିଁ ଚାକିରିଟି ପ୍ରାପ୍ୟ ।

 

ସରକାରୀ କର୍ମଚାରୀ ଗୋଟିଏ ଜାଗାରେ ଦଶ ବର୍ଷ ରହିଲେଣି । ତିନି ବର୍ଷରୁ ବେଶି ଦିନ ରହିବା ନିୟମ ନୁହେଁ । ମାତ୍ର ସେ ରହିଅଛନ୍ତି । ଅନ୍ୟ କ୍ଷେତ୍ରରେ ଛଅ ମାସକୁ ନଅ ଜାଗା ବଦଳି ଚାଲିଛି । ଯାହା କହନ୍ତି ରାନ୍ଧିବା ହାଣ୍ଡି କଳା ପଡ଼ୁନାହିଁ । ବଦଳି ଆଦେଶ ମିଳଲେ ମଧ୍ୟ ବର୍ଷ ବର୍ଷ ଧରି ତାକୁ ଏଡ଼ାଇ ଦିଅଯାଇପାରୁଛି । ପୁଣି ଅନ୍ୟ କ୍ଷେତ୍ରରେ ଦୁଇ ଦିନରୁ ତିନି ଦିନ ବିଳମ୍ୱ ହେଲେ ମୁଣ୍ଡରେ ଚଡ଼କ ପଡ଼େ । ଏହି ବଦଳି ଆଦେଶ ଦେବା, ପୁଣି ଆଦେଶ ରହିତ କରିବା, ପରିବର୍ତ୍ତନ କରିବା ଆଜିକାଲି ଏତେ ବେଶି ଯେ, ସରକାରୀ ଗେଜେଟର ପ୍ରଥମ ଭାଗର ଅଧିକାଂଶ ସ୍ଥାନ ‘କାନ୍‌ସେଲଡ଼୍‌’ (Cancelled) ଅଧିକାର କରି ବସିଥାଏ । ଧରାଧରି ହିଁ କେବଳ ଏହା ମୂଳରେ ।

 

ବ୍ୟବସାୟ କରିବାକୁ, କଳକାରଖାନା ବସାଇବାକୁ ସରକାର ଋଣ ଦେବେ ଅନୁମତି ଦେବେ । ସେଥିପାଇଁ ଏକମାତ୍ର ଯୋଗ୍ୟତା ଧରାଧରି । ଋଣ ଅର୍ଥର ସଦୁପଯୋଗ ହେବ କି ନାହିଁ, ଋଣ ସୁଧ ସହ ଠିକ୍‌ଠିକ୍‌ ଫେରି ଆସିବ କି ନାହିଁ, ଋଣ ଆଦାୟ କରିବା ଭଳି ଉପଯୁକ୍ତ ସମ୍ପତ୍ତି ଅଛି କି ନାହିଁ, ପୁଣି ବ୍ୟବସାୟ ବା କାରଖାନା ଚଳାଇବାରେ ବିଦ୍ୟା, ବୁଦ୍ଧି, ଅଭିଜ୍ଞତା କେତେ, ସେ ସବୁ ଦେଖିବାର ଆବଶ୍ୟକତା ନାହିଁ । ଧରାଧରି ପ୍ରଭାବରେ ସବୁ ସମ୍ଭବ । ଋଣ ମିଳୁଛି, ଅନୁମତି ମିଳୁଛି, ଅଥଚ ବ୍ୟବସାୟର ନାମ ଗନ୍ଧ ନାହିଁ । କାରଖାନାରୁ ଦ୍ରବ୍ୟ ଉତ୍ପନ୍ନ ହେଉନାହିଁ କି ଋଣ ଧନ ଫେରିଆସୁନାହିଁ । ଅନୁମତିରେ ମିଳୁଥିବା କଞ୍ଚାମାଲ ଦୂରରୁ ଅତି ଦୂରକୁ ଗୋପନରେ ଚାଲିଯାଉଅଛି ।

 

ନିର୍ବାଚନ ଲଢ଼େଇ ଚାଲିଛି । ସାଧୁ, ସଚ୍ଚୋଟ, କର୍ମଠ, ଲୋକପ୍ରିୟ ବ୍ୟକ୍ତି ସଭ୍ୟ ହେବା ଦରକାର । ତା’ହେଲେ ଗ୍ରାମର, ଅଞ୍ଚଳର, ମୋଟ ଉପରେ ଦେଶର, ଜାତିର ମଙ୍ଗଳ ହେବ । ଏହା ସମସ୍ତଙ୍କର ବିଶ୍ୱାସ ଓ ମୁହଁରେ ଏହା ସମସ୍ତେ କହିଥାଆନ୍ତି । ମାତ୍ର ଧରାଧରି ବଳରେ ଯେ ନିର୍ବାଚିତ ହେଲେ, ସମୂହ ଆଲୋଚନାରେ ପ୍ରକାଶ ପାଇଲା, ତାଙ୍କୁ କେହି ଚାହୁଁ ନ ଥିଲେ । ଗ୍ରାମପଞ୍ଚାୟତଠାରୁ ଆରମ୍ଭ କରି ପାର୍ଲିଆମେଣ୍ଟ ସଭା ପର୍ଯ୍ୟନ୍ତ ଯେ କୌଣସି ନିର୍ବାଚନ ଏହାର ଅନ୍ତର୍ଭୁକ୍ତ ।

 

ଖାଲି ନିର୍ବାଚନରେ ଲଢ଼ିବା ନୁହେଁ । ଲଢ଼ିବାକୁ ତୁମେ ଯୋଗ୍ୟ କି ନୁହଁ, ତୁମ ଅଞ୍ଚଳରେ ତୁମେ ପ୍ରାର୍ଥୀ ହେବାକୁ ଉପଯୁକ୍ତ ନା ଅନୁପଯୁକ୍ତ, ନିର୍ବାଚନମଣ୍ଡଳୀର ଲୋକେ ତୁମକୁ ପସନ୍ଦ କରନ୍ତି ନା ନାହିଁ, ତାହା ନିର୍ଭର କରେ ସେହି ଧରାଧରି ଉପରେ । ଧରାଧରି କରି ନ ପାରିଲେ, ତୁମେ ଟିକଟ ପାଇବ ନାହିଁ, ତେଣୁ ତୁମ ଅଞ୍ଚଳ ଲୋକଙ୍କର ଭୋଟ ପାଇବ ନାହିଁ–ଲୋକେ ତୁମକୁ ଯେତେ ଭଲପାଆନ୍ତୁ ନା କାହିଁକି !

 

ରାଜ୍ୟ ଶାସନ ପାଇଁ ମନ୍ତ୍ରିମଣ୍ଡଳ ଗଢ଼ାଯିବ । ମନ୍ତ୍ରୀ, ଉପମନ୍ତ୍ରୀ ବଛା ଯିବେ । ସେଥିରେ ମଧ୍ୟ ଧରାଧରିର ପ୍ରଭାବ ହିଁ ଅଧିକ । ଏକଥା ତ ଆଜିକାଲି ପ୍ରତ୍ୟେକ ରାଜନୀତିଜ୍ଞଙ୍କଠାରୁ ଶୁଣାଯାଏ ।

 

ଧରାଧରିର ପ୍ରୟୋଗ ଓ ପ୍ରଭାବ ବହୁ ଅଧିକ । ନିପଟ ମଫସଲ ଅଞ୍ଚଳର ଯେ କୌଣସି ଗୋଟିଏ ମକଦ୍ଦମାର ବାଦୀ, ପ୍ରତିବାଦୀମାନଙ୍କର ବିଶ୍ୱାସ, ଧରାଧରି କରି ପାଇଲେ ସେ ନିଶ୍ଚୟ ଡିଗ୍ରୀଲକ୍ଷ୍ମୀକୁ ଗାମୁଛା କାନିରେ ବାନ୍ଧି ନିଜ ଘରକୁ ଟାଣିଆଣିବ । କଥାକଥାକେ ଲୋକେ ‘‘ହାଇକୋର୍ଟ’’ ଦେଖାଇଲେଣି, ‘‘ହାକିମ ତ ମୋ ହାତମୁଠାରେ କିଏ କ’ଣ କରିବ ?’’

 

ସମସ୍ତେ କହୁଅଛନ୍ତି ସେ ଚୋର, ହତ୍ୟାକାରି, ଗୁଣ୍ଡା, ସମାଜବିରୋଧୀ । ମାତ୍ର ସେ ନିଶରେ ହାତ ପକାଇ ଦାଣ୍ଡରେ ବୁଲୁଅଛି । ଏଣେ ପୁଲିସ୍‌ ଘୋଷଣା କରୁଛି, ଆସାମୀ ଫେରାର, ତା’ର ପତ୍ତା ମିଳୁନାହିଁ । ଆଖିରେ ଅନ୍ଧପୁଟୁଳି ବାନ୍ଧିଦେଇଛି ‘‘ଧରାଧରି’’ ।

 

ରୋଗୀର ଅବସ୍ଥା ସାଙ୍ଘାତିକ । ହୁଏତ ଅତିଶୀଘ୍ର ଯତ୍ନ ନ ନେଲେ ମୃତ୍ୟୁ ସୁନିଶ୍ଚିତ । ଅଥଚ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ହେଲେ ଧରାଧରିର ଆବଶ୍ୟକତା ଅତି ଅଧିକ । ସେହି ଧରାଧରି ଅବସ୍ଥାରେ ରୋଗୀର ମୁତ୍ୟୁ ହୋଇଯିବା ଅସମ୍ଭବ ନୁହେଁ ।

 

ଆମ ଗାଁରେ କୂଅ କି ପୋଖରୀ ନାହିଁ । ପାଣି ନ ପାଇ ଲୋକେ ଛଟପଟ ହେଉଅଛନ୍ତି-। ବହୁତ ଧରାଧରି କଲୁ, ବି.ଡ଼ି.ଓଙ୍କ ଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ତେଲ ମାଲିସ ଚାଲିଲା-। ଫଳରେ ପଞ୍ଚାୟତ ସମିତି ଗାଁ ମଝିରେ ଗୋଟିଏ କୂଅ ଖୋଳାଇବା ପାଇଁ ଟଙ୍କା ମଞ୍ଜୁର କଲେ-। ଗ୍ରାମବାସୀ ଆଉ ସେତିକି ଟଙ୍କା ଚାନ୍ଦା ଦେଇ କୂଅ ଖୋଳାଇବେ–ଗ୍ରାମର ଗୋଟିଏ ବଡ଼ ଅଭାବ ଦୂର ହେବ-। ଚାହିଁଚାହିଁ ଆଖି ପାଣି ଆଖିରେ ଶୁଖିଲା–କୂଅ ଖୋଳା ଟଙ୍କା ମିଳିଲା ନାହିଁ । ବୁଝୁବୁଝୁ କ’ଣ ନା ଆମ ଧରାଧରିକୁ ରାମବାବୁଙ୍କ ଧରାଧରି ବଳି ପଡ଼ିଲା । ତା’ ସାହିରେ ଗଣ୍ଡାଗଣ୍ଡା କୂଅ-। ତଥାପି ଧରାଧରି ବଳରେ ରାମବାବୁ ସେ ମଞ୍ଜୁରି ଟଙ୍କାରେ ନିଜ ଦୁଆରମୁହଁରେ କୂଅଟି ଖୋଳାଇନେଲେ । ସେଥିପାଇଁ ଆଉ ଯୋଡ଼ି ମଞ୍ଜୁରି (Matching grant) କଥା ଉଠିଲା ନାହିଁ ।

 

ବାତ୍ୟା, ବନ୍ୟା, ଲୁଣାପାଣି ଜୁଆରରେ ଗାଁର ଘରସବୁ ମୂଳପୋଛ ହୋଇଗଲା । ଲୋକମାନେ ଅସହାୟ ଅବସ୍ଥାରେ ଭୋକଉପାସରେ ବାରଦୁଆର ଶୁଣ୍ଢିପିଣ୍ଡା ହେଲେ । ସରକାର ବିକଳ ସହି ନ ପାରି ଲକ୍ଷଲକ୍ଷ ଟଙ୍କାର ମାଲ ସାହାଯ୍ୟ ପଠାଇଲେ । ଖବରକାଗଜ, ରେଡ଼ିଓରେ ଡେଙ୍ଗୁରା ପିଟାଗଲା; ମାତ୍ର ଜିନିଷ ଯାଇ ପହଞ୍ଚିଲା ଯେଉଁ ଗ୍ରାମରେ–ସେଠାରେ ବାତ୍ୟା, ବନ୍ୟାର ପ୍ରବେଶ ନିଷିଦ୍ଧ । ଏହା କେବଳ ‘‘ଧରାଧରି’’ର ଜୋର ଯେଉଁ ଶିକ୍ଷା ଅନୁଷ୍ଠାନ ଭାଙ୍ଗିଥିଲା, ବର୍ଷବର୍ଷ ଧରି ତାହା ସେହିପରି ରହିଅଛି; କିନ୍ତୁ ଯାହାକୁ ବାତ୍ୟା ସ୍ପର୍ଶ କରି ନାହିଁ, ତା’ର କିମ୍ୱା ତା’ ପରିଚାଳକଙ୍କର କୋଠା ଉପରେ କୋଠା ହେଉଅଛି ସେହି ସରକାରୀ ରିଲିଫ ପାଣ୍ଠିରେ ।

 

ଆଜିକାଲି ଦେଖାଯାଉଅଛି ପତ୍ରପତ୍ରିକାରେ କେତେ ପ୍ରବନ୍ଧ, ବିବୃତି, ସନ୍ଦର୍ଭ, ଲେଖା ପ୍ରକାଶ ପାଉଅଛି–ଯାହା ପ୍ରକାଶର ଆବଶ୍ୟକତା କୌଣସି ଦିଗରୁ ହେଲେ ଆଦୌ ଅନୁଭୂତ ହେଉନାହିଁ । ତାହା କେବଳ ଲେଖକଙ୍କ ଧରାଧରି ବଳରେ ହିଁ ସମ୍ଭବ ହେଉଛି ଏବଂ ପତ୍ରପତ୍ରିକାରେ କେତେକ ମୂଲ୍ୟବାନ ସ୍ଥାନ ତା’ ସଙ୍ଗେସଙ୍ଗେ ପାଠକ ପାଠିକାମାନଙ୍କର କେତେ ଅମୂଲ୍ୟ ସମୟ ଅଯଥା ନଷ୍ଟ ହେଉଅଛି ।

 

ସାହିତ୍ୟ ପୁରସ୍କାର ଦିଆଯିବ । ମାତ୍ର ଦେଖାଯାଉଅଛି, ଯେଉଁ ପୁସ୍ତକ ପୁରସ୍କାର ପାଇଅଛି, ତା’ର ସାହିତ୍ୟିକ ମୂଲ୍ୟ ଅତି କମ୍‌ । ତା’ ଅପେକ୍ଷା ଗୋଟିଏ ନୁହେଁ, ଏକାଧିକ ଉତ୍କୃଷ୍ଟ ପୁସ୍ତକ ପ୍ରତିଯୋଗିତା ପାଇଁ ମିଳିଥିଲା । ତାହା ସତ୍ତ୍ୱେ ଏହି ନିକୃଷ୍ଟ ଧରଣର ପୁସ୍ତକଟି ପୁରସ୍କାର ପାଇଲା କିପରି ? ଏହାର ଉତ୍ତର–କେବଳ ଧରାଧରିର କୃପା ।

 

କଣ୍ଟ୍ରୋଲ ଯୁଗ । ଅନେକ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ବିକ୍ରି ଖରିଦରେ କଡ଼ା କଟକଣା କରାଯାଇଅଛି । ଏହି ଜିନିଷ ହକ୍‌ ପଇସା ଦେଇ କିଣିବାକୁ ହେବ । ତଥାପି ସେଥିପାଇଁ ସରକାରଙ୍କ ଦାୟିତ୍ୱ ସମ୍ପନ୍ନ ଅଫିସରଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ ଦରଖାସ୍ତ ଦେଇ । ଖାଲି ଦରଖାସ୍ତ ଦେଇଦେଲେ ହେବ ନାହିଁ–ଧରାଧରି ଦରକାର । ଫଳରେ ସେ ଦ୍ରବ୍ୟ ଯାର ଆଦୌ ଦରକାର ନାହିଁ ସେ ପାଇ ଯାଉଛି, କିଳାପୋତେଇ କରୁଅଛି; ଆଉ ଯାହାର ନିହାତି ଦରକାର, ଧରାଧରି ଅଭାବରୁ ସେ ବଞ୍ଚିତ ହେଉଅଛି ।

 

ରେଳଗାଡ଼ିରେ ଦୂର ସ୍ଥାନକୁ ଯିବାକୁ ହେବ । କେବଳ ଦଶ ଦିନ ଆଗରୁ ଟଙ୍କା ବାନ୍ଧି ପ୍ରଥମ ଶ୍ରେଣୀର ଟିକଟଟିଏ କାଟି ସ୍ଥାନ ସଂରକ୍ଷଣ କରିଦେଲେ ଚଳିବ ନାହିଁ । ଧରାଧରି ନ କଲେ ତାହା ବାଏଁ ବାଏଁ ଉଡ଼ିଯିବ । ହୁଏତ କେତେ ଦଶ ଦିନ ଅପେକ୍ଷା କରିବାକୁ ପଡ଼ିବ–ତା’ର ଇୟତ୍ତା ନାହିଁ । ଅଥଚ ଧରାଧରି ପ୍ରସାଦରେ ସେହିଦିନ ସ୍ଥାନ ରିଜର୍ଭ କରି ମଉଜରେ ଯାଇହେବ ।

 

ବେତାର କେନ୍ଦ୍ରରେ ଏହି ଧରାଧରି ହିଁ ଆଜିକାଲି କେତେ ନୂଆ ନୂଆ ସାହିତ୍ୟିକ ସୃଷ୍ଟି କରୁଅଛି । ଦର୍ବ୍ଦୁରକଣ୍ଠୀଙ୍କୁ ସଂଗୀତଜ୍ଞ କରୁଅଛି । ଜନସାଧାରଣ ଯାହାଙ୍କ ମୁଣ୍ଡରେ ଟିପା ମାରିଦେଇଛନ୍ତି ସାହିତ୍ୟିକ, କବି, ସଂଗୀତଜ୍ଞ ବୋଲି, ‘ଧରାଧରି’ଙ୍କ କୃପା ବିହୀନରୁ ସେମାନଙ୍କୁ ‘‘ମଧୁପୁର ଦାଣ୍ଡ ମନାରେ କାଳିଆସୁନା ।’’

 

ମୁଁ ଖଣ୍ଡିଏ ବହି ଲେଖିଅଛି । ରାତିକାରାତି ସାହିତ୍ୟଜଗତରେ ଗୋଟିଏ ବଡ଼ ଆସନ ଦଖଲ କରିନେବାକୁ ପ୍ରବଳ ଆକାଂକ୍ଷା । କିନ୍ତୁ ବହିଖଣ୍ଡିକ ଯେ ପଢ଼ିଲା, ସେ ନାକ ଟେକିଲା । ସେତେବେଳେ ଉପାୟ ? ମୁଁ ଯାଇ ଜଣେ ମାର୍କାମରା ବଡ଼ ସାହିତ୍ୟିକଙ୍କୁ ଧରାଧରି କଲି ଗୋଟିଏ ମୁଖବନ୍ଧ ଲେଖିଦେବା ପାଇଁ । ‘ସେବା, କାର୍ପଣ୍ୟ, ପୂଜା ବଳେ; କିବା ଅସାଧ୍ୟ ମହୀତଳେ ?’ ମୋହବତ ଆଉ ଧରାଧରି ଏ ଦୁଇଟାର କରାମତି ବେଶ୍‌ କାମ ଦେଲା । ସାହିତ୍ୟିକ ବହିଟିର ଉଚ୍ଚ ପ୍ରଶଂସା କରି ମୁଖବନ୍ଧ ଲେଖିଦେଲେ । ପୁଣି ପତ୍ରିକା ସମ୍ପାଦକଙ୍କୁ ଧରାଧରି ଫଳରେ ତାଙ୍କ ପତ୍ରିକାରେ ଏଭଳି ଗୋଟିଏ ମୁଖରୋଚକ ସମାଲୋଚନା ପ୍ରକାଶ କରାଇପାରିଲି (ଅବଶ୍ୟ ସମ୍ପାଦକ ବହିଖଣ୍ଡି ପଢ଼ିବାକୁ ସମୟ ପାଇନାହାନ୍ତି), ଯଦ୍ଦ୍ୱାରା କି ସାଧାରଣ ପାଠକ ଭାବିଲେ, ଏହା ଗୋଟିଏ ସ୍ୱର୍ଗର ଫଳ, ହୁଏତ ଆମେ ବୁଝିବାକୁ ଅଯୋଗ୍ୟ । ପ୍ରଚାରିତ ହୋଇଗଲା, ‘‘ମୋର ଏଇ ଗୋଟିଏ ସୃଷ୍ଟି ନିଶ୍ଚୟ ନୋବେଲ୍ ପ୍ରାଇଜ୍‌ଟାକୁ ଟାଣିଆଣି ମୋ ପାଦତଳେ ଫିଙ୍ଗି ଦେଇଥାଆନ୍ତା, ‘ଜ୍ଞାନପୀଠ’ର ଲକ୍ଷେ ଟଙ୍କା ତ ନିଶ୍ଚୟ ଥୁଆ, ସାହିତ୍ୟ ଏକାଡ଼େମୀର ପାଞ୍ଚ ହଜାରଟା ବା କି ଛାର । ମାତ୍ର ମୋର ଭାଗ୍ୟ ଖରାପ–ମୁଁ ଜନ୍ମ ହୋଇଅଛି ଓଡ଼ିଶାରେ; ତେଣୁ... ।’’

 

ମଫସଲ ଅଞ୍ଚଳରେ ଲୋକକୁ ଶିକ୍ଷିତ କରିବାକୁ ହେବ । ସେଥିପାଇଁ ହଜାର ହଜାର ଟଙ୍କା ବହି କିଣି ଲୋକଙ୍କ ଭିତରେ ବାଣ୍ଟିବାର ଅଧିକାର ବିଭିନ୍ନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସରକାର ଦେଇଅଛନ୍ତି । ମାତ୍ର ପ୍ରକାଶକମାନଙ୍କର ଅଭିଯୋଗ, ଯେଉଁ ବହି ଅତି ଅପାଠ୍ୟ; ଦଶ–କୋଡ଼ିଏ ବର୍ଷ ତଳେ ଯାହା ଛପାଯାଇ ଗୋଦାମରବ୍ଦି ହୋଇ ପଡ଼ି ରହିଥିଲା, କେହି ପଚାରୁ ନ ଥିଲେ–ଧରାଧରି ଫଳରେ ସେହି ଗୁଡ଼ିକ ହିଁ ଉତ୍କୃଷ୍ଟ ସାହିତ୍ୟ ବୋଲି ବିବେଚିତ ହେଲା । କେହି ପଢ଼ନ୍ତୁ ନ ପଢ଼ନ୍ତୁ, ସରକାରଙ୍କ ଟଙ୍କା ତ ଖର୍ଚ୍ଚ ହେଲା; ଏଣେ ବହି ଗୋଦାମର ଅଳିଆ ବି ସଫା ହୋଇଗଲା ।

 

ଏହିପରି ଗୋଟିଗୋଟି ଉଦାହରଣ ଦେଲେ ସାତ ଖଣ୍ଡ ରାମାୟଣ ତ ନୁହେଁ, ଅଠର ପର୍ବ ମହାଭାରତ ବି ତୁଲେଇବେ ନାହିଁ । ଏହା ସର୍ବବ୍ୟାପୀ ଧରାଧରିର ଅଖଣ୍ଡ ପ୍ରଭାବ ଓ ତା’ର ପରିଣତି ଦେଖି ମନେହୁଏ, ଦୁନିଆରୁ ଏଣିକି ସବୁ କିଛି ଲୋପ ପାଇଯିବ–କେବଳ ମାତ୍ର ଅଖଣ୍ଡ କ୍ଷମତା ବିସ୍ତାର କରି ଗାଦି ମାଡ଼ି ବସିରହିବ ‘ଧରାଧରି’ ।

 

‘‘ଧରାଧରି ପ୍ରସାଦେନ

ସର୍ବବିଘ୍ନ ବିନାଶନଂ,

ସର୍ବଫଳପ୍ରଦାଂ ଦେବୀଂ

‘ଧରାଧରିଂ ନମସ୍ତୁତେ ।’’

 

[ଦଶବର୍ଷ ତଳେ ଏ ଅଲେଖା (ଯଥା–ଅମଣିଷ) ରୂପପରିଗ୍ରହ କରିଥିଲା । ଆଜି ଦେଖୁଅଛି, ଏ ଦଶ ବର୍ଷ ଭିତରେ ସରକାରଙ୍କ ପରିବାର ନିୟନ୍ତ୍ରଣ ଯୋଜନା ହେତୁ ଆମ ଦେଶର ଲୋକସଂଖ୍ୟା ଅବଶ୍ୟ ଦଶଗୁଣ ବଢ଼ିନାହିଁ ସତ; କିନ୍ତୁ ନେତା ସଂଜ୍ଞା ଦଶ ଗୁଣ ବଢ଼ିଯାଇଅଛି; (ଯଥା–ନେତା, ପ୍ରବୀଣନେତା, ଛାତ୍ରନେତା, ବିଶିଷ୍ଟ ଛାତ୍ରନେତା, ଅତି ବିଶିଷ୍ଟ ଛାତ୍ର ନେତା, କିଶୋର ନେତା, ଯୁବ ନେତା, କୁଜୀ ନେତା, ପ୍ରସିଦ୍ଧ ଯୁବନେତା, ଶ୍ରମିକ ନେତା, ଚାଷୀ ନେତା ଇତ୍ୟାଦି) । ବିଶ୍ୱବିଦ୍ୟାଳୟ ପରୀକ୍ଷାଫଳ ତାଲିକା ମଧ୍ୟ ଦଶ ଗୁଣ ବଢ଼ିଅଛି । ସେହି ଅନୁପାତରେ ଧରାଧରି ପ୍ରଭାବ ମଧ୍ୟ ଦଶ ଗୁଣ ବଢ଼ିଅଛି । ମୁଁ ସମ୍ପାଦକଙ୍କୁ ‘ଧରାଧରି’ କରୁଅଛି, ଏ ‘ଅଲେଖାକୁ ସେ ‘ଅଧରା’ (ଯଥା–ଅଧରା ବାଛୁରୀ, ଅସ୍ୟାର୍ଥ ଷଣ୍ଢ) ଶ୍ରେଣୀଭୁକ୍ତ କରିବେ ନାହିଁ ।

☆☆☆

 

କଟକ ନଗରୀ

 

ଭକ୍ତକବି ମଧୁସୂଦନ ରାଓଙ୍କ ଭାଷାରେ ଆଜି ଗାଇବାକୁ ମନ ହେଉଛି–

 

‘‘ଏକେ ତ କଟକ ନଗରୀରାଣୀ

ଦେବସଭା ମଧ୍ୟେ ଯେହ୍ନେ ଇନ୍ଦ୍ରାଣୀ

ସିନ୍ଧୁ ବକ୍ଷେ ଯଥା ରମାସୁନ୍ଦରୀ

ମହାନଦୀ ଅଙ୍କେ ରମ୍ୟ ନଗରୀ ସେ

ବିରାଜିତ ଲୀଳାରଙ୍ଗେ ଯେ,

ମଇଳା ଶୋଭିତ ତାହାର ପ୍ରତିମା

ଖେଳଇ ମଶା ତରଙ୍ଗେ ଯେ ।’’

 

ବାସ୍ତବିକ୍‌, ଦେବସଭା ମଧ୍ୟରେ ଇନ୍ଦ୍ରାଣୀ ପରି ଦେବତାମାନଙ୍କ ଚିରବିହାରସ୍ଥଳୀ, ଓଡ଼ିଶାର ସୁପ୍ରାଚୀନ, ସ୍ୱଗୌରବଗର୍ବିତ ରାଜଧାନୀ, ଶିକ୍ଷା–ସଂସ୍କୃତି–କଳାପୀଠ, ଐତିହାସିକ ଖ୍ୟାତିସମ୍ପନ୍ନ, ରମା ସଦୃଶ କଟକ ନଗରୀ ମହାନଦୀ କାଠଯୋଡ଼ି ବକ୍ଷରେ ଯେ ଯୁଗଯୁଗ ଧରି ବିରାଜମାନ କରିଆସିଅଛି, ତାହା ‘ହାମ୍‌ କଟ୍‍କୀ’ଙ୍କ ପକ୍ଷରେ କଅଣ କମ୍‌ ଗୌରବର କଥା ? ଧୂଳି–ମାଟି–ପାଣି–କାଦୁଅ–ମଇଳା–ଆବର୍ଜ୍ଜନା ପରିପୂରିତ ବନ୍ଧର ପଥ, ପଚାସଢ଼ା ପାଇଖାନା ଜଳ ଓ ରମଣୀ–ବାଳକ–ବାଳିକାମାନଙ୍କ ପୁରୀଷ ପୂର୍ଣ୍ଣ ସୁବାସିତ ରାସ୍ତା ପାର୍ଶ୍ୱର ନର୍ଦ୍ଦମା, ବୀଣାବିନିନ୍ଦିତ ମଶାବାହିନୀଙ୍କ ସ୍ୱରଝଙ୍କାର, ମାଛି–ଛାରପୋକ, ଅସରପା, ଝିଟିପିଟି, ମାଙ୍କଡ଼ସାଙ୍କ କେଳିକୁଞ୍ଜ ଏହି ନଗରର ବାସିନ୍ଦା ଯେ କେତେ ଭାଗ୍ୟବାନ୍‌ ଏବଂ କେତେ ଜନ୍ମ ତପସ୍ୟା ଫଳରେ ଯେ ମନୁଷ୍ୟ ନାମଧାରୀ ଦ୍ୱିପଦ ପ୍ରାଣୀ ଏଠାରେ ଆହାର–ବିହାର–ଭୟ–ମୈଥୁନର ସୁଯୋଗ ପାଏ, ତାହା ଅମରାବତୀର ଅମରମାନେ ସୁଦ୍ଧା କଳନା କରିପାରିବେ ନାହିଁ ।

 

ପଞ୍ଚ ‘କ’ କାର (କଳାଟଙ୍କା, କଳାବଜାର, କିଳାପୋତେଇ, କୁକ୍ରିୟା, କୂଟକପଟ) କଣ୍ଟକିତ କଟକର କଳା ଅନ୍ୟତ୍ର ବିରଳ । ମଳ–ମଇଳା–ମଶା–ମଦ–ମ୍ୟୁନିସିପାଲଟି–ପଞ୍ଚ ‘ମ’ କାର ପୂଜିତ ଏହି ମହାନଗରୀର ମହିମା ମହୀମଣ୍ଡଳରେ ଅତୁଳନୀୟ । ଏଠାରେ ପାଠ ଶଠତାର ବହିରଙ୍ଗ ମାତ୍ର; ସାହିତ୍ୟ ଶତ୍ରୁର କୁତ୍ସା ରଟନାରେ ପର୍ଯ୍ୟବସିତ; ସଂସ୍କୃତି ଢେଲା ପଥରମାଡ଼, ଛୁରାଭୂଷା, ଏସିଡ଼୍‌, ରଙ୍ଗପାଣି ଫିଙ୍ଗା ।

 

ନର୍ଦ୍ଦମା ନର୍ମଦାରେ ପବିତ୍ରିତ ଏହି ନଗରୀରେ ନାହିଁ କଅଣ ? ‘ମହାଯାତ୍ରା’ ବର୍ଣ୍ଣିତ କଳି ତା’ର ଅନୁଚର, ପାର୍ଶ୍ୱଚର, ସହଚର–ଲୋଭ, ମୋହ, ଈର୍ଷା, କ୍ରୋଧ, ପରଶ୍ରୀକାତରତା, ମିଥ୍ୟା, ଶଠତା, ଭାଣ୍ଡାମି ସମଭିବ୍ୟାହାରରେ ଏଠାରେ ସବୁ ସମୟରେ ବିହରଣ କରୁଅଛି । ଏଠାରେ ରାଜନୀତିରେ ନୀତି ନାହିଁ, ଅର୍ଥନୀତିରେ ଅର୍ଥ ନାହିଁ, ଧର୍ମନୀତିଟା ‘ଧର–ମାର’ ନୀତିରେ ହିଁ ପରିଚାଳିତ ।

 

ଏଠାରେ ପ୍ରତିଦିନ ପ୍ରତ୍ୟୁଷରୁ ଗୃହଲକ୍ଷ୍ମୀମାନେ ଘରର ସମସ୍ତ ଆବର୍ଜନା ଆଣି ରାସ୍ତାରେ ଜମା କରନ୍ତି । ଘରର ପିଲାମାନଙ୍କୁ ରାସ୍ତା କଡ଼ ନର୍ଦ୍ଦମା, ନହେଲେ କ୍ଷୀଣପ୍ରସ୍ଥ ରାସ୍ତାର ଉଭୟ ପାର୍ଶ୍ୱରେ, ସୁବିଧା ନ ଥିଲେ ରାସ୍ତାର ମଧ୍ୟଭାଗରେ ପ୍ରାତଃକର୍ମ କରାଇ ନିଅନ୍ତି । ସେତେବେଳେ ସେହି ବିବସ୍ତ୍ରବେଶର ଭାବି ନାଗରିକମାନଙ୍କର ଯୋଗାଭ୍ୟାସ ଦେଖିବା ସୌଭାଗ୍ୟ ଯାହାର ଜୁଟେ (ପ୍ରତ୍ୟହ ପ୍ରତି ଅଞ୍ଚଳରେ ପ୍ରତ୍ୟେକ ପଥଚାରୀଙ୍କୁ ଜୁଟିଥାଏ) ତା’ର ଆଖି, ନାକ ଓ କାନ ଧନ୍ୟ ହୁଏ । ସନ୍ଧ୍ୟା ସମୟରେ ନିଜେ ଗୃହିଣୀମାନେ ପୌରସମିତି ପ୍ରଦତ୍ତ କ୍ଷୀଣ ଆଲୋକ ସ୍ତମ୍ଭ ତଳେ ରାସ୍ତା ଉପରେ ଅଧମାଙ୍ଗକୁ ମୁକୁଳିତ କରି ଧାଡ଼ି ଧାଡ଼ି ବସି ଘଣ୍ଟାଘଣ୍ଟା ଧରି ଯେପରି ବାକ୍ୟାଳାପରେ ମଜ୍ଜିରହି ସାନ୍ଧ୍ୟତର୍ପଣ କରନ୍ତି, ତାହା ଅନ୍ୟ କୁତ୍ରାପି ଦୃଷ୍ଟିଗୋଚର ହେବ ନାହିଁ ।

 

ଏ ନଗରୀରେ ଗୃହସ୍ୱାମୀର ସ୍ୱାମୀତ୍ୱ ଗୃହରେ ନ ଥାଏ, ଥାଏ ଗୃହର ବାହାରେ, ଏହାହିଁ ତ ବାହାଦୁରି । ଗୃହର ନାଳ ନର୍ଦ୍ଦମା ପାଇଖାନା ଜଳସ୍ରୋତ ସର୍ବସାଧାରଣଙ୍କ ଯାତାୟାତ ପାଇଁ ପୌରସମିତି ପ୍ରସ୍ତୁତ, ପରିଚାଳିତ ରାଜପଥରେ ଅବାଧ ଗତିରେ ଲହରୀ ଖେଳେ । ରାଜପଥ ଉପରେ ନାଳ ତିଆରି କରି ମଇଳାଜଳ ନିଷ୍କାସନର ବ୍ୟବସ୍ଥା କରାଯାଏ । ଏଠାରେ ତ ପର ଆପଣାର ଫରକ ନାହିଁ । ଅପରର ସୁବିଧା ଦୁଃଖକଷ୍ଟ ବିଚାରକୁ ନେବା ସଙ୍ଗତ କିଏ କାହିଁକି ମଣିବ ? ଅପରର ଅନିଷ୍ଟ ନ କଲେ ଅପରାଗତି ଲାଭ ହୁଏ ନାହିଁ ଯେ ! ଏହାର ନାଗରିକ ପରଦ୍ରବ୍ୟେଷୁ ଲୋଷ୍ଟ୍ରବତ୍‌ ଜ୍ଞାନ କରେ; ପରଦାରେଷୁ ମାତୃବତ୍‌ ନୁହେଁ , ମାତାର ବଧୂବତ୍‌ ଏବଂ ପରଦୁଃଖକୁ ନିଜର ସୁଖଦାୟକ ବୋଲି ଗ୍ରହଣ କରିଥାଏ ।

 

ଏହାର ନାଗରିକଙ୍କ ଉଦର ଉଦାର, ମନ ବିଶାଳ, କାନ ପୃଥୁଳ । ପଡ଼ୋଶୀର ସବୁ ପ୍ରକାର କ୍ଷତି ସାଧନର ପ୍ରଚେଷ୍ଟା ତା’ର ଧର୍ମ । ଯେ ସାଇଭାଇ, ଜ୍ଞାତି ବନ୍ଧୁଙ୍କର ଯେତିକି ଅନିଷ୍ଟ ସାଧନ କରିପାରେ, ସେ ସେତିକି ମହତ୍‌ । ନିଜ ଘରର ପାଇଖାନା ନର୍ଦ୍ଦମା ପାଣି ଛାଡ଼ି ପଡ଼ୋଶୀ ଘରର ଦାଣ୍ଡ କର୍ଦ୍ଦମାକ୍ତ, ଅଗମ୍ୟ, ନର୍କକୁଣ୍ଡ ଯେ ଯେତିକି କରିପାରେ, ସେ ସେତିକି ଲୋକମାନ୍ୟ । ଯେ ପଡ଼ୋଶୀମାନଙ୍କୁ ଯେତିକି ଦୁର୍ଦ୍ଦଶାରେ ପକାଇ, କ୍ଷତିଗ୍ରସ୍ତ କରାଇ ନିଜର ପ୍ରୌଢ଼ି ବଢ଼ାଇପାରେ, ସେ ସେତିକି ବିଚାରବନ୍ତ, ବିବେକୀ । ଯେ ଅହରହ ଅନ୍ୟର କ୍ଷତି କରିବା ରୂପକ ମହତ୍‌ ଚିନ୍ତାରେ ନିଜକୁ ବୁଡ଼ାଇ ରଖିପାରେ, ସେ ସେତିକି ମହାନ୍‌, ଗୁଣୀନ୍‌ ।

 

ଏଠାରେ ପୌରପିତାମାନେ ନିର୍ବିକାର, ନିଷ୍କ୍ରିୟ, ନିର୍ଜୀବ, ନିବୀର୍ଯ୍ୟ । ଏଠାରେ କର୍ତ୍ତାମାନେ ନେତାବୋଲକରା । ଏଠାରେ ବିଚାର ହୁଏ ଜାତି, ଧର୍ମ, ଗୋଷ୍ଠୀ, ସମ୍ପ୍ରଦାୟ, ଦଳ ଭେଦରେ । ଏଠାରେ ନିଜତ୍ୱ ଜାହିର ହୁଏ ଅନୁଚରଙ୍କ ଜରିଆରେ ଅନ୍ୟଉପରେ ପ୍ରଭୁତ୍ୱ ଜାରିକରି । ଏଠାରେ ଦାନ କରାଯାଏ କେବଳ ଅନୁଚର, ସହଚର, ଚାମଚାମାନଙ୍କୁ ପ୍ରତିପକ୍ଷ ଉପରେ ଦାଉ ସାଧିବା ପାଇଁ । କାମ ହାସଲ କରାଯାଏ ଅବକାରୀ ବିଭାଗ ସାହାଯ୍ୟରେ । ଶତ୍ରୁକୁ ଜବତ କରାଯାଏ ସମ୍ୱାଦପତ୍ରରେ କୁତ୍ସା ରଟନା କରି ।

 

ଏଠାରେ ନେତା ସମସ୍ତେ–ବିବୃତିସର୍ବସ୍ୱ ନେତା । ଯେ ନିଜର ଦସ୍ତଖତ କରି ନ ଜାଣେ, ସେ ପଣ୍ଡିତ, ଜ୍ଞାନୀ, ବିଶ୍ୱରାଜନୀତିର ଆଧାର । ସମାଜ ସହିତ ଯାହାର କସ୍ମିନ୍‌କାଳେ କୌଣସି ସମ୍ପର୍କ ନାହିଁ, ସେ ସମାଜସେବୀ । ଯେ ସର୍ବଦା ଅକର୍ମରେ ରତ, ସେ କର୍ମୀ । ବିଦ୍ୟାଳୟ ଯାହାକୁ ଫିଙ୍ଗିଦିଏ, ସେ ବିଦ୍ୱାନ, ପ୍ରଗଳ୍‌ଭ ବକ୍ତା, କବି, ସାହିତ୍ୟିକ । ଏଠାରେ ପ୍ରୌଢ଼ ହୁଏ ଯୁବନେତା, କୃଷିର କ ଅକ୍ଷର ନ ଜାଣି କୃଷକ ନେତା, ଦ୍ୱିତଳ ପ୍ରାସାଦର ଦୁଗ୍‌ଧଫେନନିଭ ଶଯ୍ୟାରେ ଦିନର ସପ୍ତ ପ୍ରହର କଟାଉଥିବା ବ୍ୟକ୍ତି ଶ୍ରମିକ ନେତା ଯେ ଯେତେ ବେଶୀ ଲୋକଙ୍କୁ ଆଶ୍ରାବ୍ୟ ଗାଳିଗୁଲଜ କରିପାରେ, ଅନ୍ୟ ପାଇଁ ଯେତେ ଗଭୀର ଖାତ ଖୋଳିପାରେ, ସେ ସେତେବଡ଼ ନେତୃତ୍ୱର ଅଧିକାରୀ ।

 

ଏଠାରେ ଘର ହେଉଛି ସ୍ୱାମୀ–ସ୍ତ୍ରୀ, ପିତା ପୁତ୍ର, ଭାଇ–ଭାଇ ମଧ୍ୟରେ କୁରୁକ୍ଷେତ୍ର । ରାଜପଥ ହେଉଛି ଗୋରୁ ଗାଈଙ୍କ ଶୟନାଗାର । ଛକ ହେଉଛି ନେତାମାନଙ୍କ ବକ୍ତୃତା ମଞ୍ଚ । ପାଣିକଳ ବସିଛି–ଲୋକଙ୍କୁ ପାଣି ଯୋଗାଇବା ପାଇଁ ନୁହେଁ, ପିତ୍ତଳ ଟ୍ୟାପ୍‌ ଚୋରିର ସୁଯୋଗ ଦେବା ପାଇଁ । ବିଜୁଳି ଆଲୁଅ ଦିଆଯାଇଛି ଲୁଚକାଳି ଖେଳର ସୁବିଧା ହେବାକୁ । ରାସ୍ତା ଉପରେ ଗୋଡ଼ି ମେଟାଲ ଜମା ହୁଏ, ସାଇ ସାଇର ରଣକ୍ଷେତ୍ରରେ ଅସ୍ତ୍ରଶସ୍ତ୍ରର କାମ ଦେବାକୁ ।

 

ଏଠାରେ ଆତ୍ମଗୌରବ ଲାଭ ହୁଏ ପରଶ୍ରୀକାତରତାରେ । ସମାଜର ମଙ୍ଗଳ ଚିନ୍ତା ଗୃହଲକ୍ଷ୍ମୀଙ୍କ ପ୍ରରୋଚନାରେ । ସ୍ୱାର୍ଥ ସାଧନ କରାଯାଏ ସହଧର୍ମିଣୀଙ୍କ ସହଯୋଗରେ ।

 

ଏଠାରେ ସେହି ହିଁ ବିଜ୍ଞବ୍ୟକ୍ତି–ଯାହାର ବିଶ୍ୱାସ, ତା’ ଭଳି ବିଦ୍ୱାନ, ପଣ୍ଡିତ, ଜ୍ଞାନୀ, ଶାସ୍ତ୍ରଜ୍ଞ ଜଗତରେ ଆଉ କେହି ନାହାନ୍ତି; ତା’ର ଗୃହଲକ୍ଷ୍ମୀ ଭଳି ସୁନ୍ଦରୀ, ବୀଣା–ବିନିନ୍ଦିତଭାଷିଣୀ, ଲକ୍ଷ୍ମୀ–ସରସ୍ୱତୀ–ଦୁର୍ଗା–ସୀତା–ଦ୍ରୌପଦୀ ସମ୍ମିଶ୍ରିତ ଗୁଣସମ୍ପନ୍ନା ମହିଳା ଦୁନିଆରେ ବିରଳ । ସେହି ମଫସଲୀ ପ୍ରବଚନ–

 

‘‘ଘରକରା ନୁହେଁ, ଝଅକମରା ।

ପୁଅଝିଅଙ୍କ ଚାକର ମାଇପର ବୋଲକରା ।’’

 

ଧାରଣା ଯାହାର ଅସ୍ଥି ମଜ୍ଜାଗତ ।

 

ଏଠାରେ ସମସ୍ତେ ରାଜନୀତିଜ୍ଞ । ରାଜନୈତିକ ଦଳ ବର୍ଷାଦିନର ତେଲୁଣିପୋକ ଭଳି ସାଲୁସାଲୁ । ସବୁଥିରେ ରାଜନୀତିର ଖେଳ । ଶିକ୍ଷା, ସଂସ୍କୃତି, ସ୍ୱାସ୍ଥ୍ୟ, ସାହିତ୍ୟ, ଧର୍ମ, କର୍ମ–ଏହି ଖେଳର ଆଧାର ହୁଏ ।

 

ଏଠାରେ ଘରର ମା’ମାନେ ଉପେକ୍ଷିତା, ଲାଞ୍ଛିତା । ବାହାରର ମା’, ଶ୍ରୀମା, ଶ୍ରୀଶ୍ରୀମାଙ୍କ ଷୋଡ଼ଶୋପଚାର ପୂଜାରେ ଏହା ପବିତ୍ରିତ । ଆହୁରି ପବିତ୍ରିତର କରିବାପାଇଁ ଯୋଗୀ, ୠଷି, ସିଦ୍ଧ, ସାଧକ, ସ୍ୱାମୀ, ଆନନ୍ଦଙ୍କ ଆବିର୍ଭାବ ଏଠାରେ ପ୍ରତି ମୁହୂର୍ତ୍ତରେ ଲାଗିରହିଅଛି । ଏଠାରେ ମତବିରୋଧୀଙ୍କୁ ଦାଣ୍ଡର ଭିକାରି କରି ତାଙ୍କ ଘରଡିହରେ ମଠ, ମନ୍ଦିର, ଆଶ୍ରମ ତିଆରି ହୁଏ ଭଗବାନଙ୍କ ପ୍ରାର୍ଥନା ପାଇଁ । ଗରିବଙ୍କ ତଣ୍ଟିଚିପା ଧନରେ ଗୁରୁ, ଗୁରୁମାତା, ଗୁରୁଭ୍ରାତା, ଗୁରୁଭଗ୍ନୀମାନଙ୍କର ଅଷ୍ଟୋପଚାର ପୂଜା କରାଯାଏ । ଜାଲ, ଜୂଆଚୋରି, ଡକାୟତି ଧନ ଦେବ ଆରାଧନା ପାଇଁ ବ୍ୟୟିତ ହୁଏ । ନାମସଂକୀର୍ତ୍ତନ ଉତ୍ସବରେ ଅବକାରି ଦୋକାନ ଲୁଟି ହୁଏ ।

 

ଜଣେ ମାତ୍ର କର୍ଣ୍ଣଜନନୀ କୁନ୍ତୀ ଓ ଜଣେ ମାତ୍ର ପଞ୍ଚଭର୍ତ୍ତ । ମନମୋହିନୀ ଦ୍ରୌପଦୀଙ୍କୁ ବକ୍ଷରେ ଧାରଣ କରି ମହାଭାରତ ଧନ୍ୟ ହୋଇଅଛି । ଆମ କଟକ ନଗରୀ କୁନ୍ତୀଦ୍ରୌପଦୀ ପରିପୂର୍ଣ୍ଣ । ଏ ନଗରୀ ତେଣୁ ମହାଧନ୍ୟା ।

☆☆☆

 

ଖବରକାଗଜ ଅଫିସର ନାଲିଫିତା

 

ବିଜ୍ଞ ଲୋକେ କହନ୍ତି–ସରକାରଙ୍କର ସମସ୍ତ ଯୋଜନା, ପରିକଳ୍ପନା କେବଳ ନାଲିଫିତା ଫାଇଲ୍‌ ଲାଗି ହିଁ ବିଫଳ ହେଉଅଛି । ଗ୍ରାମଟି ଅଗ୍ନିକାଣ୍ଡରେ ଧ୍ୱଂସ ପାଇଯାଇଛି । ମନ୍ତ୍ରୀ ଆଦେଶ ଦେଲେ–ଯଥାଶୀଘ୍ର ବିପନ୍ନଲୋକଙ୍କ ପାଇଁ ସାହାଯ୍ୟ ପଠାଅ । ସେହି ହୁକୁମନାମା କାଗଜ ଖଣ୍ଡିକ ଏ ଟେବୁଲରୁ ସେ ଟେବୁଲକୁ, ଏ ଘରୁ ସେ ଘରକୁ, ଏ ମହଲାରୁ ସେ ମହଲାକୁ, ଏ ଅଫିସରୁ ସେ ଅଫିସକୁ ଯାଇ ଫୁଲିଫୁଲି ଯେତେବେଳେ ଶଗଡ଼େ କାଗଜରେ ପରିଣତ ହୁଏ, ସେତେବେଳକୁ ଦେଖାଯାଏ ଯେ–ବିପନ୍ନ ଗ୍ରାମବାସୀଙ୍କ ପୁଅ ନାତିମାନେ ସେଠାରେ ସୁନ୍ଦର ‘ନିଆଁତି’ (ଯଥା–ବର୍ଷାତି) ଘର ତୋଳି ସାରିଲେଣି । ତହସିଲଦାର ଯଥାଶୀଘ୍ର ନିର୍ଦ୍ଦେଶିତ ସାହାଯ୍ୟ ଟଙ୍କା ବାଣ୍ଟିବାକୁ ଯାଇ ଫେରିଆସି ମନ୍ତବ୍ୟ ଦିଅନ୍ତି–‘‘ଏ ଗ୍ରାମ ତ ପୋଡ଼ି ନାହିଁ, ସାହାଯ୍ୟ ଦିଆଯିବ କାହିଁକି ?’’

 

ନାଲିଫିତା ଫାଇଲ୍‌ର ଏ କାରସାଦି କିଛି ନା କିଛି ସମସ୍ତଙ୍କୁ ବଡ଼ ଅସୁବିଧାରେ ପକାଏ-। ସଭା ସମ୍ମିଳନୀରେ ରାଜନୀତିଜ୍ଞମାନେ ଏହା ଉପରେ ଅନର୍ଗଳ ଗାଳିବର୍ଷଣ କରନ୍ତି-। ସମ୍ୱାଦପତ୍ରମାନଙ୍କରେ ନାନା କଟୁ ସମାଲୋଚନା ପ୍ରକାଶ ପାଏ, ବ୍ୟଙ୍ଗଚିତ୍ର ଛାପାଯାଏ-। ନାଲିଫିତାର ଏହି ଗତି ଟିକିଏ ଦ୍ରୁତତର ହେଲେ ଦେଶରୁ କିପରି ଦୁର୍ନୀତି, ଦୁଷ୍କ୍ରିୟା ଲୋପ ପାଇବ, ସେ ସମ୍ପର୍କରେ ନାନା ତଥ୍ୟ–ସମ୍ୱଳିତ ଉପଦେଶାବଳୀ ସମ୍ୱାଦପତ୍ରର କଳେବର ମଣ୍ଡନ କରେ-। କେବଳ ‘ଲେଖନିକ’ ଉପଦେଶ ଦେଇ କିଛି ଲାଭ ହେବ ନାହିଁ; ଏହା ଅନୁଭବ କରି ସମ୍ୱାଦପତ୍ରର ଅଫିସଗୁଡ଼ିକ ଖୁବ୍‌ ଦ୍ରୁତତର, ଦ୍ରୁତତମ ଗତିରେ ଫାଇଲ୍‍ର ଶେଷତମ ନିଷ୍ପତ୍ତି କରିଥାଆନ୍ତି-। ତେଣୁ ସେଠାରେ କୌଣସି ପ୍ରକାର ଦୁର୍ନୀତି କାଣି ଆଙ୍ଗୁଠି ମଧ୍ୟ ପୂରାଇ ନ ପାରି ଲାଜ ପାଇ ପଳାଇଯାଏ-। ଏପରି ଶହଶହ ଘଟଣା ମଧ୍ୟରୁ ସାମାନ୍ୟ ଗୋଟିଏ ମାତ୍ର ନମୁନା ଦେଲେ ତାହା ସହଜରେ ବୋଧଗମ୍ୟ ହୋଇପାରିବ ।

 

ଆଦ୍ୟାଭାଷ

 

ଫେବୃୟାରୀ ୧୫ ତାରିଖ–(ବିଧାନସଭା ରିପୋର୍ଟରଙ୍କ ଆବେଦନ) ସର୍ବୋଚ୍ଚ ପରିଚାଳକ ମହୋଦୟ, (ବାର୍ତ୍ତା ସମ୍ପାଦକଙ୍କ ଜରିଆରେ)–ଆସନ୍ତା ମାର୍ଚ୍ଚ ମାସ ୮ ତାରିଖରେ ରାଜ୍ୟ ବିଧାନସଭା ବୈଠକ ବସୁଛି । ପ୍ରତିଦିନ କଟକରୁ ଭୁବନେଶ୍ୱର ଯାଇ ସନ୍ଧ୍ୟାକୁ ବିବରଣୀ ଧରି ବସ୍‌ରେ ଫେରିଲାବେଳେ ପାଖରେ ଥିବା କାଗଜପତ୍ର ଅନେକ ସମୟରେ ହଜିଯାଉଅଛି । ଦୟା କରି ଗୋଟିଏ ହାତବ୍ୟାଗ ଯୋଗାଇଦେଲେ ଏ ଅସୁବିଧାରୁ ରକ୍ଷା ମିଳନ୍ତା ।

 

ଫେବୃୟାରୀ ୧୫ ତାରିଖ (ବାର୍ତ୍ତା ସମ୍ପାଦକଙ୍କ ମନ୍ତବ୍ୟ)–ସର୍ବୋଚ୍ଚ ପରିଚାଳକ ମହୋଦୟ, ଗୋଟିଏ ହାତବ୍ୟାଗ୍‌ ଯୋଗାଇଦେବା ନିତାନ୍ତ ଦରକାର । ଶୀଘ୍ର ଏହାର ବିହିତ ବ୍ୟବସ୍ଥା କରିବାକୁ ଅନୁରୋଧ ।

 

ମାର୍ଚ୍ଚ ୪ ତାରିଖ–(ସର୍ବୋଚ୍ଚ ପରିଚାଳକ ଅର୍ଥାତ ସ.ପ.ଙ୍କର ସହକାରୀଙ୍କୁ ଆଦେଶ) ସ.ସ.ପ., ଏଥିରେ କ’ଣ ଲେଖାଯାଇଅଛି, ତାହା ପଢ଼ିବାକୁ ମୋର ସମୟ ନାହିଁ । ଏ ସମ୍ପର୍କରେ କଅଣ କରିବାକୁ ହେବ, ସେ ଚିନ୍ତା କରିବା ‘ମୁଡ଼’ରେ (କମ୍ପୋଜିଟରଙ୍କୁ ଅନୁରୋଧ, ‘ମୁଣ୍ଡ’ କରିବେ ନାହିଁ । ଯଦିବା ସ. ସ.ପ.ଙ୍କର ଏ ଦୁଇଟିଯାକରୁ ଗୋଟିଏ ଅଛି ବୋଲି ତାଙ୍କର ଅତି ବଡ଼ ଶତ୍ରୁ ମଧ୍ୟ କହିବ ନାହିଁ) ମୁଁ ନାହିଁ । କ’ଣ କରାଯାଇପାରିବ ? ଏହାକୁ ଭଲରୂପେ ପଢ଼ି, ହୃଦ୍‌ବୋଧ କରି, ଲାଭକ୍ଷତି ଅନୁସନ୍ଧାନ କରି ଆପଣଙ୍କ ମତାମତ ଜଣାନ୍ତୁ ।

 

ମାର୍ଚ୍ଚ ୧୫ ତାରିଖ–(ସହ ସର୍ବୋଚ୍ଚ ପରିଚାଳକ ବା ସ. ସ. ପ.ଙ୍କ ନୋଟ୍‌) ଅଫିସ୍‌ ସୁପରିଟେଣ୍ଡେଣ୍ଟ୍‍, ଏ ସମ୍ପର୍କରେ କଅଣ କରାଯାଇ ପାରେ, ତାହା ଦେଖ ।

 

ଅପ୍ରେଲ୍‌ ୧୫ ତାରିଖ–ଏକାଉଣ୍ଟାଣ୍ଟଙ୍କ ସ.ପ.ଙ୍କ ପାଇଁ (କମ୍ପୋଜିଟରଙ୍କୁ ଅନୁରୋଧ, ‘ସାପ’ କରିବେ ନାହିଁ । ଅବଶ୍ୟ ଏ ଦୁହିଁଙ୍କ ଭିତରେ ବିଶେଷ କିଛି ଗୁଣଗତ ପ୍ରଭେଦ ନାହିଁ) ଆଦେଶ, ସ. ସ. ପ.ଙ୍କ ନିର୍ଦ୍ଦେଶ ଏଥିରେ ଦେଖିବାକୁ ପାଇବେ । ବ୍ୟାଗ୍‌ ଦରକାର କି ନାହିଁ, ଯଦି ଦରକାର ବୋଲି ବିବେଚିତ ହୁଏ, ତେବେ କେତେ ଟଙ୍କା ପର୍ଯ୍ୟନ୍ତ ଦିଆଯାଇପାରେ, ସେ ଦିଗରେ ବ୍ୟବସ୍ଥା କରନ୍ତୁ ।–(ଅଫିସ ସୁପରିଟେଣ୍ଡେଣ୍ଟଙ୍କ ମନ୍ତବ୍ୟ) ।

 

ମଇ ୭ ତାରିଖ–(ଏକାଉଣ୍ଟାଣ୍ଟ୍‌ଙ୍କ ନୋଟ) ଏଫ୍‌. ଏ. ମହୋଦୟ ! ସ. ପ., ସ. ସ. ପ. ଏବଂ ଏଫ୍‌. ଏ.ଙ୍କ ନିର୍ଦ୍ଦେଶ ବହନ କରି ଧନ୍ୟ ହୋଇଥିବା ଏହି କାଗଜ ଖଣ୍ଡିକ ପଢ଼ିଲି । ଗୋଟିଏ ସାମାନ୍ୟ ବ୍ୟାଗ୍‌ ପାଇଁ ଏତେ ବହୁମୂଲ୍ୟ ସମୟ ଓ ଶକ୍ତି ନଷ୍ଟ କରିବା, ଅନ୍ୟ କାମ ଛାଡ଼ି ଏଥିରେ ଧ୍ୟାନ ଦେବାର କ’ଣ ଆବଶ୍ୟକତା ଥିଲା, ମୁଁ ବୁଝିପାରୁ ନାହିଁ । ଗତ ଜାନୁୟାରୀ ମାସ ୩ ତାରିଖ ଉପରବେଳା ୪ ଘଣ୍ଟା ୪୫ ମିନିଟ୍‌ ସମୟରେ ମୁଁ ବଜାରରୁ ପରିବା ପତ୍ର କିଣି ଘରକୁ ନେବାଲାଗି ଗୋଟିଏ ଅଖାବ୍ୟାଗ୍‌ କିଣିଥିଲି । ସେଥିପାଇଁ ଷାଠିଏ ପଇସା ମୋତେ ଦେବାକୁ ପଡ଼ିଥିଲା । ଯେତେ ଅନୁରୋଧ, ଆବେଦନ ନିବେଦନ କଲେ ମଧ୍ୟ ପାଞ୍ଚ ପଇସା ହେଲେ ଦୋକାନୀ ଛାଡ଼ି ଦେଲାନାହିଁ । ଯାହାହେଉ, ମୋ ପାଇଁ ମୁଁ ଯେତେବେଳେ ବ୍ୟାଗ୍‌ଟିଏ କିଣିବାକୁ ବାଧ୍ୟହେଲି ଓ ସେଥିପାଇଁ ପକେଟରୁ ଷାଠିଏ ପଇସା ଖର୍ଚ୍ଚ କଲି, ସେତେବେଳେ ବିଧାନସଭା ରିପୋର୍ଟର ନିଜ ହାତରୁ ପଇସା ଦେଇ ଗୋଟିଏ ବ୍ୟାଗ କାହିଁକି ନ କିଣିବେ ? ତାଙ୍କୁ ଦରମା ଦିଆଯାଉଛି ଅଫିସକୁ ବିବରଣୀ ଯୋଗାଇବା ପାଇଁ । ସେ ତାହା ବ୍ୟାଗ୍‌ରେ ଆଣନ୍ତୁ, କି ଟ୍ରଙ୍କ୍‌ରେ ଆଣନ୍ତୁ କିମ୍ୱା ନିଜ ଜାମା ପକେଟରେ ଆଣନ୍ତୁ, ସେଥିପାଇଁ ଅଫିସ୍‌ ଦାୟୀ ନୁହେଁ–ମୋର ଏହି ମତ । ତେବେ ଆପଣଙ୍କ ନିର୍ଦ୍ଦେଶ ଅପେକ୍ଷାରେ ରହିଲି । ଇତି । ଏକାଉଣ୍ଟାଣ୍ଟ ।

 

ମଇ ୨୮ ତାରିଖ–(ଅର୍ଥନୈତିକ ଉପଦେଷ୍ଟାଙ୍କ ଉପଦେଶ) ମୁଁ ଏକାଉଣ୍ଟାଣ୍ଟଙ୍କ ସହ ସମ୍ପୂର୍ଣ୍ଣ ଏକମତ ହୋଇପାରୁ ନାହିଁ । ମହାମାନ୍ୟବର ସ.ପ. ଏବଂ ମାନ୍ୟବର ସ.ସ.ପ. ଯେତେବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ମତ ଦେଉଛନ୍ତି, ସେପରି ଅବସ୍ଥାରେ ବ୍ୟାଗ୍‌ଟିଏ କିଣାଯାଉ, ମାତ୍ର ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ତାହା ସ.ପ. ମହୋଦୟଙ୍କ ମଞ୍ଜୁରି ସାପେକ୍ଷ । ମୋ ମତରେ ରିପୋର୍ଟରଙ୍କୁ କୁହାଯାଉ, ସେ ବଜାରରୁ ଗୋଟିଏ ବ୍ୟାଗ୍‌ ହାତରୁ ପଇସା ଦେଇ କିଣି ଆଣନ୍ତୁ । ପରେ କ୍ୟାସ୍‌ମେମୋ ପାଶ୍‌ କରାଇ ଅଫିସରୁ ପଇସା ନେଇଯିବେ । ତେବେ ଯେପରି ଏକ ଟଙ୍କାରୁ ବେଶୀ ଖର୍ଚ୍ଚ ନ ହୁଏ ।

 

ସ୍ମାରକୀ

 

(କ) ମାର୍ଚ୍ଚ ୭ ତାରିଖ (ସ.ପ.ଙ୍କ ଠାରୁ) ସ.ସ.ପ. ! ବାର୍ତ୍ତା ସମ୍ପାଦକ ବ୍ୟାଗ୍‌ଟିଏ ପାଇଁ ଯେଉଁ ଆବେଦନ ପତ୍ର ଦେଇଥିଲେ, ତାହା କ’ଣ ହେଲା ? ମୋର ଯେତେଦୂର ମନେ ହୁଏ, ସେ ମୋତେ ପାଞ୍ଚ ଥର ମୌଖିକ କହିସାରିଲେଣି, ତିନି ଥର ଲିଖିତ ଆକାରରେ ସ୍ମାରକପତ୍ର ଦେଲେଣି-। ଏ ସବୁ ବିଷୟ ବୁଝିବାକୁ ମୋର ସମୟ କାହିଁ ? ଏହାର ଠିକ୍‌ଠିକ୍‌ ବ୍ୟବସ୍ଥା କରାଯାଉ-

 

(ଖ) ମାର୍ଚ୍ଚ ୨୭ ତାରିଖ–(ସ.ସ.ପ.ଙ୍କ ତଦନ୍ତ) ଅଫିସ୍‌ ସୁପରିଟେଣ୍ଡେଣ୍ଟ୍‌ ! ସ. ପ. ଙ୍କ ନୋଟ୍‌ ପଠାଇଲି । ଏ ବିଷୟରେ କଅଣ ହେଲା ?

 

(ଗ) ଅପ୍ରେଲ ୯ ତାରିଖ–(ଅଫିସ ସୁପରିଟେଣ୍ଡେଣ୍ଟ୍‌ଙ୍କ ତାଗଦା) ଏକାଉଣ୍ଟାଣ୍ଟ ! ଏ ସମ୍ପର୍କରେ କ’ଣ ହେଲା, ଶୀଘ୍ର ସମାଧାନ କରିବାକୁ ହେବ ।

 

(ଘ) ଅପ୍ରେଲ ୨୯ ତାରିଖ–(ଏକାଉଣ୍ଟାଣ୍ଟ୍‌ଙ୍କ ନୋଟ୍‌) ମହାବରେଣ୍ୟ ଉପଦେଷ୍ଟା ମହାଶୟ ! ମୁଁ ମୋର ମନ୍ତବ୍ୟ ସହ ସମସ୍ତ କାଗଜପତ୍ର ଶ୍ରୀ ହଜୁରରେ ଦାଖଲ କରିଅଛି । ଏପର୍ଯ୍ୟନ୍ତ ବ୍ୟାଗ କିଣା ସମ୍ପର୍କରେ କିଛି ନିଷ୍ପତ୍ତି ହେଲା ନାହିଁ । ସ. ପ. ସାହେବ ଯେପରି ରାଗିଲେଣି, ମୋ ଚାକିରିଖଣ୍ଡିକ ଯିବ । ଚତୁର୍ଥ ପକ୍ଷ ସ୍ତ୍ରୀକୁ ଘରେ ଛଅଗୋଟି ବାଳଗୋପାଳ । ସେଗୁଡ଼ାକ ଛଟପଟ ହୋଇ ମରିଯିବେ । ଆପଣ ଦୟା କରି ଏହାର ବ୍ୟବସ୍ଥା କରନ୍ତୁ ।

 

(ଙ) ମଇ ମାସ ପନ୍ଦର ତାରିଖ–(ଏଫ୍‌. ଏ. ଙ୍କ ତତ୍ପରତା) ମହାମାନ୍ୟବର ସ. ପ. ମହୋଦୟ । ବ୍ୟାଗ୍‌ ସଂକ୍ରାନ୍ତ ଫାଇଲ ଉପରେ ମୁଁ ମୋର ଶେଷ ମନ୍ତବ୍ୟ ଅପ୍ରେଲ ୨୮ ତାରିଖରେ ଦେଇସାରିଛି । ଏହା ମଧ୍ୟରେ ଫସଲ ଅମଳ କରିବାକୁ ଗ୍ରାମକୁ ଚାଲିଯିବାରୁ ଓ ସରକାରଙ୍କ ଲେଭି ଧାନ ଜୁଲମରୁ ରକ୍ଷା ପାଇବା ପାଇଁ ନାନା ପ୍ରକାର ଧରାଧରି କରିବାକୁ ପଡ଼ିବାରୁ ଟିକିଏ ବେଶିଦିନ ଗ୍ରାମରେ ରହିଗଲି । ଏହି ସମୟ ଭିତରେ ବ୍ୟାଗ୍‌ କିଣା ଯାଇଛି କି ନାହିଁ, ସେ ସମ୍ପର୍କରେ କିଛି କହିପାରିବି ନାହିଁ । ତେବେ ଯଦି କିଣା ଯାଇ ନ ଥାଏ, ତେବେ କି ବ୍ୟାଗ୍‌ କିଣାଯିବ, କେଉଁ ରଙ୍ଗର ବ୍ୟାଗ୍‌, କେତେ ଲମ୍ୱା ଚଉଡ଼ା ବ୍ୟାଗ୍‌, କେଉଁ ଦୋକାନରୁ କିଣାଯିବ ଇତ୍ୟାଦି ତଥ୍ୟ ବାର୍ତ୍ତା ସମ୍ପାଦକ ଜଣାଇଲେ ମୁଁ ନିଜେ ବଜାରକୁ ଯାଇ ତାହା କିଣି ଆଣି ପାରିବି । ତେବେ ବ୍ୟାଗ କ୍ୟାସମେମୋ ସହିତ ରିକ୍‌ସା ଖର୍ଚ୍ଚ ସେଥିରେ ଯୋଗ କରିବାକୁ ପଡ଼ିବ ।

 

(ଚ) ଜୁନ୍‌ ମାସ ୨୬ ତାରିଖ–(ସ.ପ.ଙ୍କ ବିଜ୍ଞପ୍ତି) ବାର୍ତ୍ତା ସମ୍ପାଦକ ମହାଶୟ ଆମ ଅର୍ଥ ଉପଦେଷ୍ଟା ଅପ୍ରେଲ ୨୮ ତାରିଖରେ ତାଙ୍କ ତଥ୍ୟସମ୍ୱଳିତ ମୂଲ୍ୟବାନ ମତାମତ ଦେଇ ମଇ ମାସ ୧୫ ତାରିଖରେ ମୋ ପାଖକୁ ପଠାଇଥିବା ଫାଇଲ୍‍ଟି ଜୁନ୍‌ ମାସ ୮ ତାରିଖରେ ମୁଁ ପାଇଲି । ଏଫ୍‌. ଏ. ବଡ଼ ଯୁକ୍ତିଯୁକ୍ତ କଥା ଉଠାଇଅଛନ୍ତି । ଏତେ କଥା ବୁଝିବାକୁ ମୋର ‘ମୁଡ଼’ ନାହିଁ କି ସମୟ ନାହିଁ । ବ୍ୟାଗ୍‌ଟି କେତେ ବଡ଼ ହେବ ? କି ରଙ୍ଗର ବ୍ୟାଗ୍‌ ହେଲେ ଚଳିବ ? କେତେ ଟଙ୍କା ପଡ଼ିବ ? କିଏ କିଣିବ ? ଏ ସମସ୍ତ ପ୍ରଶ୍ନର ଉତ୍ତର ଦେଲେ ସେ ଦିଗରେ କଅଣ କରାଯାଇପାରେ ତାହା ଚିନ୍ତା କରିବ ।

 

(ଛ) ଜୁନ୍‌ ୨୭ ତାରିଖ–(ବାର୍ତ୍ତା ସମ୍ପାଦକଙ୍କ ଉତ୍ତର) ସ.ପ. ମହାଶୟ ! ଗତ ଫେବୃୟାରୀ ମାସ ୧୫ ତାରିଖରେ ବିଧାନସଭା ରିପୋଟରଙ୍କ ଆବେଦନ ପତ୍ର ମୁଁ ଆପଣଙ୍କ ପାଖକୁ ପଠାଇଥିଲି । ଆପଣଙ୍କ ଜୁନ୍‌ ମାସ ୧୫ ତାରିଖ ମନ୍ତବ୍ୟ ସହ ଦରଖାସ୍ତଟି ଆଜି ଜୁନ୍‌ ମାସ ୨୭ ତାରିଖ ଅପରାହ୍ନ ଘ ୫–୩୦ରେ ମୋତେ ମିଳିଲା । ଅଫିସର ତତ୍ପରତା ଲାଗି ଅଶେଷ ଧନ୍ୟବାଦ । ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ପ୍ରାୟ ମାସେ ହେଲା ଶେଷ ହୋଇଗଲାଣି । ଆଉ ଏ ବିଷୟରେ ଚିନ୍ତା କରି ସମୟ, ଶକ୍ତି ଓ ‘ମୁଡ଼୍‌’ ବୃଥା ନଷ୍ଟ କରିବାର ଆବଶ୍ୟକତା ନାହିଁ ।

 

(ଜ) ଜୁଲାଇ ମାସ ୨ ତାରିଖ–(ଅର୍ଥ ଉପଦେଷ୍ଟାଙ୍କ ପ୍ରତିବାଦ) ମିଛ କଥା । ବୈଠକ ଶେଷ ହୋଇ ନାହିଁ । କାଲି ଆମ କାଗଜରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପ୍ରକାଶ ପାଇଅଛି । ମୁଁ ନିଜେ ତାହା ପଢ଼ିଅଛି । ବୈଠକ ଏବେ ମଧ୍ୟ ଚାଲୁ ରହିଅଛି ।

 

(ଝ) ଜୁଲାଇ ମାସ ୫ ତାରିଖ–(ସ.ପ.ଙ୍କ ତାଗଦା) ବାର୍ତ୍ତା ସମ୍ପାଦକ । ଏଫ. ଏ.ଙ୍କ ନୋଟ୍‌ ଉପରେ ଆପଣଙ୍କ ମତାମତ ଦେଇ ଅତି ଶୀଘ୍ର ଅଫିସକୁ ଜଣାନ୍ତୁ ।

 

(ଞ) ଜୁଲାଇ ମାସ ୬ ତାରିଖ–(ବାର୍ତ୍ତା ସମ୍ପାଦକଙ୍କ ବିଶ୍ଳେଷଣ) ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଭାଷଣ ଦେଇଥିଲେ । ସେ ବୈଠକ ଦିଲ୍ଲୀରେ ଏପର୍ଯ୍ୟନ୍ତ ଚାଲିଅଛି । ମୁଁ ରାଜ୍ୟ ବିଧାନସଭା ବିବରଣୀ ଆଣିବାକୁ ବ୍ୟାଗ୍‌ଟିଏ ମାଗିଥିଲି ।

 

(ଟ) ଜୁଲାଇ ମାସ ୨୬ ତାରିଖ–(ଅର୍ଥ ଉପଦେଷ୍ଟାଙ୍କ ରୋକ୍‌ଠୋକ୍‌ ମନ୍ତବ୍ୟ) ଗୋଟାଏ ରାଜ୍ୟ ସଭା, ପୁଣି ଗୋଟାଏ ରାଜ୍ୟ ବିଧାନସଭା ! ଅସମ୍ଭବ । ବାର୍ତ୍ତା ସମ୍ପାଦକ ଆମକୁ କଅଣ ବୋକା ମନେ କରିଅଛନ୍ତି ?

 

(ଠ) ଜୁଲାଇ ୩୧ ତାରିଖ–(ସ.ପ.ଙ୍କ ଶେଷ ମନ୍ତବ୍ୟ) ଏ ଫାଇଲି କାମ ଏତିକିରେ ଶେଷ ହେଉ । ଏହା ଯତ୍ନରେ ଆମ ରେକର୍ଡ଼ରୁମ୍‌ରେ ରଖିଦିଅ; ଭବିଷ୍ୟତରେ କାର୍ଯ୍ୟରେ ଲାଗିପାରେ ।

 

(ପି. ଏ. ନାଲିଫିତାରେ ଫାଇଲ୍‌ଟି ବାନ୍ଧି ରଖିଦେଲେ)

☆☆☆

 

କହ୍ନା ଲାଗି ସିନା ଗାଈ ଗୁହାଳ

 

ଭାରତ ସ୍ୱାଧୀନ ହେଲା ପରେ ଦେଶର, ବିଶେଷତଃ ଆମ ରାଜ୍ୟର ଅଗ୍ରଗତି ଯେପରି ଦ୍ରୁତତରରୁ ଦ୍ରୁତତମ ହେଉଅଛି, ତାହା ଦେଖି କିଏ ବା ଉତ୍‌ଫୁଲ୍ଲ ନ ହେବ ? ରାଜନୈତିକ ଦଳ–ସୃଷ୍ଟି, ସାଂସ୍କୃତିକ ସାହିତ୍ୟିକ ଅନୁଷ୍ଠାନର ଅଭିବୃଦ୍ଧି, କ୍ଲବ୍‌ ପାଠଚକ୍ର–ସେମିନାର ପ୍ରଭୃତିର ପ୍ରାବଲ୍ୟ ଏହି ଅଗ୍ରଗତିର ଗୋଟିଏ ଦିଗର ସୂଚନା ଦିଏ ।

 

ଦେଶରୁ ଉଚ୍ଚନୀଚ, ଧନୀ–ଦରିଦ୍ର, ମୁନିବ–ଦାସ ପ୍ରଭୃତି ଭେଦଭାବ ଦୂର କରି ସମସ୍ତଙ୍କ ମଧ୍ୟରେ ସମତା ଆଣିବା ଦିଗରେ ବର୍ତ୍ତମାନ ଦେଶର ବିଭିନ୍ନ ରାଜନୈତିକ ଦଳ ବିଶେଷ ତତ୍ପର । ସେମାନଙ୍କର ପ୍ରତିଦିନର କାର୍ଯ୍ୟକଳାପ, କର୍ଣ୍ଣପଟହ ବିଧ୍ୱଂସୀ ସୁଉଚ୍ଚ ଧ୍ୱନି ସହ ପଟୁଆର, ବିକ୍ଷୋଭ ପ୍ରଦର୍ଶନ, ଘେରାଉ, ଧର୍ମଘଟ, ଅନଶନ ସାଙ୍ଗକୁ ସାଧାରଣ ସଭା ସମ୍ମିଳନୀ, ପଥପ୍ରାନ୍ତର ସଭା, ଛକ ମିଳନ, କବାଟକିଳା ଆଲୋଚନାର ଯେଉଁ ସାବଲୀଳ ବିବରଣୀ ପ୍ରତ୍ୟହ ସମ୍ୱାଦପତ୍ରମାନଙ୍କରୁ ପଢ଼ିବାକୁ ମିଳେ, ରାସ୍ତାରେ ଯିବାଆସିବା କଲାବେଳେ ବିଭିନ୍ନ ପ୍ରକାରର ଯେଉଁ ସବୁ ପ୍ରଚାର ଲିପିକା, ସ୍ୱାଧୀନ ଭାରତର ତରୁଣ, ତରୁଣୀମାନଙ୍କ ହରରଙ୍ଗି ଛିଟ–ପୋଷାକ ପରି ରାସ୍ତାକଡ଼ର କାନ୍ଥ, ବାଡ଼, ଗଛ, ସ୍ମୃତିପୀଠ ପ୍ରଭୃତିକୁ ଚିତ୍ରିତ କରିଥିବାର ଦେଖାଯାଉଛି, ତାହାସବୁ ଦେଶର ଅଗ୍ରଗତିର ଗୋଟିଏ ଗୋଟିଏ ମାଇଲ୍‌ ଖୁଣ୍ଟି ବୋଲି ମନେହୁଏ । ଯେତେ ମନାନ୍ତର, ମତାନ୍ତର ଥାଉ ନା କାହିଁକି, ସମସ୍ତଙ୍କର ଏକମାତ୍ର ଧ୍ୟାନ, ଦେଶରେ କୌଣସି ପ୍ରକାର ବିଭେଦ ନ ରହୁ । ସମସ୍ତେ ସମାନ ସ୍ତରରେ ରହି ଜୀବନ ଯାପନ କରନ୍ତୁ । ସେଥିପାଇଁ ସାମ୍ୟବାଦ, ସମାଜବାଦ ପ୍ରଭୃତି ‘ବାଦ’ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇ ନାନା ‘ବିବାଦ’ର ସୂତ୍ରପାତ କରୁଛି ସିନା; କିନ୍ତୁ ଲୋକଙ୍କ ମନରେ ଯେଉଁ ନବ ଚେତନାର ଢେଉ ଖେଳାଇ ଦେଉଛି, ତା’ର ପ୍ରତିକ୍ରିୟା ନିର୍ବାଚନ ବେଳେ ସ୍ପଷ୍ଟ ହୋଇଉଠୁଛି । ଦେଶରେ ସମତା ଆଣିବାକୁ ଆଗ୍ରହୀ ଏହି ରାଜନୀତିଜ୍ଞମାନଙ୍କ କଥା ଓ କାର୍ଯ୍ୟର ସଂହତିରକ୍ଷା ବାସ୍ତବିକ ଲେଖକଭଳି ବୁଦ୍ଦୁ ଅର୍ବାଚୀନମାନଙ୍କୁ ମୂକ କରିଦିଏ । ସୌଭାଗ୍ୟର କଥା, ଜଣେ ଦେଶବିଦେଶ ଖ୍ୟାତିସମ୍ପନ୍ନ ଆପୋଷହୀନ ଯୋଦ୍ଧା, ସମାଜବାଦ ମତବାଦୀ ନେତାଙ୍କର ଜନ୍ମସ୍ଥାନ ଆମ କ୍ଷୁଦ୍ର ଗ୍ରାମରେ । ଦରିଦ୍ର ଗ୍ରାମବାସୀଙ୍କ ଦୁଃଖରେ ସେ ଏତେ ମ୍ରିୟମାଣ ଯେ, ନିଜ ଖମାର ଘରୁ ପ୍ରତି ବର୍ଷ ଶହଶହ ଭରଣ ଧାନ ଗ୍ରାମବାସୀଙ୍କ ମଧ୍ୟରେ ନିଃସ୍ୱାର୍ଥପର ଭାବରେ ବିତରଣ କରିଦିଅନ୍ତି–କେବଳ ମାତ୍ର ଚକ୍ରବୃଦ୍ଧି ହାରରେ ଦେଢ଼ା ସୁଧରେ । ସେହି ସୂତ୍ରରେ ଗ୍ରାମରେ ଦୁଇ ଶତାଧିକ ପରିବାରର ସମସ୍ତ ଜମି, ଘରଡ଼ିହ ମଧ୍ୟ ସେ ତାଙ୍କ ନିଜ ପରିଚାଳନାଧୀନକୁ ନେଇସାରିଲେଣି । ତାଙ୍କ ନିନ୍ଦୁକ ଗୁଆଁର ମୂର୍ଖମାନେ କହନ୍ତି–ବାବୁ ଆମ ଜମିସବୁ ନେଇଗଲେ । ମାତ୍ର ଜମି ତ ଯେଉଁଠାରେ ଆବହମାନ କାଳରୁ ଥିଲା, ସେହିଠାରେ ପଡ଼ିରହିଅଛି । ବାବୁ ତାକୁ ନେଲେ କୁଆଡ଼େ ?

 

ଯାହା ହେଉ, ଗତ ପ୍ରବଳ ବନ୍ୟାରେ ଲୋକମାନେ ସର୍ବସ୍ୱ ହରାଇ ପୁଣି ସେହି ସାମ୍ୟ ସମାଜବାଦୀ ନେତାଙ୍କ ଦ୍ୱାରସ୍ଥ ହେଲେ ।

 

ଗତବର୍ଷର ଦେଢ଼ା ସୁଧସହ ମୂଳଧନ ଫେରାଇ ନ ଥିବାରୁ ସେମାନଙ୍କୁ ଆଉ ଖାଦ୍ୟ ଯୋଗାଇବା ନେତାଙ୍କ ପକ୍ଷେ ସମ୍ଭବ ହେଲା ନାହିଁ । ଖାଇବାକୁ ନ ପାଇ କେତେକ ସ୍ୱାଧୀନ ଭାରତର ନାଗରିକ ହେବା ସୁବିଧା ହରାଇ ଯମପୁରରେ ବାସ କରିବାକୁ ଚାଲିଗଲେ । ପରଦୁଃଖକାତର ସମାଜବାଦୀ ନେତାଙ୍କ ମନରେ ଏହା ଦାରୁଣ ଆଘାତ ଦେଲା । ଏହାର ପ୍ରତିକାର ତୁରନ୍ତ କରିବାକୁ ଦାବି କରି ନେତା ସମ୍ୱାଦପତ୍ରରେ ଦିନଦିନ ଧରି ଅତି କରୁଣ ଦୀର୍ଘ ବିବୃତିମାନ ଛପାଇଲେ । ସରକାରଙ୍କର କଟୁ ସମାଲୋଚନା କଲେ । ସାଙ୍ଗପାଙ୍ଗମାନଙ୍କୁ ଧରି ବି. ଡ଼ି. ଓ.ଙ୍କୁ ଘେରାଉ କଲେ, ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ବିକ୍ଷୋଭ କଲେ । ଶାସନ ଅଚଳ କରାଇଦେଲେ । ପୁଲିସ୍‌ର ଅମାନୁଷିକ ଅତ୍ୟାଚାରର ପ୍ରତିବାଦ ସ୍ୱରୂପ ଦଶ ଘଣ୍ଟିଆ ଅନଶନ ମଧ୍ୟ କଲେ ଏବଂ ବିଶିଷ୍ଟ ଲୋକଙ୍କ ‘ସବିନୟ ଅନୁରୋଧ’ରେ ପାଞ୍ଚ ଘଣ୍ଟା ପରେ ତାହା ଭଙ୍ଗ କଲେ । ଏଥିପାଇଁ ଅବଶ୍ୟ ସାଢ଼େ ପାଞ୍ଚଲିଟର କମଳା ରସ ଓ ଏଗାରଟି ଫୁଲମାଳ ମିଳିଥିଲା । ଏ ଯେ ତୁମୁଳ କାଣ୍ଡ ଘଟିଗଲା, ଏହା କଅଣ ଆମ ରାଜନୈତିକ ଅଗ୍ରଗତିର ସୂଚନା ଦେଉ ନାହିଁ ? ଏହା କ’ଣ ନିର୍ବାଚନ ସୌଧର ଗୋଟାଏ ଗୋଟାଏ ସୁଦୃଢ଼ ସ୍ତମ୍ଭ ନୁହେଁ ?

 

ସାହିତ୍ୟ କ୍ଷେତ୍ରରେ ଦେଶର ଅଗ୍ରଗତି ଆହୁରି ଚମକପ୍ରଦ । ଭୁବନେଶ୍ୱରରେ ସାତଜଣ ଅତି ବିଶିଷ୍ଟ କବି, ସାହିତ୍ୟିକ, ସମାଲୋଚକଙ୍କ ସମଭିବ୍ୟାହାରରେ ଗଠିତ ‘‘ଭୁବନେଶ୍ୱର ଶପ୍ତଶଖା ସାହିତ୍ୟ ସଂସଦ’’ ସେକ୍ରେଟେରୀଙ୍କ ପ୍ରଦତ୍ତ ବିବରଣୀ ଦେଖିଲେ ଦେଶରେ ସାହିତ୍ୟର ପୁର୍ନଗଠନ’ ଯେ କିପରି ଅଗ୍ରଗତି କରୁଅଛି, ଏହା ଯେ କେହି ବୁଝିପାରିବ । ଏ ସବୁ ତ ଦେଶ ଓ ଜାତିର ଅଗ୍ରଗତିର ପରିଚାୟକ ! ନବନବୋନ୍ମେଷ ପ୍ରଜ୍ଞାଶକ୍ତି ବଳରେ ଆଜିକାଲି ଗୀତ, ହେଉଛି ଗିତ, ରବୀନ୍ଦ୍ର ହେଉଛି ରବିନ୍ଦ୍ର, ଅନଶନ ‘ଅନସନ’ କବିଚନ୍ଦ୍ର ‘କବିଚନ୍ଦର’ ଇତ୍ୟାଦି ଇତ୍ୟାଦି ରୂପଗ୍ରହଣ କରିବା ଯେ ଆମ ସାହିତ୍ୟର ରକେଟ୍‌ ଗତିର ସୂଚନା ଦିଏ, ଏହା ତ କେହି ଅସ୍ୱୀକାର କରିପାରିବେ ନାହିଁ । ଏ ବିବୃତି–ବକ୍ତୃତା–ଧ୍ୱନି–ସର୍ବସ୍ୱ ଜାତିର ଉନ୍ନତି ହେବ ନାହିଁ ତ ହେବ ଆଉ କାହାର ? ସେହିପରି ଆହୁରି ଉନ୍ନତିର ଲକ୍ଷଣ ହେଉଛି ବକ୍ତୃତା ଦାତାଙ୍କ ନାମ ପୂର୍ବର ବିଶ୍ଳେଷଣ । ଆଜି ନେତା ତ କାଲି ବିଶିଷ୍ଟ ନେତା, ପୁଣି ପରଦିନ ଅତି ବିଶିଷ୍ଟ ନେତା । ଏ ନେତାବହୁଳ ସମାଜର ପ୍ରଗତିର ପଥରୋଧ କରିବାକୁ ଶକ୍ତି କାହାର ? ଏହିପରି ଯେତେ ସଂଘ, ସଂସଦ, ଅନୁଷ୍ଠାନ, ପ୍ରତିଷ୍ଠାନ, କ୍ଳବ, ପାଠଚକ୍ର ସ୍ତମ୍ଭ ଗଢ଼ି ଉଠିବ, ଓଡ଼ିଆ ସାହିତ୍ୟ ସେତେ ଆକାଶମାର୍ଗକୁ ଉଠିଯିବ; ଏହା କଅଣ କେହି ଅସ୍ୱୀକାର କରିବ ?

 

ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ଦେଶର ପ୍ରତି କୋଣରେ ପ୍ରତ୍ୟହ ଯେଉଁ ‘‘ହନୁମନ୍ତର ଲଙ୍କାପୋଡ଼ି’’ କାଣ୍ଡ ଘଟାଉଅଛି, ସେଥିରେ ‘ସଂ’ ନ ରହୁ ‘କୃତି’ତ ସମସ୍ତଙ୍କୁ ମୁଗ୍‌ଧ କରୁଅଛି । ବେକାରୀ ବଢ଼ିଯାଇଛି ବୋଲି କେହି କେହି କହୁଅଛନ୍ତି, ତା’ ସଙ୍ଗେସଙ୍ଗେ ଅବକାରୀ ପ୍ରସାର ଯେ ପ୍ରତ୍ୟେକ ପରିବାରରେ ଓତଃପ୍ରୋତ ଭାବରେ ମିଶିଯାଇଅଛି, ଏହା କ’ଣ କମ୍‌ ଆନନ୍ଦର କଥା !

 

ସେହିପରି ସହରର ସାହି, ବଜାର, ଛକ, ଉନ୍ନୟନ ଏବଂ ମଫସଲର ପଲ୍ଲୀ ଉନ୍ନୟନ ସଂଗଠନ ଗୁଡ଼ିକର କାର୍ଯ୍ୟ କାହା ଦୃଷ୍ଟିକୁ ବା ନ ଆସୁଛି ? ବର୍ଷକ ମଧ୍ୟରେ ବାରମ୍ୱାର କର୍ମକର୍ତ୍ତା ନିର୍ବାଚନ, ବିଭିନ୍ନ କର୍ମକର୍ତ୍ତାଙ୍କ ପରସ୍ପର ବିରୋଧୀ ସଫେଇ, ନିଜ ନିଜ ମଧ୍ୟରେ ଗୋଇ ଖୋଳାଖୋଳି ପାଇଁ ଅଶାଳୀନ ବାକ୍ୟଯୁକ୍ତ ମନ୍ତବ୍ୟ ପ୍ରଚାର–ସଂଗଠନକୁ ଯେ କିପରି ଦୃଢ଼ କରେ, ଏହା କିଏ ନ କହିବ ?

 

ସେଇଥିପାଇଁ ଆଜି ଘରେଘରେ ଠାକୁରବାଡ଼ି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ନେଇ ଗୋଟାଏ ଗୋଟାଏ ଅନୁଷ୍ଠାନ । ଗାନ୍ଧୀ–ନେହେରୁ ସେ ବି ତ କଂଗ୍ରେସ ଆଜି ପାଞ୍ଚ ଭାଇ ଆଖଡ଼ା । ଜୟପ୍ରକାଶ ନାରାୟଣ ଆଶୀର୍ବାଦଧନ୍ୟ ଜନତା ତିନି ଭାଇ, ବିଦେଶାଗତ କମ୍ୟୁନିଷ୍ଟ ପାର୍ଟି ଦୁଇ ଭାଇ । ନେତାମାନଙ୍କ ଏହି କାମ ଦେଶବାସୀଙ୍କ ସଂହତି ରକ୍ଷା ଦିଗରେ ଉତ୍ସାହପ୍ରଦ ଆଦର୍ଶ ନୁହେଁ କି ?

 

ସେଦିନ ଜଣେ ପାଳଗଦା ଉପରେ ଛିଡ଼ା ହୋଇ ନିଜକୁ ନିଜେ ବଡ଼ ବୋଲାଉଥିବା ନେତା ଗାନ୍ଧିଜୀଙ୍କ କାର୍ଯ୍ୟର ସମାଲୋଚନା କରି ପ୍ରଳାପ କରିଥିଲେ, ‘‘ଗାନ୍ଧିଙ୍କ ଦୁଇଟି ତ୍ରୁଟି ଲାଗି ହିଁ ଦେଶର ଆଜି ଏ ଦୂରବସ୍ଥା ।’’ ପ୍ରକୃତରେ ଚିନ୍ତାଶୀଳ ଦେଶବାସୀ ନିଶ୍ଚୟ ତାଙ୍କ ସହିତ ଏକମତ ହେବେ । ଗାନ୍ଧିଜୀଙ୍କର ତୃତୀୟ ଦୋଷଟା କିନ୍ତୁ ତାଙ୍କ ଆଖିରେ ପଡ଼ି ନାହିଁ । ତା’ ହେଉଛି, ଗାନ୍ଧିବୁଢ଼ା ଦେଶର ସ୍ୱାଧୀନତା ଆଣିଥିଲେ ବୋଲି ସିନା ଏହିପରି ବାମନ ଚନ୍ଦ୍ରକୁ ହାତ ବଢ଼ାଉଅଛନ୍ତି । ଜାତି ଓ ଦେଶର କର୍ଣ୍ଣଧାର ହେବାର ସ୍ୱପ୍ନ ଦେଖି ବିଭୋର ହେଉଅଛନ୍ତି । ଏହା କଅଣ ଗାନ୍ଧିଜୀଙ୍କର ତୃତୀୟ ଦୋଷ ନୁହେଁ ?

 

ସେ ଯାହା ହେଉ, ଆମ ଭିତରେ ଯେତେ ମନାନ୍ତର ମତାନ୍ତର, ବିଭେଦ, ଗୋଇ ଖୋଳାଖୋଳି, ମଧୁର ସମ୍ପର୍କ ସ୍ଥାପନ ଆଦି କାମ ଚାଲିଥାଉ ନା କାହିଁକି, ଦେଶର ରାଜନୈତିକ, ଅର୍ଥନୈତିକ, ସାହିତ୍ୟିକ ଓ ସାଂସ୍କୃତିକ ଉନ୍ନତି ଯେ ଆମ ସମସ୍ତଙ୍କର ଏକମାତ୍ର ଲକ୍ଷ୍ୟ ଏବଂ ତା’ର ସୁଦୂର ପରିଣତି ଯେ ନିର୍ବାଚନ–ସାଗର ସନ୍ତରଣ, ଏହା କେହି ଅସ୍ୱୀକାର କରିପାରିବେ ନାହିଁ ।

☆☆☆

 

ତୈଳ ଡକ୍‌ଟର

 

୧୯୭୮ ମସିହା ।

ଜଣେ ଅଧ୍ୟାପକ ସୋରିଷ ତେଲ ଉପରେ ପାଞ୍ଚ ବର୍ଷ ଧରି ଗବେଷଣା କଲେ । ବହୁ କଠୋର ପରିଶ୍ରମ ପରେ ନିବନ୍ଧଟି ଲେଖିଥିଲେ, ତାହା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିଲା ଓ ପରୀକ୍ଷକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ହଜାରେ ବର୍ଷ ତଳର ଇତିହାସ ଉପରେ ଏହି ମୂଲ୍ୟବାନ୍‌ ବହୁ ତଥ୍ୟ ସମ୍ୱଳିତ ଗବେଷଣାମୂଳକ ପ୍ରବନ୍ଧଟି ଲେଖି ସେ ଡି. ଲିଟ୍‌ ହୋଇଥିଲେ । ତାଙ୍କ ନାମ ପୂର୍ବରୁ ଡକ୍‌ଟର ଉପାଧି ବସିଥିଲା ।

ନିବନ୍ଧର ସାରମର୍ମ ସଂକ୍ଷେପରେ ଦିଆଗଲା–

ସୌରଜଗତର କ୍ଷୁଦ୍ରାତିକ୍ଷୁଦ୍ର ଗ୍ରହ ପୃଥିବୀର ଜମ୍ଭୁଦ୍ୱୀପେ, ଭାରତ ଖଣ୍ଡେ, ଉତ୍କଳ ରାଜ୍ୟେ ଏକ ସହସ୍ର ବର୍ଷ ପୂର୍ବେ ଯେଉଁ ପ୍ରାଣୀ ବାସ କରୁଥିଲେ, ସେମାନଙ୍କ ନାମ ଥିଲା ‘ମନୁଷ୍ୟ’-। ସେମାନେ ନିଜକୁ ଶିକ୍ଷିତ, ଭଦ୍ର, ବୁଦ୍ଧିମାନ୍‍ ବୋଲି ମନେ କରୁଥିଲେ । ତାହା ହିଁ ଶେଷରେ ସେମାନଙ୍କର ପୃଥିବୀପୃଷ୍ଠରୁ ଲୋପ ପାଇଯିବାର କାରଣ ହେଲା ।

ସେ ସମୟର ସାହିତ୍ୟରୁ ‘ତୈଳ’ ବୋଲି ଗୋଟିଏ ଶବ୍ଦ ମିଳୁଅଛି । ତା’ର ପ୍ରତିଶବ୍ଦ ଥିଲା ‘ତେଲ’ । କେହି ମାଲପା ତ କିଏ କିପରି ମଥାଦହି କହୁଥିଲେ । ଏହି ତୈଳର ବହୁ ବିଭାଗ ଥିଲା । ଯଥା–ସର୍ଷପ ତୈଳ (ଅନେକେ ସୋରିଷ ତେଲ କହୁଥିଲେ), କେଶ ତୈଳ, ବେଶ ତୈଳ, ରନ୍ଧନ ତୈଳ, ବନ୍ଧନ ତୈଳ, ବର୍ଷଣ ତୈଳ, ଘର୍ଷଣ ତୈଳ ।

ଆଜିକାଲି ପନ୍ଦର ସେଣ୍ଟିମିଟର ପରିଧିର ଯେଉଁ ଫଳ ଆମେ ଉତ୍ପାଦନ କରୁଥାଇଁ, ତାହା ସେ ସମୟରେ ଧୂଳିରେଣୁ ପରି ଅତି କ୍ଷୁଦ୍ର ଥିଲା । ତା’ର ନାମ ସେମାନେ ଦେଇଥିଲେ ତିଳ-। ସେହି ତିଳରୁ ବାହାରୁଥିବା ରସର ନାମ ହିଁ ତୈଳ । ପରେ ସୋରିଷ ନାମରେ ଆଉ ଏକ କ୍ଷୁଦ୍ରକାୟ ମଞ୍ଜି ସେମାନେ ଉତ୍ପନ୍ନ କଲେ । ସେଥିରୁ ମଧ୍ୟ ରସ ବାହାର କରି ତା’ର ନାମ ଦେଲେ ତେଲ ବା ତୈଳ । କ୍ରମେ ନଡ଼ିଆ, ଜଡ଼ା, ପୁଲାଙ୍ଗ, ଚିନାବାଦାମ ଫଳରୁ ସେହି ତୈଳ ସଂଗ୍ରହ କରାଗଲା ।

ଏ ତ ଗଲା ଏକପ୍ରକାର ତେଲ । ମାଟି ଭିତରୁ ଯେଉଁ ଜାଳେଣି ଦ୍ରବ୍ୟ ବାହାର କଲେ, ତା’ ନାମ ମଧ୍ୟ ଦେଲେ କିରାସିନି ତେଲ । ତିଳ ସହିତ ଏହାର କିଛି ସମ୍ପର୍କ ନଥିଲା ସେମାନଙ୍କର ତ ବିଦ୍ୟାବୁଦ୍ଧି ଅଳ୍ପ ଥିଲା: ତେଣୁ ଅନ୍ୟ କୌଣସି ଶବ୍ଦ ସେମାନଙ୍କ ମୁଣ୍ଡକୁ ଢୁକିପାରିଲା ନାହିଁ ।

ପରେ ମାଛରୁ, ଅନ୍ୟ ଜୀବଜନ୍ତୁମାନଙ୍କ ଚର୍ବିରୁ ମଧ୍ୟ ରସ ଉତ୍ପାଦନ କରି ନିଜ ବ୍ୟବହାରରେ ଲଗାଇଲେ । ତାକୁ ବି ସେହି ତେଲ ଆଖ୍ୟା ଦେଲେ ।

ଆମର ଗବେଷଣାର ବସ୍ତୁ ହେଉଛି କେବଳ ସର୍ଷପ ତୈଳ ବା ସୋରିଷ ତେଲ ।

ସର୍ପ ବୋଲି ଆଉ ଗୋଟିଏ ପ୍ରାଣୀ ସେ ସମୟରେ ଦେଶରେ ବାସ କରୁଥିଲେ । ମନୁଷ୍ୟଙ୍କର ସେମାନଙ୍କ ସହିତ ବରାବର ଶତ୍ରୁତା ରହି ଆସିଥିଲା ।

ତେଣୁ ସେହି ସର୍ପମାନଙ୍କୁ ଭୟଙ୍କର କି ହିଂସ୍ର ବୋଲି ମନୁଷ୍ୟ ବର୍ଣ୍ଣନା କରିଅଛି । ମାତ୍ର ଜଣାଯାଏ, ସେମାନେ ମନୁଷ୍ୟଙ୍କ ଭଳି ଭୟଙ୍କର ନ ଥିଲେ କି ହିଂସ୍ରତାରେ ମନୁଷ୍ୟଙ୍କୁ ଟପି ପାରି ନ ଥିଲେ । ସେହି ମନୁଷ୍ୟ ନାମଧାରୀ ପ୍ରାଣୀମାନେ ସର୍ପମାନଙ୍କୁ ନିଜଠାରୁ ନ୍ୟୁନ ମନେ କରି, ସେମାନଙ୍କୁ ଚିଡ଼ାଇବା ଲାଗି ସର୍ଷପ ନାମ ପ୍ରଚାର କରିଦେଲେ । ସସର୍ପ, ସର୍ଷପ ଉଚ୍ଚାରଣରେ ବିଶେଷ କିଛି ଫରକ ନାହିଁ । ସସର୍ପ ଅର୍ଥ ସର୍ପ ସହ ବର୍ତ୍ତମାନ । ସର୍ଷପ ହେଲା ତା’ର ନାମାନ୍ତର ମାତ୍ର ।

ମନୁଷ୍ୟମାନେ ସେ ତୈଳକୁ କିଞ୍ଚିତରେ ଖାଉଥିଲେ । ଅଧିକାଂଶ ଦେହରେ–ସର୍ବାଙ୍ଗରେ ନୁହେଁ, କେବଳ ଅଧମାଙ୍ଗରେ ମାଲିସ୍‌ କରୁଥିଲେ । ପରେ ନିଜେ ମାଲିସ୍‍ କରିବା ଅପେକ୍ଷା ଅନ୍ୟମାନଙ୍କ ଦ୍ୱାରା ମାଲିସ୍‍ କରାଇବାକୁ ବେଶି ପସନ୍ଦ କଲେ । ଶେଷକୁ ତେଲଟା କେବଳ ସେହି କାର୍ଯ୍ୟରେ ହିଁ ବ୍ୟବହୃତ ହେଲା ।

ସେମାନେ ଦୀପରେ ତେଲ ଦେଇ ତାହା ଜାଳୁଥିଲେ । ସେଥିରେ ଅନ୍ଧାର ଘର ଆଲୋକିତ କରୁଥିଲେ । ତେଲ ସରିଗଲେ ସବୁ ଅନ୍ଧାର । କମିଗଲେ ଗୋଟିଏ କାଠିରେ ସଳିତା ପେଲିଦେବାକୁ ପଡ଼େ । ସେଇଦିନୁ ହେଲା କ’ଣ ପେଲା ଶବ୍ଦର ସୃଷ୍ଟି । ନଗଣ୍ୟ କାଠି ଖଣ୍ଡିଏ ମଧ୍ୟ ତେଲ ପେଲିପେଲି ଚିକ୍‌କଣ ହେଉଥିଲା । ମନୁଷ୍ୟ ସେଥିରୁ ଶିକ୍ଷା ପାଇଲା । ନିଜକୁ କ’ଣ ପେଲା ରୂପେ ଗଢ଼ିନେଲା । ତେଲ ପେଲିବା ହିଁ ତା’ର ବ୍ୟବସାୟ ହେଲା । ତେଲ ପେଲିପେଲି ସେ ଚିକ୍‌କଣ ହେଲା । ଯେ ଜନ୍ମବେଳେ ଟୋପାଏ ବାସୀ ତୋରାଣୀ ପାଉ ନ ଥିଲା, ତା’ ପିଲା ଜନ୍ମବେଳକୁ ସେ ସୁନା ଚାମଚରେ ହୀରାର ଦୁଧ ପିଆଇଲା । ନିଜେ କୁଡ଼ିଆରେ ବଢ଼ିଥିଲେ ମଧ୍ୟ ପୁଅ ନାତି ପାଇଁ ଶୀତତାପ ନିୟନ୍ତ୍ରିତ ରାଜନବର ତୋଳାଇଲା । ସେତେବେଳେ ଇନ୍ଦ୍ର ଚନ୍ଦ୍ର ମାନିଲା ନାହିଁ । ତେଲ ପେଲିପେଲି ସେ ଯେ ଚିକ୍‌କଣ, ସେ ଯେ ନମସ୍ୟ, ସେ ଯେ ସମାଜପତି. ଦଳପତି, ସଭାପତି, କୁଳପତି, ମୂଳପତି–ପୁଣି ଖାଲି ପତି ।

 

କ୍ରମେ ମନୁଷ୍ୟପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ପାଇଲା ଚକ୍ରବୃଦ୍ଧି ସୁଧ ହାରରେ । ବଣ ଜଙ୍ଗଲ, ପାହାଡ଼ ଡୁଙ୍ଗର: ଗହୀର ଅପନ୍ତରା ସବୁଆଡ଼େ ସେମାନେ ଖେଦିଗଲେ । ସେମାନଙ୍କ ଅଧମାଙ୍ଗ ପୃଥୁଳରୁ ପୃଥିଳତର ହେଲା । ତାକୁ ମାଲିସ କରିବା ପାଇଁ ଅଧିକ ତେଲ ଦରକାର ପଡ଼ିଲା : ଅଧିକ ଲୋକ ମଧ୍ୟ ଲୋଡ଼ା ହେଲେ ।

 

ମନ୍ତ୍ରୀ, ଏମ୍‌.ଏଲ., ଏ., ନେତା ଉପନେତା ବହୁତ ବଢ଼ିଗଲେ । ତେଲ ମାଲିସ ଅଭାବରୁ ସେମାନଙ୍କ ଅଙ୍ଗ କଟକଟ ଡାକିଲା । ତେଣୁ ଗୁଡ଼ିଏ କ୍ରୀତଦାସ ରଖିବାକୁ ସେମାନେ ବାଧ୍ୟ ହେଲେ-। ସେହି କ୍ରୀତଦାସମାନେ ରାତିଦିନ ସଞ୍ଜ ସକାଳେ କେବଳ ତେଲ ଘଷିବାରେ ଲାଗିଲେ-। ସେମାନଙ୍କ ହାତ ଚିକ୍‌କଣ ହେଲା । ତେଲ ମାଲିସ ଅଙ୍ଗ ମଧ୍ୟ ମସୃଣ ହେଲା ।

 

ଏତେ ତେଲ ଆସିବ କୁଆଡ଼ୁ ?

 

ସବୁଆଡ଼େ ଭାବନା ଖେଳିଗଲା । ଅଭାବ ପଡ଼ିଲେ ବୁଦ୍ଧି ପଇଟେ । ତେଲ ଯୋଗାଣିଆ ମାନେ କେତେକ କୃତ୍ରିମ ଉପାୟ ବାହାର କଲେ । ସବୁ ପ୍ରକାର ଫଳରୁ ରସ ନିଗାଡ଼ିଲେ । ସମସ୍ତେ ପାଟି କଲେ, ତେଲ ଭେଜାଲ ହେଲା । କିନ୍ତୁ ଉପାୟ କଅଣ ?

 

ମନ୍ତ୍ରୀ, ଏମ୍‌.ଏଲ. ଏ., ନେତା ପ୍ରଭୃତି କ୍ଷମତାଶାଳୀ ଲୋକଙ୍କ ପାଖକୁ ସବୁ ତେଲ ବୋହିଗଲା । ତା’ର ଛିଟିକା ପଡ଼ିଲା ସେମାନଙ୍କ ଅନୁସରଣିଆଙ୍କ ଦେହରେ । ଯା ହେଉ, ସେମାନେ ଟିକିଏ କୃତାର୍ଥ ହେଲେ ।

 

ତେଲ କଳାକୁ ଧଳା କରିଦେଲା, ମୂର୍ଖକୁ ପଣ୍ଡିତ କଲା । ଦୋଷୀ ତା’ ବଳରେ ନିର୍ଦ୍ଦୋଷ ହେଲା, ପାପ ପୁଣ୍ୟ ହେଲା ।

 

ସାଧାରଣ ଲୋକେ ତରକାରୀରେ ତେଲ ଖାଉଥିଲେ । ଦେହରେ ବୋଳିବାକୁ ତ ତେଲ ଅଣ୍ଟୁ ନାହିଁ; ସେ ମଳିମୁଣ୍ଡିଆ ଖାଇବାକୁ ବା ପାଇବେ କୁଆଡ଼ୁ ?

 

ଯେତେବେଳେ ଢଗ ସୃଷ୍ଟି ହେଲା ‘‘ତେଲିଆ ମୁଣ୍ଡରେ ତେଲ’’ । କିନ୍ତୁ ସେ ମୁଣ୍ଡ ନୁହେଁ, ଗଣ୍ଡି । ମଳିମୁଣ୍ଡିଆ ଯେବେ ଟିକିଏ ଛଇ ଛପରା ହେଲା, ତାକୁ କୁହାଗଲା ‘‘ବାପ ତେଲ ଅଭାବରେ ଲଣ୍ଡା; ପୁଅ ବୁଲେଇ ବେଣ୍ଟି ରଖୁଛି’’।

 

ତେଲ ଅଭାବ ଅତି ଉତ୍କଟ ହେଲା । ବାପ ପୁଅ ସମସ୍ତେ ଲଣ୍ଡା ହେଲେ ।

 

ଥିଲାବାଲା ତେଲନଈରେ ପହଁରିଲେ; ନ ଥିଲାବାଲା ତେଲ ଟୋପାକ ପାଇଁ ବାର ଦୁଆର ଶୁଣ୍ଢିପିଣ୍ଡା ହେଲେ । ତେଣୁ କୁହାଗଲା, ‘ତେଲିଆ ମୁଣ୍ଡରେ ତେଲ’ ।

 

ସେହି ତେଲ ହିଁ ଶେଷରେ ଯଦୁବଂଶ ଧ୍ୱଂସର କାରଣ ହେଲା ।

 

ଯେ ଗାଦି ମାଡ଼ି ବସିଲା, ସେ କହିଲା, ମୁଁ ଗାଦି ଛାଡ଼ିବି ନାହିଁ । ଗାଦି ଛାଡ଼ିଦେଲେ ତେଲ ମିଳିବ ନାହିଁ । ଅନ୍ୟମାନେ କହିଲେ, ତୁମେ ଗାଦି ଛାଡ଼ । ଆମେ କିଛି ସମୟ ଗାଦିରେ ବସିବୁ, ତେଲ ବୋଳିହେବୁ ।

 

ତେଲ ପାଇବା ଲୋଭରେ ଦଳ ଉପରେ ଦଳ ଗଢ଼ିଉଠିଲେ । କଂଗ୍ରେସ, କମ୍ୟୁନିଷ୍ଟ, ସୋସାଲିଷ୍ଟ, ଗଣତନ୍ତ୍ର, ଜନତା–ଶହ ଶହ ଦଳ । ମାଙ୍କଡ଼ ପଲରେ ଗୋଟିଏ ଗୋଟିଏ ଗେଧ, ମାତ୍ର ଏ ଦଳରେ ପୁଞ୍ଜାପୁଞ୍ଜା ଗେଧ । ତେଣୁ ସବୁବେଳ କାମୁଡ଼ା କାମୁଡ଼ି ।

 

ଜନସାଧାରଣ ତେଲ ନ ପାଇ ବିଷମିଶା ଭେଜାଲ ତେଲ ଖାଇଲେ । ସେଥିରେ ହିଁ ସେମାନଙ୍କ ବଂଶ ନାଶ ହେଲା । ଏଣେ କ୍ଷମତାହୀନ ଲୋକେ, କ୍ଷମତା ଲୋଭୀ ଲୋକେ, ସେମାନଙ୍କ ଗୋଡ଼ାଣିଆ, ଅନୁଚରମାନେ ତେଲ ନ ପାଇ ପୁଣି ଗୋଇ ଖୋଳାଖୋଳି ହେଲେ । ମରାମରି ହେଲେ, ହଣାହଣି ହେଲେ ।

 

ଶେଷକୁ ଯଦୁବଂଶର ପରିଣତି । ତେଲ ହିଁ ଏହାର ଏକମାତ୍ର କାରଣ ହେଲା । ସର୍ପମାନେ ଆଶ୍ୱସ୍ତ ହେଲେ । ସଷର୍ପ ନାମ ଲୋପ ପାଇଲା ।

 

ସେ ମସୟରେ ସେଇ ମଣିଷ–ପ୍ରାଣୀଗୁଡ଼ିକ ଥିଲେ ଦୋନାବୁଡ଼ିଆ; ଏ ଘର ମାଉସୀ ସେ ଘର ପିଉସୀ । ସେଇଠି କୁହାଯାଉଥିଲା–ତେଲଘଡ଼ିକୁ ଲୋଭ ତ ପୁଅ ମୁଣ୍ଡକୁ ଲୋଭ । ଏପାଖ ଛାଡ଼ିବେ ନାହିଁ କି ସେପାଖ ଛାଡ଼ିବେ ନାହିଁ । ଦୁଇ ନାଆରେ ଗୋଡ଼ ! ତେଣୁ ବୁଡ଼ି ମରିବା ହିଁ ସାର ହେଉଥିଲା ।

 

‘‘ତୋ ଗେଲ ଛଡ଼େଇଦେବି, ତେଲ ବାହାର କରିଦେବି’’ । ସେତେବେଳେ ବୋଧହୁଏ ସମସ୍ତେ ଅନ୍ୟ ଦେହରୁ ତେଲ ବାହାର କରିବାକୁ ଆକାଂକ୍ଷୀ ଥିଲେ । ରାମ ଶ୍ୟାମ ଦେହରୁ ଯେମିତି ଶ୍ୟାମ ବି ରାମ ଦେହରୁ ସେମିତି ତେଲ ନିଗାଡ଼ି ନେଉଥିଲେ–ଖଜୁରି ଗଛରୁ ରସ ନିଗାଡ଼ିଲା ଭଳି-

 

ଏହି ତେଲତେଲ ହୋଇ ସେମାନଙ୍କ ଜୀବନଦୀପରୁ ତେଲ ଶେଷ ହୋଇ ଆସିଲା । ପେଲାର ଆଉ କାରଧାନୀ (କାରନାମା) କାଟୁ କଲା ନାହିଁ । ତେଲ ତ ସରି ଆସିଲା, ପେଲା ସେଠି କଅଣ କରିବ ?

☆☆☆

 

ଚାମଚା ସ୍ତବ

 

ହେ ଚାମଚା, ତୁମଙ୍କୁ ନମସ୍କାର ।

 

–ତୁମର ଅସାଧ୍ୟ କିଛି ନାହିଁ, ଅକାର୍ଯ୍ୟ କିଛି ନାହିଁ । ଅକଥନୀୟ କିଛି ନାହିଁ, ଅଶ୍ରାବ୍ୟ କିଛି ନାହିଁ । ତୁମର ଅଖାଦ୍ୟ କିଛି ନାହିଁ, ଅପେୟ କିଛି ନାହିଁ । ଅଗମ୍ୟ କିଛି ନାହିଁ, ଅପାଠ୍ୟ କିଛି ନାହିଁ । ତୁମଙ୍କୁ ଶତଶତ ଜୁହାର ।

 

–ତମେ ଅନାଦି, ତୁମେ ଅନନ୍ତ । ତୁମେ ଅପାର, ତୁମେ ବିଶାଳ । ତୁମେ ସାକାର, ପୁଣି ନିରାକାର । ତୁମ ଆକାର ଦୃଷ୍ଟିର ଅତୀତ, ତୁମ କାର୍ଯ୍ୟ ଚିନ୍ତାର ଅତୀତ, ତୁମ କଥା ବୁଦ୍ଧିର ଅତୀତ, ତୁମ ଭାବନା ଜ୍ଞାନର ଅତୀତ । ହେ ଚାମଚା, ତୁମକୁ ଶତସହସ୍ର ପ୍ରଣାମ ।

 

–ତୁମେ କଳାକୁ ଧଳା କରିପାର, ପୁଣି ଧଳାକୁ କଳା କରିପାର । ରାତିକୁ ଦିନ, ଦିନକୁ ରାତି କରିପାର । ପୁରୁଷକୁ ନାରୀ, ନାରୀକୁ ପୁରୁଷ କରିପାର । ତୁମେ ଆମ୍ୱକୁ ଆମ୍ୱଡ଼ା, ଘୁଷୁରିକୁ ହାତୀ କରିପାର । ତୁମ ଚାତୁରୀରେ ସାଧୁ ଚୋର ବନିଯାଏ, ଚୋର ହୁଏ ଗୋଟାସୁଦ୍ଧା ତୁଳସୀମାଳୀ । ହେ ସର୍ବଜ୍ଞ, ତୁମକୁ କୋଟିକୋଟି ନମସ୍କାର ।

 

ଏ ସାରା ବିଶ୍ୱରେ କେବଳ ତୁମେ ହିଁ ସ୍ୱାଧୀନ । କୌଣସି ନୀତି ନିୟମ ତୁମକୁ ବାନ୍ଧି ରଖିବାକୁ ଅସମର୍ଥ । ସମାଜର ଆଦବକାଇଦାରୁ ତୁମେ ମୁକ୍ତ । ଆଦର୍ଶ ତୁମ ଚରଣତଳେ ନତମସ୍ତକ । ଭଦ୍ରତା ତୁମ ପାଖ ପଶିପାରେ ନାହିଁ । ଲଜ୍ଜା ତୁମ ସୀମାକୁ ଆସିବାକୁ ଲଜ୍ଜାପାଏ । ହେ ମୁକ୍ତପୁରୁଷ, ତୁମ ଚରଣଧୂଳି ମସ୍ତକରେ ଲଗାଇ ମୁଁ ଧନ୍ୟ ହୁଏ ।

 

–ତୁମେ ନିଶାଚର, ସନ୍ଧ୍ୟାରେ ଆଈ ନେତାଙ୍କ ପଦ ଲେହନ କର । ରାତି ନଅଟାରେ ଅଜା (?) ନେତାଙ୍କ ପାଦ ମଞ୍ଚାଳ । ମଧ୍ୟରାତ୍ରରେ କମ୍ୟୁନିଷ୍ଟ ଦଳର ସେବାକର । ସେଠାରୁ ଜନତା ଅଫିସ । ତାହାପରେ ଲୋକଦଳ ଅଫିସରେ ବସିରହି ସେମାନଙ୍କର ବିଶ୍ୱାସ ଭାଜନ ହୁଅ । ପାହାନ୍ତାରେ ଘନଘନ ଦଳ ବଦଳକାରୀଙ୍କ ଶଯ୍ୟାଶାୟୀ ହୁଅ । ରାତିରେ ବୋତଲ ବୋତଲ ମଦ ପିଅ, ଦିନରେ ମଦ୍ୟପଙ୍କ ସପ୍ତପୁରୁଷ ଉଦ୍ଧାର କର । ହେ ସର୍ବବ୍ୟାପୀ, ତୁମଙ୍କୁ ମୋର ପ୍ରଣତି ଜଣାଉଛି ।

 

–ତୁମେ ନେତାଙ୍କ ଭିତରେ କନ୍ଦଳ ଭିଆଇପାର, କର୍ମୀ କର୍ମାଙ୍କ ଭିତରେ ବିଭେଦ ସୃଷ୍ଟି କରିପାର: ବନ୍ଧୁ ବନ୍ଧୁ ମଧ୍ୟରେ ବିଚ୍ଛେଦ ଘଟାଇପାର । କଣ୍ଟାବାଡ଼ରେ ଲୁଗା ପକାଇ କଳି କରିବାକୁ ଆଗଭର ହୁଅ । ନଖକୁ ନଖ ଘଷି ଷଣ୍ଢ ଲଢ଼େଇ ଲଗେଇଦିଅ ନିରାପଦରେ ରହି ହୁନ୍ଦର ଦେଖ । ଦେଖି ମଜା ପାଅ, ଲାଭ ଉଠାଅ । ହେ ନାରଦ, ତୁମଙ୍କୁ ଶତଶତ ଓଳଗି ।

 

–ତୁମେ କାମ ନକରି କର୍ମୀ, ପାଠ ନ ପଢ଼ି ପଣ୍ଡିତ, କଥା କହି ନଜାଣି ବକ୍ତା । ଆତ୍ମସେବାରେ ରତ ରହି ମଧ୍ୟ ସମାଜସେବୀ, ବିଶ୍ୱସେବକ । ତମେ ନଟ, ନଟୀ; ତୁମେ କବି, ଦାର୍ଶନିକ । ତୁମେ ବିଶେଷଜ୍ଞ । ହେ ଅଷ୍ଟାବଧାନୀ , ତୁମେ ଶ୍ରୀପୟରେ ଜୁହାର ।

 

–ତୁମର ଗୋଟାଏ ପାଦ ବିହାରୀବାଗରେ । ଆର ପାଦ ଗୋପବନ୍ଧୁ ବାଗରେ । ଗୋଟିଏ ଜିଭରେ ମୁଖ୍ୟମନ୍ତ୍ରୀଙ୍କ ପାଦ ଚାଟ, ଅନ୍ୟ ଜିଭରେ ବିରୋଧୀ ଦଳରେ ମିଶି ମୁଖ୍ୟମନ୍ତ୍ରୀଙ୍କୁ ଛେପ ପକାଅ । ହେ ଦିଜିହ୍ୱ, ତୁମକୁ ମୁଣ୍ଡିଆ ମାରୁଅଛି ।

 

–ତୁମେ ଚତୁର୍ମୁଖ । ଦିନର ଚାରିପ୍ରହରରେ ତ ତୁମର ମୁଖ ଚାରୋଟି ରୂପ ଧାରଣ କରେ; ଚାରି ସ୍ଥାନରୁ ଭୋଜି ସଂଗ୍ରହ କରେ । ରାତି ଚାରିପ୍ରହରରେ ତାହା ଚାରି ସ୍ଥାନରେ ଉଗାଳି ପକାଏ । ତୁମେ ଏ ଘର ମାଉସୀ, ସେ ଘର ପିଉସୀ । କବି ଗୋଦାବରୀଶ ନିଆଁ ଖୁଣ୍ଟା ଧୂପରେ ସେଦିନ ତୁମର ସ୍ତୁତି ଗାଇଥିଲେ,

 

‘‘କହିବ କି ଭାଇ ସେ କେତେ ଦୂର,

ବିହାରୀବାଗରୁ ତୁଳସୀପୁର ?’’

 

ସେଇ ସ୍ତବର ପ୍ରତିଧ୍ୱନି ମୁଁ କରୁଅଛି–

 

‘‘ମଝିରେ ଥାଇ

ବିହାରୀବାଗରୁ ଗୋପବନ୍ଧୁ ବାଗ

ଧାଇଁଧାଇଁ ପାଦ ଯାଏ ବଥାଇ ।’’

 

ହେ ସର୍ବବିହାରୀ, ମୁଁ ତୁମର ପାଦ ବନ୍ଦନା କରୁଅଛି ।

 

–ତୁମ ମୁହଁ ଗଣ୍ଡାଚର୍ମ ଛାଆଣି । କୌଣସି ଅସ୍ତ୍ର ତାକୁ ଭେଦ କରିପାରେ ନାହିଁ । ତୁମେ ଗନ୍ଧର୍ବର ଗୁରୁ–କାରଣ, ତୁମେ ସର୍ବସହଣି । ଶ୍ୱାନର ସ୍ୱଗୋତ୍ରୀ–ଅଇଁଠାପତ୍ର ଚାଟିବାରେ ଧୁରନ୍ଧର: ପୁଣି ସ୍ୱଜାତି ହିଂସ୍ରକ । ତୁମେ ବାନରଙ୍କ ବଂଶଧର–ସମସ୍ତଙ୍କ ଚାଳରେ କୁଦିପାର । ତୁମେ ବିଷଧର ସର୍ପ–ତୁମ ବିଷଜ୍ୱାଳାରେ ତୁମ ଅମତବାଦୀ ଜର୍ଜରିତ । ତୁମେ ଶାର୍ଗୁଣା ଜାତୀୟ–ସମସ୍ତଙ୍କ ମାଂସ ଖାଇବାରେ ଦକ୍ଷ; କିନ୍ତୁ ତୁମ ମାଂସ କେହି ଖାଇପାରେ ନାହିଁ । ତୁମେ ଚୁଚୁନ୍ଦ୍ରାଙ୍କ ଜ୍ଞାତିବନ୍ଧୁ–ଦୁର୍ଗନ୍ଧରେ ତୁମ ପାଖ କେହି ମାଡ଼ନ୍ତି ନାହି; କିନ୍ତୁ ତୁମେ ସବୁଠାରେ ପଶିଯାଇପାର । ହେ ପଶୁରାଜ, ମୁଁ ଶ୍ରୀଚରଣତଳେ ଶରଣ ପଶୁଅଛି ।

 

–ତୁମେ ଆଗରେ ସମସ୍ତଙ୍କୁ ଅକୁଣ୍ଠଚିତ୍ତରେ ପ୍ରଶଂସା କର; ପଛରେ ଦୁର୍ନାମ ରଟିବାରେ ଶତମୁଖ । ଆଗରେ ବିଶ୍ୱରୂପ ଦର୍ଶନ କରି କୃତକୃତ୍ୟ ହୁଅ, ପଛରେ ରୌରବକୁଣ୍ଡରେ ଘାଣ୍ଟି ନିଜକୁ କୃତାର୍ଥ ମନେକର । ଆଗରେ ଦେଶସେବା, ଦଳ ସେବାର ପ୍ରଲେପ, ପଛରେ ଆତ୍ମସେବାରେ ସ୍ୱାର୍ଥସିଦ୍ଧିର ବଳିଷ୍ଠ କାମନା । ଆଗରେ ଯୋଗୀ, ତ୍ୟାଗୀ; ପଛରେ ମହାନ ଭୋଗୀ । ହେ କାମନାଜୟୀ, ତୁମଙ୍କୁ ଶତଶତ ଦଣ୍ଡବତ ।

 

–ତୁମେ ନେତା । ସମସ୍ତଙ୍କଠାରୁ ସବୁ ଦ୍ରବ୍ୟ ସବୁ ସମୟରେ ନେଇଯାଇପାର । ତୁମେ ଦାତା–ସବୁବେଳେ ସମସ୍ତଙ୍କୁ ଉପଦେଶ ଦେଇପାର । ତୁମେ ବିଧାତା–ସୃଷ୍ଟି, ସ୍ଥିତି, ବିଲୟର କାରଣ ହୁଅ । ତୁମେ ବ୍ରହ୍ମା–ବିଳିବିଳେଇଲେ ବେଦ ସୃଷ୍ଟି ହୁଏ । ତୁମେ ବିଷ୍ଣୁ–ଷୋଳସହସ୍ର ରମଣୀ ଗହଣରେ ତୁମର ଅବସାଦ ନାହିଁ । ତୁମେ ମହେଶ୍ୱର–ତାଣ୍ଡବ ନୃତ୍ୟରେ ସମସ୍ତ ସଂହାର କରିପାର ବୋଲି ପ୍ରୌଢ଼ି ଦେଖାଅ । ହେ ସର୍ବଦେବ, ନମସ୍ତୁତେ ।

 

–ତୁମେ ପୁରୁଷ–ମନ୍ତ୍ରୀ ଅନୁଗ୍ରହପ୍ରାର୍ଥୀ ନିରୀହ ଜନତା ଆଗରେ ପୁରୁଷତ୍ୱ ପ୍ରକଟିତ କର-! ତୁମେ ନାରୀ–ମନ୍ତ୍ରୀଙ୍କ ପାଖରେ ଲାଗି ନ ହେଲେ ମଧ୍ୟ କାନରେ କୁହ । ତୁମେ କ୍ଳୀବ–ସ୍ୱାର୍ଥ ସାଧନ ପାଇଁ ମୁନିବର ସବୁ ତିରସ୍କାର ମୁଣ୍ଡ ପାତି ସହିନିଅ । ତୁମେ ବାଳକ–ଶିକ୍ଷିତ ବେକାର ଯୁବକଙ୍କ ମନ ମୋହିବା ପାଇଁ ବାଲ୍ୟଲୀଳା କର । ତୁମେ ଯୁବକ–ଗରିବ, ମଳିମୁଣ୍ଡିଆଙ୍କଠାରୁ ଚାନ୍ଦା ସଂଗ୍ରହ ବେଳେ ତୁମର ଉଦ୍ଦାମ ଯୁବକତ୍ୱ ପ୍ରକଟିତ ହୁଏ । ତୁମେ ବୃଦ୍ଧ–କୌଣସି ନୀତିର ଛାୟା ସ୍ପର୍ଶ ନ କରି ମଧ୍ୟ ନୀତିବାଣୀ ଶୁଣାଇ ସଭାସ୍ଥଳ ପ୍ରକମ୍ପିତ କର । ହେ ସର୍ବବ୍ୟାପୀ, ତୁମକୁ ବାରମ୍ୱାର ପ୍ରଣାମ ।

 

–ଶ୍ରୀ ଜଗନ୍ନାଥ ଦର୍ଶନରେ ଗଲେ ପ୍ରଥମେ ଗରୁଡ଼ସ୍ତମ୍ଭ ପୃଷ୍ଠଭାଗରେ ମୁଣ୍ଡିଆ ମାରିବାକୁ ହୁଏ । ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ଗଲେ ବୃଷଭର ସ୍ଥାନ ବିଶେଷ ଆଉଁସି ଦେବା ବିଧେୟ । ସେହିପରି ଶ୍ରୀ ମନ୍ତ୍ରୀଙ୍କ ଦର୍ଶନର ସୁଯୋଗ ପାଇବାପାଇଁ ତୁମ ପକେଟ ଭାରି କରିବାକୁ ପଡ଼ିବ । ହେ ମନ୍ତ୍ରୀବାହନ, ତୁମକୁ ମୋର କୋଟି କୋଟି ନମସ୍କାର ।

 

ତୁମେ ସର୍ବଭୁକ–ବାହାରେ ଦେଖାଇହୁଅ ଅନାହାରୀ । ତୁମେ ମହାନଭୋଗୀ–କିନ୍ତୁ ଅଦ୍ୱିତୀୟ ତ୍ୟାଗୀ ବୋଲି ପ୍ରଚାର କର । ତୁମେ ମୂର୍ଖ–ଅଥଚ ସଭାମଞ୍ଚରେ ଘଣ୍ଟା ଘଣ୍ଟା ଧରି ବକ୍ତୃତା ଝାଡ଼ି, ସମ୍ୱାଦପତ୍ରରେ ସ୍ତମ୍ଭସ୍ତମ୍ଭ ଧରି ବିବୃତି ବାଢ଼ି ପାଣ୍ଡିତ୍ୟ ବୟାନ କର । ତୁମେ ଡାଆଣୀ ହୋଇ ଲାଗ, ଗୁଣିଆ ହୋଇ ଝାଡ଼ । ଗାଁଆରେ କନ୍ଦଳ ସୃଷ୍ଟି କର ପୁଣି ମଧ୍ୟସ୍ଥ ସାଜି ତା’ର ବିଚାର କର । ତୁମେ ଚୋରି କର–ଅନ୍ୟକୁ ଚୋର ବୋଲି ପ୍ରମାଣ କରାଅ । ତୁମେ ପଣସ ଖାଅ–ଭଣ୍ଡାରୀ ମୁଣ୍ଡରେ ଅଠା ବୋଳ । ହେ ସର୍ବଭୁକ ଟାଉଟର, ତୁମକୁ ସଲାମ ।

 

–ସତ କହିବା ବଦଭ୍ୟାସ ତୁମର ନାହିଁ । ପରପୀଡ଼ିନାହିଁ ତୁମ ଦୟାର ପରିପ୍ରକାଶ । ଧର୍ମ ତୁମର ଆତ୍ମସେବାରେ ପର୍ଯ୍ୟବସିତ । କ୍ଷମା ଶତ୍ରୁର ସର୍ବନାଶରେ ହିଁ ପ୍ରକାଶ ପାଏ । ସ୍ନେହମମତାର ସୀମା ତୁମେ ସ୍ପର୍ଶ କରି ନାହଁ । ସରଳତା ତୁମଠାରୁ ଯୋଜନ ଯୋଜନ ଦୂରରେ ରହିଅଛି । ହେ ଏକାଦଶ ଅବତାର, ତୁମର ମୁଁ ଜୟ ଜୟ ଗାନ କରୁଅଛି ।

 

–ପରର ଶିରୀ ଦେଖିଲେ ତୁମର ଛାତି ଫାଟିଯାଏ । ଅନ୍ୟର ଯଶୋଗାଥା ଶୁଣିଲେ ହୃତ୍‌କମ୍ପ ଜାତ ହୁଏ । ପଡ଼ୋଶୀର ସମ୍ପତ୍ତି ଦେଖି ଜିଭ ଲାଳାୟିତ ହୁଏ । କେହି ଅନ୍ୟର ପ୍ରଶଂସା କଲେ ତୁମକୁ ଅସହ୍ୟ ବୋଧହୁଏ ! ତୁମର ପ୍ରୀତି ପରପୀଡ଼କରେ, ତୁମର ଗତି ଶତ୍ରୁର ଗୃହ ଦହନରେ । ହେ ହୃଦୟହୀନ, ତୁମର ଯଶୋଗାନ କରୁଅଛି ।

 

–ଏ ବିଶ୍ୱ ସଂସାରରେ ତୁମେ ହିଁ ଏକା ସୁନ୍ଦର । ତୁମେ କେବଳ ପଣ୍ଡିତ–ସର୍ବଶାସ୍ତ୍ର ବେତ୍ତା । ତୁମେ ଏକମାତ୍ର ଦେଶସେବକ, ସମାଜସେବୀ । ତୁମେ ହିଁ ମହାନ, ତୁମେ ହିଁ ଗୁଣୀନ୍‌ ତୁମେ କେବଳ କର୍ମନିଷ୍ଠ–ସର୍ବକାର୍ଯ୍ୟେ ଧୁରନ୍ଧର । ତୁମେ ହିଁ ଏକମେବାଦ୍ୱିତୀୟଂ । ତୁମ ପାଦତଳେ ମୋର କୋଟିକୋଟି ପ୍ରଣାମ ।

 

–ହେ ଚାମଚା, ତୁମଙ୍କୁ ସମ୍ମୁଖରୁ ନମସ୍କାର କରୁଅଛି । ପୃଷ୍ଠଭାଗରୁ ନମସ୍କାର କରୁଅଛି-। ଦକ୍ଷିଣ ଭାଗରୁ ନମସ୍କାର–ବାମ ଭାଗରୁ ବି ନମସ୍କାର । ଊର୍ଦ୍ଧ୍ୱଦେଶରୁ ନମସ୍କାର, ଅଧୋଦେଶରୁ ନମସ୍କାର । ଚତୁର୍ଦ୍ଦିଗରୁ ମୋର ନମସ୍କାର ଗ୍ରହଣ କର । ତୁମର ଶକ୍ତି ଅନନ୍ତ, ବିକ୍ରମ ଅତୁଳ-। ତୁମର ବିସ୍ତାର ସର୍ବତ୍ର । ତେଣୁ ତୁମେ ହିଁ ସବୁ ।

 

‘‘ତ୍ୱମେବ ସର୍ବଂ ମମ ଦେବ ଦେବ’’

 

ଇତିଶ୍ରୀ ମହାବ୍ୟାସଦେବ ବିରଚିତ ଚାମଚା ସ୍ତୋତ୍ର ସମାପ୍ତ । ପ୍ରତ୍ୟହ ତ୍ରିକାଳ ସନ୍ଧ୍ୟାରେ ଯେ ଏହି ସ୍ତୋତ୍ର ଆକଣ୍ଠପାନ ପରେ ପାଠ କରିବ, ତା’ର ଧନଜନ ଗୋପଲକ୍ଷ୍ମୀ ଭତ୍ତରୋତ୍ତର ବୃଦ୍ଧିପ୍ରାପ୍ତ ହେବ ।

☆☆☆

 

ଖର୍ଚ୍ଚକାଟ ଯୋଜନା

 

ସତାବନ ଜଣ ସଭ୍ୟ ବିଶିଷ୍ଟ ବିଧାନସଭାର ରାଜ୍ୟଟି ଯେ ଅତି ସାନ, ଏହା କାହାକୁ ବୁଝାଇବାକୁ ପଡ଼ିବ ନାହିଁ । ରାଜ୍ୟ ଛୋଟ, ଲୋକ ଅଳ୍ପ; ତେଣୁ ସମସ୍ୟା କିଛି ନାହିଁ କହିଲେ ଚଳେ-। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଉପମନ୍ତ୍ରୀ, ଉପ–ଉପମନ୍ତ୍ରୀ, ପାର୍ଲାମେଣ୍ଟରୀ ସେକ୍ରେଟାରୀ ପ୍ରଭୃତି ମିଶି ତେତ୍ରିଶ ଶିକ୍ଷା ବୋର୍ଡ଼, ଖଦୀ ବୋର୍ଡ଼, ମଦ ବୋର୍ଡ଼, ଗଞ୍ଜେଇ ବୋର୍ଡ଼ ପ୍ରଭୃତି ବିଭିନ୍ନ ଅନୁଷ୍ଠାନର ଅନାହାରୀ ସଭାପତି, ନାନା କର୍ପୋରେସନର ଅଳ୍ପାହାରୀ ଚେୟାରମ୍ୟାନ ମିଶି କୋଡ଼ିଏ ଜଣ-। ଶାସନ ସୁରୁଖୁରୁରେ ଏପର୍ଯ୍ୟନ୍ତ ଚାଲି ଆସିଥିଲା । ଏବେ ଦାଉ ସାଧିଛି କେନ୍ଦ୍ର ସରକାର-। ଶାସନକ୍ଷେତ୍ରରେ ବିରାଟ ଅଚଳ ଅବସ୍ଥା ।

 

ଦିଲ୍ଳୀରୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ କଡ଼ା ନିର୍ଦ୍ଦେଶ ଆସିଅଛି, ଶାସନକ୍ଷେତ୍ରରେ ଖର୍ଚ୍ଚକାଟ କରିବାକୁ ହେବ । ତାହା ସମ୍ଭବ ହେବ କିପରି ? ସେଥିପାଇଁ ସାତଜଣିଆ କ୍ୟାବିନେଟ ପାହ୍ୟା ମନ୍ତ୍ରିମଣ୍ଡଳର ଗୋପନୀୟ ଦୁଆରକିଳା ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଲା ।

 

ମୁଖ୍ୟମନ୍ତ୍ରୀ ଶାସନକାର୍ଯ୍ୟରେ ଅତି ଦକ୍ଷ । ୧୯୪୭ ପୂର୍ବରୁ ସେ ଥିଲେ ମଫସଲ ଅଞ୍ଚଳର ଜଣେ ଜମିଦାରଙ୍କ ଗୁମାସ୍ତା । ତାଙ୍କ ଶାସନରେ ଜମିଦାରୀରେ ବାଘ–ବକିରୀ ଏକା ତୁଠରେ ପାଣି ପିଉଥିଲେ । ଶେଷକୁ ତାଙ୍କ ଘରଟି ପଥର କୋଠା ହୋଇଥିଲା ସତ; ମାତ୍ର ଅତ୍ୟଧିକ ଋଣଭାରରେ ଜମିଦାରୀ ନିଲାମରେ ଉଠିଥିଲା । ଯେ ଦଶ ବର୍ଷ ଯାଏଁ ଗୋଟାଏ ଜମିଦାରୀ ଚଳାଇପାରିଲେ, ରାଜ୍ୟଟା ଚଳାଇବାକୁ ତାଙ୍କ ପକ୍ଷରେ ବା କି ଛାର !

 

ସ୍ୱାସ୍ଥ୍ୟମନ୍ତ୍ରୀ ଜଣେ ହୋମିଓ ଡାକ୍ତର । ଡାକ ଯୋଗେ ପାଞ୍ଚ ଛଅଟି ଅକ୍ଷରର ଡିଗ୍ରୀ ହାସଲ କରିଅଛନ୍ତି । ରୋଗ ନ ଚିହ୍ନିଲେ କଅଣ ହେବ, ରୋଗୀ ଚିହ୍ନି ସେ ଚିକିତ୍ସା କରୁଥିଲେ । ରାଜ୍ୟର ସ୍ୱାସ୍ଥ୍ୟ ଯେ ତାଙ୍କ ହାତରେ ନିରାପଦ ରହିବ, ଏହା ଅସ୍ୱୀକାର କରାଯାଇ ନ ପାରେ ।

 

ରାଜସ୍ୱମନ୍ତ୍ରୀ ସେ ସମୟରେ ଗୋଟିଏ ସରକାରୀ ଅଫିସର ତଳଶ୍ରେଣୀ କିରାଣି ଥିଲେ-। ଆଜିକାଲି ତ ସାଧୁ ଲୋକଙ୍କର ଶତ୍ରୁ ବହୁତ । ଅଫିସର ବହୁ ଟଙ୍କା ଗୋଳମାଳର ଅଭିଯୋଗ ହେବାରୁ ମକଦ୍ଦମା ବିଚାର ହୋଇ ତାଙ୍କୁ ଛଅ ମାସ ଜେଲଦଣ୍ଡ ମିଳିଥିଲା । ମନ୍ତ୍ରୀ ହେବାର ତ ତାହା ପ୍ରଥମ ଯୋଗ୍ୟତା । ଅବଶ୍ୟ ସ୍ୱାଧୀନତା–ସଂଗ୍ରାମୀ ଭତ୍ତା ଯେ ତାଙ୍କ ଭାଗ୍ୟରେ ଜୁଟିଲା ନାହିଁ, ତାହା କେନ୍ଦ୍ର ସରକାରଙ୍କ ପକ୍ଷପାତ ନୀତିର ସୂଚନା ଦିଏ । ଆଦୌ ଜେଲଖାନା ନ ଦେଖି ତ କେତେ ପୁଣି ଭତ୍ତା ପାଉଅଛନ୍ତି ।

 

ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କ କର୍ମଜୀବନ ଫରେଷ୍ଟ ଗାର୍ଡ଼ରୁ ଆରମ୍ଭ ହୋଇଥିଲା । ବାରମ୍ୱାର କାଠଚୋରି ଅଭିଯୋଗ ହେବାରୁ ସେ ନୀତି ଦୃଷ୍ଟିରୁ ଇସ୍ତଫା ଦେଲେ ଏବଂ ସତର ଜଣ ସଭ୍ୟ ବିଶିଷ୍ଟ ‘‘ନିଖିଳ ଭାରତ ଫରେଷ୍ଟଗାର୍ଡ଼ ମହାସଭା’’ ଗଢ଼ି ତାହାର ସଭାପତି ନିରବଚ୍ଛିନ୍ନ ଭାବରେ ଦାୟିତ୍ୱ ତୁଲାଇ ଆସିଥିଲେ ।

 

ବିଶିଷ୍ଟ ଯୁବନେତା, ପ୍ରସିଦ୍ଧ ଶିକ୍ଷାବିତ୍‌ ଓ ପୂର୍ବତନ ସହକାରୀ ଶିକ୍ଷକ ହେଉଛନ୍ତି ଶିକ୍ଷାମନ୍ତ୍ରୀ । ଘରୋଇ ଭାବରେ ତାଙ୍କ ପାଖରେ ପଢ଼ୁଥିବା ଛାତ୍ରମାନେ ସାଧାରଣତଃ ଶ୍ରେଣୀର ପ୍ରତି ପରୀକ୍ଷାରେ ଅତି ଅଧିକ ନମ୍ୱର ରଖୁଥିବାରୁ ଓ ଅନ୍ୟ ଛାତ୍ରମାନେ ବରାବର ଫେଲ ହେଉଥିବାରୁ ସେମାନେ ଈର୍ଷାନ୍ୱିତ ହୋଇ ପଡ଼ିଥିଲେ । ପରିଚାଳନା ସମିତି ସବୁ କଥା ବିଚାର କରି ଅନ୍ୟାୟ ଭାବରେ ତାଙ୍କୁ ବିଦାୟ ଦେବାରୁ ଓ ଅନ୍ୟ କୌଣସି ସ୍କୁଲ ତାଙ୍କୁ ଗ୍ରହଣ ନ କରିବାରୁ ସେ ‘‘ବିଶାଳ ଶିକ୍ଷକ ମହାସଭା ସଂଘ’’ର ଜଣେ ପ୍ରଧାନ କର୍ମକର୍ତ୍ତା ହୋଇ ଶୋଭାଯାତ୍ରା, ଆନ୍ଦୋଳନ, ଧାରଣା, ଘେରାଉ, ଅନଶନ ଇତ୍ୟାଦି ଦ୍ୱାରା ଶିକ୍ଷାବିଭାଗକୁ ହଲଚଲ କରାଇ ଦେଇଥିଲେ । ଶିକ୍ଷାମନ୍ତ୍ରୀ ହେବା ପରେ ପ୍ରଥମ ଆଦେଶ ଜାରି କରିଥିଲେ–କୌଣସି ଶିକ୍ଷକ ସରକାରଙ୍କ କାର୍ଯ୍ୟ ବିରୋଧରେ କିଛି କହିଲେ ସଙ୍ଗେସଙ୍ଗେ ଶିକ୍ଷାକ୍ଷେତ୍ରରୁ ତାଙ୍କୁ ତଡ଼ି ଦିଆଯିବ । ମନ୍ତ୍ରିମଣ୍ଡଳ ଗଢ଼ାଗଲା ବେଳେ ସେ ଦାବି କରିଥିଲେ ଯେ, ସେ ମୁଖ୍ୟମନ୍ତ୍ରୀ ହେବେ । କାରଣ ସେ ଇଂରାଜୀ ଜାଣନ୍ତି, ଇଂରାଜୀ ପଢ଼ି ପାରନ୍ତି, ଲେଖି ପାରନ୍ତି । ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଥିଲେ, ‘‘ମନ୍ତ୍ରୀମାନେ ଇଂରାଜୀ ନ ଜାଣିଲେ ମଧ୍ୟ କାମ ଅଟକିଯିବ ନାହିଁ । ଏତେ ଯେ ସେକ୍ରେଟାରୀ, ଡେପୁଟି ସେକ୍ରେଟାରୀ, ସ୍ପେଶାଲ ଅଫିସର ପଡ଼ି ରହିଅଛନ୍ତି, ସେମାନେ ତେବେ କରିବେ କଅଣ ?’’

 

ଯାହା ହେଉ ଖର୍ଚ୍ଚକାଟ ଯୋଜନା ଉପରେ କ୍ୟାବିନେଟ ବୈଠକରେ ଅତି ଉତ୍ତେଜନାପୂର୍ଣ୍ଣ ଆଲୋଚନା ଚାଲିଲା ।

 

ଜଙ୍ଗଲ ମନ୍ତ୍ରୀ କହିଲେ, ‘‘ଖର୍ଚ୍ଚକାଟ ହେବା ଉତ୍ତମ ପ୍ରସ୍ତାବ । ଆମର ମନ୍ତ୍ରୀ, ଉପମନ୍ତ୍ରୀ ସଂଖ୍ୟା ବହୁତ ବେଶୀ । ତାହା କମାଇ ଦିଆଯାଉ, ଅନେକ ଅର୍ଥ ରହିଯିବ ।’’ ଶିକ୍ଷାମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ସେ ଯେ ଏହା କହିଥିଲେ, ସଭ୍ୟମାନଙ୍କର ଏହା ବୁଝିବାକୁ ବାକି ରହିଲା ନାହିଁ ।

 

‘‘ତାହା କିପରି ହେବ ? ଆମ ପାର୍ଟି ଆଉ ରହିବ ତ ?’’–ମୁଖ୍ୟମନ୍ତ୍ରୀ ପାଟି କରି ଉଠିଲେ ।

 

ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ–‘‘ଥୋଡ଼ାଏ ସେକ୍ରେଟାରୀ, ଡେପୁଟି ସେକ୍ରେଟାରୀ, ଆସିଷ୍ଟାଣ୍ଟ ସେକ୍ରେଟାରୀଙ୍କୁ ବାଦ ଦିଆଯାଉ ।’’

 

ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଏକ ସଙ୍ଗରେ ଗର୍ଜିଉଠିଲେ–‘‘ଅସମ୍ଭବ, କାମ କିପରି ଚଳିବ ?’’

 

ରାଜସ୍ୱ ମନ୍ତ୍ରୀଙ୍କ ପ୍ରସ୍ତାବ–କିରାଣି ବହୁତ ଅଛନ୍ତି । କିଛି କାମ ନ ଥିବାରୁ ସେମାନେ କେବଳ ଦଳ ବାନ୍ଧି ଥରକୁଥର ଆନ୍ଦୋଳନ କରୁଅଛନ୍ତି । ସେମାନଙ୍କ ସଂଖ୍ୟା ଅଧାଅଧି କମାଇ ଦିଆଯାଉ ।

 

ଏ ପ୍ରସ୍ତାବ ମଧ୍ୟ କାଟ ଖାଇଗଲା । କିରାଣିଙ୍କ ସଂଖ୍ୟା କମାଇ ଦେଲେ ବେଶୀ ଆନ୍ଦୋଳନ ହେବ ।

 

ଶେଷକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଲେ;–ଯେତେ ଚତୁର୍ଥ ଶ୍ରେଣୀ କର୍ମଚାରୀ, ଅର୍ଦ୍ଦଳି, ପିଅନ ଅଛନ୍ତି, ସେମାନଙ୍କ ସଂଖ୍ୟ ଅଧାଅଧି କମାଇ ଦେବାକୁ ହେବ । ଜଙ୍ଗଲ ମନ୍ତ୍ରୀ ସଂଶୋଧନ କରିଦେଲେ, ଏମାନଙ୍କ ସହ ଫରେଷ୍ଟଗାର୍ଡ଼ଙ୍କୁ ମଧ୍ୟ ମିଶାଯାଉ । ଶିକ୍ଷାମନ୍ତ୍ରୀ କହିଲେ, ପ୍ରାଇମେରୀ ଶିକ୍ଷକମାନଙ୍କୁ ମଧ୍ୟ ।

 

ଶେଷରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହେଲା, ‘‘ଖର୍ଚ୍ଚକାଟ ଅବସ୍ଥା ଦୃଷ୍ଟିରୁ ରାଜ୍ୟରେ ଥିବା ଚପରାସି, ପିଅନ, ଫରେଷ୍ଟଗାର୍ଡ଼ ଓ ପ୍ରାଥମିକ ଶିକ୍ଷକ ସଂଖ୍ୟା ଅଧେ କମାଇ ଦିଆଯିବ । ତା’ ଫଳରେ ଯଦି ଶାସନକାର୍ଯ୍ୟରେ ବ୍ୟାଘାତ ଜନ୍ମେ, ତେବେ ମନ୍ତ୍ରୀ, ଉପମନ୍ତ୍ରୀ, ପାର୍ଲାମେଣ୍ଟାରୀ ସେକ୍ରେଟାରୀ ସେମାନଙ୍କ ଗସ୍ତକ୍ରମ ଦୁଇଗୁଣ ବଢ଼ାଇ ଦେବେ ।’’

 

ଚିଫ ସେକ୍ରେଟାରୀ ଏ ପ୍ରସ୍ତାବ ପାଇ ନୋଟ ଦେଲେ, ସେକ୍ରେଟାରୀଏଟରେ କାଗଜପତ୍ର ସବୁ ମୂଷା କାଟି ପକାଉଥିବାରୁ ଦଶଗୋଟି ବିରାଡ଼ି ପୋଷା ହୋଇଅଛନ୍ତି । ଗୋଟିଏ ବିଲେଇ ପିଛା ବର୍ଷକୁ ତିନିଶତ ଟଙ୍କା ଖର୍ଚ୍ଚର ଅଟକଳ ରହିଅଛି । ଏମାନଙ୍କୁ ବିଦାୟ କରିଦେଲେ ବର୍ଷକୁ ତିନିହଜାର ଟଙ୍କା ବଞ୍ଚିଯିବ । ଯେପରି ମୂଷା ଉପଦ୍ରବ ନ ବଢ଼େ ତାହା ଦେଖିବାକୁ ପ୍ରତି ବିଭାଗରେ ଜଣେ ଡେପୁଟି ସେକ୍ରେଟାରୀ ଓ ତାଙ୍କ ଅଧୀନରେ ତିନିଜଣ ଆସିଷ୍ଟାଣ୍ଟ ସେକ୍ରେଟାରୀ ରଖାଯାଉ । ତାହାହେଲେ କାଗଜପତ୍ର ମୂଷା, ଉଇ–ଏ ଉଭୟଙ୍କ ଦାଉରୁ ରକ୍ଷା ପାଇଯାଇ ପାରିବ-

☆☆☆

 

ପ୍ରେତପୁରୀରେ ପାଞ୍ଚ ପ୍ରହର

 

ସନାତନ ଆଚାର୍ଯ୍ୟ ଆମ କୁଳ ପୁରୋହିତ । କେବଳ ଆମର ନୁହେଁ, ଆମ ଗ୍ରାମର ଧନୀ, ମାନୀ, ପ୍ରବଳପ୍ରତାପୀ ଚୌଧୁରୀ ବଂଶଠାରୁ ଆରମ୍ଭ କରି ନିତିମୂଲିଆ ପଦନ ସାହୁ ଘରପର୍ଯ୍ୟନ୍ତ ସମସ୍ତଙ୍କ ଘରେ ତାଙ୍କର ପୁରୋହିତୀ । ଘର ଅନ୍ୟ ଗ୍ରାମରେ–ପାଞ୍ଚ ମାଇଲ ଦୂର । କିନ୍ତୁ ପ୍ରତିଦିନ ଆମ ଗାଁରେ ଦର୍ଶନ ମିଳେ । କାହାରି ଜେଜେ ବାପାଙ୍କ ଶ୍ରାଦ୍ଧ ତ କାହାର ବା ମୃତ ପିତା ବା ମାତାଙ୍କ ଶୁଦ୍ଧି । ପୁଣି କାହାର ବାହାପୁହାଣି ଅଥବା କାହା ପୁଅର ଏକୋଇଶା । ସଂକ୍ରାନ୍ତି ହୋମ, ଚଉରା ପୂଜା, ସତ୍ୟନାରାୟଣ ପୂଜା ତ ପ୍ରତିଦିନ ଲାଗିରହିଅଛି । ଆଉ ପୁରୋହିତ ବୁଢ଼ା–ସନାତନ ଅଜା ନ ଥିଲେ ଏ ସବୁ ଅଚଳ ।

ସେ କହନ୍ତି, ‘‘ତୁମେ କେତେ ଆସିବ, କେତେ ଯିବ; କିନ୍ତୁ ସବୁକାଳ ପାଇଁ ରହିଚି ପୁରୋହିତ–ମୁଁ ।’’

ଥଟ୍ଟାରେ ଥରେ କହି ପକାଇଲି–କଥାରେ ଅଛି, କେତେ ଇନ୍ଦ୍ର ଆସିବେ, ଯିବେ; କିନ୍ତୁ ଶଚୀ ଯୁଗେଯୁଗେ ରହିଥିବେ ।

ଅଜା ପାକୁଆ ପାଟିରେ ଟିକିଏ ହସିଦେଲେ । କହିଲେ, ‘‘ନାଁ ରେ, ତା’ ନୁହେଁ । ତୁମେ ଜନ୍ମ ହେଲ, ତୁମ ନାମ ଦେଲି ମୁଁ–ସତ୍ୟନାରାୟଣ ପୂଜା କଲି । ତୁମେ ପାଠ ପଢ଼ିବ, ମୁଁ ଖଡ଼ି ନ ଛୁଆଁଇଲେ, ବିଦ୍ୟାରମ୍ଭ ପୂଜା ନ କଲେ, ତା’ ହେବ ନାହିଁ । ତୁମେ ବଡ଼ ହେଲ, ହାତକୁ ଦି’ ହାତ ହେବ–ଆଗେ ମୋତେ ଲୋଡ଼ା । ପୁଣି ବୟସ ହେଲା, ବୁଢ଼ା ହେଲ–ଏ ସଂସାରରୁ ବିଦାୟ ନେଲ । ମୁଁ ଦଶ ଦିନଯାକ ପଙ୍କ ପୋଖରୀରେ ବୁଡ଼ିଲି, ତୁମ ପିଲାଙ୍କୁ ବୁଡ଼ାଇଲି । ଶୁଦ୍ଧିକାର୍ଯ୍ୟ ନ କଲେ ତୁମର ମୁକ୍ତି ନାହିଁ । ତୁମେ ସଂସାରରୁ ବିଦାୟ ନେଇଗଲ ସତ; ମାତ୍ର ମୋ କବଳରୁ ମୁକ୍ତି ପାଇପାରିବ ନାହିଁ । ବର୍ଷକୁ ଥରେ ଶ୍ରାଦ୍ଧ କରି ମୁଠାଏ ପିଣ୍ଡ ନ ଦେଲେ ତୁମେ ବରାବର ଉପବାସ ରହୁଥିବ । ଏଇଥିରୁ ବୁଝ, ମୋର କରାମତି କେତେ ?’’

ସେଦିନ କୌଣସି ଗୋଟାଏ କାମରେ ଅଜା ଆମ ଗ୍ରାମକୁ ଆସିଥିଲେ । କାମ ସରୁ ସରୁ ସନ୍ଧ୍ୟା ହୋଇଗଲା । ପୁଣି ଚଉଦିଗ ଅନ୍ଧାର କରି ଘୋଟି ଆସିଲା ଅକାଳ ମେଘ । ପବନ, ବିଜୁଳି, ଘଡ଼ଘଡ଼ିର ସୀମା ନାହିଁ । ଆଗେ ଏପରି ଅବସ୍ଥାରେ ମଧ୍ୟ ଅଜା ପାଞ୍ଚ ମାଇଲ ଦୂର ତାଙ୍କ ଗ୍ରାମକୁ ଚାଲି ଯାଉଥିଲେ । ବାଁ କାଖରେ ଭଙ୍ଗାଛତା, ଡାହାଣ ହାତରେ ବଙ୍କୁଲି ବାଡ଼ି, କାନ୍ଧରେ ଚାଉଳ, କଟାପରିବା, ଗୁଡ଼ନଡ଼ିଆ ଚକଟା ଭୋଗର ଜାଉଁଳି । ଏତିକି ଥିଲେ ତାଙ୍କର ଆଉ ଡର ଭୟ କାହାକୁ ?

କିନ୍ତୁ ସେଦିନ ସେ ଆଉ ଯାଇପାରିଲେ ନାହିଁ । ଆମ୍ଭେମାନେ ଜୋର ଜବରଦସ୍ତି ତାଙ୍କୁ ଅଟକାଇ ରଖିନେଲୁ । ଠାକୁରଘରେ ପ୍ରସାଦ ପାଇ ରାତିଟି କଟାଇବାର ବ୍ୟବସ୍ଥା ହୋଇଗଲା ।

ପାଖରେ ବସି ଆମେ କେତେ ଜଣ କଥାବାର୍ତ୍ତା କରୁଅଛୁ । ହସକୌତୁକ ଲାଗିଅଛି । କେହି ଜଣେ କହି ପକାଇଲା, ‘‘ଅଜା, ଏ ଦୁର୍ଦ୍ଦିନରେ ଏତେ ବାଟ ଯିବାକୁ ବାହାରିଥିଲ ଯେ, ବାଟରେ ଯଦି ଭୂତ କି ପ୍ରେତ ଭେଟିଥାଆନ୍ତ, ତେବେ କଅଣ ହୋଇଥାଆନ୍ତା ?’’

ଅଜା ବଟୁଆ ଫିଟାଇ କରାଟରୁ ବାହାର କରି ଅଫିମ ଟେଳାଟି ପାଟିରେ ପକାଇଲେ । ତା’ପରେ ହସିହସି କହିଲେ, ‘‘ଆରେ, ତୁମେମାନେ ମୋତେ ଯେତିକି ଖାତିର୍‌ କର, ଭୂତପ୍ରେତ ମଧ୍ୟ ତା’ଠାରୁ ବେଶୀ ଖାତିର୍‌ କରନ୍ତି । ସେମାନେ ମୋର କ୍ଷତି କରିବେ କେଉଁ ସାହସରେ ?’’

‘‘ତେବେ ଶୁଣ ଗୋଟିଏ କଥା ।’’

ଅଜାଙ୍କଠାରୁ ଅଫିମନିଶା ଗପ ଶୁଣିବାକୁ ଆମ୍ଭେମାନେ ଉତ୍କର୍ଣ୍ଣ ହୋଇ ବସି ରହିଲୁ ।

–ମୁଁ ଗୋଟାଏ ଅଦ୍ଭୁତ ରାଜ୍ୟରେ ଯାଇ ପହଞ୍ଚିଲି । ସେ ଯେ କେଉଁ ଅଞ୍ଚଳ, ସେତେବେଳେ କଅଣ ତାହା ଜାଣିଥିଲି ? ପରେ ସିନା ବୁଝିପାରିଲି, ମୁଁ ମରିଯାଇଅଛି, ପ୍ରେତପୁରୀରେ ବୁଲୁଅଛି । କିନ୍ତୁ ସେତେବେଳେ ଏ ଧାରଣା ମୋର ଆଦୌ ନ ଥିଲା ।

 

ତୁମେ ତ ଜାଣ, ବୁଢ଼ା ଗୋବିନ୍ଦ ପଣ୍ଡା ସହିତ ମୋର ସବୁଦିନ ଶତ୍ରୁତା । ସେଥରକ ତ ପାଟିତୁଣ୍ଡରୁ ଠେଙ୍ଗା ଉଠାଉଠି ପର୍ଯ୍ୟନ୍ତ କଥା ଯାଇଥିଲା । ସେ ବଞ୍ଚିଥିବାତକ ତା’ର ମୋର ମୁହଁ ଚାହାଁଚାହିଁ ନ ଥିଲା । ସେ ମରିଗଲା ପରେ ମୋତେ ଡାକରା ପଡ଼ିଲା–ତା’ର ଶୁଦ୍ଧି କାମ କରିବାକୁ-

 

ମୋର ସେ ଜେଜେମାନ; ନ ଯାଆନ୍ତି କିପରି ? ଦଶାହ ଦିନ ତୁଠକାମ ସରିଲା ବେଳକୁ ଆସିଗଲା ଜର । କୌଣସିମତେ ଘରକୁ ଚାଲିଯାଇ ଶୋଇପଡ଼ିଲି । ସେଦିନ କାଳବେଳା ଶନିବାର ।

 

ଅନୁଭବ କଲି, ଗୋଟିଏ ଅଚିହ୍ନା ଜାଗାରେ ଚାଲବୁଲ କରୁଅଛି । ଚାଲୁ ନାହିଁ ତ, ଯେପରି କି ପବନରେ ଉଡ଼ିବୁଲୁଅଛି । ପାଦ ତଳେ ଲାଗୁ ନାହିଁ, ଦେହଟା ବଡ଼ ହାଲୁକା ଜଣାଯାଉଅଛି ।

 

ହଠାତ୍‌ ସେହି ଗୋବିନ୍ଦ ପଣ୍ଡା ସହିତ ସାକ୍ଷାତ ହୋଇଗଲା । ସେ ଅତି ଭକ୍ତିରେ ଗୋଟାଏ ନମସ୍କାର ପକାଇ କହିଲା–

 

‘‘ଭାଇନା, ଆସିଗଲ, ଭଲ କଲ । ଆମର ଏଠାରେ ଶୁଦ୍ଧିକାର୍ଯ୍ୟ କରିବାକୁ କେହି ନ ଥିଲେ ।’’

 

ମୁଁ ତାକୁ ପଚାରିଲି, ‘‘ତୁ ପରା ମରିଥିଲୁ ? ପୁଣି ବଞ୍ଚିଲୁ କିପରି ?’’

 

‘‘ହଁ, ତୁମ ସଂସାରରୁ ତ ମରିଅଛି । ତୁମେ ମୋ ତୁଠକାମ ସାରି ଦେଇଅଛ । ଏଇଟା ତ ଆଉ ସେ ସଂସାର ନୁହେଁ–ଏ ଯେ ପ୍ରେତପୁରୀ ।’’

 

ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଏ ପ୍ରେତପୁରୀକୁ ଆସିଲି କିପରି ?

 

ହଠାତ୍‌ ପଛ ଆଡ଼ୁ ଗୋଟିଏ କିଳିକିଳା ଆବାଜ ଶୁଣାଗଲା । କି ବିକଟାଳିଆ ଶବ୍ଦ ସେ । ମୋ ପିଳେହି ତ ପାଣି ।

 

ପ୍ରଥମେ ତାହା ଦୂରରୁ ଭାସି ଆସୁଥିଲା । ଜଣାଯାଉଥାଏ, ଯେପରିକି ମୋ ପାଖକୁ ମାଡ଼ି ଆସୁଅଛି ଅତି ବେଗରେ । ମୁହୂର୍ତ୍ତକ ମଧ୍ୟରେ ସେ ଶବ୍ଦ ମୋ ଚାରିପାଖ ଘେରିଗଲା । ସତେ ଯେପରି ମୋ କାନ ଭିତରେ ପଶି ଅନ୍ତସ୍ଥଳକୁ ମନ୍ଥି ପକାଉଅଛି । ମୁଁ ଚାରିପାଖ ଆଖି ବୁଲାଇନେଲି-। କାହାରି ଦେଖା ଦର୍ଶନ ନାହିଁ । ଖାଲି ବିକଟ ଶବ୍ଦ । ହସ–କାନ୍ଦ–କ୍ରୋଧର ଗର୍ଜ୍ଜନ–ସବୁଯାକ ମିଶାମିଶି ହୋଇଯାଇଅଛି ।

 

ଭୟରେ କାନ ଦୁଇଟା ବନ୍ଦ କରିଦେଲି । ତଥାପି ରକ୍ଷା ନାହିଁ । କଅଣ କରିବି, କୁଆଡ଼େ ପଳାଇଯିବି ? କିପରି ବା ଯିବି ? ଏଇ କଥା ଭାବିଭାବି ଛାନିଆ ହୋଇପଡ଼ିଲି ।

 

କାନ ଭିତରେ ପୁଣି ଗୋବିନ୍ଦ ପଣ୍ଡା ସ୍ୱର ବାଜିଗଲା । ସେ କହୁଅଛି,–ମଲା ପରେ ଏମାନଙ୍କର ଶୁଦ୍ଧିଘର ହୋଇ ନାହିଁ । ଏପର୍ଯ୍ୟନ୍ତ ଅମୋକ୍ଷ ହୋଇ ବୁଲୁଅଛନ୍ତି । ତେଣୁ ଏ ଭୟଙ୍କର ଗର୍ଜନ, ବିକଳ କ୍ରନ୍ଦନ, ପ୍ରଳାପ ।

 

ମୁଁ ରୂପ ତ ଦେଖୁ ନ ଥାଏଁ, ଖାଲି ଛାତିଥରା ଗର୍ଜନ । କି ବିକଟ ଅନ୍ଧକାର ! ପୁଣି ଅଦୃଶ୍ୟ ପ୍ରେତଗୁଡ଼ିକ ମୋତେ ଘେରି ଚକାଭଉଁରୀ ଖେଳୁଅଛନ୍ତି ।

 

ଭୟରେ ପଇତା ଦରାଣ୍ଡି ପକାଇଲି; ମାତ୍ର ପାଇଲି ନାହିଁ । ଗୁରୁ ପ୍ରଦତ୍ତ ଇଷ୍ଟନାମ ଜପିବାକୁ ଚେଷ୍ଟା କଲି, ମନେପଡ଼ିଲା ନାହିଁ । ପାଟି ଫିଟୁ ନ ଥାଏ । ତଥାପି ଥରଥର କଣ୍ଠରେ ଗୁଣୁଗୁଣୁ କରି ଗାଇଲି–

 

ଓଁ ଦେବାସୁରାସ୍ତଥା ନାଗା ଗନ୍ଧର୍ବାଃ ଯକ୍ଷରାକ୍ଷସାଃ

ପିଶାଚା ଗୁହ୍ୟକାଃ ସିଦ୍ଧାଃ କୁଷ୍ମାଣ୍ଡାସ୍ତରବଃ ଖଗାଃ

ଜଳେଚରା ଭୂନିଳୟା ବାଯ୍ୱାହାରଶ୍ଚ ଜନ୍ତବଃ

ତୃପ୍ତିମେତେ ପ୍ରୟନ୍ତ୍ୱାଶୁମବ୍ଦତ୍ତେନମ୍ୱୁନାଖିଳାଃ ।

ନରକେଷୁ ସମସ୍ତେଷୁ ଯାତାନାସୁ ଚ ଯେ ସ୍ଥିତାଃ

ତେଷାମାପ୍ୟାୟନାୟୈତଦ୍ଦୀୟତେ ସଲିଳଂ ମୟା

ଓଁ ଯେ ବାନ୍ଧବା ଅବାନ୍ଧବା ଅନ୍ୟ ଜନ୍ମନି ବାନ୍ଧବାଃ

ତେ ତୃପ୍ତି ମଖିଳାଂ ଯାନ୍ତୁ ଯେ ଚାସ୍ମତ୍ତୋୟକାଂକ୍ଷିଣଃ ।

ବୈୟାଘ୍ରପଦ୍ୟସଗୋତ୍ରାୟ ସାଂକୃତି ପ୍ରବରାୟ ଚ

ଅପୁତ୍ରାୟ ଦଦାମ୍ୟେତତ୍‌ ସଲିଳଂ ଭୀଷ୍ମବର୍ମଣେ ।

 

ସବୁ ଶୂନ୍‌ଶାନ ହୋଇଗଲା । ପଣ୍ଡା ମୋ ହାତ ଧରି ଆଗକୁ ଚାଲିଲା । ଏକପ୍ରକାର ଟାଣିଟାଣି ନେଇ ଯାଉଥିଲା ସେ । ଛାତି ଥରାଟା ମୋର ଟିକିଏ କମି ଆସୁଥାଏ ।

 

ଗୋଟିଏ ଜାଗାରେ ବହୁତ ଲୋକ ରୁଣ୍ଡ । ଲୋକ ନୁହନ୍ତି ତ, ଗୁଡ଼ାଏ ଡେଙ୍ଗା ଡାହାଳିଆ କଙ୍କାଳ ଯେପରି ସାଲୁବାଲୁ ହେଉଥିଲେ । ଗୋଟିଏ କଙ୍କାଳ ସମସ୍ତଙ୍କ ପାଦ ଧୋଇ ଦେଉଅଛି; ଗୋଡ଼ଧୁଆ ପାଣି ପିଉଅଛି, ମୁଣ୍ଡରେ ଲଗାଉଅଛି । ଦୁଇ ହାତ ଯୋଡ଼ି ଅତି ବିକଳରେ ନେହୁରା ହୋଇ କଅଣ କହୁଅଛି ।

 

ପାଖକୁ ଗଲାରୁ ଚିହ୍ନିପାରିଲି, ସେ ହେଉଛି ପ୍ରବଳପ୍ରତାପୀ ଜମିଦାର ରମେଶ ଚୌଧୁରୀ-

 

ଅଜା କହି ଚାଲିଥାଆନ୍ତି–

 

ରମେଶ ଚୌଧୁରୀଙ୍କ କଥା ତ ତୁମେ ଶୁଣିଥିବ । ସେ ଏ ଗ୍ରାମକୁ ଉଠାପକା କରୁଥିଲେ-। କରଜ ଧାନ ଶୁଝି ନ ପାରିବାରୁ ହରି ଭୋଇକୁ ନଡ଼ିଆ ଗଛରେ ବାନ୍ଧି ଏପରି ଚାବୁକ ପିଟିଲେ ଯେ, ତା’ର ଶୁଦ୍ଧି କାମ କରିବାକୁ ପଡ଼ିଲା । ତା’ ଘର ଭାଙ୍ଗି ସେ ଜମିରେ ଚୌଧୁରୀଙ୍କ ପୋଖରୀ ଖୋଳା ହେଲା । ସେହି ଦୁର୍ଦ୍ଦାନ୍ତ ଚୌଧୁରୀଙ୍କ ଏ ଦଶା ଦେଖି ମୋ ଆଖି ଖୋସି ହୋଇଗଲା-

 

ସେତିକିବେଳେ କମଳା ଆସି ପହଞ୍ଚିଗଲା । କେଉଁ କମଳା ଜାଣିଛ ତ ?

 

ଆମେ ବୁଝି ନ ପାରି ତାଙ୍କ ମୁହଁକୁ ଚାହିଁ ରହିଲୁ ।

 

ଅଜାଙ୍କ କଥା ଚାଲିଥାଏ–ସେହି ହୀନକପାଳୀ କମଳା ବାଉରାଣୀ ରମେଶ ଚୌଧୁରୀ ମିଛ ମକଦ୍ଦମା କରି ତା’ ସ୍ୱାମୀକୁ ପାଞ୍ଚ ବର୍ଷ ଜେଲ ଦିଆଇଥିଲେ । ସେ କଥା ଏ ଗ୍ରାମରେ ନ ଜାଣେ କିଏ ? କମଳାକୁ ଜବରଦସ୍ତି ଧରିଆଣି ଘରେ ରଖିଲେ । ସେ ଗାଈ ଗୁହାଳ ପୋଛୁଥିଲା ବେଳେ ତା’ ଉପରେ ଅତ୍ୟାଚାର କଲେ । ପାଟି କରିବ ବୋଲି ପାଟିରେ ମେଞ୍ଚାଏ ଗୋବର ମାଡ଼ି ଦେଇଥିଲେ । ପରେପରେ ତାଙ୍କର ଆଉ ପାଞ୍ଚ ଜଣ ସହପାଠୀଙ୍କ ପାଳି ପଡ଼ିଲା । ବିଚାରୀ ସ୍ତ୍ରୀଲୋକଟି କେତେ ଆଉ ସମ୍ଭାଳନ୍ତା ? ସେହି ଗୁହାଳରେ ହିଁ ମରିଗଲା । ଚୌଧୁରୀ ପୁଲିସକୁ ହାତ କରି କଥାଟା ଖତମ କରିଦେଲେ ।

 

ଏଠି ସେଇ କମଳା, ସେଇ ଚୌଧୁରୀ ।

 

ଚୌଧୁରୀ କମଳା ଗୋଡ଼ତଳେ ପଡ଼ିଗଲେ । ପାଦ ଦୁଇଟା ଜାବୁଡ଼ି ଧରି କହିଲେ, ‘‘ଟିକିଏ ଦୟା କର ମା’ । ତୁମେ ନ ଚାହିଁଲେ ମୁଁ ଉପରକୁ ଉଠିପାରିବି ନାହିଁ । ଏ ଯନ୍ତ୍ରଣା ଆଉ ସହିପାରୁ ନାହିଁ ମା’ ।’’

 

କମଳା ଚୌଧୁରୀଙ୍କ ଦୁଇ ହାତ ଧରି ତଳୁ ଉଠାଇଦେଲା । ମୁଣ୍ଡରେ ହାତ ବୁଲାଇ, ଆଶ୍ୱାସନା ଦେଇ କହିଲା, ‘‘ଚିନ୍ତା ନାହିଁ, ଧୈର୍ଯ୍ୟ ଧର । ସମୟ ଆସିଲେ ସବୁ ଠିକ୍‌ ହୋଇଯିବ ।’’

 

ଅଜା କହୁଥାଆନ୍ତି–

 

ସଙ୍ଗେସଙ୍ଗେ ଚିତ୍ର ବଦଳିଗଲା । ତୁମେମାନେ ଆଜିକାଲି ଯାହା କହୁଛ ପଟ୍ଟପରିବର୍ତ୍ତନ-

 

ଏହି ଗ୍ରାମର ମାଧ ପ୍ରଧାନ ଗୋଟିଏ ଉଚ୍ଚ ଜାଗାରେ ବସିଅଛି । କି ଆଡ଼୍‌ଡ଼ାରେ ବାବା ! ହାତରେ ସେହି ବଂଶୀଟି ଧରାହୋଇଛି ।

 

ଏଠାରେ ସେ ଥିଲା ଭାରି ବଳୁଆ । ଚହଟ ଚିକ୍‌କଣ କଳା ଦେହ । ମୁହଁଟି ଗୋଲ–ଆଖି ଯୋଡ଼ିକ ଢଳଢ଼ଳ । ପିଲାଦିନେ ସେ ଯାତ୍ରା ଦଳରେ କୃଷ୍ଣ ସାଜୁଥିଲା । ସୁନ୍ଦର ଚେହେରା । ଭାରି ବଢ଼ିଆ ଗୀତ ବି ବୋଲେ । ଯାତ୍ରାରେ ତା’ ଗୀତ ଶୁଣି ସମସ୍ତେ କାନ୍ଦି ପକାନ୍ତି । ହେଲେ କଅଣ ହେବ ? ଅତି ଗରିବ । ମୂଲ ଲାଗି ଯାହା ପାଏ ସେଥିରେ ଚଳିପାରେ ନାହିଁ । ସ୍ତ୍ରୀଙ୍କ ବରାଦ ମୁତାବକ ଲୁଗାପଟା, ଅଳଙ୍କାର ଦେବ କୁଆଡ଼ୁ ? ଗୋଟିଏ ପରେ ଗୋଟିଏ ପାଞ୍ଚୋଟି ବାହା ହେଲା-। କିନ୍ତୁ କେହି ତା’ ପାଖରେ ରହିଲେ ନାହିଁ । ପ୍ରଥମ ଭାର୍ଯ୍ୟା ନାଁ ରାଧୀ । ସେ ତ ଖଡ଼ିକା ପହଁରାରେ ବୋଗଛ ବାଡ଼ିଆ କରି ଘର ଛାଡ଼ି ପଳାଇଗଲା । ଚୌଧୁରୀଙ୍କ ଘରେ ଦାସୀବୃତ୍ତି କଲା-

 

ମାଧର ସେହି ପାଞ୍ଚଟିଯାକ ସ୍ତ୍ରୀ ଘେରି ରହିଥାଆନ୍ତା । ତା’ ପାଖରେ ଟିକିଏ ବସିବେ ବୋଲି କେତେ କାକୁତି ମିନତି କରୁଥାଆନ୍ତି । ମାଧ କାହାରି ଉପରେ ରାଗୁ ନ ଥାଏ । ସମସ୍ତଙ୍କୁ କହୁଥାଏ, ‘‘ଧୈର୍ଯ୍ୟ ଧର, ସମୟ ଆସିଲେ ସବୁ ଠିକ୍‌ ହୋଇଯିବ ।’’

 

ବାମ ଦିଗରେ ଦଳେ ସ୍ତ୍ରୀ କଙ୍କାଳ ଟଣାଓଟରା ଲଗାଇଥାଆନ୍ତି । ସେମାନଙ୍କ ପାଟିରେ ଖଣ୍ଡମଣ୍ଡଳ କମ୍ପିଯାଉଥାଏ ।

 

ପଣ୍ଡା ମୋ କାନପାଖରେ ପଚାରିଦେଲା–ଭାଇନା, ଏ କଳିହୁଡ଼ୀମାନଙ୍କୁ ଚିହ୍ନି ପାରୁଛ ?

 

ସେମାନଙ୍କ ମଧ୍ୟରୁ କେତେକଙ୍କୁ ଅବଶ୍ୟ ମୁଁ ଚିହ୍ନିଲି ।

 

ଅଜାଙ୍କ କଥା ସରି ନ ଥାଏ । ଆମ ଭିତରୁ ଜଣେ କିଏ କହି ପକାଇଲା–ସେମାନଙ୍କ ଭିତରେ ଆଈ ଥିଲେ ଟି ?

 

ଅଜା ବାଏଁବାଏଁ ପ୍ରଶ୍ନଟା ଉଡ଼ାଇଦେଲେ ।

 

ତାଙ୍କ କଥା ଆଷାଢ଼ ମାସରେ ମହାନଦୀ ପାଣିର ସ୍ରୋତ ପରି କୌଣସି ବାଧା ନ ମାନି ମାଡ଼ି ଚାଲିଥାଏ ।

 

ସେଠାରେ ଶ୍ରୀ ଶ୍ରୀ ଶ୍ରୀ କପିଳବାବାଙ୍କୁ ଦେଖିଲି । ପ୍ରଥମେ ତ ଚିହ୍ନିପାରିଲି ନାହିଁ । ଶ୍ରୀଶ୍ରୀଶ୍ରୀ ବାବା ମର୍ତ୍ତ୍ୟରେ ଥିଲାବେଳେ ଗାଁ ମୁଣ୍ଡ ବରଗଛ ତଳେ ଧୁନି ଲଗାଉଥିଲେ । ଗ୍ରାମର ଝିଅବୋହୂ ଯୁବତୀମାନଙ୍କୁ ବାଛିବାଛି ଶିଷ୍ୟା କରୁଥିଲେ । ନାନାପ୍ରକାର ଭେଳିକି ଦେଖାଇ ସେମାନକୁ ବଶ କରି ଦେଉଥିଲେ । ଗୁରୁଙ୍କ ସହବାସରେ ସେମାନେ ଧନ୍ୟା ହେଉଥିଲେ । ଶେଷକୁ ଜଣେ ଦୁଇଜଣ ଭାଗ୍ୟବତୀ ଶ୍ରୀଶ୍ରୀଶ୍ରୀ ମା’ ହୋଇ ବାବାଙ୍କ ସଙ୍ଗରେ ଅନ୍ତର୍ଦ୍ଧାନ ହୋଇଗଲେ । ଅନ୍ୟମାନେ ଭାଗ୍ୟ ଆଦରି ସଂସାର ରୂପକ ନରକକୁଣ୍ଡରେ ମୋହମାୟାରେ ଘାଣ୍ଟି ହେବାକୁ ଲାଗିଲେ ।

 

ସେଇ ବାବାଙ୍କ କଙ୍କାଳଟା ଫୁଟବଲ ଖେଳର ପେଣ୍ଡୁ ପରି ଏପାଖ ସେପାଖ ହେଉଥାଏ-। ଯେଉଁ ମାତା ପାଖକୁ ଯାଏ, ସେ ଏପରି ଗୋଟାଏ ଗୋଇଠା ମାରେ ଯେ, କଙ୍କାଳ ଆର ପାଖ ମାତାର ଗୋଡ଼ ପାଖରେ ପଡ଼େ । ସେ ମଧ୍ୟ ଗୋଡ଼ରେ ଆଉ ଜଣକ ପାଖକୁ ତାକୁ ଠେଲିଦିଏ-। ଅନବରତ ଏଇ ପେଣ୍ଡୁ ଖେଳ ସେଠାରେ ଚାଲିଥାଏ ।

 

ହଠାତ୍ ତୁମ ଆଈଙ୍କ ଦର୍ଶନ ମିଳିଗଲା । ବାଲିରେ ଗୋଟିଏ ଶିବଲିଙ୍ଗ ଗଢ଼ି ସେ ଆଖି ବୁଜି ବସିଥାଏ । ପାଖରେ ବେଲପତ୍ରି, ଦୁବ, ନାନାରଙ୍ଗର ଫୁଲ ।

 

ମୁଁ ଭାବିଲି, ବୋଧହୁଏ ଜଣେ କେହି ବ୍ରତ ପାଳିଅଛି–ବାଲି ତୃତୀୟା ବ୍ରତ । ଦିଅଁ ପୂଜା କରିବା ପାଇଁ ପୁରୋହିତଙ୍କ ଆପେକ୍ଷାରେ ବସିରହିଛି । ଯାଇ ପାଖରେ ଠିଆ ହୋଇଗଲି ।

 

ଶ୍ରୋତାଙ୍କ ମଧ୍ୟରୁ ଜଣେ କିଏ ଟିପ୍‌ପଣୀ ଦେଲା, ‘‘ଢିଙ୍କି ର୍ସ୍ୱଗକୁ ଗଲେ ବି ଧାନ କୁଟେ-।’’

 

ଅଜା ସେ କଥାକୁ କାନେଇଲେ ନାହିଁ । କଥା କହିବାରେ ଲାଗିଥାଆନ୍ତି ।

 

ପାଖକୁ ଯାଇ ଚିହ୍ନିଲି, ସେ ତୁମ ଆଈ । ଛାନିଆ ହୋଇ ସେଠାରୁ ପଳାଇ ଆସୁଥିଲି । କିନ୍ତୁ ମୋ ପାଦ ଦୁଇଟାକୁ ଜାବୁଡ଼ି ଧରି ପକାଇଲା । କହିଲା, ‘‘ଦଶ ବର୍ଷ ହେଲା ତୁମକୁ ଚାହିଁ ଏଠାରେ ବସି ରହିଛି । ଆସିଗଲ ଭଲ କଲ । ପାଖରୁ ଆଉ ଜମା ଛାଡ଼ି ଦେବି ନାହିଁ ।’’

 

ଏ କଥା ବା ମୋର ବିଶ୍ୱାସ ହୁଅନ୍ତା କେତେକେ ? ତୁମେମାନେ ବୋଧହୁଏ ଜାଣି ନାହଁ-। ତୁମ ଆଈ ଏ ମର୍ତ୍ତ୍ୟରେ ଥିବା ପର୍ଯ୍ୟନ୍ତ ମୁଁ ଟିକିଏ ହେଲେ ଶାନ୍ତି ପାଇ ନ ଥିଲି । ସବୁବେଳେ ପାଟି, ସବୁ ସମୟରେ ନାକକାନ୍ଦଣା, କଳିଗୋଳ । ଏଭଳି ଲୋକ ଯେ ସେଠାରେ ଏତେ ଭଲ ପାଲଟିଯିବ, ଏହା କିଏ ବିଶ୍ୱାସ କରିବ ?

 

ଅଫିମ ନିଶାରେ ଅଜାଙ୍କ ଆଖି ଘନଘନ ବୁଜି ହୋଇ ଯାଉଥାଏ । ପାଟି ମଧ୍ୟ ଖନି ମାରି ଆସିଲାଣି ।

 

ଟିକିଏ ଚେତାଇ ଦେବାକୁ ଯାଇ ମୁଁ କହିଲି, ‘‘ଅଜା, ଗପଟା ମୁଁ ଶେଷ ହୋଇ ନାହିଁ ଯେ-।’’

 

ଅଜା ଖନେଇ ଖନେଇ କହିଲେ, ‘‘କଥା ତ ଶେଷ ହେଲାଣି ।’’

 

–ଯେତେବେଳେ ଆଖି ଫିଟାଇଲି ଜାଣିଲି, ମୁଁ ଡାକ୍ତରଖାନାରେ ଶୋଇଅଛି । ପଚାରି ବୁଝିଲି, ସେଦିନ ରବିବାର । ଦିନ ଆସି ପହରେ ହେଲାଣି । ମନେମନେ ହିସାବ କରିନେଲି, କାଲି ରାତି ଚାରି ପହର ଆଉ ଆଜି ପହରେ ଦିନ,–ଏଇ ପାଞ୍ଚ ପହର ମୁଁ ମରିଯାଇଥିଲି । ପ୍ରେତପୁରୀରେ ବୁଲୁଥିଲି । ସେଇଥିପାଇଁ ସେ ପୁରର କେତେକ ଦୃଶ୍ୟ ଦେଖିବାର ସୌଭାଗ୍ୟ ମୋତେ ଜୁଟିଗଲା ସିନା !

☆☆☆

 

ସତ୍ୟ-ସମ୍ୱାଦ

 

ମୁଁ ସବୁ ସମୟରେ ସତ କହେ । ‘ଖାଲି’ ସତ ନୁହେଁ, ଖାଣ୍ଟି ସତ । ତେଣୁ ଏ ଛୋଟ ସହରଟିରେ ମୋର ଦର ଅତି ବେଶି, ଆଦର ମଧ୍ୟ କମ୍‌ ନୁହେଁ ।

 

ମୁଁ ସାମ୍ୱାଦିକ ମୁଁ ସମାଜସେବୀ–ମନ୍ତ୍ରୀମାନଙ୍କର ପାଖଲୋକ, ନେତାମାନଙ୍କର ମନ୍ତ୍ରଣାଦାତା । ଏମ, ଏଲ. ଏ. ମାନଙ୍କୁ ଖାଲି ସାହାଯ୍ୟ ନୁହେଁ, ପରାମର୍ଶ ଦେଇଥାଏ ମୁଁ ।

 

ଆଗରେ ଅନେକ ଛାତ୍ର ନେତାଙ୍କଠାରୁ ଏମ. ଏଲ. ଏ. ନେତା ପର୍ଯ୍ୟନ୍ତ ସମସ୍ତେ ବେଶ୍‌ ଖାତିର କରନ୍ତି । ସଭା ସମ୍ମିଳନୀରେ ଅନ୍ତତଃ ପ୍ରଥମ ଧାଡ଼ିର ଆସନଟାଏ ତ ଛାଡ଼ି ଦିଆଯାଇଥାଏ-

 

ଉଦ୍‌ଘାଟନ କରିବା ପାଇଁ; ସଭାପତି, ପ୍ରଧାନ ସଭାପତି, ପ୍ରଧାନ ଅତିଥି, ମୁଖ୍ୟ ବକ୍ତା, ସମ୍ମାନିତ ବକ୍ତା ହେବା ପାଇଁ ନିମନ୍ତ୍ରଣ ମିଳେ ବହୁତ । ବକ୍ତାମାନେ ସେଠାରେ ମୋର ପ୍ରଶଂସାରେ ଶତମୁଖ ହୋଇ ଉଠନ୍ତି ।

 

ହାତରୁ ଖାଇ ଘୋଡ଼ା ଆଗରେ କୁଦିବା ମୋର ବ୍ରତ । କାରଣ, ମୁଁ ଦେଶପ୍ରେମୀ, ପରୋପକାରୀ, ପରଦୁଃଖକାତର, କର୍ମନିଷ୍ଠ । ଏହି ସବୁ କାମ କରିବାରେ ମୋର ତିଳେ ହେଲେ ସ୍ୱାର୍ଥର ଆଶା ନ ଥାଏ । କେବଳ ପରଦୁଃଖ ମୋଚନ ଯେ ଧର୍ମ୍ମ ।

 

ନିର୍ବାଚନ ସମୟରେ ମୋର କର୍ମତତ୍ପରତା ଖୁବ୍‌ ବଢ଼ିଯାଏ । ପାର୍ଟିରୁ କିଏ ଟିକଟ ପାଇବ, ସେଥିପାଇଁ ଲଗାଇ ଦିଏ ଦଉଡ଼ ଧାପଡ଼ । ଟିକଟ ମିଲିଲା, ନିର୍ବାଚନ ପ୍ରଚାର କରିବାକୁ ହେବ–ମୋର ମନ୍ତ୍ରଣା ନ ନେଲେ ନ ହୁଏ । ସେ କଂଗ୍ରେସ ହେଉ, କମ୍ୟୁନିଷ୍ଟ ହେଉ, ଜନତା ହେଉ ବା ସ୍ୱାଧୀନ ହେଉ । ମୋର ପକ୍ଷପାତ ବିଚାର ନ ଥାଏ ।

 

ତା’ ପରେ ଘନଘନ ରାଜଧାନୀକୁ ଦଉଡ଼ିବାକୁ ପଡ଼େ । ସବୁ ମନ୍ତ୍ରୀ, ଏମ.ଏଲ.ଏ., ଅଫିସର ମୋ ହାତମୁଠାରେ । ଲୋକଙ୍କ ପାଇଁ ସେମାନଙ୍କଠାରୁ ବହୁତ କାମ ହାସଲ କରିବାକୁ ପଡ଼େ । ସେ ସବୁ କାମ ମୁଁ ନ କଲେ ଆଉ କରିବ କିଏ ?

 

କେଉଁ କିରାଣିଙ୍କୁ ଏଠାରୁ ବଦଳି ଆଦେଶ ଆସିଅଛି । ଏଠାରେ ମାତ୍ର ପନ୍ଦର ବର୍ଷ ନିରଙ୍କୁଶ ଭାବରେ ରହି ସେ ବେଶ୍‌ ଆସ୍ଥାନ ଜମାଇ ପାରିଛନ୍ତି । ତାଙ୍କ ବଦଳି ରହିତ କରିବାକୁ ହେବ । ମୋର ଯିବା ଆସିବା ଖର୍ଚ୍ଚ ପାଇଁ ରାତିରେ ଆସି ହଜାରେଟି ଟଙ୍କା ଆଉ ଗୋଟିଏ ରୋହୀ ମାଛ ଦେଇ ଯାଇଅଛନ୍ତି । ଏ ସବୁ ରଖିବା ମୋର ନୀତିବିରୁଦ୍ଧ । ମାତ୍ର ନ ରଖିଲେ ତାଙ୍କ ମନରେ ଦୁଃଖ ହେବ ଯେ ! କାହାରି ମନକଷ୍ଟ ମୁଁ ସହିପାରେ ନାହିଁ ।

 

ଅମୂକ କାନ୍‌ତରାଟି ଭଲ କାମ କରିଅଛି–ସାଧୁ ଲୋକ । କିନ୍ତୁ ଇଞ୍ଜିନିୟର ତା’ ବିଲ୍‌ ପାସ କରାଇ ଦେଉ ନାହିଁ । ଉପରିସ୍ଥ କର୍ମକର୍ତ୍ତା ବା ମନ୍ତ୍ରୀଙ୍କୁ ଧରି ବିଲ୍‌ ମଞ୍ଜୁରୀ କରାଇବାକୁ ପଡ଼ିବ-। ତା’ କେବଳ ମୋ ଦ୍ୱାରା ସମ୍ଭବ । ନିଃସ୍ୱାର୍ଥପର ଭାବରେ ବିଲର ମାତ୍ର ଏକ ଚତୁର୍ଥାଂଶ ଆଗତୁରା ନେଇ ସେ କାମରେ ଲାଗି ପଡ଼ିଲି । କିନ୍ତୁ ଗୀତାର ମହତ୍‌ବାଣୀ କାନତରାଟି ବାବୁଙ୍କୁ ଆଗରୁ ଶୁଣାଇ ଦେଇଛି–‘‘କର୍ମଣ୍ୟେ ବାଧିକାରସ୍ତେ ମା’ ଫଳେଷୁ କଦାଚନ ।’’

 

ସ୍କୁଲକୁ ଆସିଥିବା ଗ୍ରାଣ୍ଟ ଟଙ୍କା, ହରିଜନ ଛାତ୍ରଛାତ୍ରୀଙ୍କ ବୃତ୍ତି ଟଙ୍କା ସେକ୍ରେଟାରୀ ଖାଇ ଯାଇଛନ୍ତି ବୋଲି ଆପତ୍ତି ହେଲା । ସେ ଆସି ମୋର ଶରଣ ପଶିଲେ । ତାଙ୍କୁ ସେ ବିପଦରୁ ରକ୍ଷା କରିବାକୁ ହେବ ।

 

କାହା ପାଇଁ ଚାକିରି ଗୋଟାଏ ଯୋଗାଡ଼ କରିଦେବାକୁ ହେବ । କେଉଁ ପିଲା ପରୀକ୍ଷାରେ କମ୍‌ ନମ୍ୱର ରଖିଅଛି–ତାକୁ ପାସ କରାଇ ଦେବାକୁ ହେବ । ଏ ସମସ୍ତ କାମ ତ ମୋର ।

 

ମୁଁ ନେତା । ଛାତ୍ର ନୁହେଁ, ଶ୍ରମିକ ନୁହେଁ, ହିରିଜନ କି ଆଦିବାସୀ ବି ନୁହେଁ, । ଏମ. ଏଲ. ଏ. ମଧ୍ୟ ନୁହେଁ । ତେବେ ବି ନେତା । ଅନେକେ କୁଆଡ଼େ ପଛରେ କହନ୍ତି,–‘‘ଛତରା ନେତା’’-। ଏ କଥାକୁ ମୋର ଖାତିର୍‌ ନ ଥାଏ ।

 

ମୋର ଏ ପସରା ବଢ଼ାଇ ଦେଇଛି ଆଉ ଗୋଟାଏ ଦାୟିତ୍ୱ । ସହରର ଗୋଟାଏ ଶକ୍ତିଶାଳୀ ସମ୍ୱାଦପତ୍ରର ମୁଁ ହେଉଛି ଏ ସବ୍‌ଡ଼ିଭିଜନର ସମ୍ବାଦଦାତା, ‘‘ନିଜ ପ୍ରତିନିଧି’’ । ସମ୍ପାଦକେ ଜାଣନ୍ତି, ମୋର ଖଦଡ଼ଲୁଗା ଓ ଜାମା ତଳେ ପକ୍ଷପାତିକା ପଶିପାରି ନାହିଁ । ସବୁ ସମୟରେ ହାତରେ ଧରିଥିବା ଖଦୀ ବ୍ୟାଗ ଭିତରେ ସତ୍ୟ, ଅହିଂସା ତ ବନ୍ଦୀ ହୋଇ ରହିଅଛନ୍ତି । ତେଣୁ ମୋ ରିପୋର୍ଟର ଗୁରୁତ୍ୱ ବେଶି । ତାହା ନିଶ୍ଚୟ ସମ୍ୱାଦପତ୍ରରେ ପ୍ରକାଶ ପାଇବ ଆଉ ଲୋକଙ୍କ ଭିତରେ ଚହଳ ପକାଇଦେବ । ଯାହା ପ୍ରତି ମୋର ସୁନଜର ପଡ଼ିବ, ସେ ହେବ ଉତ୍‌ଫୁଲ୍ଲ ଲାଭବାନ୍‍ । ଆଉ କୁନଜର ପଡ଼ିଲେ ହେବ ତଳିତଳାନ୍ତ ।

 

ହଠାତ୍‌ ସେଦିନ ଏସ୍‌.ଡ଼ି. ଓ.ଙ୍କ ଡାକରା ଆସିଗଲା ।

 

ମୋର ମଧ୍ୟ ତାଙ୍କ ପାଖରେ ଗୋଟାଏ ଦରକାରୀ କାମ ଥିଲା ।

 

ଅଲେଖ ବେହେରା ଗାଁମୁଣ୍ଡରେ ଗୋଟିଏ ତାଡ଼ିଦୋକାନ ଖୋଲିବ । ଛ ମାସ ହେଲା ମୋ ପିଛା ଧରିଛି ଲାଇସେନ୍‍ସଟାଏ କରାଇ ଦେବାପାଇଁ । ଗାଁ ବାଲାଙ୍କ ଆପତ୍ତି ଓ ବାଧା ଦାନ ହେତୁ ଏପର୍ଯ୍ୟନ୍ତ ତାହା ସମ୍ଭବ ହୋଇପାରି ନାହିଁ । ଆଗରୁ ଥିବା ଏସ୍‌.ଡ଼ି.ଓ ଗାଁ ବାଲାଙ୍କ ସପକ୍ଷରେ ଥିଲେ । ବେହେରା କହିଅଛି, ଲାଇସେନ୍‌ସଟା ଦାଖଲ କରିଦେଲେ, ମୋତେ ବେଶ୍‌ ଖୁସି କରାଇଦେବ–ଗାଁ ବାଲା ଜାଣିବେ ନାହିଁ । ତା’ ଉପରେ ପ୍ରକାଶ୍ୟରେ ଗାଁ ଠାକୁର ଘରକୁ ପ୍ରତିବର୍ଷ ହଜାରେ ଟଙ୍କା ଦେବ । ବୁଢ଼ାମାନେ ଏଥିରେ ରାଜି ହୋଇଅଛନ୍ତି; ବାଧା ଦେଉଛନ୍ତି କେବଳ ଯୁବକମାନେ ।

 

କିଆଁରେ ବାବା ! ତୁମର ସୁବିଧା ପାଇଁ ତ ଏହା କରାଯାଉଅଛି । ତଥାପି ତୁମର ଆପତ୍ତି !

 

ଏସ.ଡ଼ି.ଓ ଙ୍କୁ ବଙ୍ଗଳାରେ ଦେଖା କଲି । ଚା ବିସ୍‌କୁଟ ମିଳିଲା । କଥା ଉଠିଲା, ମନ୍ତ୍ରୀ ଏବେ ଏ ଅଞ୍ଚଳ ଗସ୍ତରେ ଆସୁଅଛନ୍ତି । ତାଙ୍କୁ ଉପଯୁକ୍ତ ସମ୍ୱର୍ଦ୍ଧନା ଦିଆଯିବା ଦରକାର । ପାଞ୍ଚ ହଜାର ଟଙ୍କାର ଥଳୀ ଭେଟି ଦିଆଯିବ–ବାତ୍ୟାବିପନ୍ନ ଲୋକଙ୍କ ସାହାଯ୍ୟ ପାଣ୍ଠି ପାଇଁ । କଣ୍ଟ୍ରାକ୍ଟର ଡିଲରଙ୍କଠାରୁ ତାହା ସଂଗୃହୀତ ହୋଇ ସାରିଲାଣି । ମନ୍ତ୍ରୀଙ୍କ ମନଃ ତୁଷ୍ଟି ପାଇଁ ଭୋଜି, ବିଚିତ୍ରାନୁଷ୍ଠାନ, ନୃତ୍ୟଗୀତ, ଷଣ୍ଢ ଲଢ଼େଇ, ମଣ୍ଡପ ସାଜସଜାର ବ୍ୟବସ୍ଥା ହୋଇଗଲାଣି ।

 

ଏଇ କଥା ବିଚାର କରିବା ପାଇଁ ଆଜି ସନ୍ଧ୍ୟାରେ ଡାକବଙ୍ଗଳାରେ ଗୋଟିଏ ସାଧାରଣ ସଭା ହେବ । ଏସ.ଡ଼ି.ଓ. ହେବେ ସଭାପତି । ସରପଞ୍ଚ, ଚେୟାରମାନ ଓ ଆଉ ଆଉ ଲୋକମାନେ ଆସିବେ । ଏସ୍‍.ଡ଼ି.ଓ. ସମସ୍ତ ଯୋଜନା ସେଠାରେ ଘୋଷଣା କରିବେ । ଖବରକାଗଜରେ ଏହା ଟିକିଏ ଭଲଭାବରେ ପ୍ରକାଶ ପାଇବା ଦରକାର ।

 

ଏସ.ଡ଼ି.ଓ.ଙ୍କ ସାଙ୍ଗରୁ ଆଉକେତେ ଆଇ. ଏ. ଏସ. ହେଲେଣି । କଲେକ୍‌ଟର, ଡେପୁଟିସେକ୍ରେଟାରୀ ଆଦି ପଦ ପାଇଗଲେଣି । ମାତ୍ର ଆମ ଏସ.ଡ଼ି.ଓ.ଙ୍କ କପାଳ ସେହି ପଥର ତଳେ । ଏ ଗୋଟାଏ ମଉକା ମିଳିଛି–ଏହା ବେଶ୍‌ ମୁଁ ଠଉରାଇ ନେଲି ।

 

ଜବାବ ଦେଲି, ‘‘ସନ୍ଧ୍ୟାରେ ସଭା ସ୍ଥଳକୁ ନିଶ୍ଚୟ ଆସିବି । ସଭାର ବିବରଣୀ ଖୁବ୍‌ ଭଲ ଭାବରେ ସମ୍ୱାଦପତ୍ରରେ ଯେପରି ପ୍ରକାଶ ପାଇବ–ତା’ର ବ୍ୟବସ୍ଥା କରିବି । ଏସ୍‌.ଡ଼ି.ଓ ଙ୍କ କର୍ମନିଷ୍ଠା, ସାଧୁତା ଓ ଲୋକପ୍ରିୟତା ସେଥିରେ ବିଶେଷ ଭାବରେ ଫୁଟିଉଠିବ । ମୋର ନିବେଦନ ଅଲେଖ ବେହେରା ଯେପରି ଲାଇସେନ୍‌ସଟା ପାଇବ ।’’

 

‘‘ସେ ତ ନିଶ୍ଚୟ ପାଇବ । ମନ୍ତ୍ରୀ ତା’ ଦୋକାନ ଉଦ୍‌ଘାଟନ କରିବେ, ସେହି ବ୍ୟବସ୍ଥା ତ ହେଉଅଛି । ସେ ଯେ ଗୋଟାଏ ମୋଟା ପରିମାଣର ଚାନ୍ଦା ଦେଇଅଛି । କିନ୍ତୁ ତା’ ନାମଟା ଯେପରି ଗୋପନ ରହେ ।’’ –ଏସ୍‌. ଡ଼ି. ଓ ଉତ୍ତର ଦେଲେ ।

 

ସନ୍ଧ୍ୟାକୁ ସଭାସ୍ଥଳକୁ ଯିବା ପାଇଁ ସୁବିଧା ହେଲା ନାହିଁ । ଯିବାର ଆବଶ୍ୟକତା ମଧ୍ୟ ନ ଥିଲା । କିନ୍ତୁ ଠିକ୍ ସମୟରେ ସଭାର ବିବରଣୀ ସମ୍ୱାଦପତ୍ର ଅଫିସକୁ ପଠାଇଦେଲି । ମୋ ଅନୁରୋଧ କ୍ରମେ ପରଦିନ ପ୍ରଥମ ପୃଷ୍ଠାରେ ବଡ଼ବଡ଼ ଅକ୍ଷରରେ ପ୍ରକାଶ ପାଇଲା–

 

‘‘ବିରାଟ ସାଧାରଣ ସଭା । ନବାଗତ ଏସ୍‌.ଡ଼ି.ଓ. ଙ୍କ ଅଦ୍‌ଭୁତ ବେଶପ୍ରୀତି । ତାଙ୍କ କର୍ମତତ୍ପରତା ଆଦର୍ଶ ସ୍ଥାନୀୟ । ତାଙ୍କ ଆବେଦନ ଫଳରେ ବାତ୍ୟାବିପନ୍ନ ଅଞ୍ଚଳର ସାହାଯ୍ୟ ପାଣ୍ଠି ପାଇଁ ପାଞ୍ଚ ହଜାର ଟଙ୍କାର ଚାନ୍ଦା ସଂଗ୍ରହ । ଲୋକଙ୍କର ଏହି ଅଯାଚିତ ଦାନ ମନ୍ତ୍ରୀଙ୍କ ହାତରେ ଭେଟି ଦିଆଯିବ । ମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧନା କରିବା ପାଇଁ ବିପୁଳ ଆୟୋଜନ’’–ଏମିତି କେତେ କଅଣ ।

 

ପରଦିନ ଛାତି ଫୁଲାଇ ଏସ୍‌.ଡ଼ି.ଓ.ଙ୍କ କୋଠିକୁ ଚାଲିଲି । ବ୍ୟାଗ ଭିତରେ ସମ୍ୱାଦପତ୍ର ଖଣ୍ଡିଏ ଭାଙ୍ଗି ସଜାଡ଼ି ରଖିଥାଏ ।

 

ଏସ୍‌.ଡ଼ି.ଓ.ସଦ୍ୟ ବିଛଣାରୁ ଉଠିଅଛନ୍ତି । ମୁହଁ ବିଷଣ୍ଣ । କହିଲେ, ‘‘ଆପଣ ସଭାକୁ ନ ଆସି ଭଲ କରିଅଛନ୍ତି ।’’

 

ଉତ୍ତର ଦେଲି–ନାଁ, ମୁଁ ସଭାକୁ ତ ଆସିଥିଲି । ଆପଣ ବୋଧହୁଏ ଦେଖିପାରି ନାହାନ୍ତି । ବ୍ୟସ୍ତ ଥିଲେ କି ନା । ସୁନ୍ଦର ସଭ୍ୟ ହେଲା । ଏଇ ଦେଖନ୍ତୁ, ସଭାର ଟିକିନିଖି ବିବରଣୀ କିପରି ପ୍ରକାଶ ପାଇଅଛି ।

 

ବ୍ୟାଗ ଭିତରେ ହାତ ପୂରାଇ ସମ୍ୱାଦପତ୍ର ବାହାର କରୁକରୁ ତାଙ୍କଠାରୁ ଶୁଣିଲି, ‘‘ମଦ ଦୋକାନ ଲାଇସେନ୍‌ସ୍‌ ମିଳିଯିବ ଜାଣି ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଉଠିଲେ । ସଭା ଆରମ୍ଭ ପୂର୍ବରୁ ସେଠାକୁ ପହଞ୍ଚି ଗଣ୍ଡଗୋଳ, ମାରଧର ଆରମ୍ଭ କରିଦେଲେ । ଏ ଖବର ପାଇ ମୁଁ ଆଉ ସେଠାକୁ ଗଲି ନାହିଁ । ପେଣ୍ଡାଲ ଭାଙ୍ଗିପଡ଼ିଅଛି । ପାଞ୍ଚ ଜଣଙ୍କ ମୁଣ୍ଡ ଫାଟିଛି ସେମାନେ ବର୍ତ୍ତମାନ ଡାକ୍ତରଖାନାରେ ।’’

 

କାଗଜ ଖଣ୍ଡିକ ଯେତେବେଳେ ବ୍ୟାଗରୁ ବାହାର କଲିଣି, ବଢ଼ାଇ ନ ଦେଲେ ଅଭଦ୍ରତା ହେବ । ସେ କାଗଜ ଫିଟାଇ ତା’ ଉପରେ ଆଖି ବୁଲାଇଲା ବେଳେ ମୋ ମୁହଁଟା ତଳକୁ ହୋଇଗଲା–ଆଖି ଦୁଇଟା ଦୁଇ ଗୋଡ଼ର ବୁଢ଼ା ନଖ ଉପରେ ।

 

ବୋଧହୁଏ, ଏହିଭଳି ଅବସ୍ଥାରେ ସୀତାଦେବୀ କହିଥିଲେ,–‘‘ମା ବସୁଧା, ତୁ ଦୁଇ ଫାଳ ହୋଇଯାଆ । ମୁଁ ଭିତରେ ପଶିଯାଏ ।’’

☆☆☆

 

Unknown

ଧରମଘଟ

 

ଏ ମୋ କଥା ନୁହେଁ–ଗାଳ୍ପିକ ବନ୍ଧୁଙ୍କ ଅନୁଭୂତି ।

 

ମୁଁ ଯେ କିପରି ଯାଇ ସେ ସହରରେ ପହଞ୍ଚିଲି, ତାହା ଜାଣି ନାହିଁ । ଅଜଣା, ଅଶୁଣା ସ୍ଥାନ–ପୁରୁଣା ସାଙ୍ଗସାଥୀ, ବନ୍ଧୁବାନ୍ଧବ କେଉଁଠାରେ ଥାଇପାରନ୍ତି । ମାତ୍ର ସେ ସନ୍ଧାନ ନେବାକୁ ସୁବିଧା କାହିଁ ?

 

ଭୋକରେ ପେଟ ଜଳୁଅଛି । ଶୋଷରେ କଣ୍ଠ ଶୁଖିଯାଉଅଛି । ଗାଡ଼ିରୁ ଓହ୍ଲାଇ ଷ୍ଟେସନ୍‌ରୁ ସିଧା ଚାଲିଲି । କାନ୍ଧରେ ବେଡ଼ିଂ, ହାତରେ ସୁଟ୍‌କେଶ ।

 

ଷ୍ଟେସନ୍‌ରେ ଟ୍ୟାକ୍‌ସି, ଗାଡ଼ି, ରିକ୍‌ସା ଶହ ଶହ ଜମା ହୋଇ ରହିଅଛି । କୁଲି ସାଲୁବାଲୁ । ମାତ୍ର ଯାତ୍ରୀ ନେବାକୁ, ମାଲ ଧରିବାକୁ ସମସ୍ତେ ଅମଙ୍ଗ । କଅଣ ନା ଧରମଘଟ ।

 

–କିରେ ବାବା, ଧର୍ମଘଟ କାହିଁକି ?

 

–କାହିଁକି ଜାଣି ନାହୁଁ । ଧରମଘଟ କରିବାକୁ କୁହାଯାଇଅଛି, ଧରମଘଟ କରିଅଛୁ ।

 

ମୁଁ ଏକା ନୁହେଁ, ଗାଡ଼ିରୁ ଓହ୍ଲାଇଥିବା କୋଡ଼ିଏ ପଚିଶ ଜଣ ଆମେ ଚାଲିଲୁ । ବୃଦ୍ଧଠାରୁ ତରୁଣ ପର୍ଯ୍ୟନ୍ତ । ମହିଳା ବି ଅଛନ୍ତି ।

 

ପୁଣି ଜଣେ ବୃଦ୍ଧା ଜରରେ ଥରଥର ହେଉଅଛନ୍ତି । ତାଙ୍କ ଘର ବାଟରେ ଠିକ୍‌ ରାସ୍ତା କଡ଼ରେ ପଡ଼ିଲା । ଜର ଯନ୍ତ୍ରଣାରେ ବି ତାଙ୍କ ମୁହଁରେ ସରସତା ଫୁଟି ଉଠିଲା । ସେ ପିଣ୍ଡା ଉପରକୁ ଉଠିଗଲେ, କବାଟ ବାଡ଼େଇଲେ ।

 

ଭିତରୁ ଖବର ଶୁଣାଗଲା–ଆଜି ଧରମଘଟ, କବାଟ ଫିଟିବ ନାହିଁ ।

 

ବୃଦ୍ଧ ନିଜର ପରିଚୟ ଦେଲେ । ଜରରେ କଷ୍ଟ ପାଉଅଛନ୍ତି ବୋଲି କହିଲେ । ବହୁତ କାକୁତି ମିନତି ହେଲେ । ତଥାପି କବାଟ ଫିଟିଲା ନାହିଁ । ସେହି ଏକ କଥା–ଧରମଘଟ ।

 

ବୃଦ୍ଧ ନିରାଶରେ ଫେରିଆସି ଆମ ସାଙ୍ଗରେ ଯୋଗ ଦେଲେ । ଆମ ଶୋଭାଯାତ୍ରା ଚାଲିଲା ସହର ଆଡ଼କୁ ।

 

ବୃଦ୍ଧଙ୍କ ଦଶା ଦେଖି ସହଯାତ୍ରିଣୀ ମହିଳା ବ୍ୟଥିତ ହୋଇଉଠିଲେ । ବୃଦ୍ଧଙ୍କୁ କହିଲେ ‘‘ଆସ, ଆମ ଘରକୁ ଯିବ । ଆଜିକ ସେହିଠାରେ ବିଶ୍ରାମ ନେବ । ମୋ ସ୍ୱାମୀ ତମ ପିଲାଙ୍କ ପରି ଏତେ ନିଷ୍ଠୁର ନୁହନ୍ତି ।’’

 

ଅଳ୍ପ ଦୂରରେ ଛକ ପାଖରେ ଗୋଟିଏ ଗଳି । ସେହି ଗଳିରେ ମହିଳାଙ୍କ ଘର । ସେ ନିଜ ଘରର ପିଣ୍ଡା ଉପରକୁ ଉଠିଗଲେ । ଝରକାରେ ଜଣେ ଯୁବକଙ୍କ ମୁଖଚନ୍ଦ୍ରମା ଦେଖାଗଲା । ମଲ୍ଲିଫୁଲିଆ ଦାନ୍ତନିକୁଟା ହସ ମଧ୍ୟ ଫୁଟି ଉଠିଲା । କିନ୍ତୁ କବାଟ ଫିଟିଲା ନାହିଁ । ହାତର ଇଙ୍ଗିତରେ ସ୍ୱାମୀ ଜଣାଇ ଦେଲେ–‘ଧର୍ମଘଟ, କବାଟ ଫିଟିବ ନାହିଁ ।’’

 

ସ୍ତ୍ରୀଙ୍କ ସ୍ୱଭାବସୁଲଭ ଗର୍ଜନ–ଏ ଘର କଅଣ ତୁମର ?

 

ଉତ୍ତର ମିଳିଲା–ମୁଁ ଭଲରୂପେ ଜାଣେ, ଘର ତୁମର । ମାତ୍ର କବାଟ ଫିଟାଇବାକୁ ମୋତେ ପଡ଼ିବ ତ । ମୁଁ ଯେ ଧର୍ମଘଟ କରିଅଛି ।

 

‘‘ତେବେ ମୁଁ ଯିବି କୁଆଡ଼େ ?’’–ସ୍ତ୍ରୀଙ୍କ ଗର୍ଜନ ଟିକିଏ ନରମ ହୋଇଗଲା ।

 

‘‘ତୁମ ଇଚ୍ଛା ଯାହା, ତାହା କର’’–ସେହି ହାତର ଇଙ୍ଗିତରେ ସ୍ୱାମୀ ଶେଷ ସିଦ୍ଧାନ୍ତ ଜଣାଇ ଦେଲେ ।

 

ଆମେ କିଛି ବୁଝିପାରୁ ନ ଥାଉ । ସ୍ୱାମୀ ମୂକ ନା କଅଣ ?

 

ଆମ ମୁହଁର ଭଙ୍ଗୀରୁ ସ୍ୱାମୀ ବୋଧହୁଏ ମନ କଥା ଜାଣିପାରିଲେ । ଓଠରେ ବାମ ହାତର ବିଶି ଆଙ୍ଗୁଠି ଚାପିଧରି ବୁଝାଇ ଦେଲେ–ଧର୍ମଘଟ, କଥା କହିବା ବନ୍ଦ ।

 

ଆମେ ନିରୁପାୟ । ଆସି ସହର ମଝିରେ ପହଞ୍ଚି ଗଲୁଣି ।

 

ଜଣେ ସହଯାତ୍ରୀ ହଠାତ୍‌ ଖୁସି ହୋଇଗଲେ । ସମସ୍ତଙ୍କୁ ଆଙ୍ଗୁଠି ଟେକି ଦେଖାଇ ଦେଲେ ଗୋଟିଏ ବଡ଼ କୋଠାଘର । ସାଇନବୋର୍ଡ଼ରେ ଲେଖାଯାଇଅଛି, ‘ପାରାଡ଼ାଇଜ ହୋଟେଲ-।’

 

ସମସ୍ତଙ୍କ ମନରେ ଆଶାର ସଞ୍ଚାର ହେଲା । ଭୋକଶୋଷ ଦାଉରୁ ରକ୍ଷା ପାଇବା ପାଇଁ ହୋଟେଲ ଭିତରକୁ ପଶିଗଲୁ ।

 

ଅଦ୍ଭୁତ କାଣ୍ଡ ! କେତେକ ଲୋକ ଖାଇବା ଉଦ୍ଦେଶ୍ୟରେ ବସିଅଛନ୍ତି । ଆଗରେ ଦିବ୍ୟ ଅନ୍ନ ବ୍ୟଞ୍ଜନ ଥୁଆ ହୋଇଅଛି । କିନ୍ତୁ ସେମାନେ ଖାଉ ନାହାନ୍ତି । କିଏ ଦରଖିଆ ହୋଇଅଛି, କିଏ ଜମା ଖାଇ ନାହିଁ ।

 

ମାନେଜରଙ୍କ ଶରଣ ପଶିଲୁ । ଖାଇବାକୁ ମାଗିଲୁ । ଉତ୍ତର ମିଳିଲା, ‘‘ଦଶଟା ମଧ୍ୟରେ ଯାହା ରନ୍ଧା ହୋଇଥିଲା, ତାହା ଏମାନଙ୍କ ପାଖରେ ବାଢ଼ିଦେଲୁ । ସେହି ସମୟରୁ ଧର୍ମଘଟ । ଆମ ରନ୍ଧା ବନ୍ଦ, ଏମାନଙ୍କ ଖାଇବା ବି ବନ୍ଦ । ଧର୍ମଘଟ–ତେଣୁ ଉଠି ହାତ ମୁହଁ ଧୋଇବାକୁ ବି ଯାଉ ନାହାନ୍ତି ।

 

କ୍ଷୁଧାରେ ଏତେ ଆତୁର ହୋଇ ପଡ଼ିଥିଲି ଯେ, ଜଣକ ଭାତଥାଳି ଘୋଷାରି ଆଣୁଥିଲି । ସତେ ଅବା ଆକାଶ ଛିଡ଼ିପଡ଼ିଲା । ମାନେଜର ସେହି ଭାବ ଦେଖାଇ ମୋ ହାତରେ ଗୋଟିଏ ପ୍ରହାର ଦେଲେ । ଧର୍ମଘଟ–ଖାଇବା ମନା ।

 

ଧରି ନେଲି, ଏତେବେଳେ ଖାଇଲେ ବୋଧହୁଏ ସୃଷ୍ଟି ପ୍ରଳୟ ହୋଇଯିବ ।

 

ରାସ୍ତା କଡ଼ରେ ବସି, ଶୋଇ, ରାତିଟି ସହ ବାକି ସମୟ କଟାଇବା ବ୍ୟତୀତ ଆଉ ଉପାୟ ନ ଥିଲା ।

 

ରାତି ପାହିଲା, ଆମେ ଆଶ୍ୱସ୍ତ ହେଲୁ । ଭାବିଲୁ, ଧର୍ମଘଟ ଭାଙ୍ଗିଲା; ଆଜି ହେଲେ କେଉଁଠି ଟିକିଏ ଆଶ୍ରା ମିଳିବ, ଗଣ୍ଡାଏ ଖାଇବାକୁ ପାଇବୁ ।

 

ମାତ୍ର ତା’ ନୁହେଁ, ଆଜି ବି ଧର୍ମଘଟ ।

 

ଦଳେ ପିଲା ଆଗରେ ନାଲି ପତାକା ଧରି ଶୋଭାଯାତ୍ରାରେ ଯାଉଥିଲେ । କାଲି ବି ସେହି ପିଲାଙ୍କୁ ଦେଖିଥିଲୁ । କିନ୍ତୁ ହାତରେ ଥିଲା ଭିନ୍ନ ରଙ୍ଗର ପତାକା ।

 

ଗୋଟିଏ ଛୋଟ ପିଲା ପାଖକୁ ଚାଲିଯାଇ ପଚାରିଲି, ‘‘ଆଜି କ’ଣ ପୁଣି ଧର୍ମଘଟ ? କାହିଁକି ?’’

 

‘‘କାଲି ବାମପନ୍ଥୀଙ୍କର ଧର୍ମଘଟ ଥିଲା; ଆଜି ଦକ୍ଷିଣପନ୍ଥୀଙ୍କର । ଦେଖୁ ନାହଁ, ଆଜି ନାଲି ପତାକା । କାଲି କିନ୍ତୁ ଥିଲା ଶାଗୁଆ ରଙ୍ଗର ।’’ ପିଲାଟି ଉତ୍ତର ଦେଲା ।

 

ପଚାରିଲି–କାଲି କେତେ ମିଳିଥିଲା ? ଆଜି କେତେ ମିଳିବ ?

 

–କାଲି ଜଣ ପିଛା ଗୋଟିଏ ଟଙ୍କା, ବକତେ ମାଂସଝୋଳ ଭାତ, ଦୁଇଟା କଇଞ୍ଚି, ଆଉ ଗୋଟିଏ ମାତ୍ର ପେଗ୍‍…

 

–ଆଜି ?

 

–ଆଜି ଦେଢ଼ ଟଙ୍କା, ଦେଢ଼ ବକତ ଲୁଚି ମାଂସ, ଦେଢ଼ ପେଗ୍‍... ।

 

–ଭଲ ରୋଜଗାର ତ !

 

ଉତ୍ତର ମିଳିଲା, ‘‘ସବୁଦିନ କଅଣ ଜୁଟୁଛି ? ଦେଶରେ ଯଦି ତିରିଶଟା ପନ୍ଥୀ ଥାଆନ୍ତେ, ଆମର ସିନା ତିରିଶ ଦିନ ଚଳିଯାଆନ୍ତା । ମୋଟେ ତ ମାସକୁ ଆଠ ଦଶ ଦିନ କାମ ମିଳୁଅଛି, ଅନ୍ୟ ସବୁଦିନ ଫାଙ୍କା ।

 

ସିଧା ଷ୍ଟେସନକୁ ମୁହାଁଇବାକୁ ଭାବିଲି ।

 

ଗତକାଲି ଖାଡ଼ା ଉପାସ । ଆଜି ଦିନର ଅବସ୍ଥା ତ ସେହିପରି ହେବ । ଆସନ୍ତାକାଲି ଯଦି ପୂର୍ବପନ୍ଥୀଙ୍କ ଧର୍ମଘଟ, ପରଦିନ ପଶ୍ଚିମପନ୍ଥୀଙ୍କ ଧର୍ମଘଟ ଡାକରା ଦିଆଯାଏ, ତେବେ ଅବସ୍ଥା କଅଣ ହେବ ?

 

ପିଲାଟିର ତ ଆଶା, ତିରିଶ ପନ୍ଥୀ ବାହାରିଲେ ଜୀବନଧାରଣ ପନ୍ଥାଟା ସରଳ ହୋଇଯାଆନ୍ତା ।

 

ପୁଣି ଭାବିଲି, ପିଲାଙ୍କ ଶୋଭାଯାତ୍ରାରେ ମିଶିଯିବି କି ? ତାହେଲେ ପନ୍ଥାଟାଏ ମିଳିଯିବ-। ଖାଇବା ଚିନ୍ତା ଦୂର ହେବ, ତା’ ସାଙ୍ଗକୁ ଦକ୍ଷିଣା ବି ପକେଟକୁ ଆସିବ ।

 

ଏହି ସମୟରେ ପାଖରେ ଥିବା ସ୍ୱାମୀପରିତ୍ୟକ୍ତା ମହିଳା ବୋଧହୁଏ ରାଗରେ ପିଚାକୁ କାମୁଡ଼ି ଦେଲେ । ଭୋକ ଜ୍ୱାଳାରେ ମୋ ଦେହରୁ ପୁଳାଏ ମାଂସ ଖଇଯିବେ ନା କଅଣ ?

 

ଧଡ଼ପଡ଼ ହୋଇ ଉଠିବସିଲି । ଆଖି ମଳି ଚାରିଆଡ଼େ ଦେଖିନେଲି । ପାଖରେ କୌଣସି ମହିଳା ନାହାନ୍ତି । ରେଳଗାଡ଼ିରେ ବିନା ଟିକଟରେ ଆରାମରେ ପ୍ରତିଦିନ ଯା ଆସ କରୁଥିବା ଛାରପୋକ ହିଁ ପିଚାକୁ କାମୁଡ଼ି ଥିଲା–ମହିଳା ନୁହନ୍ତି ।

 

ଅବସ୍ଥା ବୁଝିଗଲି । ରେଳଗାଡ଼ି ଷ୍ଟେସନରେ ପହଞ୍ଚି ନାହିଁ । ଧରମଘଟ, ଧରମଘଟ, ଧରମଘଟ ଶବ୍ଦ କରି ଆଗେଇ ଚାଲିଅଛି ।

☆☆☆

 

ଆମରଣ ଅନଶନ

 

‘‘ଇଉନିଭର୍ସାଲ ବିଡ଼ି ଫାକ୍ଟରୀ’ ତା’ର କୋଡ଼ିଏ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏ ଦୃଶ୍ୟ ଦେଖି ନ ଥିଲା । ତା’ ଜୀବନରେ ଆଜି ଗୋଟିଏ ନୂଆ ଘଟଣା ଘଟିଗଲା । କାରିଗରମାନେ ଏକ ଧ୍ୟାନରେ ତାଙ୍କ କାମରେ ଲାଗି ରହିଅଛନ୍ତି–କିଏ ବେଶୀ ବିଡ଼ି ତିଆରି କରିବ, ତାରି ଉପରେ ତ ତାଙ୍କ ରୋଜଗାର, ଖୋରାକ ପୋଷାକ ନିର୍ଭର କରୁଅଛି । ଟିପ କ୍ଷିପ୍ର ଗତିରେ ଚାଲିଛି; ଆଖି ରାସ୍ତାର ଲୋକ ଚଳାଚଳ ଉପରେ ନିବଦ୍ଧ; ମୁହଁରେ ନାନା କଥା; ହସ, ଦୁଃଖ ।

 

ଏହି ସମୟରେ ଦୁଆରମୁହଁରେ ଗୁରୁ ଗର୍ଜନ ଶୁଣାଗଲା–‘‘ବିଡ଼ି ଶ୍ରମିକ ଏକଜୁଟ ହୁଅ, ଖଟିଖିଆ ଜାଗ, ବିଡ଼ି ଶ୍ରମିକ ସଂଘ ଜିନ୍ଦାବାଦ, ପୁଞ୍ଜିପତି ମାଲିକ ନିନ୍ଦାବାଦ ।’’

 

ବିଡ଼ି ବଳୁଥିବା ଶ୍ରମିକଙ୍କ ଟିପ ଅଟକି ଗଲା । ଆଖି ଉପରକୁ ଉଠିଗଲା । ପାଟିରୁ ଆଉ କଥା ବାହାରିଲା ନାହିଁ । ସେମାନେ ଦେଖିଲେ, ତାଙ୍କ ଫାକ୍ଟରୀର ଠାପୁଆ ହରିଆ ଗୋଟିଏ ନାଲି କନାର ପତାକା ଧରି ଆଗରେ ଠିଆ ହୋଇଅଛି । ପଛରେ ଆଉ ଆଠ ଦଶ ଜଣ ଅଜଣା ଅଶୁଣା ଲୋକ । ସମସ୍ତଙ୍କ ମୁହଁରୁ ଅନର୍ଗଳ ଉଚ୍ଚରୁ ଉଚ୍ଚତର ଶବ୍ଦ ବାହାରୁଅଛି–ବିଡ଼ି ଶ୍ରମିକ ଏକଜୁଟ ହୁଅ, ପୁଞ୍ଜିପତି ମାଲିକକୁ ଧ୍ୱଂସ କର ।

 

ସନାତନ ପାଟିଟାକୁ ମେଲା କରି ଏକ ଧ୍ୟାନରେ ଚାହିଁ ରହିଥିଲା । ବହୁ ସମୟ ପରେ ତା’ ପାଟିରୁ କଥା ବାହାରିଲା–ମା’ ଦେହ ନୟାନ୍ତ ବୋଲି କହି ପରା ହରିଆ ଆଜି ଛୁଟି ନେଇଥିଲା-?

 

ସମସ୍ତେ ତା’ ମୁହଁକୁ ଚାହିଁ ରହିଲେ, କେହି କିଛି ଉତ୍ତର ଦେଇପାରିଲେ ନାହିଁ ।

 

ସଂଧ୍ୟାରେ ପଚିଶ ଜଣଙ୍କ ଉପସ୍ଥିତିରେ ଗୋଟିଏ ବିରାଟ ସଭା ହେଲା । ଓକିଲ ଋଷିବାବୁ ହେଲେ ତା’ର ସଭାପତି । ପନ୍ଦର ଜଣ ବକ୍ତା ଅତି ଗରମାଗରମ ବକ୍ତୃତା ଦେଇ ସଭାମଞ୍ଚ ତତାଇ ଦେଲେ । ତା’ର ସାରମର୍ମ–ଇଉନିଭର୍ସାଲ ବିଡ଼ି କରଖାନା ମାଲିକ ଛାରପୋକ ଭଳି ଆମ ଶ୍ରମିକଙ୍କ ରକ୍ତ ଶୋଷି ନେଉଛି । ଆମମାନଙ୍କୁ ଦିନଯାକ ଖଟାଉଛି, ସଂଧ୍ୟାକୁ ପଇସା ଦେଉଅଛି–ଦେଢ଼ ଟଙ୍କା, ଦୁଇ ଟଙ୍କା । ଏ ଅନ୍ୟାୟ, ଏ ଅଧର୍ମ ଶ୍ରମିକ ଆଉ ସହ୍ୟ କରିବ ନାହିଁ । ଶ୍ରମିକ ଆଜି ଜାଗ୍ରତ, ସେ ଆଜି ଶତସିଂହର ବଳ ପାଇଅଛି । ସେ ତା’ର ଦାବି ହାସଲ କରିବ ହିଁ କରିବ । ମାଲିକ କେବଳ ବସି ରହିରହି ଯେଉଁ ହାକିମ କରୁଛି, ତାହା ଅସହ୍ୟ ।

 

ସଭା ମଧ୍ୟରୁ ଧ୍ୱନି ଉଠେ–‘‘ଅସହ୍ୟ, ଅସହ୍ୟ’’ ।

 

ଶେଷକୁ ନିଖିଳ ଭାରତ ବିଡ଼ି ଶ୍ରମିକ ସଂଘ ଅନୁଷ୍ଠାନ ଗଢ଼ାଗଲା । ଓକିଲ ଋଷିବାବୁ ହେଲେ ତା’ର ସଭାପତି । ଶ୍ରୀ ହରିହର ପ୍ରଧାନ ଓରଫ ଠାପୁଆ ହରିଆ ସଂପାଦକ । ଆଉ ଯେଉଁ ପାଞ୍ଚଜଣ ସଭ୍ୟ ରହିଲେ, ବିଡ଼ି କାରଖାନା ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ । ଘର କେଉଁଠି ଜଣା ନାହିଁ ।

 

ସନାତନକୁ ରାତିରେ ନିଦ ହେଲା ନାହିଁ । ସେ ବିଛଣାରେ ପଡ଼ିରହି ଗଲା କୋଡ଼ିଏ ବର୍ଷର କଥାଗୁଡ଼ାକ ଭାବୁଥାଏ । ଘଟଣାସବୁ ଯେପରି କି ଚଳଚ୍ଚିତ୍ର ପରି ଗୋଟାକ ପରେ ଗୋଟାଏ ତା’ ମନରେ ଖେଳି ଯାଉଥାଏ ।

 

ବଢ଼ିରେ ଏ ଅଞ୍ଚଳ ଛାରଖାର ହୋଇଗଲା । ଘରଦ୍ୱାର ଭାସିଗଲା । ଧାନ ଫସଲ ତ ସମୂଳେ ଧୋଇଗଲା ।

 

ବର୍ଷା ଛାଡ଼ିଲା, ବଢ଼ି କମିଲା; କିନ୍ତୁ ଲୋକଙ୍କ ପାଇଁ ରଖି ଦେଇଗଲା ଅସରନ୍ତି ଦୁଃଖ । ଖରା ବର୍ଷାରେ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରା ନାହିଁ, ପେଟର ଭୋକ ମାରିବାକୁ ଦାନା ମୁଠାଏ ନାହିଁ କି ଲାଜ ଲୁଚାଇବାକୁ କନା ଖଣ୍ଡେ ନାହିଁ ।

 

ଅବଶ୍ୟ ସରକାର ଚାଉଳ, ଚୁଡ଼ା, ଲୁଣ ଆଣି ସାହାଯ୍ୟ ବାଣ୍ଟିଲେ । ମୁଷ୍ଟିଭିକ୍ଷା ଦିଆଗଲା-। କେତେ ଧନୀ, ଦୟାଳୁ ଲୋକେ ଅନ୍ନଛତ୍ର ଖୋଲିଲେ । ମାତ୍ର ଲୋକଙ୍କ ଦୁଃଖ ସେଥିରେ ଗଲା ନାହିଁ ।

 

ସେ ତ ଆଉ ଆଜିକାଲିକାର ଯୁଗ ନ ଥିଲା ଯେ, ଅନ୍ନଛତ୍ରରେ ଉବୁଡ଼ା ପଡ଼ିବ । ଦଶଜଣଙ୍କ ସହିତ ମିଶି ମୁଠିଭିକ୍ଷାକୁ ହାତ ପତେଇ ଦେବ; ଯେତେ ଇଚ୍ଛା ସେତେ କଳେ ବଳେ କଉଶଳେ ମାରି ନେବାକୁ ବାହାଦୁରି ମନେ କରିବ ।

 

ଲୋକେ ଲାଜ ସରମରେ ଭଙ୍ଗାକାନ୍ଥ ଉହାଡ଼ରେ ଲୁଚି ରହିଲେ–ପେଟ ଭୋକ ପେଟରେ ମାରିଲେ, ଲାଜସରମକୁ ବଡ଼ କଲେ ।

 

ଏହି ସମୟରେ ଦେବଦୂତ ରୂପେ ଆସି ପହଞ୍ଚିଲେ ଆର ସାହିର ମୋବାରକ ମିଆଁ–ରହେମତ ମିଆଁଙ୍କ ପୁଅ । ବିଚରା ବହୁଦିନ ହେଲା କାଳିମାଟିକି ରେଙ୍ଗୁନରେ ରହିଥିଲା; ଦୁଇ ପଇସା ବୋଧହୁଏ ଭଲ ରୋଜଗାର କରୁଥିଲା । ମାସକୁ ମାସ ମନିଅର୍ଡ଼ର କରି ଘରକୁ ଟଙ୍କା ପଠାଉଥିଲା ।

 

ସେ ଖୋଲିଲା ଏହି ବିଡ଼ି କାରଖାନା । ନାଁ ଦେଲା–ଇଉନିଭର୍ସାଲ ବିଡ଼ି ଫାକ୍ଟରୀ ।

 

ସନାତନ ସେତେବେଳେ ପିଲା । କେତେ ଅବା ବୟସ ହେବ–ଏହି ବାର କି ଚଉଦ ବର୍ଷ । ଆଉ କେତୋଟି ତାରି ବୟସର ପିଲା ବି ଜୁଟିଲେ । ମୋବାରକ ସେମାନଙ୍କୁ କାମ ଶିଖାଇଲେ । କେମିତି ପତ୍ର କାଟିବ, କିପରି ତମାଖୁ ଭରି ବିଡ଼ି ବଳିବ, ସୂତା ଗୁଡ଼ାଇବ, ମୁହଁ ପୋଡ଼ା ହେବ–ଗୋଟି ଗୋଟି ସବୁ କାମ ବତାଇଲେ–ଠିକ୍‌ ଯେପରି ମାଷ୍ଟର ପିଲାଙ୍କୁ ପାଠ ପଢ଼ାନ୍ତି-

 

ପତ୍ର କେଉଁଠୁ ଆସେ, ତମାଖୁ କିଏ ଯୋଗାଏ–ଏହା କେହି ଜାଣନ୍ତି ନାହିଁ । ଜାଣିବାକୁ ବି ଇଚ୍ଛା କରନ୍ତି ନାହିଁ । ସକାଳୁ ଆସନ୍ତି, ସଞ୍ଜଯାଏ ବିଡ଼ି ବଳନ୍ତି । ଘରକୁ ଫେରିଲା ବେଳକୁ ଯାହା ମଜୁରୀ ମିଳେ, ସେଥିରେ ଚାଉଳ କିଣନ୍ତି, ଲୁଣ କିଣନ୍ତି । କ୍ରମେ ଦୁଃଖ କଷ୍ଟ ଲାଘବ ହୋଇଯାଏ ।

 

ସନାତନର ପୁଣି ମନେପଡ଼ିଲା, ବିଡ଼ି କୁଆଡ଼େ ଯାଏ, ସେ ଜାଣେ ନାହିଁ । କେତେ ଟଙ୍କା ମିଳେ, ତାହା ବୁଝେ ନାହିଁ । କିନ୍ତୁ ଥରେ ନୁହେଁ, ଦୁଇଥର ନୁହେଁ, କେତେ ଥର ଯେ କାରଖାନା ବନ୍ଦ ହୋଇଯିବାକୁ ବସିଛି ତା’ର ଠିକ୍‌ ନାହିଁ । କଅଣ ନା, ବଜାର ମାନ୍ଦା, ବିଡ଼ି ବିକ୍ରି ହେଉ ନାହିଁ । ଟଙ୍କା ଆସୁ ନାହିଁ ।

 

ତଥାପି କେବେ ହେଲେ ସେମାନଙ୍କ ମଜୁରୀ ବାକି ପଡ଼ି ନାହିଁ କି କାମ ବନ୍ଦ ହୋଇ ନାହିଁ । ସେମାନେ କେବେ ଅସୁବିଧା ଭୋଗି ନାହାନ୍ତି । ସେ ଜାଣିଛି, ମୋବାରକ ମିଆଁ ତାଙ୍କ ବାପା ଅଜାଙ୍କ ଭିଟାମାଟି ବନ୍ଧା ପକାଇଛନ୍ତି; ମହାଜନଠାରୁ ଟଙ୍କା କରଜ ଆଣି କାରଖାନାରେ ଲଗାଇଛନ୍ତି-

 

ଏବେ ଅବଶ୍ୟ ସେ ଅବସ୍ଥା ନାହିଁ । ମୋବାରକ ନିଜ ପାଇଁ ଖଣ୍ଡିଏ ଭଲ ଘର କରିଛନ୍ତି-। ସେ କ’ଣ ଘର କରି ନାହିଁ ? ଏକା ସେ କାହିଁକି, ଯେତେ କାରିଗର କାମ କରୁଛନ୍ତି, ସମସ୍ତେ ବର୍ତ୍ତମାନ ମଉଜରେ ଅଛନ୍ତି । ସେତେବେଳେ ସଞ୍ଜବେଳକୁ ଟଙ୍କାଏ ମସାଏ ମିଳୁଥିଲା । ଏବେ ତିନି ଚାରି ଟଙ୍କା ମିଳୁଅଛି । ଟ୍ରକରେ ଲଦା ହୋଇ ପତର, ତମାଖୁ ବସ୍ତା ବସ୍ତା ଆସୁଅଛି, ବିଡ଼ି ବାହାରକୁ ପଠାଯାଉଛି ପ୍ରତିଦିନ ।

 

ସେ ତ ଆଉ କଟକ, ପୁରୀ ନୁହେଁ, ମଫସଲର ଗୋଟିଏ ଛୋଟ ବଜାର । ମରୁଭୂମିରେ ଗବଗଛ ହିଁ ଦ୍ରୁମ । ଏଠାରେ ‘‘ଇଉନିଭର୍ସାଲ ବିଡ଼ି ଫ୍ୟାକ୍ଟରୀ’’ ଗୋଟାଏ କାରଖାନା ।

 

ଆଜିକାଲି ମ୍ୟାନେଜର ରହିଅଛି–ହିସାବ ରଖେ । ସରକାରୀ ଲୋକ ଆସିଲେ, ସେମାନଙ୍କ କଥା ବୁଝେ । ବିକ୍ରି ଟିକସ, ଇନ୍‌କମ ଟିକସ ଆଦି କେତେ ପ୍ରକାର କର ସରକାରଙ୍କୁ ଦେବାକୁ ପଡ଼ୁଅଛି । ବାଘଖିଆ କାଟେ ନାହିଁ–ବାଘଘୋଷରାହିଁ ଯନ୍ତ୍ରଣା ଦିଏ । ଟଙ୍କା ଦେବାରେ ବାଧା ନାହିଁ; ହାକିମ ହୁକୁମାଙ୍କୁ ବୋଧଶୋଧ କରିବା, ହିସାବ ଠିକ୍‌ଠିକ୍‌ ବୁଝାଇବାହିଁ କାଠିକର ପାଠ-। ମୋବାରକ ମିଆଁ ତ ପାଠ ପଢ଼ିନାହାନ୍ତି–ମୂର୍ଖ । କାରିଗରଙ୍କ ସହିତ ମିଳିମିଶି ବିଡ଼ି ବଳିବଳି ଆଙ୍ଗୁଠି ବିଣ୍ଡି ହୋଇଛି; ସେଥିରେ କଲମ ଧରି ହେବ ନାହିଁ । ତେଣୁ ମାସକୁ ଶହେଟଙ୍କା ଅକଲ ସଲାମୀ ଦେବାକୁ ପଡ଼ୁଅଛି–ମ୍ୟାନେଜରଙ୍କ ଦରମା ।

 

ସେ ରାତିଟା ସନାତନର ଅନିଦ୍ରାରେ ହିଁ କଟିଗଲା ।

 

ଋଷିବାବୁଙ୍କ ଘରେ କମିଟି ବୈଠକ ବସିଛି । ଋଷିବାବୁ ବୁଝାଇ ଚାଲିଛନ୍ତି–ଦେଖ, ତୁମେ ମେହନତ କରୁଅଛ । ସକାଳୁ ସଂଧ୍ୟାଯାଏଁ ଝାଳନାଳ ହୋଇ ଖଟୁଅଛ । ତୁମର ଏତେ ପରିଶ୍ରମର ଫଳ ମାରିନେଉଛି ମୋବାରକ ମିଆଁ । ସେ ଧନୀ, ସେ ପୁଞ୍ଜିପତି, ସେ କାରଖାନାର ମାଲିକ । ତୁମ୍ଭମାନଙ୍କୁ ଡରାଇ, ହରାଇ ଥରାଇ ରଖିଅଛି । ତୁମେ ଯଦି ଦିନେ କାମ ବନ୍ଦ କରିଦେବ, ତା’ ଅବସ୍ଥା ତୁମଠାରୁ ହୀନ ହୋଇଯିବ । ତାହାହେଲେ ସେ ତୁମକୁ ଦୁଇଗୁଣ ତିନିଗୁଣ ମଜୁରି ଦେବ । ଏବେ ତୁମେ ଦିନକୁ ଦୁଇ ତିନି ଟଙ୍କା ପାଉଅଛ, ସାତ ଟଙ୍କା ପାଇବ, ମଉଜରେ ଚଳିବ ।

 

କିଏ ଜଣେ ପଚାରିଲା–ଏତେ ଟଙ୍କା ଆସିବ କୁଆଡ଼ୁ ?

 

ଋଷିବାବୁ ଉତ୍ତର ଦେଲେ, ‘‘ତୁମେ ବୋକା; ତୁମେ ମୂର୍ଖଗୁଡ଼ାକ ସେଥିପାଇଁ ସେ ତୁମ ରକ୍ତ ଶୋଷୁଅଛି । ତୁମେ ଚାଷ କରିବ, ସେ ଫସଲ କାଟି ଖାଇବ । ମାସକୁ ହଜାର ହଜାର ଟଙ୍କା ଲାଭ ହେଉଅଛି । ତୁମେ କଅଣ ତା’ ଜାଣୁଛ ? ସେ ତୁମରି ଟଙ୍କାରେ ବାବୁ, ତୁମେ କାମ କରୁଛ ବୋଲି ଚାକର । ଏହା ତୁମର ନୁହେଁ ; ତୁମ ଦେଶର ଦୋଷ । ଜଣେ ଧନୀ, ଜଣେ ଗରିବ । ଗୋଟାଏ ମୋଟା ଶାଳଗଛ ଓ ଆଉ ଗୋଟାଏ ବାଉଁଶ କଣି । ଜଣେ ମାଲିକ, ଅନ୍ୟ ଜଣେ ଚାକର-। ଆମ ଦେଶରେ ଏହା ନାହିଁ ।

 

‘‘ତୁମ ଦେଶ କେଉଁଠି କି ବାବୁ ?’’ କେହି ଜଣେ ଡରିହରି ପ୍ରଶ୍ନ କଲେ ।

 

‘‘ମୋ ନାଁରୁ ଜାଣିପାରୁ ନାହଁ ? ତୁମ ଭଳି ମୋ ନାଁ କଅଣ ରାମା, ହରିଆ ହୋଇଛି ? ଆମ ଦେଶରେ ସମସ୍ତେ ସମାନ । ସମସ୍ତେ ଏକାପରି, ସମସ୍ତେ ବାବୁ ।’’

 

ସନାତନ ଆଉ ସମ୍ଭାଳି ନ ପାରି ପଚାରିଦେଲା–ଏଠି ଆମେ କଅଣ ଆଉ ଅସମାନ ହୋଇଛୁ କି ?

 

ୠଷିବାବୁ ଉତ୍ତର ଦେଲେ–ମୋବାରକ ମିଆଁଙ୍କର ତିନି ପୁଅ, ଦୁଇ ଝିଅ । ତୁମର କେତୋଟି ? ଗୋଟିଏ ତ ହୋଇନାହାନ୍ତି । ଧନ ସଂପତ୍ତି କଥା ଛାଡ଼ିଦିଅ । ଏଇଥିରୁ ବୁଝ ଯେ, ଏ ଦେଶରେ କେହି ସମାନ ନୁହନ୍ତି ।

 

ବହୁତ ରାତିଯାଏଁ ସଭା ଚାଲିଲା । ଶେଷରେ ଠିକ୍‌ ହେଲା, ଇଉନିଭର୍ସାଲ ବିଡ଼ି ଫ୍ୟାକ୍ଟରୀରେ ଧର୍ମଘଟ ହେବ । ତାହେଲେ ମାଲିକଙ୍କଠାରୁ ବହୁତ ଟଙ୍କା ଝଡ଼ିବ । କାରିଗରମାନେ ଶହ ଶହ ଟଙ୍କା ପାଇବେ–ସମସ୍ତେ ସମାନ ହେବେ ।

 

ସନାତନ ଉଠି ଯାଉ ଯାଉ ନିଜକୁ ନିଜେ ପଚାରିଲା–ତାହେଲେ ମୋର ତିନିପୁଅ, ଦୁଇଝିଅ ନିଶ୍ଚୟ ହେବେ ?

 

ଇଉନିଭର୍ସାଲ ବିଡ଼ି ଫାକ୍ଟରୀ ଦୁଇଦିନ ହେଲା ବନ୍ଦ । କାରିଗରମାନେ ଧର୍ମଘଟ କରିଅଛନ୍ତି । ଶେଷରେ ଠିକ୍‌ ହେଲା, କାରଖାନା ଆଗରେ ଅନଶନ କରାଯିବ–ଆମରଣ ଅନଶନ-। ପ୍ରଥମ ପାଳି ପଡ଼ିଛି ସନାତନର । ସେ ହେବ ନେତା, ପ୍ରଥମେ ଅନଶନ କରିବ ସେହି । ଏବେ ଅନ୍ୟ ଧ୍ୱନି ସହିତ ନୂଆ ଧ୍ୱନି ଉଠୁଛି–ଜୟ ଆମ ନେତା ସନାତନ କି ଜୟ ।

 

ପ୍ରଥମେ ସନାତନ କିଛି ବୁଝିପାରୁନଥିଲା । ସେ କହିଥିଲା–ବାପ୍‌ରେ ବାପ୍‌; ଆମରଣ ଅନଶନ ? ମୋ ଖାଇବା ବେଳ ତ ଟିକିଏ ଡେରି ହୋଇଗଲେ ମୋ ହଂସା ଉଡ଼ିଯାଏ, ମୁଣ୍ଡ ଘୂରିଯାଏ । ମୁଁ ଅନଶନ କରିବି କିପରି ? ପୁଣି କଅଣ ନାଁ–ଆମରଣ ଅନଶନ ।

 

ଠାପୁଆ ହରିଆ ବୁଝାଇ ଦେଇଥିଲା–ଆମ ଋଷିବାବୁ ପରା କହିଅଛନ୍ତି–ଆମରଣ ଅନଶନ ବୋଇଲେ ଆମ ରଣ ସରିବା ପର୍ଯ୍ୟନ୍ତ ଅନଶନ । ସଞ୍ଜହେବା ଆଗରୁ ତ ଆମ ରଣ ସରି ଯାଇଥିବ, ତୁ ଅନଶନ ଭାଙ୍ଗିବୁ । ସକାଳେ ଭାତ, ମାଂସ ତରକାରୀ ପେଟେ ଖାଇବାକୁ ଦିଆଯିବ । ଋଷି ବାବୁ ସେ ବ୍ୟବସ୍ଥା କରିଅଛନ୍ତି । ତୋ ବେକରେ ଫୁଲମାଳ ପଡ଼ିବ । ଆମେ ସମସ୍ତେ ଶୋଭାଯାତ୍ରାରେ ତୋତେ ନେଇ କାରଖାନା ଦୁଆର ମୁହଁରେ ବସାଇ ଦେବୁ, ଘେରି ରହି ନାନାପ୍ରକାର ଧ୍ୱନି ଦେବୁ । ତାହେଲେ ବହୁତ ଲୋକ ସେଠାରେ ରୁଣ୍ଡ ହେବେ; ତୋତେ ଦେଖିବେ, ଧନ୍ୟଧନ୍ୟ କହିବେ । ତୋର ଫଟୋ ଉଠିବ, ଖବରକାଗଜମାନଙ୍କରେ ଛପାଯିବ । ଦୁନିଆ ଲୋକେ ତୋତେ ଚିହ୍ନିବେ, ଜାଣିବେ । ସଞ୍ଜବେଳକୁ ସଭା ହେବ, ତୁ ହେବୁ ସଭାପତି । ସେଠାରେ କମଳା ରସ ତୋତେ ପିଇବାକୁ ଦିଆଯିବ । ସଭାରେ ଘୋଷଣା କରାଯିବ–ଆମ ରଣ ଶେଷ ହେଲା ।

 

ମାଂସ ତରକାରୀ ଭାତ, ସନ୍ଧ୍ୟାରେ ଗିଲାସେ କମଳା ରସ–ସନାତନ ଶୁଣି ଖୁସି ହୋଇଗଲା । ସଙ୍ଗେସଙ୍ଗେ ତା’ ମନରେ ଖେଳିଗଲା–ତିନି ପୁଅ, ଦୁଇ ଝିଅ ।

 

ସନାତନ ଅନଶନ କଲା । ଚକା ପକାଇ କାରଖାନା ଦୁଆରମୁହଁ ପିଣ୍ଡାରେ ବସି ରହିଲା-। ରାସ୍ତାରେ ଚାଲିଯାଉଥିବା ଲୋକ ସେଠାରେ ରୁଣ୍ଡ ହେଲେ । ତାକୁ ଧନ୍ୟଧନ୍ୟ କହିଲେ-। ତା’ ସଙ୍ଗେସଙ୍ଗେ ମାଲିକର ଚଉଦ ପୁରୁଷ ଉଦ୍ଧାର କରି ଗାଳିଗୁଲଜ କଲେ । ପ୍ରତିଜ୍ଞା କଲେ, ମୋବାରକର ଅନ୍ୟାୟ ଅନୀତି ଯୋଗୁଁ ଏ କାରଖାନା ଭାଙ୍ଗିଯିବ ପଛକେ, ଏଠାରେ କେହି କାମ କରିବେ ନାହିଁ । ମୋବାରକ ଘରଡ଼ିହ ବିକ୍ରି ହେବ, ସେ ଘରଘର ବୁଲି ଭିକ ମାଗିବ, ଆମ ପାଦତଳକୁ ଆସିବ । ତେବେ ଯାଇ କାରିଗରଙ୍କ ମନବୋଧ ହେବ । ତା’ ହେବହିଁ ହେବ, ଆଜି ନ ହେଲେ କାଲି ହେବ ।

 

ଦିନ ଗଡ଼ିବା ସଙ୍ଗେସଙ୍ଗେ ଉତ୍ତେଜନା କମିକମି ଯାଉଥାଏ । ଶେଷରେ ଦେଖାଗଲା, ସନାତନ ଏକାକୀ ସେଠାରେ ବସି ରହିଛି । କେହି ଜଣେ ହେଲେ ଆଉ ପାଖରେ ନାହାନ୍ତି । ଭୋକରେ ପେଟ ଜଳୁଛି, ମନ ଜଳୁଛି ତାଠାରୁ ବେଶି ।

 

ସନ୍ଧ୍ୟାବେଳେ ସଭା ହେଲା । ସଭାପତି ହେଲେ ୠଷି ବାବୁ । ବଡ଼ ଗରମାଗରମ ବକ୍ତୃତା ଦେଲେ, ସନାତନକୁ ଖୁବ୍‌ ପ୍ରଶଂସା କଲେ ।

 

ସନାତନ ଏକୁଟିଆ ପିଣ୍ଡାରେ ବସି ରହିଥାଏ । ଆଉ କେତେବେଳ ବା ବସିବ । ସଭା ଶେଷ ହେବା ଆଗରୁ ଚୁପ୍‌ଚାପ୍‌ ଉଠି ସମସ୍ତଙ୍କ ଅଜାଣତରେ ଘରକୁ ଚାଲିଗଲା ।

 

ଶ୍ରମିକମାନେ ପ୍ରତିଜ୍ଞା କରିଥିଲେ–ଏ କାରଖାନା ଭାଙ୍ଗିଯିବ, ମୋବାରକ ମିଆଁ ଘରଡ଼ିହ ବିକିବ, ଭିକ ମାଗିବ, ସେମାନଙ୍କ ପାଦତଳକୁ ଆସି ଶରଣ ପଶିବ, ତେବେ ଯାଇ ସେମାନଙ୍କ ମନ ବୋଧ ହେବ ।

 

କିନ୍ତୁ ଚାରିଦିନ ପରେ ପୁଣି କାରଖାନା ଚାଲିଲା । ପତ୍ର କଟା ହେଲା, ବିଡ଼ି ବଳାଗଲା । ବିଡ଼ିର ମୁହଁ ପୋଡ଼ାଗନ୍ଧରେ ସେ ସ୍ଥାନ ଆମୋଦିତ ହେଲା । ମାତ୍ର ସନାତନର ପାଦ ଆଉ ସେଠାରେ ପଡ଼ିଲା ନାହିଁ ।

 

ମୋବାରକର ଇଚ୍ଛା, ସନାତନ ଆସୁ, କ୍ଷମା ମାଗୁ, ତା’ ପୂର୍ବ ସ୍ଥାନରେ ବସି ବିଡ଼ି ବଳୁ ।

 

ସନାତନ ଲାଜରେ କାରଖାନା ବାଟ ମାଡ଼ିଲା ନାହିଁ, କାହାରିକୁ ମୁହଁ ଦେଖାଇଲା ନାହିଁ-। କୋଡ଼ିଏଟା ବର୍ଷର ସମ୍ପର୍କ, ସ୍ନେହମମତା ଚାରିଟା ଦିନରେ କିପରି ଯେ ଏକାବେଳକେ ଓଲଟିଗଲା, ସେହି କଥା ଭାବିଭାବି ସେ କୂଳକିନାରା ପାଇଲା ନାହିଁ ।

 

କାରଖାନାର ନୂଆ ପରିବର୍ତ୍ତନ ହୋଇଗଲା । କୋଡ଼ିଏ ବର୍ଷର କାରିଗର ସନାତନ ଗଲା । ତାହାର ସାଥୀ ଆଉ ଦୁଇ ତିନିଜଣ ବି ଗଲେ । ସେମାନଙ୍କ ସ୍ଥାନରେ ନିଯୁକ୍ତି ପାଇଲେ ନୂଆ ଗଢ଼ାଯାଇଥିବା ଶ୍ରମିକ ସଙ୍ଘର ସଭ୍ୟମାନେ–ଅଜଣା, ଅଶୁଣା, କାମରେ ଅପଟୁ । ସେମାନେ ଋଷିବାବୁଙ୍କ ଜ୍ଞାତିବନ୍ଧୁ, ଅନୁଚର । ଠାପୁଆ ହରିଆ ହେଲା ସୁପରଭାଇଜର–ବିଡ଼ି କାରିଗରଙ୍କ ସର୍ଦ୍ଦାର ।

 

ମୋବାରକ ଭାବିଲେ, ସରକାରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମ୍ୟାନେଜର ପିଛା ମାସକୁ ଶହେ ଟଙ୍କା ଦେଉଥିଲି । ସେଥିରେ ଆଉ ପଚାଶ ଟଙ୍କା ବଢ଼ିଲା ଋଷିବାବୁଙ୍କ ପ୍ରାପ୍ୟ । ହେଉ ପଛେ, କ୍ଷତି କଅଣ ?

 

ମୋ କଥାଟି ସଇଲା; ଫୁଲ ଗଛଟି ମଉଳିଳା । ‘‘ଫୁଲଗଛ କାହିଁକି ମଉଳିଲୁ ?’’

 

‘‘ଆମରଣ ଅନଶନ ।’’

 

ସମସ୍ତଙ୍କ ସାଙ୍ଗରେ ତାଳ ପକାଇ ସନାତନ ଧ୍ୱନି ଦେଇଥିଲା । ‘‘ମାଲିକ ଧ୍ୱଂସ ହେଉ, କାରଖାନା ଭାଙ୍ଗିଯାଉ, ମୋବାରକ ଭିକ ମାଗୁ ।’’

 

ସନାତନର କାମ ଗଲା; କିନ୍ତୁ ସେ ଭିକ ମାଗିପାରିଲା ନାହିଁ । ଘରେ ପଡ଼ିପଡ଼ି ଭୋକ ଉପାସରେ ଶେଷ ଦଶା ଭଜିଲା । ତା’ ସ୍ତ୍ରୀ ଯେତେବେଳେ ପାଟିରେ ଶେଷଥର ପାଇଁ ମୁନ୍ଦାଏ ପାଣି ଦେଲା, ସେତେବଳେ ତା’ ଓଠ ଥରିଗଲା । ଅସ୍ପଷ୍ଟ ଭାବରେ ଶୁଣାଗଲା, ସେ ଯେପରି କହୁଅଛି,

 

‘‘ଆମରଣ ଅନଶନ ।’’

 

ଏକଥା ମୋବାରକଙ୍କ କାନରେ ବାଜିଲାକ୍ଷଣି ତାଙ୍କ ଆଖିରୁ ଦୁଇଟୋପା ଲୁହ ଗଡ଼ିପଡ଼ିଲା । ସମସ୍ତଙ୍କ ଅଜ୍ଞାତରେ ସେ ଶୁଦ୍ଧିକାର୍ଯ୍ୟ ପାଇଁ ପଚାଶ ଟଙ୍କା ପଠାଇ ଦେଇଥିଲେ–ଋଷିବାବୁଙ୍କର ଗୋଟାଏ ମାସର ପାଉସରି ।

☆☆☆

 

ଦୁର୍ଗା ପୂଜା ସମସ୍ୟା

 

ପଞ୍ଜିକାଗଣକ ଜ୍ୟୋତିଷୀମାନଙ୍କ ଧର୍ମ ହେଉଛି, ପରସ୍ପରର ମତ ବିରୋଧ । କିନ୍ତୁ ଏବର୍ଷ ତା’ର ବ୍ୟତିକ୍ରମ ଘଟିଛି । ସବୁ ପଞ୍ଜିକା ସମସ୍ୱରରେ ଏକମତ ହୋଇ ଘୋଷଣା କରିଅଛନ୍ତି ଯେ, ଏବର୍ଷ ଦଶହରା ସମୟରେ ହିମାଦ୍ରିନନ୍ଦିନୀ ଦୁର୍ଗତିନାଶିନୀ ଶ୍ରୀ ଦୁର୍ଗା ଭାରତ ଭ୍ରମଣରେ ଆସିବେ ନାହିଁ । ଏହା ଏକାନ୍ତ ମାତୃଗତ ପ୍ରାଣ ହିନ୍ଦୁଙ୍କ ମଧ୍ୟରେ ମହାଆତଙ୍କ ଖେଳାଇ ଦେଇଛି । ବିଶେଷତଃ ଶ୍ରୀ ଜଗନ୍ନାଥ ଅଧ୍ୟୁଷିତ ପବିତ୍ର ଓଡ଼ିଶା ଖଣ୍ଡର ଅଧିବାସୀ ବେଶି ବିଚଳିତ । ସବୁଠାରୁ ବେଶୀ ବ୍ୟଥିତ କଟକ ସହରର ଗୋଡ଼ି, ମେଟାଲ, ଭଙ୍ଗାଇଟା, ପଥରଠାରୁ ଆରମ୍ଭ କରି ‘ସାହିବାଲେ ପର୍ଯ୍ୟନ୍ତ ।’ ଗୋଡ଼ି, ଇଟା, ମେଟାଲ ଗଦାଙ୍କର ଭାବନା, ଆମେ ବର୍ଷବର୍ଷ ଧରି ରାସ୍ତା କଡ଼ରେ ଗଦା ହୋଇ ସତୃଷ୍ଣ ନୟନରେ ଅପେକ୍ଷା କରି ରହିଛୁ, ଦୁର୍ଗାପୂଜାରେ ସଦୁପଯୋଗରେ ଲାଗିବୁ ବୋଲି । ଏ ବର୍ଷ କଅଣ ସେ ସୌଭାଗ୍ୟ ଆମର ହେବ ନାହିଁ ? ଆମେ କଅଣ ଏବର୍ଷ କାହାରି ପ୍ରରୋଚନାରେ ଅନ୍ୟର ସର୍ବାଙ୍ଗ ଚୁମ୍ବନ କରି କୃତାର୍ଥ ହେବୁ ନାହିଁ ? ଅସମ୍ଭବ ଏହା ହୋଇ ନ ପାରେ ।

 

ରାସ୍ତାମାନଙ୍କର ଚିନ୍ତା–ଏ ବର୍ଷ ମେଢ଼ ବିସର୍ଜନ ସମୟରେ କୁରୁପାଣ୍ଡବ ଯୁଦ୍ଧର ଘନଘଟା କଅଣ ଦେଖିବାର ସୁଯୋଗ ଆମର ଘଟିବ ନାହିଁ ? ମାତୃଭକ୍ତ ଧର୍ମପ୍ରାଣ ସହରବାସୀଙ୍କ ରକ୍ତରେ ଆମ୍ଭେମାନେ କଅଣ ରଞ୍ଜିତ ଓ ପବିତ୍ର ହେବୁ ନାହିଁ ?

 

ଚିତ୍ରକର, ବାଜାଦାର, ଲାଉଡସ୍ପିକର, ପୂଜକ, ରିକ୍‌ସାଚାଳକ–ସମସ୍ତଙ୍କର ସେଇ ଏକ ଭାବନା । ଏ ବର୍ଷ ନବଗ୍ରହକୂଟ ପଡ଼ିଲା ନା କଅଣ ? ଆମେ ବର୍ଷକଯାକ ଚଳିବୁ କିପରି ?

 

ସବୁଠାରୁ ବେଶି ବ୍ୟାକୁଳ, ‘‘ହାମ୍‌ସାଇ ବସ୍ତିବାଲେ ।’’

 

–ଆମେ ଯେ ତେଲପାଗ କରି ଏତେ ଯତ୍ନରେ ଠେଙ୍ଗାସବୁ ସଜାଡ଼ି ରଖିଛୁ, ସେଗୁଡ଼ାକ ଯେ କାହାରି ମସ୍ତକ ସ୍ପର୍ଶ କରିବ ନାହିଁ ! ଚାନ୍ଦା ଉଠାଇବାର ମଉକା ମଧ୍ୟ ମାଡ଼ ଖାଇଯାଉଛି । ସାଇରେ ମାଇକ୍‌ ଗର୍ଜନ କଲେ ସାଇର ମାନ ମହତ ଆଉ ରହିବଟିକି ?

 

ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ, ସମାଜସେବୀ ନେତାଠାରୁ ପୁଲିସ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ବ୍ୟତିବ୍ୟସ୍ତ ହୋଇଉଠିଲେ । ସମ୍ବାଦପତ୍ରରେ ପୃଷ୍ଠାପୃଷ୍ଠା ବ୍ୟାପୀ ବିବୃତି ପ୍ରକାଶ ପାଇଲା । ସ୍ଥାନେ ସ୍ଥାନେ ସଭା, ବୈଠକୀ, ବନ୍ଧୁମିଳନ, ସମାବେଶ ହୋଇ ପ୍ରସ୍ତାବ ଗ୍ରହଣ କରାଗଲା, ଯେ କୌଣସି ମତେ ଦୁର୍ଗାଙ୍କୁ ଟାଣି ଆଣିବାକୁ ହେବ । ଧର୍ମଘଟ, ଧାରଣା, ଘେରଉ, ଆମରଣ ଅନଶନର ଧମକ ଦିଆଗଲା ।

 

ରାଜ୍ୟ ସରକାର ତଥା ସ୍ୱର୍ଗପୁର ଟଳମଳ ହେଲା । ମର୍ତ୍ତ୍ୟର ଏ ବୀର ପୁରୁଷମାନେ ଯେପରି ତାତି ଉଠିଲେଣି, ସ୍ୱର୍ଗକୁ ଦୁଇଫାଳ କରିଦେବେ । ସେମାନଙ୍କୁ ସନ୍ତୁଷ୍ଟ କରିବା ନିତାନ୍ତ ଦରକାର ।

 

ଦେବରାଜ ଇନ୍ଦ୍ରଙ୍କ ନେତୃତ୍ୱରେ ସ୍ୱର୍ଗର ପ୍ରତିନିଧି ଦଳ ଚାଲିଲେ କୈଳାସ କନ୍ଦରକୁ, ଦେବଦେବ ମହାଦେବଙ୍କୁ ଜଣାଣ କରିବେ ।

 

ଭୋଳାନାଥ ମହାଦେବ ହାତେ ଲମ୍ବର ଚିଲମରେ ଗୋଟିଏ ଦୀର୍ଘ ଦମ୍‌ ଟାଣିଦେଇ ସାଧନାରେ ତନ୍ମୟ । ଆଖି ଦୁଇଟା ଫିଟିବାକୁ ନାହିଁ । ଦ୍ୱାରପାଳ ନନ୍ଦୀ ଭୃଙ୍ଗୀ ତାଙ୍କ ଧ୍ୟାନ ଭାଙ୍ଗି ନ ପାରି ଶାନ୍ତିରେ ଘୁଙ୍ଗୁଡ଼ି ମାରୁଅଛନ୍ତି ।

 

ପ୍ରତିନିଧି ଦଳଙ୍କ କୋଳାହଳରେ ମହାଦେବଙ୍କର ଧ୍ୟାନ ଭଗ୍ନ ହେଲା । ସେ ଲାଲ ରଙ୍ଗରେ ରଞ୍ଜିତ କ୍ଷୁଦ୍ର ଚକ୍ଷୁ ଦୁଇଟିକୁ ଉନ୍ମୀଳନ କରି ଡାକ ଦେଲେ, ‘‘କିଏ ଅଛରେ ! ସିଦ୍ଧି ଆଣ ।’’

 

ଦେବତାମାନେ ଭାବିଲେ ମହାଦେବ ଯଦି ପୁଣି ଗୋଟାଏ ଦମ୍‌ ଟାଣି ଦିଅନ୍ତି, ତେବେ ତାଙ୍କ ଯୋଗ ସାଧନା ଭାଙ୍ଗିବା ସହଜ ହେବ ନାହିଁ । ତେଣୁ ସିଦ୍ଧି ଆସିବା ପୂର୍ବରୁ ସମସ୍ତେ କରଯୋଡ଼ ହୋଇ ଆଗରେ ଠିଆ ହୋଇଗଲେ ଏବଂ ଉଚ୍ଚସ୍ୱରରେ ସ୍ତବ ଆରମ୍ଭ କରିଦେଲେ–

 

‘‘ଜୟ ଶିବ ଶଙ୍କର, ଜୟ ଶିବ ଶଙ୍କର, ଜୟ ଶିବ ଶଙ୍କର ଭୋଳା ।’’

 

ମହାଦେବ ବୁଜି ଆସୁଥିବା ଆଖିପତା ଦୁଇଟିକୁ ଟେକି ହୁଙ୍କାର ଦେଲେ, ‘‘କଅଣ ହେଲା ଦେବରାଜ ! ସ୍ୱର୍ଗପୁରରେ ରମ୍ଭା, ଉର୍ବଶୀଙ୍କ ନୃତ୍ୟ ଦର୍ଶନ ଛାଡ଼ି ଏଠାରେ କାହିଁକି ?’’

 

‘‘ଆଜ୍ଞା, ଜଗତଜନନୀଙ୍କୁ ଆଦେଶ ଦିଅନ୍ତୁ, ସେ ଦଶହରାକୁ ମର୍ତ୍ତ୍ୟପୁରକୁ ଯିବେ । ସେ ନ ଗଲେ ମର୍ତ୍ତ୍ୟପୁରବାସୀ ମହା ବିପ୍ଲବ ଘଟାଇଦେବେ ।’’ ଦେବତାମାନେ ବିନୟର ସହିତ ନିବେଦନ ଜଣାଇଲେ ।

 

ମହାଦେବ ପୁଣି ଥରେ ହୁଙ୍କାରିଲେ, ‘‘ନନ୍ଦୀ, ପାର୍ବତୀଙ୍କୁ ଏଠାରେ ହାଜର କରାଅ ।’’

 

ନନ୍ଦୀ ହାତ ଯୋଡ଼ି ଡରିଡରି କହିଲା, ‘‘ପାର୍ବତୀ ବର୍ଷେ ହେଲା କୈଳାସପୁରରେ ନାହାନ୍ତି-। ଗତବର୍ଷ ଦଶହରାକୁ ମର୍ତ୍ତ୍ୟ ବୁଲି ଯାଇଥିଲେ । ଆଉ ସେଠାରୁ ଫେରିନାହାନ୍ତି ।’’

 

‘‘ବର୍ଷେ ହେଲା ନାହାନ୍ତି ? ତେବେ କଅଣ ଫେରାର ? ଖବରକାଗଜରେ ନୋଟିସ ନ ଛପାଇଲ କାହିଁକି ? ଆମକୁ ସମ୍ବାଦ ନ ଦିଆଗଲା କିଆଁ ? ଦେବରାଜ ଇନ୍ଦ୍ର ଏକା ନିଶ୍ୱାସରେ ଏତେଗୁଡ଼ାଏ ପ୍ରଶ୍ନ ପଚାରି ଦେଇଗଲେ । ତାଙ୍କ ସ୍ୱରରୁ ଆଶଙ୍କା ବିଜଡ଼ିତ କ୍ରୋଧ ପ୍ରକାଶ ପାଉଥିଲା ।

 

ଦେବତାମାନଙ୍କୁ ସାନ୍ତ୍ୱନା ଦେଇ ମହାଦେବ କହିଲେ, ‘‘ଦେବଗଣ, ତୁମେ ସ୍ୱ ସ୍ୱ ପୁରକୁ ଫେରିଯାଅ । ମୁଁ ପାର୍ବତୀଙ୍କୁ ଖୋଜିବାର ବ୍ୟବସ୍ଥା କରୁଅଛି । ଯଥା ସମୟରେ ତୁମମାନଙ୍କୁ ବାର୍ତ୍ତା ପଠାଇବି ।’’

 

ବର୍ଷେ ହେଲା ପାର୍ବତୀ ଫେରାର, ଏ ସଂବାଦରେ ମହାଦେବଙ୍କର ସାଧନା ଆଉ ନିଶା କୁଆଡ଼େ ଉଭେଇଗଲା । ସେ ସଙ୍ଗେସଙ୍ଗେ ଦେବର୍ଷି ନାରଦଙ୍କୁ ଡକାଇ ପଠାଇଲେ । ତାଙ୍କୁ ନିର୍ଦ୍ଦେଶ ଦେଲେ, ‘‘ମର୍ତ୍ତ୍ୟପୁରରେ ପାର୍ବତୀ କେଉଁଠାରେ ଆତ୍ମଗୋପନ କରି ରହିଛନ୍ତି ତାଙ୍କୁ ତୁରନ୍ତ ଧରିଆଣ ।’’

 

‘‘ଯଥା ଆଜ୍ଞା’’ କହି ଦେବର୍ଷି ମର୍ତ୍ତ୍ୟପୁରକୁ ଚାଲିଗଲେ । ବାହନ ଢିଙ୍କିଟିକୁ ନିଘଞ୍ଚ କିଆବୁଦାମୂଳେ ଲୁଚାଇ ଗୋଟିଏ ବୃଦ୍ଧ ବ୍ରାହ୍ମଣର ବେଶ ଧରିଲେ । କାରଣ ସେତେବେଳେ ଶ୍ରୀଜଗନ୍ନାଥଙ୍କ ନବକଳେବର ଯାତ୍ରା ଅବସରରେ ବାବାଜୀ ମାରଣ ଅର୍ଡିନାନ୍‌ସ ଜାରି ହୋଇଥାଏ-। ବାବାଜୀ ରୂପରେ ଗଲେ ପୁଲିସ ଠେଙ୍ଗୁଣୀରେ ଗେବା ଖାଇବାକୁ ପଡ଼ିବ; ଅଥଚ କାମ ହାସଲ ହୋଇପାରିବ ନାହିଁ । ଏହା ଚିନ୍ତା କରି ସେ ରୂପ ବଦଳାଇଲେ, ଗଳିକନ୍ଦି ବୁଲି ଅନୁସନ୍ଧାନରେ ଲାଗିଲେ ।

 

ତାଙ୍କୁ ଅଧିକ ଦିନ ମର୍ତ୍ତ୍ୟରେ ରହିବାକୁ ପଡ଼ିଲା ନାହିଁ । ହନୁମାନ ଲଙ୍କାରେ ସୀତା ଦେବୀଙ୍କୁ ଠାବ କଲା ପରି ସେ ଦୁର୍ଗାଦେବୀଙ୍କୁ ଠାବ କରି କୈଳାସପୁରକୁ ଫେରିଗଲେ । ମହାଦେବଙ୍କୁ ସନ୍ଦେଶ ଦେଲେ, ଦୁର୍ଗା ଦେବୀଙ୍କ ଆଶା ଛାଡ଼ନ୍ତୁ । ସେ ଭାରତର ଗୋଟିଏ ରାଜ୍ୟରେ ମନ୍ତ୍ରୀପଦରେ ଅଭିଷିକ୍ତ ହୋଇଅଛନ୍ତି । ଆଉ ଏଠାକୁ ଆସିବେ ନାହିଁ । ଏହା ରୋକଠୋକ ଜଣାଇ ଦେଲେ ।

 

‘‘ମର୍ତ୍ତ୍ୟରେ ଲୋକମାନେ ଚାରିଦିନ ଯେ ତାଙ୍କର ଷୋଡ଼ଶୋପଚାରରେ ପୂଜା କରୁଥିଲେ, ସେ ରାଜଭୋଗ କଅଣ ସେ ଭୁଲିଗଲେ ?’’–ମହାଦେବ ପ୍ରଶ୍ନ କଲେ ।

 

ନାରଦ କହିଲେ, ‘‘ମୁଁ ଏ କଥା ଉଠାଇଥିଲି । ମନ୍ତ୍ରୀରୂପିଣୀ ଶ୍ରୀ ଦୁର୍ଗା ଚିଡ଼ିଉଠି ଉତ୍ତର ଦେଲେ–ବର୍ତ୍ତମାନ ତ ବର୍ଷର ପ୍ରତ୍ୟେକ ଦିନ ମୁଁ ତାଠାରୁ ବଳି ବେଶି ପୂଜା ପାଉଅଛି । ବେଶି ଭୋଗ ବିଳାସରେ ଦିନ କଟିଯାଉଛି । କେବଳ ଚାରିଟା ଦିନ ପାଇଁ ଲୋଭାଇବି କାହିଁକି ?’’

 

ମହାଦେବ ବ୍ୟଥିତ ମନରେ ପଚାରିଲେ, ତେବେ କରାଯିବ କଅଣ ?’’

 

ନାରଦଙ୍କ ଉତ୍ତର, ‘‘ଆଉ କିଛି କରିବାକୁ ନାହିଁ । ଆପଣ ତାଙ୍କ ଆଶା ଛାଡ଼ନ୍ତୁ । ଚାଣକ୍ୟ ବୁଢ଼ା ପରା କହିଯାଇଛି–

 

‘‘ହସ୍ତୀ ହସ୍ତ ସହସ୍ରେଣ

ଶତ ହସ୍ତେନ ବାଜିନଃ

ଶୃଙ୍ଗିଣୋ ଦଶ ହସ୍ତେନ

ରାଜ୍ୟ ତ୍ୟାଗେନ ମନ୍ତ୍ରୀଣଃ ।’’

 

ମହାଦେବ ଚେହେଁକି ଉଠିଲେ, ‘‘ନା ନା ଚାଣକ୍ୟ କହିଅଛନ୍ତି, ‘‘ସ୍ଥାନ ତ୍ୟାଗେନ ଦୁର୍ଜନଃ-।’’

 

‘‘ଦୁର୍ଜନ ପାଇଁ ସିନା ସ୍ଥାନ ତ୍ୟାଗ । ଯେ ଦୁର୍ଜନଠାରୁ ବଳି ଦୁର୍ଜନ, ତା’ ପାଇଁ ?’’ –ନାରଦ ବିରକ୍ତିର ସହିତ ଉତ୍ତର ଦେଲେ ।

☆☆☆

 

ନୀଳୋତ୍ପଳ କଳା ପରିଷଦ

 

ହଠାତ୍‌ ଦଳେ ପିଲା ଆସି ଘରେ ପହଞ୍ଚିଗଲେ । ସେମାନଙ୍କ ମୁହଁକୁ ଚାହିଁଦେବା କ୍ଷଣି ବିନା ଭୂମିକାରେ ସମସ୍ତେ ଏକସ୍ୱରରେ କହିଉଠିଲେ–‘‘ସାର୍‌, କାଲି ଆମ ପରିଷଦର ବାର୍ଷିକ ଉତ୍ସବ–ସାଂସ୍କୃତିକ ଅନୁଷ୍ଠାନ । ଆପଣ ନିଶ୍ଚୟ ସଭାପତି ହେବେ ।’’

 

‘‘ମୁଁ ହେବି ସଭାପତି ?’’ ଆଶ୍ଚର୍ଯ୍ୟ ହୋଇ ସେମାନଙ୍କ ମୁହଁକୁ ଚାହିଁଲି ।

 

ସମସ୍ୱରରେ ଶବ୍ଦ ଶୁଣାଗଲା–ହଁ, ହଁ, ଆପଣ ସାହିର ଜଣେ ରତ୍ନ । ଆପଣ ସଭାପତି ନ ହେବେ ତ ଆଉ କିଏ ହେବ ? ଆପଣଙ୍କ ବେକରେ ଫୁଲମାଳ ପଡ଼ିବ, ଫଟୋ ଉଠିବ, ଖବରକାଗଜରେ ତାହା ଛପାଯିବ । କଅଣ କଅମ୍‌ କଥା ?’’

 

ଏତେଗୁଡ଼ାଏ କଥା ଶୁଣି ମୁଁ ହଡ଼ବଡ଼େଇ ଗଲି । ମୋ ଅବସ୍ଥା ବୋଧହୁଏ ବୁଝିପାରିଲେ ଅନ୍ତର୍ଯ୍ୟାମୀ ନିଶ୍ଚୟ ।

 

‘‘ନା ଆପଣ କଦାପି ନାହିଁ କରିପାରିବେ ନାହିଁ । ଆପଣଙ୍କୁ ନିଶ୍ଚୟ ଯିବାକୁ ହେବ ।’’

 

ମୁଁ ମୁହୂର୍ତ୍ତେ ସମୟ କିଂକର୍ତ୍ତବ୍ୟବିମୂଢ଼ ହୋଇଗଲି । ପଚାରିଲି–‘‘ତୁମ ପରିଷଦର ନାମ କଅଣ ?’’

 

ତିନିଜଣ ପିଲା ଏକସମୟରେ ଉତ୍ତର ଦେଲେ, ‘‘ନୀଳୋତ୍ପଳ କଳା ପରିଷଦ ।’’

 

‘‘ଏହାର ଅର୍ଥ କଅଣ ମୁଁ ତ ବୁଝିପାରୁ ନାହିଁ’’–ବୋକାଙ୍କ ପରି କହି ପକାଇଲି ।

 

ପରିଷଦର ସଭାପତି ଆଉ ଟିକିଏ ପାଖକୁ ଲାଗିଆସି କହିଲେ–‘‘ଆପଣ ଦେଖୁନାହାନ୍ତି, ଆମେ ସବୁ ନେଳି ରଙ୍ଗର ପ୍ୟାଣ୍ଟ ପିନ୍ଧିଛୁ । ଆମର ନିୟମ ହୋଇଛି, ଯେ ଆମ ପରିଷଦର ସଭ୍ୟ ହେବ, ସେ ନେଳିରଙ୍ଗର ପ୍ୟାଣ୍ଟ ପିନ୍ଧିବ । ଆଉ ତ୍ପଳଟା କଅଣ ଜାଣି ନାହୁଁ । ଅଭିଧାନରେ ମଧ୍ୟ ସେ ଶବ୍ଦଟା ନାହିଁ । କଳା ପରିଷଦ ବୋଇଲେ କଳା ଲୋକଙ୍କ ସଭା । ଆମର କେହି ଗୋରା ବର୍ଣ୍ଣର ପିଲା ସଭ୍ୟ ହୋଇପାରିବେ ନାହିଁ–ନିୟମ କରିଛୁ ।’’

 

ମୁଁ ମୁହଁ ଶୁଖାଇ କହିଲି–ମୋର ଅନ୍ୟଆଡ଼େ ଆଗରୁ ଯିବାର ଠିକ୍‌ ହୋଇଯାଇଛି । ତେବେ ହତାଶ ହୁଅ ନାହିଁ । ଜଣେ ଅଧ୍ୟାପକ ବନ୍ଧୁ ଅଛନ୍ତି । ଯେତେ ଯେଉଁଠି ସାଂସ୍କୃତିକ ଅନୁଷ୍ଠାନ ହୁଏ, ସେ ସେଥିରେ ସଭାପତି କି ମୁଖ୍ୟ ଅତିଥି ହୁଅନ୍ତି । ମୁଁ ତାଙ୍କୁ ସଭାପତି ହେବା ପାଇଁ ରାଜି କରାଇବି ।’’

 

ପିଲାମାନେ ଜିଦ୍‌ ଧରିଲେ, ‘‘ନା, ଆପଣ ହିଁ ସଭାପତି ହେବେ । ଆମ ସାହିର ଗୋଟାଏ ରତ୍ନ; ଆପଣ ଥାଉ, ଥାଉ.... ।’’

 

ମୁଁ ମଝିରେ ବାଧା ଦେଲି–ସେ ଅଧ୍ୟାପକ ତ ମହାରତ୍ନ ।

 

‘‘ସେ ଯଦି କଞ୍ଜୁସ ହୋଇଥିବେ, ତାଙ୍କଠାରୁ ତ ପଇସାଟିଏ ବି ମିଳିବ ନାହିଁ । ଆପଣ ଆମ ଖର୍ଚ୍ଚ ତୁଲାଇବାକୁ ଶହେଟି ଟଙ୍କା ଦେବେ କି ?’’

 

ସଭାପତି ଦଣ୍ଡରୁ ରକ୍ଷା ମିଳିବ, ସେଥିପାଇଁ ସଙ୍ଗେସଙ୍ଗେ ଡ୍ର ଫିଟାଇ ଶହେଟଙ୍କିଆ ନୋଟ ଖଣ୍ଡିଏ ବଢ଼ାଇଦେଲି । ପଚାରିଲି–ତୁମର କାର୍ଯ୍ୟକ୍ରମ କଅଣ ?’’

 

‘‘ପରିଷଦର ବାର୍ଷିକ ଉତ୍ସବ । ଅନ୍ନପୂର୍ଣ୍ଣା ପେଣ୍ଡାଲ ଆମେ ଭଡ଼ା ନେଇଛୁ । ଖରାବେଳେ ପୁଚି ଖେଳ ପ୍ରତିଯୋଗିତା, ରାତିରେ ହନୁମାନର ଲଙ୍କା ପୋଡ଼ି ଗୀତାଭିନୟ ।’’

 

ମୁଁ ବିସ୍ମୟ ପ୍ରକାଶ କଲି, ‘‘ଅଷାଢ଼ ମାସ ଦି’ ପହରେ ପୁଚି ଖେଳ !’’

 

ପିଲାମାନେ ବିଦାୟ ନେଲେ । ଗଲାବେଳେ କହିଗଲେ, ‘‘ଆପଣ ତ ନାହିଁ କଲେ; ଯେ କୌଣସିମତେ ଆମକୁ ଜଣେ ସଭାପତି ଠିକ୍‌ କରିଦେବେ । ବୁଝୁନାହାନ୍ତି, ସଭାପତି ନ ମିଳିଲେ ଆମେ କେତେ ଅସୁବିଧାରେ ପଡ଼ିବୁ ? ସଭାପତି ନ ମିଳିଲେ ଆମେ କାମ ଚଳାଇ ନିଅନ୍ତୁ ଯେ, କିନ୍ତୁ ସେଥିପାଇଁ ଆପଣଙ୍କୁ ଆଉ ଶହେ ଟଙ୍କା ଦେବାକୁ ପଡ଼ିବ ।’’

 

ପିଲାମାନେ ସିନା ଚାଲିଗଲେ; କିନ୍ତୁ ମୋ ମୁଣ୍ଡରେ ଗୋଟିଏ ଶତକ ବୋଝ ଲଦି ଦେଇ ଗଲେ । ତାହା ତ ପୁଣି ଖଲାସ କରିବା ଦରକାର । ନ ହେଲେ ପୁଣି ଶହେ ଟଙ୍କା ତଣ୍ଡ ଦେବାକୁ ପଡ଼ିବ ଯେ ।

 

ମୁଁ ବନ୍ଧୁ ଅଧ୍ୟାପକଙ୍କ ଘରକୁ ଗଲି । ପ୍ରଥମେ କିଛି ସମୟ ବେଶ୍‌ ଖୁସାମତିଆ କଥା କହି ତାଙ୍କ ବକ୍ତୃତାର ପ୍ରଶଂସା କଲି । ସତ କହିଲେ, ମୁଁ ତାଙ୍କ ବକ୍ତୃତା କେବେ ଶୁଣିନଥିଲି ।

 

ଶେଷକୁ ଅତି ନମ୍ରଭାବରେ ପ୍ରସ୍ତାବ କଲି–‘‘ଆଜି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଗୋଟିଏ ସାଂସ୍କୃତିକ ଉତ୍ସବ ହେବ । ଉଦ୍ୟୋକ୍ତା ଉତ୍ସାହୀ ଯୁବକମାନେ ମୋତେ ତୁମ ପାଖକୁ ପଠାଇଅଛନ୍ତି ସବିନୟ ଅନୁରୋଧ କରିବା ପାଇଁ । ତୁମେ ହେବ ଆଜିର ସଭାପତି ।’’

 

ବନ୍ଧୁ ଚମକି ଉଠିଲେ । ହଠାତ୍‌ ଚଉକିରୁ ଉଠିପଡ଼ି ଘରଯାକ ବୁଲିବାକୁ ଲାଗିଲେ । ସଙ୍ଗେସଙ୍ଗେ ଗର୍ଜନ କଲା ପରି କହି ପକାଇଲେ–‘‘ନା, ନା, ନା ।’’

 

ଆଶ୍ଚର୍ଯ୍ୟ ହୋଇଗଲି । ନମ୍ର କଣ୍ଠରେ କହିଲି–‘‘ତୁମେ ତ ପ୍ରତିଦିନ କୌଣସି ନା କୌଣସି ସଭା, ବନ୍ଧୁମିଳନ, ପାଠଚକ୍ର, ବିଚିତ୍ରା କାର୍ଯ୍ୟକ୍ରମ, ସାଂସ୍କୃତିକ ସମାରୋହରେ ଯୋଗ ଦେଉଅଛ । କେଉଁଥିରେ ଉଦ୍‍ଘାଟକ ତ କେଉଁଥିରେ ସଭାପତି, କେଉଁଠି ମୁଖ୍ୟ ଅତିଥି ବା କେଉଁଠି ସମ୍ମାନିତ ଅତିଥି । ସବୁଦିନ ସମ୍ବାଦପତ୍ରରେ ତୁମ ବକ୍ତୃତା ପଢ଼ୁଅଛି । କି ସୁନ୍ଦର ! କି ଉପାଦେୟ !’’

 

ପୁଣି ସେହି କଥା–ନା, ନା, ନା, ଗତ ଦୁଇ ମାସ ହେଲା ସେ ନିଶା ମୋର ଛାଡ଼ି ଗଲାଣି-। ଆଉ ନୁହେଁ ।

 

ମୁଁ ବି ଛାଡ଼ିବା ଲୋକ ନୁହେଁ । କହିଲି, ‘‘ତୁମଭଳି ଜ୍ଞାନି, ଗୁଣି, ଚିନ୍ତାଶୀଳ ଲୋକ ଏହା କହିଲେ ଚଳିବ ? ବର୍ତ୍ତମାନ ଉଦ୍‌ଭ୍ରାନ୍ତ ଯୁବକଙ୍କୁ ସତ୍‌ବୁଦ୍ଧି ଦେବ କିଏ ? ଶାନ୍ତି ବାଟ ବତାଇବ କିଏ-? ଆମ ରାଜ୍ୟରେ କେବଳ ତୁମେ ହିଁ ଆଶା ଭରସା, ଯୁବକମାନେ ତୁମଠାରୁ ବହୁତ କିଛି ଶୁଣିବାକୁ ଆଶା କରିଅଛନ୍ତି । ତୁମକୁ ଆଜି ସଭାପତି ପଦ ଗ୍ରହଣ କରିବାକୁ ହିଁ ପଡ଼ିବ ।’’

 

ପଦଚାରୀ ବନ୍ଧୁ ଆସି ଚଉକିରେ ବସିଲେ । ବିଷାଦଭରା ଚାହାଣି । କଥା ଆରମ୍ଭ କଲେ–

 

‘‘ଗତ ମଇ ମାସରେ ଯାଇଥିଲି ସଭାପତି ହୋଇ ସେହି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚକୁ । ଗୋଟିଏ ସାଂସ୍କୃତିକ ଅନୁଷ୍ଠାନର ଯୁବକମାନଙ୍କ ବାରମ୍ବାର ଅନୁରୋଧ ଏଡ଼ିପାରିଲି ନାହିଁ । କହିଲେ, ଆମ ସଙ୍ଗଠନର ନାମ ‘ନୀଳୋତ୍ପଳ କଳା ପରିଷଦ ।’’

 

ଏହି ନାମଟା ଶୁଣିବାକ୍ଷଣି ମୋ ଛାତି ଭିତରଟାରେ ଯେପରି କି କେହି ଗୋଟାଏ ତତଲା ଲୁହା ମାଡ଼ିଦେଲା । ମୁହଁରେ କାଳେ ସେ ଭାବଟି ଫୁଟିଉଠିବ, ସେଥିପାଇଁ ତଳକୁ ଚାହିଁ ବସି ରହିଲି ।

 

ବନ୍ଧୁଙ୍କ କଥା ଚାଲିଥାଏ । କହିଲେ–ଆମର ବାର୍ଷିକ ଉତ୍ସବ । ଅମୁକ ମନ୍ତ୍ରୀ ଆମର ମୁଖ୍ୟ ଅତିଥି । ସ୍ୱନାମଧନ୍ୟ ମାନ୍ୟବର ବିଚାରପତି ସମ୍ମାନିତ ବକ୍ତା । ଆପଣ ହେବେ ସଭାପତି । ବକ୍ତୃତା ପରେ ହେବ ପୁଚି ଖେଳ ପ୍ରତିଯୋଗିତା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ–ହନୁମାନର ଲଙ୍କାପୋଡ଼ି ଗୀତିନାଟ୍ୟ । ରାତ୍ରିଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଛି ସୁନ୍ଦର ଭାବରେ ।

 

ଚାରିଟାବେଳୁ ବିଜୁଳି, ଘଡ଼ିଘଡ଼ି ସହ ବର୍ଷା ଆରମ୍ଭ ହୋଇଗଲା । ଅଦିନ ମେଘ, ତେଣୁ ପରାକ୍ରମ ବେଶୀ । ତଥାପି ଛତାଖଣ୍ଡିକ ଧରି ନିର୍ଦ୍ଦିଷ୍ଟ ସମୟରେ ରଙ୍ଗମଞ୍ଚରେ ପହଞ୍ଚିଲି । ପ୍ରତିଶ୍ରୁତି ଦେଇଅଛି–ନ ଯିବି ବା କିପରି ?

 

ଦେଖିଲି, କେତେ ଜଣ ଅର୍ଦ୍ଧଜାତଶ୍ମଶ୍ରୁ ଯୁବକ, ଅପଗଣ୍ଡ ପିଲା ଓ ସେମାନଙ୍କ ଘରର ମା’ ଭଉଣୀମାନେ ହଲରେ ବସିଅଛନ୍ତି । ମଞ୍ଚ ବନ୍ଧା ହେଉଅଛି । ଯୁବକମାନେ ବିଶେଷ କାର୍ଯ୍ୟବ୍ୟସ୍ତ ।

 

ନିମନ୍ତ୍ରଣ କରିବାକୁ ଆସିଥିବା କର୍ମକର୍ତ୍ତାଙ୍କ ମଧ୍ୟରେ ସଙ୍ଗଠନର ସମ୍ପାଦକ ଥିଲେ । ସେ ଆସି ପାଛୋଟି ନେଲେ । ପାଖରେ ରଖିଲେ ଅସୁବିଧା ହେବ ବୋଲି ଓଦା ଛତାଟି ତାଙ୍କୁ ବଢ଼ାଇଦେଲି । ନିରାପଦରେ ରଖିଦେବା ପାଇଁ ସେ ଆଗ୍ରହରେ ନେଇଗଲେ ।

 

ନିର୍ଦ୍ଦିଷ୍ଟ ସମୟ ଥିଲା ଛଅଟା । ଘଣ୍ଟାଏ ଗଲା । ଦୁଇ ଘଣ୍ଟା ଗଲା । ନଅ ବାଜିଲା । ପ୍ରଧାନ ଅତିଥି କି ସମ୍ମାନିତ ଅତିଥିଙ୍କର ଦେଖା ନାହିଁ । ଏକାକୀ ଉପରକୁ ଚାହିଁ ବସି ରହିଥାଏ । ପଛପଟୁ ଭାସି ଆସୁଥିବା ପାଟିତୁଣ୍ଡ, କୋଳାହଳ, ହାସ୍ୟପରିହାସ ଭିତରେ କିମ୍ଭୂତକିମାକାର ଯନ୍ତ୍ରଣା ଅନନ୍ୟୋପାୟ ହୋଇ ହଜମ କରୁଥାଏ ।

 

ଯେତେବେଳେ ମଞ୍ଚ ଉପରକୁ ଯିବାପାଇଁ ଡାକରା ଆସିଲା, ସେତେବେଳେ ସମୟ ସାଢ଼େ ଦଶ । ପଦାରେ ଅନର୍ଗଳ ବର୍ଷା ଲାଗିରହିଅଛି । ଫୁଲମାଳଟିଏ ପାଇସାରିଲା ପରେ ସେଠାରେ ଘୋଷଣା କରାଗଲା ଯେ ଅପରିହାର୍ଯ୍ୟ କାରଣରୁ ପ୍ରଧାନ ଅତିଥି ଓ ସମ୍ମାନିତ ଅତିଥି ଆସିପାରିଲେ ନାହିଁ । ଆଜିର ସଭାପତିହିଁ ଆମର ସଭାପତି, ପ୍ରଧାନ ଅତିଥି, ସମ୍ମାନିତ ଅତିଥି ।

 

ବକ୍ତୃତା ଦେବାକୁ ଠିଆହେଲି । ‘‘ବନ୍ଧୁଗଣ ଆପଣମାନେ ଆଜି ମୋତେ ଏ ସମ୍ମାନ ପ୍ରଦାନ କରିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଅଛି ।’’

 

ଆଉ କିଛି କହିବାକୁ ପଡ଼ିଲା ନାହିଁ । ଦର୍ଶକମଣ୍ଡଳୀ ଭିତରୁ ମେଘ ଗର୍ଜନ ଶୁଣାଗଲା–‘ହଉ, ବସିପଡ଼, ବସିପଡ଼ । ଆମେ ଆସିଛୁ ଯାତ୍ରା ଦେଖିବାକୁ । ତୁମଠାରୁ କିଛି ଶୁଣିବାକୁ ଚାହୁଁ ନାହୁଁ ।

 

କେତେ କଥା କହିବି ବୋଲି ଆଗରୁ ଚିନ୍ତା କରି ଯାଇଥିଲି । ସେଗୁଡ଼ାକ ତ କହିବା ଦରକାର । ଠିଆହୋଇ ରହିଅଛି । ଜଣେ କେହି ଆସି ଆଗରୁ ମାଇକିଟା ନେଇଗଲେ । ଦୁଇ ପାଖରେ ଦୁଇ ଜଣ କାନ ପାଖରେ ମୁହଁ ରଖି କହିଲେ, ‘‘ଉଠିଯାଆନ୍ତୁ ! ଚଉକି, ଟେବୁଲ ନେଇଯିବୁ । ମଞ୍ଚ ଉପରେ ଥିଏଟର ହେବ ଯେ ।’’

 

ବାଧ୍ୟହୋଇ ମଞ୍ଚରୁ ଓହ୍ଲାଇ ଆସିଲି । ତଳେ ବସିବାକୁ ଜାଗା ନାହିଁ । କର୍ମକର୍ତ୍ତାମାନଙ୍କ ଦେଖା ନାହିଁ । ଯିବି କୁଆଡ଼େ ? ଯିବି ବା କିପରି ?

 

ସଂପାଦକଙ୍କଠାରୁ ଛତାଟା ଆଣିବା ତ ଦରକାର । ସଂପାଦକ କାହାନ୍ତି ? ଯାହାକୁ ପଚାରିଲି, କେହି ଶୁଣିଲେ ନାହିଁ । ଶେଷକୁ ଜଣକ ମନରେ ଦୟା ହେଲା । ସେ କହିଲେ, ସଂପାଦକ ହନୁମାନ ସାଜିଅଛନ୍ତି । ସେ ବର୍ତ୍ତମାନ ଗ୍ରୀନ୍‌ରୁମରେ । ଦେଖା ହୋଇପାରିବ ନାହିଁ ।

 

‘‘ରିକ୍‌ସାଟିଏ ହେଲେ ଡାକିଦିଅ ।’’ ଅନୁନୟର ସହିତ ଅନୁରୋଧ କଲି ।

 

‘‘ବର୍ତ୍ତମାନ ବେଳ ନାହିଁ । ଆମେ କେହି ଏଠା ଛାଡ଼ି ଯିବା ଅସମ୍ଭବ ।’’ ଉତ୍ତର ମିଳିଲା ।

 

ସେହି ବର୍ଷା ଭିତରେ ବାହାରି ଆସିଲି । ହାତରେ ଫୁଲମାଳଟା ରହିଯାଇଅଛି, ଖିଆଲ ନାହିଁ ।

 

ପଛରୁ ଉଦ୍ୟୋକ୍ତାଙ୍କ ଭିତରୁ ଜଣେ ଦଉଡ଼ି ଦଉଡ଼ି ଆସିଲେ । କହିଲେ–‘‘ଫୁଲମାଳଟା ନେଇଯାଉଚ କୁଆଡ଼େ ? ହନୁମାନ ପରା ତାକୁ ବେକରେ ପକାଇ ମଞ୍ଚକୁ ଆସିବ ।’’ ହାତରୁ ଏକପ୍ରକାର ଛଡ଼ାଇ ନେଲେ ଫୁଲମାଳଟା ।

 

ଗୋଟାସୁଦ୍ଧା ଓଦା ହୋଇ ରାତି ଅଧରେ ଆସି ଘରେ ପହଞ୍ଚିଲି । ଉପବାସରେ ଶୋଇପଡ଼ିବା ବ୍ୟତୀତ ଆଉ ଉପାୟ ନ ଥିଲା ।

 

ମୁହଁରୁ ମୋର ବାହାରି ପଡ଼ିଲା, ‘‘ବଡ଼ ଦୁଃଖର କଥା ଏ ପିଲାଗୁଡ଼ାଙ୍କୁ ତ ବିଶ୍ୱାସ ନାହିଁ-।’’

 

‘‘ଦୁର୍ଭାଗ୍ୟର ଶେଷ ଏଇଠି ନୁହେଁ’’ ବନ୍ଧୁ କହୁଥାଆନ୍ତି । ଦୁଇଦିନ ପରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ କର୍ତ୍ତୃପକ୍ଷଙ୍କଠାରୁ ଗୋଟିଏ ନୋଟିସ ମିଳିଲା–‘‘ସେଦିନର ମଞ୍ଚ ଭଡ଼ା ଶହେ ଟଙ୍କା ଆପଣ ଏପର୍ଯ୍ୟନ୍ତ ଦେଇନାହାନ୍ତି । ଶୀଘ୍ର ପରିଶୋଧର ବ୍ୟବସ୍ଥା କରନ୍ତୁ; ନହେଲେ କୋର୍ଟର ଆଶ୍ରୟ ନେବୁ-।’’

 

ଆଶ୍ଚର୍ଯ୍ୟ ହୋଇଗଲି । ପଚାରିଲି–‘‘ଟଙ୍କା କଅଣ ଦେଇ ଦେଲେ ?’’

 

–‘‘ନ ଦେଇ ଉପାୟ ନ ଥିଲା । ପରଦିନ ରଙ୍ଗମଞ୍ଚ ପରିଚାଳକଙ୍କ ପାଖକୁ ଯାଇଥିଲି । ସେ କହିଲେ–ଉଦ୍ୟୋକ୍ତାମାନେ କହିଅଛନ୍ତି, ଆପଣ ହଲ୍‌ ଭଡ଼ା ଶହେ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବାରୁ ସେମାନେ ଆପଣଙ୍କୁ ସଭାପତି କରିଥିଲେ । ସଭାପତି ତ ପଣ ପଣ । ଯେ କୌଣସି ଲୋକଙ୍କୁ ଧରି ଆଣିଥାଆନ୍ତେ ।’’

 

ସୌଭାଗ୍ୟର କଥା, ମୁଁ ପରିଷଦର ନାମଟା ବନ୍ଧୁଙ୍କୁ ଆଗରୁ କହି ନାହିଁ । ପରେ ମଧ୍ୟ କହିଲି ନାହିଁ ।

☆☆☆

 

କୁମ୍ଭୀର କାନ୍ଦଣା

 

‘‘କେଉଁ ଯୁଗରେ କେଉଁ ସୂକ୍ଷ୍ମଦ୍ରଷ୍ଟା କୁମ୍ଭୀର ଆଖିରେ ଲୋତକ ଧାର ଦେଖି ‘କୁମ୍ଭୀର କାନ୍ଦଣା’ ଶବ୍ଦଟା ସୃଷ୍ଟି କଲେ ଏବଂ ତାହା ଆଜି ବ୍ୟଙ୍ଗ ବିଦ୍ରୁପରେ ପରିଣତ ହୋଇଥିଲେ ମଧ୍ୟ କୁମ୍ଭୀର ଯେ କାନ୍ଦେ, ତା’ ଆଖିରୁ ଯେ ଲୁହ ଝରେ, ତାହା ଏବେ ପ୍ରମାଣିତ କରିଅଛନ୍ତି ସ୍ୱାମୀ ଅଥର୍ବାନନ୍ଦ ମହାରାଜ ।’’

 

ଏଇଟା ବନ୍ଧୁଙ୍କ ଉପୋଦ୍‌ଘାତ ମାତ୍ର ।

 

ବନ୍ଧୁ ହେଉଅଛନ୍ତି ସହରର ଗୋଟିଏ ପୁରୁଣା ଡାଲିଚାଉଳ, ତେଲଲୁଣ ଦୋକାନର ସ୍ୱତ୍ୱାଧିକାରୀ । ସେ କହନ୍ତି, ପ୍ରୋପ୍ରାଇଟର । ଅଜା, ବାପ ତିନି ପୁରୁଷର ଅନୁଷ୍ଠାନଟି । ଅଜା ତ ଦସ୍ତଖତ କରିପାରୁ ନ ଥିଲେ, ପିତା ହିସାବପତ୍ର ଲେଖୁଥିଲେ । ସେମାନେ ଲୁଗା ପିନ୍ଧୁଥିଲେ, କିନ୍ତୁ ବନ୍ଧୁ କଲେଜ ଫେରନ୍ତା, ତାଙ୍କର ପରିଧାନ ପ୍ୟାଣ୍ଟ, ହାୱାଇନ୍‌, ଟେରିକଟ୍‌ ସାର୍ଟ ।

 

ପିତାମହ, ପିତା ବିକୁଥିଲେ ଚାଉଳ–ଡାଲି, ଚିନି ତେଲ । କିନ୍ତୁ ବନ୍ଧୁ ବିକନ୍ତି ବାଲି ମିଶା ଚାଉଳ, ଅଗରା ମିଶା ତେଲ, ପଥରଗୁଣ୍ଡର ପୁଟଦିଆ ଅଟା–ଏମିତି କେତେ କଅଣ । ବାତ ଜ୍ୱର ରୋଗୀର ଗୋଡ଼ ଫୁଲିଲା ପରି ତାଙ୍କ ଦୋକାନ ଫୁଲିଉଠୁଛି ଦିନକୁଦିନ । ପିତାଙ୍କ ତିଆରି ଏକମହଲା କୋଠା ତିନିମହଲା ହେଲାଣି । ଦୋକାନରେ ମ୍ୟାନେଜର, ସେଲ୍‌ସମ୍ୟାନ, ପିଆଦା ଏହିଭଳି କେତେ ଲୋକ ରହିଲେଣି । ତେଣୁ ବନ୍ଧୁଙ୍କୁ ଦୋକାନରେ ବେଶି ସମୟ ରହିବାକୁ ପଡ଼େ ନାହିଁ ।

 

ତାଙ୍କର କାମ ହେଲା କେଉଁଥିରେ କଅଣ ମିଶିବ, ତା’ର ବ୍ୟବସ୍ଥା କରିବା । ବିକ୍ରି ଟିକସ, ଇନ୍‌କମ୍‌ ଟିକସ, ଗୁଇନ୍ଦା ପୁଲିସଙ୍କୁ ସବୁ ସମୟରେ ଖୁସି ରଖିବା । ମନ୍ତ୍ରୀ ବା ନେତା ଆସିଲେ ଫୁଲମାଳ ଦେବା ।

 

କହିବାକୁ ଭୁଲିଯାଇଛି । ବନ୍ଧୁଙ୍କର ଏ ସବୁ ପ୍ରଧାନ କାମ ନୁହେଁ । ସବୁଠାରୁ ବଡ଼ କାମ ହେଉଛି, ସାଧୁ, ସନ୍ନ୍ୟାସୀ, ବାବାଜୀ ପ୍ରଭୃତି ସିଦ୍ଧପୁରୁଷ ଖୋଜିବା । ତାଙ୍କର ଦୃଢ଼ ବିଶ୍ୱାସ, ଏପରି ଜଣେ କେହି ସିଦ୍ଧପୁରୁଷ ମିଳିଗଲେ ସେବାରେ ତାଙ୍କୁ ସନ୍ତୁଷ୍ଟ କରିବାକୁ ହେବ । ତା’ ହେଲେ ସେ ଏପରି ଇଲମ ଦେବେ ଯେ, ବ୍ୟବସାୟ ଗୋଟାଏ ଦିନରେ ବର୍ଷାଦିନେ ହୀରାକୁଦ ବନ୍ଧ ପାଣି ପରି ଫୁଲିଉଠିବ । ଖାଲି ସେତିକି ନୁହେଁ, ସାଧୁଙ୍କ ଆଶୀର୍ବାଦ ମିଳିଲେ ବିକ୍ରି କର, ଆୟ କର, ଭିଜିଲାନ୍‌ସ ଲୋକେ ମୂଷା ପାଲଟିଯିବେ ।

 

ବାବାଜୀ ତ ମନ୍ତ୍ରବଳରେ ଗୋଟିଏ ବାଘକୁ ମୂଷା କରି ଦେଇଥିଲେ । ଏ ବିକ୍ରି କର, ଆୟ କର ଲୋକେ ବା କେତେ କଡ଼ାରେ ଗଣ୍ଡାଏ !

 

ବନ୍ଧୁ ସ୍ୱାମୀ ଅଥର୍ବାନନ୍ଦଙ୍କ ଗୁଣଗ୍ରାମ ବର୍ଣ୍ଣନା କରିବାରେ ଶତମୁଖ ହୋଇଉଠିଲେ । ତାଙ୍କ ଆଶୀର୍ବାଦରେ ଅମୁକ ନିର୍ବାଚନରେ ସବୁଠାରୁ ଅଧିକ ଭୋଟ ପାଇଅଛନ୍ତି । ଶ୍ରୀଯୁକ୍ତ ଅମୁକ ଆଜି ମନ୍ତ୍ରୀ ହୋଇଛନ୍ତି କେବଳ ସ୍ୱାମୀଜୀଙ୍କ ମନ୍ତ୍ରବଳରେ । ଆଉ ଯେ ନିନ୍ଦା କରିବ, ତା’ର ତ ନର୍କବାସ । ଖାଲି କ’ଣ ସେତିକି ? ପଟାପଟ ବଂଶର ସମସ୍ତେ ମରି ଶୋଇବେ । ଜଣେ ପରା ଥରେ ସ୍ୱାମୀଜୀଙ୍କୁ ଟାପରା କରିଥିଲା । ତା’ ଫଳ ସଙ୍ଗେସଙ୍ଗେ ପାଇଗଲା । ତା’ କୁକୁର ଚାରିଟା ଛୁଆ ଦେଇଥିଲା, ସେ ସବୁଗୁଡ଼ାଙ୍କୁ କଟାସ ଖାଇଗଲା ।

 

ସାଧାରଣ ସଭାରେ ନେତାମାନଙ୍କ ବକ୍ତୃତାର ନଈବଢ଼ି ସୁଅ ଛୁଟିଲା ପରି ବନ୍ଧୁଙ୍କର ସ୍ୱାମୀଜୀଙ୍କ ଗୁଣଗ୍ରାମ ବର୍ଣ୍ଣନା ଆଉ କେତେ ଘଣ୍ଟା ଚାଲିଥାଆନ୍ତା । ମୁଁ ବାଧା ଦେଲି । କାରଣ ମୋ କୁକୁର ଛୁଆ ଦେଇ ନାହିଁ କି କେବେ ଦେବ ନାହିଁ । ସେଇଟା ଅଣ୍ଡିରାଟାଏ କି ନା !

 

‘‘ଆରେ ଅଥର୍ବାନନ୍ଦ କଅଣ ?’’ ମୁଁ ପଚାରିଦେଲି । ‘‘ଅଥର୍ବ ଅର୍ଥ କର୍ମକୁଢ଼, ଯେ କିଛି କାମ କରେ ନାହିଁ । ସେ ସେହି ଅଥର୍ବାନନ୍ଦ ହୋଇଥିବେ ।’’

 

ବନ୍ଧୁ ଜିଭ କାମୁଡ଼ି ପକାଇଲେ । ଦୁଇହାତ ଯୋଡ଼ି ତିନିଥର ମୁଣ୍ଡରେ ଲଗାଇଲେ । ବଡ଼ ଶଙ୍କିତ ସ୍ୱରରେ କହିଲେ, ‘‘ସେ ସର୍ବଅନ୍ତର୍ଯ୍ୟାମୀ । ଆମେ ଏଠି ଯାହା ଆଲୋଚନା କରୁଥାଇଁ, ସେ ସମସ୍ତ ସେ ଜାଣି ସାରିବେଣି । ରାଗିଗଲେ ତୋର ଅମଙ୍ଗଳ ହେବ ।’’

 

କିଛି ସମୟ ମଉନ ରହି ପୁଣି ବନ୍ଧୁ କହିଲେ, ‘‘ଅଥର୍ବ ବେଦ ବୋଲି ଗୋଟିଏ ବେଦ ଅଛି–ଏହା ଜାଣିଛ ନା ? ସ୍ୱାମୀଜୀ ସେହି ବେଦକୁ ମନୁଷ୍ୟ ଖାଦ୍ୟ ହଜମ କଲାଭଳି ଏକାବେଳକେ ହଜମ କରିଦେଇଅଛନ୍ତି । ତା’ର ସମସ୍ତ ତତ୍ତ୍ୱ ତାଙ୍କର ନଖଦର୍ପଣରେ । ସେଇଥିପାଇଁ ହିମାଳୟରେ ଥିବା ବାରଶହ ବର୍ଷ ବୟସ୍କ ତାଙ୍କ ଗୁରୁଦେବ ମାଡ଼ୁଆ ଦାସ ନାମ ରଖିଅଛନ୍ତି ସ୍ୱାମୀ ଅଥର୍ବାନନ୍ଦ ମହାରାଜ ସରସ୍ୱତୀ ।’’

 

ଯାହାହେଉ ପଛକେ ବନ୍ଧୁଙ୍କ ହାତରୁ ଆଉ ରକ୍ଷା ମିଳିଲା ନାହିଁ । ତାଙ୍କ ସଙ୍ଗରେ ସ୍ୱାମୀଜୀଙ୍କ ଦର୍ଶନ ନିମିତ୍ତ ଅମୃତବେଳା ଦେଖି ଅନୁକୂଳ କଲି ।

 

ଦେଖିଲି, ବନ୍ଧୁଙ୍କ ଭଳି ବହୁ ଭକ୍ତ ଶିଷ୍ୟ ସ୍ୱାମୀଜୀଙ୍କୁ ଘେରି ବସିଅଛନ୍ତି । ପାଟକପୁରା (ପାଠକେ, ପାଟକୁରା ପଢ଼ିବେ ନାହିଁ) କଦଳି ଓ ସେତିକି ଲମ୍ବର ଚିଲମ ଦୁଇ ତିନୋଟି ସହ ବହୁପ୍ରକାର ଭୋଗ ସରଞ୍ଜାମ ସଜଡ଼ା ହୋଇ ଆଗରେ ଥୁଆ ହୋଇଅଛି । ଦ୍ରବ୍ୟଗୁଡ଼ିକ ଏତେ ଲୋଭନୀୟ ଯେ, ତାକୁ ଦେଖି ମନେହେଲା, ‘‘ମୁଁ ହେଲେ ଏହିପରି ଜଣେ ସ୍ୱାମୀ ହୋଇଯାଆନ୍ତି ।’’ ଘରେ ଅବଶ୍ୟ ଗୋଟାଏ ସ୍ୱାମୀ ହୋଇଅଛି; ମାତ୍ର ଏପରି ଭୋଗ ତ କେବେ ହେଲେ ଭାଗ୍ୟରେ ଜୁଟି ନାହିଁ ।

 

ବନ୍ଧୁ ଲମ୍ୱ ହୋଇ ଗୋଡ଼ତଳେ ପଡ଼ିଗଲେ । ପାଦଧୂଳି ଆଣି ମୁଣ୍ଡରେ ବୋଳିଲେ ।

 

ମୁଁ ଖାପଚରେ ପଡ଼ିଅଛି, ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କୁ ଅନୁକରଣ କଲି ।

 

ସ୍ୱାମୀଜୀ ଆଶୀର୍ବାଦ କଲେ, ‘‘ବାବାମାନେ ମଙ୍ଗଳ ହେଉ ।’’ ଧ୍ୟାନସ୍ଥ ହୋଇ ସମସ୍ତଙ୍କୁ ଶୁଣାଗଲାଭଳି ଗାଇଲେ–

 

‘‘ଜିହ୍ୱାୟା ଅଗ୍ରେ ମଧୁମେ ଜିହ୍ୱା ମୂଳେ ମଧୂଳକମ୍‌

ମମେଦହ କ୍ରତାବସୋ ମମ ଚିତ୍ତମୁପାୟସି ।’’

 

‘‘ବେଦ କହୁଅଛି, ଜିହ୍ୱାକୁ ସବୁ ସମୟରେ ମଧୁମୟ କର । ଜିହ୍ୱା ଅଗ୍ରରେ, ଜିହ୍ୱା ମୂଳରେ, ଜିହ୍ୱାର ଚାରି ପାଖରେ ସର୍ବଦା ମଧୁ ଲାଗି ରହିଥାଉ ।’’

 

ଏହା କହିବା ସଙ୍ଗେସଙ୍ଗେ ସ୍ୱାମୀଜୀ ପାଖରେ ରହିଥିବା ଭକ୍ତ ଶିଷ୍ୟମାନଙ୍କ ପ୍ରଦତ୍ତ ମଧୁରୁ କିଛି ପାନ କଲେ ।

 

ବନ୍ଧୁ ଭକ୍ତି ଗଦ୍‌ଗଦ୍‌ କଣ୍ଠରେ କହିଲେ, ବାବା, ଆପଣଙ୍କ କୁମ୍ଭୀର ଶିଷ୍ୟ କଥା ଟିକିଏ ବର୍ଣ୍ଣନା କରନ୍ତୁ । କେବଳ ତାହା ଶୁଣିବା ପାଇଁ ମୋର ଅଧ୍ୟାପକ ବନ୍ଧୁ ଏଠାକୁ ଆସିଅଛନ୍ତି ।’’

 

ଚକ୍ଷୁ ଅର୍ଦ୍ଧମୁଦ୍ରିତ କରି ସ୍ୱାମୀଜୀ ଭାଷିଲେ, ‘‘ବା, ସେ କୁମ୍ଭୀର ନୁହେଁ । ଅଭିଶପ୍ତ ବ୍ରହ୍ମଚାରୀ । ପୂର୍ବଜନ୍ମରେ ଗୁରୁଙ୍କ କଥାରେ ଅବିଶ୍ୱାସ କରିବାରୁ ଗୁରୁ ଅଭିଶାପ ଦେଲେ । ସେ କୁମ୍ଭୀର ପେଟରେ ଜାତ ହେଲା । ବହୁତ ହିଂସା କଲା । ନର୍କକୁଣ୍ଡରେ ପଡ଼ିବାର କଥା । ମାତ୍ର ପୁଣ୍ୟବଳରୁ ମୋର ଦର୍ଶନ ପାଇଗଲା । ବର୍ତ୍ତମାନ ଏକ ନୈଷ୍ଠିକ ସାଧୁ । ଆଉ ହିଂସା କରୁନାହିଁ; ସତ୍‌ପଥରେ ଚାଲୁଅଛି ।

 

‘‘ସେ କଅଣ ଆଉ ମଣିଷ, ଗୋରୁ, ଛେଳି, ମେଣ୍ଢା ମାରୁ ନାହିଁ ? ତେବେ ଖାଉଛି କଅଣ ? ଜୀବନ ଧରିଛି କିପରି ?’’–ଜଣେ କେହି ଭକ୍ତ ପ୍ରଶ୍ନ କରିଦେଲା ।

 

ମୋ ମନରେ ମଧ୍ୟ ଏହି ପ୍ରଶ୍ନ ଉଠିଥିଲା । ମାତ୍ର ସାହସ ହେଲା ନାହିଁ ପଚାରିବା ପାଇଁ । କାଳେ ଅଭିଶାପ ଦେଇ କୁମ୍ଭୀର କରିଦେବେ !

 

‘‘ଘାସ ଘାସ’’–ସ୍ୱାମୀଜୀଙ୍କ ଉତ୍ତର । ‘‘କେବଳ ଘାସ ଚରୁଅଛି । ଆଉ ଏତେ ହିଂସା, ପାପ କାମ କରିଥିବାରୁ ଅନୁତାପ କରି କାନ୍ଦୁଅଛି । ମୋର ଯେତେବେଳେ ଆଶ୍ରା ଧରିଅଛି, ଆଉ ବେଶିଦିନ ତାକୁ ଅନୁତପ୍ତ ହେବାକୁ ପଡ଼ିବ ନାହିଁ । ଶୀଘ୍ର ମୁକ୍ତି ପାଇଯିବ ।’’

‘‘ସେ କିପରି ଶିଷତ୍ୱ ଗ୍ରହଣ କଲା ?’’ –ଏ ପ୍ରଶ୍ନ ସମସ୍ତଙ୍କ ମନରେ ଜାଗରୁକ ହେବା ସ୍ୱାଭାବିକ ।

ସ୍ୱାମୀଜୀ ସର୍ବଅନ୍ତର୍ଯ୍ୟାମୀ । ଶିଷ୍ୟ ଭକ୍ତମାନଙ୍କ ମନଭିତର କଥା ଜାଣିଗଲେ ନିଶ୍ଚୟ । ସେହି କାହାଣୀ ଆରମ୍ଭ କଲେ–

–ନଦୀବନ୍ଧ ଉପରେ ମୁଁ ଚାଲି ଯାଉଥିଲି । ଦେଖିଲି, ଆଗରେ ଅଳ୍ପ ଦୂରରେ ଗୋଟାଏ ବଡ଼ ଘଡ଼ିଆଳ କୁମ୍ଭୀର ଖରାପିଠିଆ ଶୋଇଅଛି । ପାଖରେ କେତୋଟି ପିଲା କୁଟୁମ୍ବ ।

–ମୋତେ ଦେଖି ଖାଇବାକୁ ଗୋଡ଼ାଇ ଆସିଲା । ମୁଁ ତ ତା’ ପୂର୍ବଜନ୍ମ କଥା ଜାଣେ । ସେଇଠାରେ ଠିଆହୋଇ ରହିଲି ।

–ନାରଦଙ୍କ ଦୟାରୁ ଦସ୍ୟୁ ରତ୍ନାକର ମହାତପସ୍ୱୀ ବାଲ୍ମୀକି ହେଲା; ଉପଯୁକ୍ତ ଅନୁଗ୍ରହରୁ ଚଣ୍ଡାଶୋକ ଧର୍ମାଶୋକ ପାଲଟିଗଲା । ସେହିପରି କୁମ୍ଭୀର ସ୍ୱଭାବ ବଦଳାଇ ଦେବା କିବା ଛାର ।

–ସେ କହିଲା, ତୁମଙ୍କୁ ଖାଇବି । କୁମ୍ଭୀର ତ ଆଉ କଥା କହେ ନାହିଁ । ଭାବଭଙ୍ଗୀରୁ ତା’ ପେଟଭିତର କଥା ମୁଁ ଜାଣିଗଲି ।

–କହିଲି, ମୋର ତ କିଛି ନାହିଁ । ତୁ ଖାଇବୁ କଅଣ ? ମିଛରେ ପାଟି ଦାନ୍ତକୁ କଷ୍ଟ ଦେବୁ କାହିଁକି ? କଲିଜା ଖାଇବୁ ବୋଲି ସିନା ମାଙ୍କଡ଼କୁ ଭୁଲାଇ ନେଇ ଯାଇଥିଲୁ । ମୋର କଲିଜା ନାହିଁ, ଖାଇବୁ କଅଣ ?

–ତୁ ତ ଏ ଦୁନିଆ ବିଷୟରେ କିଛି ଜାଣିଲୁ ନାହିଁ । ଏବେ ମୁଗଡ଼ାଲି କିଲୋ ପାଞ୍ଚ ଟଙ୍କା, ଚିନି କିଲୋ ପନ୍ଦର ଟଙ୍କା । ଗହମ ଅଟା ଆଦୌ ମିଳୁ ନାହିଁ । ସବୁ ଦ୍ରବ୍ୟ ନକଲି, ଭେଜାଲ । ଏହି ସବୁ କଥା ଚିନ୍ତା କରିକରି ମୋ କଲିଜା ପାଣି ହୋଇ ବୋହିଗଲାଣି । ତୋ ପାଇଁ କିଛି ହେଲେ ନାହିଁ । ଛାତିଟା ଖାଲି ଫମ୍ପା ।

–ମୁଣ୍ଡ ଖାଇବୁ ? ସେ ହେଲେ କଅଣ ଅଛି ମୋର । ପିଲାଦିନେ ବାପା ଭାଇ ନେଇ ବସାଇଦେଲେ ପାଠଶାଳାରେ । ସେଇଠୁ ଆରମ୍ଭ କରି କଲେଜ ଅଧ୍ୟାପକଯାଏ ସମସ୍ତେ ମୋ ମୁଣ୍ଡଟାକୁ ଖାଇଦେଇଅଛନ୍ତି । ଆଉ ତୁ ଖାଇବୁ କଅଣ ? ଶୁଣି ନାହୁଁ ? କୁହାଯାଇଥାଏ ‘ଶିରୋନାସ୍ତି ଶିରଃ ପୀଡ଼ା’ ।

–ବାତଜ୍ୱର ରୋଗରେ ଅଙ୍ଗବିଶେଷରେ ମେଦ ବୃଦ୍ଧି ହେଲା । ଡାକ୍ତର ତ ତାକୁ କାଟି ନେଇଗଲେ । ତୋ ପାଇଁ କିଛି ହେଲେ ରଖି ନାହାନ୍ତି ।

–ନେତା ଆଉ ମନ୍ତ୍ରୀମାନଙ୍କ ପାଖକୁ ଦଉଡ଼ିଦଉଡ଼ି ଗୋଡ଼ ଦୁଇଟା ଏକାବେଳକେ ଘୋରି ହୋଇଯାଇଅଛି । ତାର ଅବଶେଷ କିଛି ନାହିଁ ।

–ହାତ ଅବା ତୋତେ ଖାଇବାକୁ ଦେଇଥାଆନ୍ତି । ତାହା ମଧ୍ୟ ସମ୍ଭବ ହେଉ ନାହିଁ । ଉପରିସ୍ଥ ହାକିମଙ୍କ ପାଦରେ ତେଲ ବୋଳିବୋଳି ଗୋଟିଏ ହାତ ତ ପଙ୍ଗୁ । ଆର ହାତଟି ତାଙ୍କ କଥା ଲେଖିଲେଖି ଅଚଳ । ତଥାପି ତାଙ୍କର ସନ୍ତୋଷଭାଜନ ହୋଇ ପାରିଲି ନାହିଁ । ଅନବରତ ସଦ୍ୟ ଆଗ୍ନେୟଗିରିରୁ ବାହାରୁଥିବା ଉତ୍ତପ୍ତ ଧାତୁସ୍ରୋତ ଭଳି ଗାଳିଗୁଲଜ ଶୁଣି କାନଦୁଇଟା କେଉଁ କାଳୁ ନଷ୍ଟ ହୋଇଗଲାଣି । ସେଇଥିପାଇଁ କହୁଅଛି ମୋର ଆଉ କଅଣ ଅଛି ଯେ, ତୁ ଖାଇବୁ ?

 

–ମୋ କଥା ଶୁଣି ଶୁଣି ତା ମନରେ ଭାବାନ୍ତର ଆସିଲା । ଭୋ ଭୋ କାନ୍ଦି ପକାଇଲା । ନାହିଁ ନାହିଁ–ଭୋ, ଭୋ ନୁହେଁ । ମାନସମ୍ମାନକୁ ମୁଠାଇ ଧରି ରଖିଥିବା ଶିକ୍ଷିତ ଲୋକେ ଯେପରି ସଂ ସଂ ହୋଇ ଆଖିରୁ ଲୁହଧାର ଛୁଟାଇ ଦିଅନ୍ତି, ତାର ଠିକ୍‌ ସେଇ ଦଶା ହେଲା ।

 

–ବର୍ତ୍ତମାନ ସେ ଜୀବ ମାରିବା ଛାଡ଼ି ଦେଇଅଛି, ଏକାବେଳକେ ନିରାମିଷାଶୀ–ଘାସାହାରୀ ।

☆☆☆

 

ଇସପ ଗଳ୍ପର ନୂଆ ରୂପ

 

ସେ ସମୟରେ ସିନା ଗଧିଆ ତଣ୍ଟିରେ ଛେଳିଛୁଆ ହାଡ଼ ଲାଗିଥିଲା, ଏବେ କିନ୍ତୁ ସେହି କଣ୍ଟା ଲାଗିଲା ଗଧିଆଣୀ ତଣ୍ଟିରେ । ତାହା ପୁଣି ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ–ଦୁତିବାହନ ବ୍ରତ ଦିନ ।

 

ସମସ୍ତଙ୍କ ଦେଖାଦେଖି ଗଧିଆଣୀ ବ୍ରତ ପାଳିଥିଲା–ନିର୍ଜଳା ଉପବାସ । କେତେ ପ୍ରକାରର ପନିପରିବା ଠୁଳ କରିଥିଲା ଦୁତିବାହନ ପୂଜା ପାଇଁ । ବିଚାରୀ ଭୋକ ଆଉ ସମ୍ଭାଳିପାରିଲା ନାହିଁ । ବିଶେଷତଃ ଆଖି ଆଗରେ ଗଧିଆ ରଡ଼ମଡ଼ କରି ମାଂସ ଚୋବାଉଛି । ଏଥିରେ ଭୋକ ଦୁଇ ଗୁଣ ବଢ଼ି ଉଠିବ ନାହିଁ ?

 

ଛେଳିଛୁଆର ପଞ୍ଜରା ପାଖରୁ ପୁଳାଏ ସେ କୌଶଳରେ ଆଗରୁ ରଖି ଦେଇଥିଲା । ରାତି ହେବାରୁ ଗଧିଆକୁ ଲୁଚାଇ କୋରଡ଼ ଭିତରେ ତାକୁ ଖାଇବାକୁ ଆରମ୍ଭ କଲା । ହାଡ଼ ରଡ଼ମଡ଼ ଚୋବାଉ ଥାଏ; କଡ଼ମଡ଼ ଶବ୍ଦ ଶୁଣାଗଲା । ପଦାରେ ଥାଇ ଗଧିଆ ପଚାରିଲା–‘‘ଭିତରେ ଠକ୍‌ଠକ୍‌ କଅଣ ଶୁଣାଯାଉଅଛି ?’’

 

ଗଧିଆଣୀ ଜବାବ ଦେଲା–‘‘ସଂଧ୍ୟାବେଳେ ଗୋଧୋଇ ଆସିଲି ଯେ, ଶୀତରେ ଦେହ ଥରୁଛି । ତଳ ଉପର ଦାନ୍ତ ବାଡ଼େଇ ହୋଇ ଏପରି ଶବ୍ଦ କରୁଅଛି ।’’

 

ଗଧିଆ ଆଉ କହିବ ବା କଅଣ ?

 

ଗଧିଆଣୀ ଭାବିଲା, ଏଣିକି ଆଉ ଚୋବାଇ ଚୋବାଇ ନ ଖାଇ ଗିଳିଦେବାକୁ ହେବ । ତା ହେଲେ ଆଉ କଡ଼ମଡ଼ ଶବ୍ଦ ହେବ ନାହିଁ । ଗଧିଆ ଜାଣିବ, ମୁଁ କିଛି ଖାଉ ନାହିଁ–ନିର୍ଜଳା ଉପବାସ କରିଅଛି ।

 

ସେ ପୁଳାଏ ମାଂସ ଗିଳିଦେଲା । ପାଟି ଭିତରେ ସିନା ପଶିଗଲା, ତଣ୍ଟିରେ ଗଳିଲା ନାହିଁ । ସେଥିରେ ଥିବା ଖଣ୍ଡେ ହାଡ଼ ଠିକ୍‌ ତା ତଣ୍ଟିର ମଝି ଜାଗାରେ ଅଟକି ଗଲା । ପେଟକୁ ତ ଗଲା ନାହିଁ, ଯେତେ ଖେଁ ଖେଁ କାଶିଲେ ବି ପଦାକୁ ବାହାରି ଆସିଲା ନାହିଁ । ଠିକ୍‌ ତଳ ଉପର ହୋଇ ସିଧା ଭାବରେ ତଣ୍ଟିରେ ଲାଗି ରହିଗଲା ।

 

ଗଧିଆଣୀ ଆଉ କଅଣ ବା କରିବ ? ବ୍ରତ ପାଳି ଲୁଚାଇ ଖାଇବାର ଫଳ ହାତେ ହାତେ ମିଳିଗଲା । ଘର ଭିତରୁ ବାହାରି ଆସି ଗଧିଆକୁ ଦୁଃଖ ଜଣାଇଲା । ବିକଳ ହୋଇ କହିଲା, ‘‘ବଗକୁ ଡକାଅ । ସେ ତା ଥଣ୍ଟ ପୂରେଇ ହାଡ଼ ଖଣ୍ଡକୁ ବାହାର କରିଦେଉ ।’’

 

କିନ୍ତୁ ଆଗରୁ ଗଧ ତଣ୍ଟିରୁ ହାଡ଼ କାଢ଼ି ବଗ ଯେଉଁ ଅପମାନ ପାଇଅଛି, ତାହା ତ ସେ ଜୀବନରେ ଭୁଲିପାରିବ ନାହିଁ । ଗଧିଆକୁ ସଫାସଫା ଶୁଣାଇଦେଲା, ‘‘ଆଉ ମୁଁ ହାଡ଼ କାଢ଼ିବି ? କୃତଘ୍ନ ଗଧିଆ, ପୂର୍ବ କଥା କଅଣ ଭୁଲି ଗଲୁଣି ?’’ ଗଧିଆ ରାଗରେ ଦାନ୍ତ କଡ଼ମଡ଼ କଲା । ଆଉ ଅଧିକା କଅଣ ବା କରନ୍ତା ?

 

ଅବଶ୍ୟ ମନେମନେ ବେଜାୟ ଖୁସି । ଗଧିଆଣୀ ଯେ ସବୁ ସମୟରେ ବକର ବକର ହୋଇ କାନ ଅତଡ଼ା ପକାଉଥିଲା, ସେଥିରୁ ତ୍ରାହି ମିଳିଛି । କଥା କହିପାରୁ ନାହିଁ । ଆଉ କଳି କରିବ କଅଣ ? ପୁଣି ଖାଇବା ବନ୍ଦ । ଗଧିଆର ଭାଗ ବେଶି ପଡ଼ିବ ।

 

ହେଲେ, ସାଇ ପଡ଼ିଶାରେ ଘର କଲେ ଲୋକନିନ୍ଦାକୁ ତ ଖାତିର କରିବାକୁ ହେବ । ସହଧର୍ମିଣୀ–ବେଦିରେ ହାତ ଧରି ବାହା ହୋଇଅଛି ଦେବତାଙ୍କୁ ସାକ୍ଷୀ ରଖି । ତା ରୋଗ କଥା ନ ବୁଝିଲେ ସାଇ ପଡ଼ିଶା ନିନ୍ଦା କରିବେ ନାହିଁ ?

 

ଗଧିଆଣୀ ଖାଇବାକୁ ନାହିଁ । ଲୋକଦେଖାଣିଆ ସେ ବି ଖାଇବା ଛାଡ଼ିଦେଲା । ପ୍ରତୀକ ଅନଶନ । କେବଳ ପେଟ ପୂରିବା ପାଇଁ ଯେତିକି ନିହାତି ଦରକାର, ସେତିକି ମାତ୍ର ଖାଇଲା ।

 

ଗଧିଆଣୀର ବାରମ୍ବାର ଜିଗର, ବାହୁନା, ଆଖିରୁ ଲୁହଧାର ବହିବା ଦେଖି ସେ ବଣର କବିରାଜମାନଙ୍କୁ ଡାକିଲା । ‘‘ପାଥି’’ ମାନଙ୍କୁ ଅନୁନୟ ବିନୟ କଲା । ଏଲୋପାଥି, ହୋମିଓପାଥି, ନେଚରପାଥି–ସମସ୍ତଙ୍କ ପାଖରେ ନେହୁରା ହେଲା । ବଗ ଦଶା ତ ସମସ୍ତେ ଜାଣିଛନ୍ତି, ତେଣୁ କେହି ‘ସିମ୍‌ପାଥି’ ଦେଖାଇଲେ ନାହିଁ ।

 

ଆଉ କିଛି ଉପାୟ ନ ପାଇ ଗଧିଆ ବିଚଳିତ ହୋଇ ଉଠିଲା । ରୋଗିଣୀକୁ ଧରି ନିଜ ଗାଁ ଗଣ୍ଡା–ବଣ ଜଙ୍ଗଲ ଛାଡ଼ି ଆସିଲା ସହରକୁ । ସେ ଜାଣିଲା, ଡାକ୍ତର ଅସ୍ତ୍ରୋପଚାର ନ କଲେ ଗଧିଆଣୀ କେବେ ଭଲ ହେବ ନାହିଁ । ତା ପାଟିରୁ ସିନା ତ୍ରାହି ମିଳିଛି; ମାତ୍ର ତାର ମୁହଁଛିଞ୍ଚଡ଼ା, ଅଗ୍ନିବର୍ଷଣୀ ଚାହାଣି ଆଉ ରାଗ ତମତମ ଚାଲି ଯେ ଦିନକୁ ଦିନ ଅସହ୍ୟ ହୋଇ ଉଠୁଅଛି ।

 

ଧର୍ମନିରପେକ୍ଷ, ଲୋକପ୍ରତିନିଧି ଶାସିତ ଗଣତନ୍ତ୍ର ରାଷ୍ଟ୍ରର ଗୋଟିଏ ଡାକ୍ତରଖାନାରେ ଆସି ପହଞ୍ଚିଗଲା । ଅତି ଦୂର ଦେଶରୁ, ଭିନ୍ନ ରାଇଜରୁ ଆସିଅଛି ଏ ନୁଆ ଜାଗାକୁ । ତଥାପି ତାହାର କିଛି ଅସୁବିଧା ହେଲା ନାହିଁ । ତା ଦେଶଟା ଜଙ୍ଗଲ, ବଡ଼ସାନ କେତେ ପ୍ରକାର ଗଛରେ ପୂରି ରହିଅଛି । ପୁଣି କଣ୍ଟା ଝଣ୍ଟା, ଗହଳ ବୁଦା, ବିଛୁଆତି ବାଇଡ଼ଙ୍କ ଲତା ଅଞ୍ଚଳର ବାସିନ୍ଦା ସେ । ଏଠାରେ ଦେଖିଲା, ସେହିପରି ମଣିଷ–ଜଙ୍ଗଲ । ବଡ଼–ସାନ ବୁଦା ଲତା ଦେହ ଫୋଡ଼ି ପକାଇବା, ମନ ଗଲୁ କରିବା ଇତ୍ୟାଦି । ସବୁ ଧରଣର ଅଭିଜ୍ଞତା ଏଠାରୁ ମିଳିବ । ତେବେ କାହା ସହିତ ପହିଲେ ସମ୍ପର୍କ ସ୍ଥାପନ କରିବ ?

 

ଭାବିଭାବି ଠିକ୍‌ କଲା, ତଳ ଆଡ଼ୁ ଉପରକୁ ଉଠିବା ଭଲ । ଜଣେ ମୂଲିଆ ଶ୍ରେଣୀର ଲୋକକୁ ଡାକି ମନ କଥା ବଖାଣିଲା । ଉତ୍ତର ପାଇଲା, ‘‘ଖାଲି କଥା କହିଲେ ହେବ ନାହିଁ । ଫିସ୍‌ କାହିଁ ? ଦୁଇ ଟଙ୍କା ଫିସ୍‌ ଦରକାର ।’’

 

ଗଧିଆ ଫିସ୍‍ ବଢ଼ାଇ ଦେଲା । ଲୋକଟି ପଚାରିଲା, ‘‘ପଣ୍ଡିତକୁ ଧରିବ ନା ପଣ୍ଡାକୁ ଧରିବ ?’’

 

ଗଧିଆ ବୁଝିପାରିଲା ନାହିଁ । କହିଲା–ମୋର ଡାକ୍ତର ଦରକାର ।

 

ସେ ଉତ୍ତର ଦେଲା, ‘‘ମୁଁ ଡାକ୍ତର ନୁହେଁ, ଡାକ୍ତରଙ୍କ ପାଖକୁ ନେଇଯିବି ମାତ୍ର ।’’

 

‘‘ତୁମ କାମ କଅଣ ?’’

 

‘‘ଆମ କାମ ହେଲା ଦଳ ଗଢ଼ିବା । ମାସକୁ ମାସ ନୂଆ ଦାବି ଉପସ୍ଥାପନ କରିବା । ଘେରାଉ ଧର୍ମଘଟ, କାମ ବନ୍ଦ–ଏମିତି କେତେ କଅଣ ଅଛି ।’’

 

ତରତର ହୋଇ ଯେ ଚାଲିଗଲା । ତା ଦୁଇଟଙ୍କା ଫିସ୍‌ର ଦାମ ସରିଯାଇଅଛି । ଗଧିଆ ଖୋଜି ବୁଲିଲା, ଆର ଦଳ କିଏ ?

 

ଯାହା ହେଉ, ମନ ମାଫିକ ଲୋକ ପାଇଗଲା । ତାକୁ ପାଞ୍ଚ ଟଙ୍କା ଫିସ୍‌ ଦେଲା । ତା ସାଙ୍ଗରେ ଗଲା ଅଫିସ ଘର ଭିତରକୁ ।

 

ଡାକ୍ତର ରୋଗର ବିବରଣୀ ଶୁଣିଲେ । କହିଲେ, ‘‘ଏ ସାମାନ୍ୟ କଥା ନୁହେଁ–ଅପରେସନ ହେବ । ଅସ୍ତ୍ରୋପଚାର ଅର୍ଥାତ୍‌ ଛୁରିରେ କଟାକଟି ।’’

 

ଡାକ୍ତରଙ୍କ ଫିସ୍‌ ବତିଶ ଟଙ୍କା ଗଧିଆ ଟେବୁଲ ଉପରେ ରଖିଦେଲା ।

 

ତାଙ୍କ ନିର୍ଦ୍ଦେଶରେ ପାଖରେ ଠିଆ ହୋଇଥିବା ନର୍ସ ପଚାରିଲେ, ‘‘ରୋଗିଣୀ ରହିବ କେଉଁଠି ?’’

 

‘‘ଏଇ ଡାକ୍ତରଖାନାରେ, ମୁଁ ବିଦେଶୀ । ଏଠାରେ ତ ରହିବା ପାଇଁ ମୋର ଜାଗା ନାହିଁ-।’’

 

‘‘ତା ହେଲେ ‘ବେଡ଼୍‌’ ପାଇଁ ଷାଠିଏ ଟଙ୍କା ଦରକାର ।’’

 

ଗଧିଆ ପଚାରିଲା, ‘‘ଏ ପରା ସରକାରୀ ଡାକ୍ତରଖାନା, ଦାତବ୍ୟ ଔଷଧାଳୟ ?’’

 

ଉତ୍ତର ମିଳିଲା, ‘‘ଟଙ୍କା କଅଣ ତୁ ଘରେ ତିଆରି କରୁଅଛୁ ? ସେ ବି ସରକାରୀ । ସରକାରୀ ଡାକ୍ତରଖାନା, ଡାକ୍ତର ବି ସରକାରୀ । ତେଣୁ ସରକାରୀ ଟଙ୍କା ଦେବାକୁ ହେବ, ଧଳା ଟଙ୍କା ।’’

 

ସବୁ ଟଙ୍କା ତ ଧଳା । ଆଉ କଳା ଟଙ୍କା କଅଣ ଅଛି କି ?

 

‘‘ତୁ ବୋକା, ବୁଝିପାରିବୁ ନାହିଁ ।’’

 

ଉତ୍ତର ଶୁଣି ଗଧିଆ ମୁହଁ କଳା ପଡ଼ିଗଲା । ଅଣ୍ଟାରୁ ବାହାର କରି ଆଉ ଷାଠିଏ ଟଙ୍କା ଥୋଇଦେଲା । ରୋଗିଣୀକୁ ସ୍ଥାନ ମିଳିଲା ।

 

କଥା ହେଲା, ଗଧିଆ ଦିନରାତି ସେ ଝଙ୍କା ଆମ୍ୱଗଛ ମୂଳେ ଆଶ୍ରୟ ନେବ । ମଝିରେ ମଝିରେ ନିର୍ଦ୍ଦିଷ୍ଟ ସମୟରେ ଆସି ରୋଗିଣୀ କଥା ବୁଝି ଯାଉଥିବ ।

 

ଦିନେ ଗଲା, ଦୁଇ ଦିନ ଗଲା । ଦିନ ଦିନ ହୋଇ ମାସଟିଏ ପୂରିଗଲା । ଗଧିଆଣୀ ଘର ଭିତରେ ବହଳେ ଉଚ୍ଚ ଗଦି ଉପରେ ଆଉ ଗଧିଆ ଗଛ ମୂଳ ମାଟିଗଦାରେ ଦିନ କାଟିବାକୁ ଲାଗିଲେ ।

 

ଗଧିଆ ପ୍ରତିଦିନ ଡାକ୍ତରଙ୍କୁ ଦେଖା କରେ । ଅତି ଭକ୍ତିର ସହିତ ଓଳଗି ହୋଇ ପଚାରେ–ଅପରେସନ ହେବ ପରା ?

 

ଆଜି ପାଣି ନାହିଁ, କାଲି ଆଲୁଅ ନାହିଁ; କେଉଁ ଦିନ ନିଶା ଡାକ୍ତର ନାହାନ୍ତି, କେବେ ବା ସହକାରୀମାନଙ୍କ ଧର୍ମଘଟ । ଏହିପରି ଦିନ ଗଡ଼ି ଚାଲିଲା । ଅସ୍ତ୍ରର ଦେଖା ମିଳିଲା ନାହିଁ କି ଅସ୍ତ୍ର ଉପଚାର ହେଲା ନାହିଁ । କେବଳ ଅପଚାରହିଁ ସାର ହେଲା ।

 

ଗଧିଆ ଖୋସଣିରୁ ପାଣ୍ଠି ସରି ଆସିଲା । ଏ ତ ଆଉ ତା ରାଇଜ ନୁହେଁ ଯେ, କାହାଠାରୁ ଧାର ଉଧାର ଆଣି ଚଳାଇନେବ । ଅପରିଚିତ ଜାଗା–ସମସ୍ତେ ଅଜଣା, ଅଶୁଣା । ତାକୁ ବା କିଏ କାହିଁକି ଧାର ଦେବ ?

 

ଭାବିଲା, ଗଧିଆଣୀକୁ ଛାଡ଼ି ପଳାଇଯିବ । ମାତ୍ର ଏହା ତ ସମ୍ଭବ ନୁହେଁ । ଜଙ୍ଗଲର ଆଉ ଜୀବଜନ୍ତୁ ସବୁ ନିନ୍ଦା କରିବେ । ଛି ଛି କହି ଟିହାଇବେ, ପୁଣି ବେଶି ଅସହ୍ୟ ହେବ–ଗଧିଆଣୀ ଯେତେବେଳେ ଭଲ ହୋଇ ଘରକୁ ଫେରିଯିବ । ସେତେବେଳେ ସେ ମୁହଁ ଦେଖାଇବ କିମିତି ?

 

ଅଣ୍ଟାରୁ ଆଉ କିଛି ଖସାଇଲା । ଡାକ୍ତରଙ୍କ ଆଗରେ ରଖି ଦେଇ ଲମ୍ବ ହୋଇ ଗୋଡ଼ତଳେ ପଡ଼ିଗଲା ।

 

‘‘ସେବା କାର୍ପଣ୍ୟ ଭକ୍ତି ବଳେ ।

କିବା ଅସାଧ୍ୟ ମହୀତଳେ ?’’

 

ଡାକ୍ତରଙ୍କର ଦୟା ହେଲା । ସେ ସଙ୍ଗେସଙ୍ଗେ ଉଠିପଡ଼ିଲେ ରୋଗିଣୀକୁ ଦେଖିବା ପାଇଁ । ସାଙ୍ଗରେ ଗଧିଆ ଚାଲିଲା ।

 

ଡାକ୍ତରବାବୁ ରୋଗିଣୀର ପେଟ, ପିଠି ଚିପିଲେ । ଛାତିରେ ଟେଥିସକୋପ ଲଗାଇଲେ-। ଅଣ୍ଟା ବାଡ଼େଇ ପରୀକ୍ଷା କଲେ । ମୁହଁ ଗମ୍ଭୀର କରି କହିଲେ, ‘‘ଠିକ୍‌ ଅଛି, କାଲି ପେଟ ଅପରେସନ ହେବ ।’’

 

ଗଧିଆ ହାତ ଯୋଡ଼ି ଗୁହାରି କଲା, ‘‘ହଜୁର ହାଡ଼ ତ ତଣ୍ଟିରେ ଲାଗିଅଛି । ପେଟ କଟା ହେବ କାହିଁକି ?’’

 

ସହଗାମିନୀ ସିଷ୍ଟର ଗର୍ଜି ଉଠିଲେ, ‘‘ମଫସଲୀ ମୁର୍ଖ କାହାଁକା ଡାକ୍ତର ବାବୁ ବିଶେଷଜ୍ଞ-। ତୁ କଣ ତାଙ୍କଠାରୁ ବଳି ବେଶି ପଣ୍ଡିତ ଯେ କଥାରେ ଜବାବ ଦେଉଅଛୁ ? ଡାକ୍ତରବାବୁ କହିଲେ, ‘‘ପେଟ କଟା ହେବ । ବେଶ୍‌ ସେଇଥିରେ ରୋଗିଣୀ ଭଲ ହୋଇଯିବ । ଆଉ କିଛି ଚିନ୍ତା କରିବା ଦରକାର ନାହିଁ ।’’

 

ସତ କଥା । ଗଧିଆ ତ ଆଉ ବିଶେଷଜ୍ଞ ନୁହେଁ । ସେ ପାଟି ବୁଜି ରହିଲା ।

 

ଯାହା ହେଉ, ଦିନକ ପରେ ଗଧିଆଣୀ ତଣ୍ଟିରୁ କଣ୍ଟା ବାହାରିଯିବ । ଏ ଦହଗଞ୍ଜରୁ ରକ୍ଷା ମିଳିବ । ଗଛମୂଳ ଆଶ୍ରାରୁ ସେ ନିଜ ଗୁମ୍ଫାକୁ ଫେରିଯିବ ।

 

ସେ ଦିନ ମନ ଟିକିଏ ନିଶ୍ଚିନ୍ତ ହେଲା । ଚିନ୍ତା ନ ଥିଲେ ତ ନିଦ ହୁଏ । ରାତିରେ ଗାଢ଼ ନିଦରେ ଶୋଇ ପଡ଼ିଲା ।

 

ବେଶି ବେଳ ଯାଇ ନାହିଁ । କିଏ ଆସି ତାକୁ ଜୋରରେ ହଲାଇଦେଲା । ସେ ଚମକି ପଡ଼ିଲା । ଆଖି ଫିଟାଇ ଦେଖିଲା, ଗଧିଆଣୀ ପାଖରେ ଠିଆହୋଇ ରହିଅଛି ।

 

ସଙ୍ଗେସଙ୍ଗେ ତାର ପୂର୍ବ ଭଳି ଗର୍ଜନ ପାଟି ଶୁଣାଗଲା ।

 

‘‘ଚାଲ, ଏଇଠାରୁ ଏଇକ୍ଷଣି ପଳାଇଯିବା । ଏଠାରେ ରହିଲେ ତ୍ରାହି ନାହିଁ ।’’

 

ଗଧିଆ ଆଖି ମଳି ମଳି ପଚାରିଲା, ‘‘ତଣ୍ଟିରୁ ହାଡ଼ ବାହାରିଗଲା କି ? କାହିଁ ସେ ହାଡ଼-? କେଡ଼େ ବଡ଼ ହାଡ଼ ?’’

 

‘‘ହାଡ଼ ତଣ୍ଟିରୁ ଖସି ପେଟ ଭିତରକୁ ଚାଲିଗଲାଣି । ତଣ୍ଟିରେ ଲାଗିଥିବାବେଳେ ଡାକ୍ତର କହୁଥିଲେ ପେଟ କାଟିବେ । ଏବେ ହାଡ଼ ତ ଯାଇ ପେଟରେ । କାଲି ସକାଳୁ ଆସି କହିବେ, ତଣ୍ଟି କାଟିବି । ପେଟ କାଟିଲେ ସିନା ବଞ୍ଚି ଯାଆନ୍ତି । ତଣ୍ଟି କାଟିଲେ ?’’

 

ଗଧିଆକୁ ଆଉ କିଛି କହିବାକୁ ସମୟ ମିଳିଲା ନାହିଁ । ଗଧିଆଣୀ ଜୋର ଜବରଦସ୍ତି ତାକୁ ଘୋଷାରି ହତା ବାହାରକୁ ଟାଣିନେଲା । ଆଉ ମୁହୂର୍ତ୍ତେ ସେ ଏଠାରେ ରହିବାକୁ ଚାହେଁ ନାହିଁ-

☆☆☆

 

ଏମ୍‌, ଏଲ୍‌. ଏ.ଙ୍କ ସାହିତ୍ୟସାଧନା

 

ମୋର ପିଲାଦିନର ସାଙ୍ଗ–ସହପାଠୀ ।

 

ବର୍ତ୍ତମାନ ଏମ୍‌. ଏଲ୍‌. ଏ. । ମନ୍ତ୍ରୀଙ୍କର ଅତି ବଡ଼ ବିଶ୍ୱାସୀ । ଯେତେବେଳେ ଯାହା କହିବ, ମନ୍ତ୍ରୀ ତାହା ଅବଶ୍ୟ କରିବେ । କାମ ହାସଲଟା ନିଶ୍ଚୟ ହେବ ।

 

ବଟୁ ବୋଧହୁଏ ବହୁ ଗବେଷଣା ପରେ ଏହା ଉଦ୍‌ଭାବନ କରିଅଛି । ସେ ମୋର ଶ୍ୟାଳକର ପୁଅ । ତେଣୁ ତାର ଅଧିକାର ମୋ ଉପରେ ସବୁଠାରୁ ବେଶି ।

 

ସେ ଦିନ ବଟୁ ଆସି ଜିଗର ଲଗାଇଲା, ‘‘ପିଉସା, ଟିକିଏ ଦନେଇ ବାବୁଙ୍କ ପାଖକୁ ଯିବା ।’’

 

‘‘ଦନେଇ ବାବୁ କିଏ ରେ ?’’–ଆଶ୍ଚର୍ଯ୍ୟ ହୋଇ ପଚାରିଲି ।

 

‘‘ଦନେଇ ବାବୁଙ୍କୁ ମନେ ପଡୁ ନାହିଁ ?’’ ସେ ଦୁଇ ଗୁଣ ଆଶ୍ଚର୍ଯ୍ୟ ହୋଇଗଲା । ‘‘ମୁଁ ଠିକ୍‌ ତଥ୍ୟ ସଂଗ୍ରହ କରିଅଛି । ସେ ତୁମର ସହପାଠୀ ଥିଲେ–ନବମରୁ ଏକାଦଶ ଶ୍ରେଣୀ ଯାଏ । ସେ ଥରକୁ ତିନି ଥର ଫେଲ ହୋଇଗଲେ ବୋଲି ସିନା ତୁମର ତାଙ୍କର ଛାଡ଼ବାଡ଼ ହୋଇଗଲା । ତା ନ ହେଲେ କଲେଜରେ ବି ସହପାଠୀ ହୋଇଥାନ୍ତେ ।’’

 

ସ୍ମୃତି ଉପରେ ଲଦା ହୋଇଥିବା ବାଲିବସ୍ତା ଗୁଡ଼ିକ ଗୋଟିକ ପରେ ଗୋଟିଏ କାଢ଼ି ଫିଙ୍ଗି ଦେଲା ପରେ ସବୁ କଥା ପରିଷ୍କାର ହୋଇଗଲା ।

 

ଦନେଇ ଓରଫ ଜନାର୍ଦ୍ଦନ ଦାସ ସତରେ ମୋର ସହପାଠୀ ଥିଲେ । ଆମେ ସାଙ୍ଗ ହୋଇ ବହୁତ ଖେଳିଅଛୁ, ବୁଲିଅଛୁ, କେତେ ପ୍ରକାର ଅପକର୍ମ ବି କରିଅଛୁ । ପରୀକ୍ଷା ସମୟରେ ମୁଁ ତାକୁ ବହୁତ ଥର ପାଠ ବତାଇ ଦେଇଅଛି । ଅଙ୍କ କଷି ଗୋପନରେ ତାହାକୁ କାଗଜ ବଢ଼ାଇଅଛି । ସେହି କାରଣରୁ ସେ ସବୁ ପରୀକ୍ଷା ପାସ୍‌ କରିଥିଲା । ଗୋଟିଏ ଗୋଟିଏ ସିଡ଼ିରେ ପାଦ ପକାଇ ଉପରକୁ ଉଠିଯାଇଥିଲା ।

 

କେତେ ଦୂରକୁ ଉଠିଥାଆନ୍ତା କେଜାଣି; ମାତ୍ର ବାଟରେ ଅଦଉତି ସାଧିଲା ପ୍ରବେଶିକା ପରୀକ୍ଷା ।

 

ସେତେବେଳେ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଜନ୍ମ ହୋଇ ନଥିଲା । ବିଶ୍ୱବିଦ୍ୟାଳୟ ହିଁ ସେ କାମ ତୁଲାଉଥିଲା । ମାଧ୍ୟମିକ ଶିକ୍ଷା ବୋର୍ଡ଼ର ସିନା ଶେଷ ସୀମା–ମାତ୍ର ବିଶ୍ୱବିଦ୍ୟାଳୟର ତାହା ଆରମ୍ଭ, ପ୍ରବେଶ ମାତ୍ର ।

 

ବଟୁକୁ ପଚାରିଲି, ‘‘ତା ପାଖକୁ ଯିବା କାହିଁକି ? ପଚାଶ ବର୍ଷ ତଳର ସାଙ୍ଗ । ସେ ଚିହ୍ନିବ କି ନାହିଁ କିଏ କହିବ ?’’

 

ବଟୁ ସରକାରଙ୍କର ଜଣେ ପେଟି ଅଫିସର । ପନ୍ଦର ବର୍ଷ ଧରି ଗୋଟିଏ ସ୍ଥାନରେ ଗାଦି ମାଡ଼ି ବସି ଆରାମରେ ରହିଅଛି । ମାତ୍ର ଏବେ ସେଥିରେ ବାଦ ସାଧିଛନ୍ତି ମନ୍ତ୍ରୀ । ତାକୁ ଗୋଟିଏ ଦୂର ଜାଗାକୁ ବଦଳି କରାଯାଇଅଛି । ଦନେଇବାବୁଙ୍କୁ ଧଇଲେ ସେ ମନ୍ତ୍ରୀଙ୍କୁ କହି ବଦଳିଟାକୁ ବଦଳାଇ ଦେବେ ନିଶ୍ଚୟ ।

 

ବଟୁ କଥାରେ ରାଜି ନ ହେବାର ଉପାୟ ନ ଥିଲା । ଦିନକ ପରେ ତାଙ୍କ ପାଖକୁ ଯିବା ସ୍ଥିର ହେଲା ।

 

ରାତିରେ ଆଉ ଥରେ ପୁରୁଣା ସ୍ମୃତିଗୁଡ଼ିକ ଆଉଡ଼େଇ ଗଲି ।

 

ପ୍ରକୃତରେ ଜନାର୍ଦ୍ଦନ ମୋର ଗୋଟିଏ ଅନ୍ତରଙ୍ଗ ବନ୍ଧୁ ଥିଲା । କିନ୍ତୁ ତା ହାତରେ ପାଠ ହେଉ ନ ଥିଲା ଶାଠ ହେଉଥିଲା ବହୁତ ।

 

ପ୍ରଥମେ ସେ ହେଲା କବି–ବହୁତ କବିତା ଲେଖିଲା । ଗଦାଗଦା କବିତା । ଆମମାନଙ୍କୁ ପାଖରେ ବସାଇ ପଢ଼ି ଶୁଣାଏ । ଘଣ୍ଟାଏ ନୁହେଁ, ଦୁଇ ଘଣ୍ଟା ନୁହେଁ, ଚାରି ପାଞ୍ଚ ଘଣ୍ଟା ମଧ୍ୟ ବିତିଯାଏ-। ଶ୍ରୋତାମାନେ ଅଧୈର୍ଯ୍ୟ ହୋଇ ଉଠନ୍ତି । ମାତ୍ର ବକ୍ତାର ବିଶ୍ରାମ ନ ଥାଏ ।

 

ପରୀକ୍ଷା ମୁଣ୍ଡ ଉପରେ । ଜଣେ ବନ୍ଧୁ ପଚାରିଦେଲା, ‘ତୁ ତ କବିତା ଲେଖାରେ ସମୟ ନଷ୍ଟ କରୁଅଛୁ, ପଢ଼ିବୁ କେତେବେଳେ ?’’

 

ସେ ଅଟ୍ଟହାସ୍ୟ କରି ଉଠିଲା । ‘‘ପଢ଼ିବାଟା–ଖାଲି ପାଠ୍ୟପୁସ୍ତକ ଘୋଷିବା ମୋ ହାତରେ ହେବନାହିଁ । ସେ ଦାୟିତ୍ୱଟା ତୁମର । ତୁମେ ପରୀକ୍ଷା ଦିଅ, ପାସ୍‌ କର । ସାର୍ଟିଫିକେଟ ଧରି ଚାକିରି ପାଇଁ ଧାଁ ଦଉଡ଼ ଲଗାଅ ।’’

 

‘‘ତେବେ ତୁ କରିବୁ କଅଣ ?’’

 

‘‘ମୁଁ ହେବି ସାହିତ୍ୟିକ, କବି । ପତ୍ର ପତ୍ରିକାରେ ମୋ ଲେଖା ପ୍ରକାଶ ପାଇବ । ସମସ୍ତେ ପଢ଼ିବେ, ସାବାସ୍‍ ସାବାସ୍‌ କହିବେ । ଦୁନିଆଯାକ ମୋତେ ଚିହ୍ନିବେ, ଆଦର ବଢ଼ିବ, ଅଭିନନ୍ଦନ ଜଣାଇବେ । ତେଣିକି ନୋବେଲ ପ୍ରାଇଜ୍‌ ପାଇବାଟା ବଡ଼ କଥା ହେବ ନାହିଁ ।’’

 

‘‘ସେଥିପାଇଁ ତ ପୁଣି ପାଠ ଦରକାର ?’’–ମୁଁ ପଚାରିଦେଲି ।

 

ଉତ୍ତର ମିଳିଲା–‘‘ବୋକାରାମ ! କବି, ସାହିତ୍ୟିକମାନଙ୍କର ପାଠ କଅଣ ହେବ ? ସେମାନେ ଜନ୍ମରୁ ଈଶ୍ୱରଦତ୍ତ ପ୍ରତିଭାରେ ସର୍ବଦା ଜାଜ୍ଜ୍ୱଲ୍ୟମାନ । ଏ ପାଠଗୁଡ଼ାକ ସେମାନଙ୍କ ପାଖରେ ତୁଚ୍ଛ, ଅତି ନଗଣ୍ୟ ।’’

 

ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଶ୍ରାଦ୍ଧୋତ୍ସବ । ଗୋପବନ୍ଧୁଙ୍କ ସମ୍ପର୍କରେ ବହୁ ପ୍ରବନ୍ଧ, କବିତା ସାହିତ୍ୟ ପତ୍ରିକାମାନଙ୍କରେ ପ୍ରକାଶ ପାଇବ ।

 

ଦନେଇ ମଧ୍ୟ ଗୋଟିଏ ପ୍ରବନ୍ଧ ଲେଖିଥିଲା । ସଂପାଦକଙ୍କର ତାହା ପତ୍ରିକାରେ ନ ଛାପି ଗତି ନାହିଁ । ଏତେ ଗବେଷଣାମୂଳକ ସୁଲିଖିତ ସୁନ୍ଦର ପ୍ରବନ୍ଧ । ସମ୍ପାଦକ ଦେଖିଲା ମାତ୍ରକେ ଗଦ୍‌ଗଦ୍‌ ହୋଇଯିବେ । ଭାଷା ଯେପରି, ଭାବ ମଧ୍ୟ ସେହିପରି–ପୁଣି ବଡ଼ ତଥ୍ୟମୂଳକ ।

 

ପ୍ରବନ୍ଧଟି ଆରମ୍ଭ ହୋଇଥିଲା–‘‘ଏକନିଷ୍ଠ ଦେଶସେବକ, ତ୍ୟାଗୀ, ଦୀନ ଦୁଃଖୀଙ୍କ ବନ୍ଧୁ ପଣ୍ଡିତ ଗୋପବନ୍ଧୁଙ୍କ ଅମର ବାଣୀ–

 

କେହି ରହି ନାହିଁ ରହିବ ନାହିଁଟି

ଭବରଙ୍ଗ ଭୂମି ତଳେ

ସର୍ବେ ନିଜନିଜ ଅଭିନୟ ସାରି

ବାହୁଡ଼ିବେ କାଳବଳେ ।

 

ବାସ୍ତବିକ୍‌ ଅକ୍ଷରେ ଅକ୍ଷରେ ସତ୍ୟ ।

 

କହିବା ବାହୁଲ୍ୟ, କୌଣସି ନିର୍ବୋଧ ସମ୍ପାଦକ ଏ ପ୍ରବନ୍ଧକୁ ନିଜ ପତ୍ରିକାରେ ସ୍ଥାନ ଦେଲେ ନାହିଁ । ବୋଧହୁଏ ସେମାନେ ପରଶ୍ରୀକାତର–ଦନେଇର ଏ ତଥ୍ୟପୂର୍ଣ୍ଣ ପ୍ରବନ୍ଧ ପ୍ରକାଶ ପାଇଲେ, ତାର ଯଶ ଖ୍ୟାତି ବଢ଼ିଯିବ–ଏହା ସମ୍ପାଦକମାନେ ଚାହାନ୍ତି ନାହିଁ, କିମ୍ବା ଏହାକୁ ବୁଝିବାକୁ ଜ୍ଞାନ ସେମାନଙ୍କର ନାହିଁ ।

 

ବିଜ୍ଞାନର ମହତ୍ତ୍ୱ ବୁଝାଇ ତିନି ରାତି ଅନିଦ୍ରା ହୋଇ ସେ ‘ଏକ୍‌ସ–ରେ’ ବିଷୟରେ ଗୋଟିଏ ପ୍ରବନ୍ଧ ଲେଖିଥିଲା । ଜଣ ଜଣ କରି ସବୁ ସାଙ୍ଗ ସାଥିଙ୍କ ଆଗରେ ପଢ଼ି ସେମାନଙ୍କୁ ଶୁଣାଇବାକୁ ଲାଗିଲା । ସମସ୍ତେ ତାର ପାଣ୍ଡିତ୍ୟର ଉଚ୍ଚ ପ୍ରଶଂସା କରିଥିଲେ । କାରଣ ବରା ଗୁଲୁଗୁଲା ପେଟରେ ପଡ଼ିଛି । ପ୍ରବନ୍ଧ ଶୁଣି ସାରି ପ୍ରଶଂସା ନ କରିବାକୁ ବାଟ ନଥିଲା । ତା କବଳରୁ ମୁକୁଳିବା ସମ୍ଭବ ହୁଅନ୍ତା ନାହିଁ ଯେ ।

 

ସେ ପ୍ରବନ୍ଧଟିକୁ ମଧ୍ୟ କୌଣସି ପତ୍ରିକା ଛାପିଲେ ନାହିଁ । ଦେଶର ଦୁର୍ଭାଗ୍ୟ ।

 

ମୁଖବନ୍ଧରେ ସେ ଲେଖିଥିଲେ–

 

‘‘ଏକସ୍‌–ରେ ଏଭଳି ଏକ ବସ୍ତୁ, ଯାହାକି ଆଜିକାଲି କେହି ନ ଜାଣିବାର ନାହିଁ ।’’

 

ମୁଁ କେବଳ ଦୁଇଟି ଉଦାହରଣ ଦେଲି । ସେ କିନ୍ତୁ ଶହ ଶହ ପ୍ରବନ୍ଧ ଲେଖିଅଛି । କେତେ ତଥ୍ୟ ବହୁ ଗବେଷଣା କଲା ପରେ ପରିବେଷଣ କରିଅଛି । ମାତ୍ର ଗୋଟିଏ ହେଲେ ପ୍ରବନ୍ଧ କୌଣସି ପତ୍ରିକାରେ ପାଇଲା ନାହିଁ–କ୍ଷୋଭର ବିଷୟ ।

 

ସେ ବିରକ୍ତ ହୋଇ ପ୍ରବନ୍ଧ ଲେଖିବା ଛାଡ଼ିଦେଲା । ଲେଖିଲା ଗଳ୍ପ–ମିନି ଗଳ୍ପ, କ୍ଷୁଦ୍ର ଗଳ୍ପ, ବଡ଼ ଗଳ୍ପ । କେତେ ନାୟକ ନାୟିକାଙ୍କ ବିରହ–ମିଳନ, କେତେ ଧନୀ ଲୋକଙ୍କ ଅତ୍ୟାଚାର, ଗରିବ ଚାଷୀ ମୂଲିଆଙ୍କ ହା–ହୁତାଶ । ସେ କରୁଣ ବର୍ଣ୍ଣନାଗୁଡ଼ିକ ତା ମୁହଁରୁ ଶୁଣି ଆମ ପ୍ରାଣ କାନ୍ଦି ଉଠେ । ଅବଶ୍ୟ ଯେତେ ଆଖିକୁ ମନ୍ଥିଲେ ମଧ୍ୟ ଲୁହ ବିନ୍ଦୁ ବାହାରେ ନାହିଁ । ବୋଧହୁଏ, ସେ ଦୁଃଖ କାହାଣୀ ଶୁଣିଶୁଣି ଆଖିର ପାଣି ଶୁଖି ଯାଇଥାଏ ।

 

ସେଗୁଡ଼ିକ ମଧ୍ୟ କୌଣସି ସଂପାଦକ ପତ୍ରିକାରେ ସ୍ଥାନ ଦେଲେ ନାହିଁ । ଏତେ ବଡ଼ ସାହିତ୍ୟିକ ପ୍ରତିଭା କ୍ରମେ ମଉଳି ଯିବାକୁ ବସିଲା ।

 

ସେହି ଅବସ୍ଥାରେ ତାର ମୋର ଛାଡ଼ବାଡ଼ । ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହୋଇପାରି ସେହି ସ୍କୁଲରେ ରହିଗଲା । ଆମେ ସବୁ କଲେଜକୁ ଚାଲି ଆସିଲୁ ।

 

ଏହା ଭିତରେ ପଚାଶ ବର୍ଷ ବିତିଗଲାଣି । ସେହି କବି, ସାହିତ୍ୟିକ ଜନାର୍ଦ୍ଦନ ବର୍ତ୍ତମାନ ଦେଶର ଗଣ୍ୟମାନ୍ୟ ନେତା–ଏମ୍‌. ଏଲ. ଏ । ପ୍ରତିଦିନ ତା ନାମ, ତା ବିବୃତି, ସଭା ସମ୍ମିଳନୀରେ ତା ବକ୍ତୃତା ସମ୍ବାଦପତ୍ରମାନଙ୍କରେ ସ୍ତମ୍ଭସ୍ତମ୍ଭ ଧରି ପ୍ରକାଶ ପାଉଅଛି । କେତେ ଭଙ୍ଗୀର ଫଟୋ ଚିତ୍ର ପତ୍ରିକାର ପୃଷ୍ଠା ମଣ୍ଡନ କରୁଅଛି ।

 

ପରଦିନ ବଟୁକୁ ସାଙ୍ଗରେ ଧରି ସେହି ସ୍ୱନାମଧନ୍ୟ, କୃତକର୍ମା ବନ୍ଧୁଙ୍କ ପାଖକୁ ଗଲି । ଭାବିଲି, ଚିହ୍ନି ପାରିବ ନାହିଁ–ସନ୍ଦେହୀ ମନ କିନା !

 

ମାତ୍ର ଚିହ୍ନିଲା । ଖାଲି ଚିହ୍ନିଲା ନାହିଁ । ଦେଖି ଗଦ୍‌ଗଦ୍‌ ହୋଇ ଉଠିଲା । କୁଶଳ ପ୍ରଶ୍ନ ପଚାରିଲା । ସାଙ୍ଗରେ ନେଇ ଡ୍ରଇଁ ରୁମ୍‌ରେ ବସାଇଲା । ଚା, ବିସ୍କୁଟ ବରାଦ ଦେଲା । ନିଜକୁ କୃତକୃତ୍ୟ ମନେ କଲି ।

 

ଭାଷଣ ଦେବା ତା ଅଭ୍ୟାସରେ ପଡ଼ିଗଲାଣି । ସେହି ଭଳି ଭଙ୍ଗୀରେ କଥା ଆରମ୍ଭ କଲା ହସି ହସି,

 

‘‘ତୁମେମାନେ ଏତେଗୁଡ଼ାଏ ଡିଗ୍ରୀ ହାସଲ କରି କଅଣ ଫଳ ପାଇଲ ? ମୁଁ କହୁ ନଥିଲି, ପାଠ ପଢ଼ିଲେ ମଣିଷ ଗଧ ହୋଇଯାଏ । ବଡ଼ ହେବା ପାଇଁ, ଖ୍ୟାତି ଅର୍ଜନ କରିବା ପାଇଁ, ଦେଶ ବିଦେଶରେ ନାମ ପକାଇବା ପାଇଁ ଦୁଇଟି ପ୍ରଶସ୍ତ ବାଟ ପଡ଼ିଅଛି । ଏ ଦୁଇ ବାଟରେ ଚାଲିବାକୁ ଇଚ୍ଛା କଲେ ପାଠ ଆଦୌ ଦରକାର ନାହିଁ ।’’

 

ଏ ଦୁଇଟି ବାଟ କଅଣ, ମୁଁ ତ ବୁଝି ପାରୁ ନ ଥାଏ । ମୋ ମୁହଁରେ ବୋଧହୁଏ ତାର ସଙ୍କେତ ସେ ପାଇପାରିଲା ।

 

ହସିହସି କହିଲା, ‘‘ବୁଝି ପାରୁନାହୁଁ ? କବି ବା ସାହିତ୍ୟିକ ହେବ, ନ ହେଲେ ରାଜନୀତି କରିବ । କବି, ସାହିତ୍ୟିକ ହେଲେ ତୁଚ୍ଛ ନାଁଟା ପ୍ରଚାରିତ ହେବ, କେବେ କିପରି ଅଲଣା ଫୁଲମାଳ ଦୁଇ ଚାରିଟା ମିଳିବ । କିନ୍ତୁ ରାଜନୀତି କଲେ ଏମ୍‌. ଏଲ୍‌. ଏ., ମନ୍ତ୍ରୀ । ନହେଲେ କର୍‍ ପୋରେସନ୍‍ ଚେୟାରମ୍ୟାନ । ଏଥିରେ ଧନ–ମାନ–ଯଶ–କୀର୍ତ୍ତି ଚାରିଆଡ଼ୁ ମାଡ଼ି ଆସି ଉପରେ ଅଜାଡ଼ି ହୋଇ ପଡ଼ିବ ।’’

 

ଏତେ ଗୁଡ଼ାଏ ବକ୍ତୃତା ଶୁଣି ମନର ସାହସ ବଢ଼ି ଯାଇଥିଲା । କପ୍‍ରୁ ଢୋକେ ଚା ନେଇ ପଚାରି ଦେଲି–

 

‘‘ଆଜିକାଲି ଲେଖାଲେଖି କରୁଛ ନା ?’’

 

ମୁହଁଟା ମୋଡ଼ି ଦେଲା ପରି ଓଠକୁ କରି ଉତ୍ତର ଦେଲା, ‘‘ସେ ଭୂତ ସେହି ସମୟରୁ କାନ୍ଧରୁ ଓହ୍ଲାଇ ଯାଇଥିଲା । କୌଣସି ସଂପାଦକ ତ ଖାତିରି କଲେ ନାହିଁ, ପତ୍ରିକାରେ ଛାପିଲେ ନାହିଁ । ଆଉ ଲେଖନ୍ତି କାହିଁକି ? ଅକୃତଜ୍ଞ ଦେଶ ଏ !

 

–ତୁମେମାନେ ତ ସ୍କୁଲ ଛାଡ଼ି ଚାଲିଗଲ । ଆଉ ଯେ ତିନି ବର୍ଷ ମୁଁ ରହିଗଲି, ସେ ସମୟରେ ଜଣେ ହେଲେ ଗୁଣଗ୍ରାହୀ ଶ୍ରୋତା ପାଇଲି ନାହିଁ । ପତ୍ରିକା ଛାପୁ ନାହିଁ, କେହି ମନଧ୍ୟାନ ଦେଇ ଶୁଣିବାକୁ ରାଜି ନୁହନ୍ତି । ଆଉ ଲେଖନ୍ତି କାହିଁକି ? –ତଥାପି ଶେଷକୁ କବିତା ଲେଖିବା ଆରମ୍ଭ କରିଥିଲି । ସେ ଭାରି ସହଜ । ପୁଣି ପ୍ରଥମ ଅବସ୍ଥାରେ ଅଭ୍ୟାସରେ ପଡ଼ି ଯାଇଥିଲା । କିନ୍ତୁ ସେହି ଲେଖାରେ ଏଭଳି ବାଧା ଆଉ ବିଧା ପାଇଲି, ଯେଉଁଥିରେ କି ବୁଦ୍ଧି ହଜିଗଲା । ସେ ବଦଭ୍ୟାସ ଛାଡ଼ିଦେବାକୁ ବାଧ୍ୟ ହେଲି ।

 

–ସେତେବେଳକୁ ତିନି ଥର ବିଶ୍ୱବିଦ୍ୟାଳୟ ଦୁଆରମୁହଁରୁ ଫେରି ଆସିଲିଣି । ଚତୁର୍ଥ ଥର ପାଇଁ ପ୍ରସ୍ତୁତ ହେଉଅଛି । କବିତା ଲେଖିବା ଝୁଙ୍କ ମନକୁ ଗ୍ରାସ କଲା ।

 

–ଇଂରାଜୀ ପାଠ୍ୟ ପୁସ୍ତକ ମେଲାଇ ତା ଉପରେ କାଗଜ ରଖି ଲେଖିଲି–

 

‘‘କହ ନୂଆ ବୋଉ, ଅଛି କି ତୁମର ସାନ ଭଉଣୀ ଆଉ ।

ତୁମ ପରି ତାର ବଢ଼ିଗଲାଣି କି ବଜାର ଭାଉ ।’’

 

–ଏକମନ ଏକଧ୍ୟାନରେ ପର ପାଦଟା କଅଣ ହେବ ଭାବୁଅଛି, ପିଠିରେ ବସିଲା ଗୋଟିଏ ବାଇଶପଳିଆ ବିଧା । ସଙ୍ଗେସଙ୍ଗେ ଦୁଇ ଗାଲରେ ଠାଇ ଠାଇ ଚାପୁଡ଼ା ଉପରେ ଚାପୁଡ଼ା-। କବିତା ଦେବୀଙ୍କର ଆଉ ସାଧ୍ୟ କେତେ, ସେ ଦାଉ ସମ୍ଭାଳିବାକୁ ?

 

—ସଦ୍ୟ ବିବାହିତ ଭାଇନା ଯେ କେତେବେଳେ ଆସି ପଛ ପାଖରେ ଠିଆ ହୋଇ ମୋର ପରୀକ୍ଷା ପ୍ରସ୍ତୁତି ପାଠ ପଢ଼ା ଦେଖୁଅଛନ୍ତି, ମୁଁ କବିତା-ପଦ ଯୋଡ଼ା କଳ୍ପନାରେ ତନ୍ମୟ ଥିବାରୁ ତାହା ଜାଣନ୍ତି କିପରି ?

 

–ସେହିଦିନଠାରୁ ପରୀକ୍ଷା ପାଇଁ ପାଠ ପଢ଼ା ତ ବନ୍ଦ ହେଲା, କବିତା ରୋଗ ବି ଛାଡ଼ି ପଳାଇଲା ।

 

ଟିକିଏ ଉସ୍‌କେଇ ଦେଲି, ‘‘ବର୍ତ୍ତମାନ ତ ଆଉ ଭାଇନାଙ୍କ ବିଧା ଭୟ ନାହିଁ । ଲେଖାଲେଖି ଆରମ୍ଭ କରୁ ନାହୁଁ ?’’

 

‘‘ହଁ ଏବେ ପୁଣି ଆରମ୍ଭ କରିଅଛି । ଏଇଟା ଅତ୍ୟାଧୁନିକ ଯୁଗ ନା । ଯୁଗ ସହିତ ପାଦ ପକାଇ ଚାଲିବାକୁ ହେବ । ଦଶ ବାର ଗୋଟି ବଡ଼ କବିତା ଲେଖି ସାରିଲିଣି । ଆଉ ଚାରି ଛଅ ଗୋଟି ଲେଖିଦେଲେ ପୁସ୍ତକର ନାମ ଦେବି ‘‘ଷୋଡ଼ଶୀ’’ ।

 

‘‘ପ୍ରେସ୍‌କୁ ଦେବୁ କେବେ ?’’ ମୋର ପ୍ରଶ୍ନ ।

 

‘‘ବର୍ତ୍ତମାନ ନୁହେଁ ।’’ ଏମ୍‌. ଏଲ୍‌. ଏ. ଜନାର୍ଦ୍ଦନ ଉତ୍ତର ଦେଲେ ।

 

‘‘ମନ୍ତ୍ରୀ ହୋଇଯାଏ, ସେତେବେଳେ ପ୍ରକାଶକମାନେ ଦୁଆରେ ଆସି ଧାରଣା ଦେବେ । ପ୍ରଥମେ ପାଣ୍ଡୁଲିପି ସମର୍ପଣ ଉତ୍ସବ କରାଯିବ । ତା ପରେ ଅର୍ଦ୍ଧମୁଦ୍ରିତ ପ୍ରୁଫ୍‌ ଉନ୍ମୋଚନ, ପୁଣି ପ୍ରକାଶିତ ପୁସ୍ତକର ଉଦ୍‌ଘାଟନ ସମାରୋହ । କେତେ ବଡ଼ ବଡ଼ ସାହିତ୍ୟିକ ଆସିବେ, ଗୁଣଗ୍ରାହୀମାନେ ଫୁଲମାଳ ଦେବେ । ସମ୍ବର୍ଦ୍ଧନା କରିବେ । ସମ୍ବାଦପତ୍ରମାନଙ୍କରେ ବଡ଼ ବଡ଼ ଛବି ସହ ବିବରଣୀ ପଢ଼ି ଚାରିଆଡ଼ୁ ଅଭିନନ୍ଦନ ପତ୍ର ଅଜାଡ଼ି ହୋଇପଡ଼ିବ ।’’

 

‘‘କେବେ ?’’

 

‘‘ମନ୍ତ୍ରୀପଦ ନ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।’’

 

ଡ୍ର ଭିତରୁ ଗୋଟିଏ ବଡ଼ ଖାତା ବାହାର କରି ପଢ଼ିବାକୁ ଆରମ୍ଭ କଲା:–

 

‘‘ଏବଂ, ତା ପରେ,

 

କଟକ ମ୍ୟୁନିସିପାଲିଟିର ନାଳ ନର୍ଦ୍ଦମା ପରି

 

ଛୁଟି ଚାଲିବ କଳ୍ପକ ସ୍ରୋତ

 

ରାସ୍ତା ଖାଲ ଢିପ ବଙ୍କା ତେଢ଼ା

 

ଅତ୍ୟାଧୁନିକ କବିତା ସମ ।’’

 

ମୁଁ ବେରସିକ ନୁହେଁ । ଏ କବିତାରୁ ଆଉ କିଛି ଶୁଣିବାକୁ ମନ ଥିଲା । ମାତ୍ର ପେଟର ଶୂଳରୋଗଟା ହଠାତ୍‌ ଏତେ କଷ୍ଟ ଦେଲା ଯେ, ମୁଁ ଦାନ୍ତ କାମୁଡ଼ି ତିନି ଥର କ୍ଷମା ମାଗି ସେଠାରୁ ପଳାଇ ଆସିଲି–ଡାକ୍ତରଖାନାକୁ ଯାଉଛି ବୋଲି କହି ।

☆☆☆

 

Unknown

ହାକିମଙ୍କ ଦଶ ଅବତାର

 

ଆମ କିରାଣୀ ମହଲରେ ବନମାଳୀ ବ୍ରହ୍ମା ହେଉଅଛନ୍ତି ଏ ଯୁଗର ପିତାମହ—ବେଦବର । କେଉଁ ଯୁଗରେ କେଉଁ ବ୍ରହ୍ମାଙ୍କର ଚାରି ମୁଖରୁ ସିନା ଚାରି ବେଦ ନିଃସରଣ ହୋଇଥିଲା; ମାତ୍ର ଆମ ବ୍ରହ୍ମା ଗୋଟିଏ ମୁଖରୁ ଯେତେ ବେଦ ପ୍ରତ୍ୟହ ଉଦ୍‌ଗାରଣ କରନ୍ତି, ତାହାର ହିସାବ ରଖିବା ସହଜ ନୁହେଁ ।

 

ରବିବାର, କିରାଣୀକୁଳର ମହୋଲ୍ଲାସ । ତାସ୍‌ ଖେଳଟା ବିଶେଷ ଜମିଲା ନାହିଁ । ସମୟ କଟିବ କିପରି ? ସମସ୍ତେ ବ୍ରହ୍ମାଙ୍କର ଆଶ୍ରୟ ନେଲୁ ।

 

ଟିକିଏ ଗମ୍ଭୀର ସ୍ୱରରେ ସେ ମୁଖ ଖୋଲିଲେ–

 

କବି ଜୟଦେବ ଭଗବାନଙ୍କର ଦଶ ଅବତାର ବର୍ଣ୍ଣନା କରି କାବ୍ୟ ଲେଖିଥିଲେ । ସେ ଭଗବାନ କିଏ, ତୁମେମାନେ ଜାଣିଛ ? ତାଙ୍କୁ କେବେ ଦେଖିଅଛ କି ?

 

ସେ ଭଗବାନ ହେଉଅଛନ୍ତି, ଏ ଯୁଗର ହାକିମ ।

 

ଜୟଦେବ ଗାଇଅଛନ୍ତି, ଭଗବାନ ଆଦ୍ୟ ଅବତାରରେ ମତ୍ସ୍ୟ ରୂପ ଧରି, ଶଙ୍ଖାସୁରକୁ ମାରି ଗଭୀର ସମୁଦ୍ରରୁ ବେଦ ଉଦ୍ଧାର କରିଥିଲେ । ଆମ ହାକିମ ଆମର ବେକାରୀରୂପକ ଶଙ୍ଖାସୁରକୁ ବଧ କରି ନାହାନ୍ତି କି ? ‘କଅଣ କରିବି’–ଏଇ ଚିନ୍ତାସାଗରରୁ ଆମଙ୍କୁ ଉଦ୍ଧାର କରିଥିବାରୁ ସଂସାରରେ ଆମ୍ଭେମାନେ ମୁଣ୍ଡ ଟେକି ରହିବାକୁ ସମର୍ଥ ହୋଇଅଛୁ । ତା ନ ହୋଇଥିଲେ, ଆଜିକାଲି ବଜାର ଭାଉ ଯେପରି ଆକାଶ ସ୍ପର୍ଶ କଲାଣି, ଏଥିରେ ଆମ ଅସ୍ତିତ୍ୱ କଅଣ ରହିଥାଆନ୍ତା ? ତେଣୁ ହାକିମଙ୍କର ସେହି ମତ୍ସ୍ୟ ଅବତାରକୁ ଭକ୍ତିର ସହିତ କୃତଜ୍ଞତା ଜଣାଇବା ଉଚିତ ।

 

କଚ୍ଛପ ଅବତାରରେ ଜୟଦେବଙ୍କ ଭଗବାନ ସମୁଦ୍ର ମନ୍ଥନ କରିଥିଲେ । ପିଠି ଉପରେ ମନ୍ଦର ପର୍ବତ ରଖି ସମୁଦ୍ର ଦଧିଭାଣ୍ଡକୁ ଏପରି ଭାବରେ ମନ୍ଥନ କରାଗଲା ଯେ, ଲହୁଣୀ ଉପୁଚି ଉଠିଲା ପରି ଅମୃତ, ରମ୍ଭା, ଉର୍ବଶୀ, ପାରିଜାତ, ଉଚ୍ଚୈଃଶ୍ରବା, ଐରାବତର ଉଦ୍‌ଭବ ହେଲା । ଅତି ଲେମ୍ବୁ ଚିପୁଡ଼ିଲେ ପିତା, ସେହିପରି ଅତ୍ୟଧିକ ମନ୍ଥନ କରାଯିବାରୁ ହଳାହଳର ସୃଷ୍ଟି ହେଲା । ଆମ ହାକିମ ଆମ ନାକରେ ଦଉଡ଼ା ଲଗାଇ ଏପରି ଘୂରାଉ ଅଛନ୍ତି ଯେ, କିରାଣୀକୁଳ ନୟନ୍ତା ହୋଇ ଯାଉଅଛନ୍ତି । ଅଫିସରେ ଏହି କାର୍ଯ୍ୟ ମନ୍ଥନରୁ ଯେଉଁ ଭଲ ଦ୍ରବ୍ୟ ଜନ୍ମଲାଭ କରୁଅଛି, ତାହା ଦେବତା ଅର୍ଥାତ୍‌ ହାକିମମାନଙ୍କ ଭାଗରେ ପଡ଼ୁଅଛି । ସେମାନେ ପ୍ରମୋଶନ ଉପରେ ପ୍ରମୋଶନ ପାଉଅଛନ୍ତି । ନାନାପ୍ରକାର ଭତ୍ତା, ବିଶେଷ ଭତ୍ତା, ସ୍ୱତନ୍ତ୍ର ସୁବିଧା ଏବଂ ରମ୍ଭା ଉର୍ବଶୀ ଭଳି ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମବିଭୂଷଣକୁ କୋଳାଗ୍ରତ କରି ନେଉଅଛନ୍ତି । ହଳାହଳଯାକ ପଡ଼ୁଛି ଆମ ଭାଗରେ-। ଆମକୁ କୈଫିୟତ ତଲବ ହେଉଅଛି, କାନ ଶୁଣି ନ ଥିବା ଗାଳିଗୁଲଜ ମିଳୁଅଛି-। ‘ଡିଗ୍ରେଡ଼େସନ’ ‘ସସ୍‌ପେନ୍‌ସନ’,‘ବାଧ୍ୟତାମୂଳକ ଅବସର ପ୍ରଦାନ’–ଇତ୍ୟାଦି ଇତ୍ୟାଦି ଆମେ ହଜମ କରୁଅଛୁ । ହଳାହଳ ଭକ୍ଷଣ କରି ନୀଳକଣ୍ଠ ସାଜିଛୁ । ତଥାପି ମହାଦେବଙ୍କ ଭଳି ଧୀର ସ୍ଥିର ରହିଅଛୁ । ସବୁ ପ୍ରକାର ଅପମାନ ସହ୍ୟ କରି ଆଶୁତୋଷ ହୋଇଅଛୁ ।

 

ତୃତୀୟଟା ବରାହ ଅବତାର । ସେ ତୀକ୍ଷ୍‌ଣ ଦନ୍ତରେ ପୃଥିବୀକୁ ଅଗାଧ ସମୁଦ୍ର ଜଳରୁ ଉଦ୍ଧାର କରି ଟେକି ଧରିଥିଲେ । ହାକିମ ଅଫିସରକୁ, ଅଫିସର ମାନମର୍ଯ୍ୟାଦାକୁ ସେହିପରି ଉପରକୁ ଟେକିଅଛନ୍ତି । ଅନ୍ତତଃ ତାହାହିଁ ସେ ଅଫିସକୁ ଆସୁଥିବା ବାହାରର ଲୋକ, ବନ୍ଧୁବାନ୍ଧବ, ଖୁସାମତିଆ, କାମହାସଲ ଲାଳସୀଙ୍କ ଆଗରେ ଉଚ୍ଚ କଣ୍ଠରେ ଅନବରତ ଗାଉଥାଆନ୍ତି । ସହକାରୀ କିରାଣୀଗୁଡ଼ାକ ଅଯୋଗ୍ୟ, ସ୍ୱାର୍ଥପର, କର୍ମକୁଢ଼, ଚୋର, ଅଳସୁଆ–ଏହା ପ୍ରଚାର ନ କଲେ ନିଜ କର୍ମଦକ୍ଷତା ପ୍ରମାଣିତ ହେବ ନାହିଁ ଯେ । ‘ଅଲେଇ ବଲେଇ ବାନ୍ଦରକା ଶିର୍‍’ । ଏହି ବାନ୍ଦର କିରାଣୀବର୍ଗ ଅଲେଇ ବଲେଇ ବୋଝ ଆଖି କାନ ପାଟି ବୁଜି ମୁଣ୍ଡରେ ଧାରଣ ନ କଲେ ହାକିମଙ୍କ ମୁଣ୍ଡଟେକ ରହିବ କିପରି ?

 

‘‘ତବ କରକମଳବରେ ନଖମଦ୍‌ଭୂତ ଶୃଙ୍ଗମ୍‌’’ । ସେହି ତୀକ୍ଷଣ୍‌ ଦୃଢ଼ ନଖ କିରାଣୀମାନଙ୍କ ପେଟ ଚିରି ଅନ୍ତଃବୁଜୁଳା କାଢ଼ିବାକୁ ସର୍ବଦା ତତ୍ପର । ବିଷ୍ଣୁନିନ୍ଦୁକ ହିରଣ୍ୟକଶିପକୁ ନ ମାରିଲେ ପ୍ରହ୍ଲାଦ ରାଜା ହେବ କେମିତି ? ହାକିମଙ୍କ ମତବିରୋଧୀ, ହାକିମଙ୍କ ସର୍ବବିଧ ଆଦେଶ ଅମାନ୍ୟକାରୀ ହିରଣ୍ୟକଶିପୁ କିରାଣୀକୁଳ ମଲେ ସିନା ଗୋଡ଼ାଣିଆ, ଖୁସାମତିଆ; ପଦଲେହନକାରୀ ପ୍ରହ୍ଲାଦମାନେ ରାଜଗାଦିରେ ବସିବେ, ସେଥିପାଇଁ କିରାଣୀମାନଙ୍କ ଚରିତ୍ର ଧ୍ୱଂସକାରୀ ଗୋପନୀୟ ରେକର୍ଡ଼ ରୂପୀ ଅନ୍ତଃବୁଜୁଳାକୁ କାଢ଼ିଆଣି ଖିନ୍‌ଭିନ୍‌ କରି ଦେବାକୁ ହେବ ।

 

ବାମନ ଅବତାରରେ ଭଗବାନ ବଳୀକୁ ଛଳନା କରିଥିଲେ । ସେ ଛଳନା କଅଣ ଏ ଯୁଗର ହାକିମଙ୍କଠାରୁ ଅଧିକ ? କଦାପି ନୁହେଁ ।

 

ଗାଉଁଲୀ ସ୍ତ୍ରୀଲୋକମାନେ ଗୋଟାଏ ଢଗ ବୋଲିଥାନ୍ତି—

 

‘‘ଆପଣାର ସାତ ପୁତ

ପରର ଦେଖି କାଠଭୂତ ।’’

 

ହାକିମଙ୍କର ବ୍ୟାଙ୍କ୍‍ ବାଲାନ୍‌ସ ଯେତେ ସ୍ଫୀତ ହୋଇଥାଉ ପଛକେ, ତାଙ୍କର ନଅର ଉପରେ ନଅର ଉଠୁଥିଲେ ମଧ୍ୟ ଅଧୀନସ୍ଥ କିରାଣୀର ତାର ଶତାଂଶରୁ ଗୋଟିଏ ଅଂଶ ହୋଇଛି ବୋଲି କାନକୁହାଙ୍କଠାରୁ ଶୁଣିଲେ ହାକିମ ଅଗ୍ନିଶର୍ମା ହୋଇଯାଆନ୍ତି । ନିଜେ ଯେତେ ଲାଞ୍ଚ ନେଲେ ମଧ୍ୟ ତାହା ଜଗନ୍ନାଥମଣୋହି; ମାତ୍ର ପରିକଳ୍ପିତ ଲାଞ୍ଚୁଆ ଅପବାଦ ଏହି ବିଚାରା ବଳୀଙ୍କ ମୁଣ୍ଡରେ ଲଦା ହୁଏ; ସେ ରସାତଳଗାମୀ ହୋଇଯାଏ । ବାମନ ତିନୋଟି ପାଦରେ ତିନି ପୁର ଦଖଲ କରିଥିଲେ ସିନା, ହାକିମ ଯେ ଦଶ ପାଦରେ ଦଶ ଦିଗ ଆଚ୍ଛନ୍ନ କରିପକାନ୍ତି ।

 

ପରଶୁରାମ ଅବତାରରେ ଭଗବାନ ଧରାକୁ ନିକ୍ଷତ୍ରିୟ କରିଥିଲେ । ଏ ଯୁଗର ହାକିମ–ପରଶୁରାମମାନେ ସେମାନଙ୍କ କୁରାଢ଼ୀ ଚୋଟରେ କିରାଣୀକୁଳ ଶୂନ୍ୟ କରିବାକୁ ସତତ ତତ୍ପର । କିରାଣୀଗୁଡ଼ାକ ଅଯୋଗ୍ୟ, ଦିନ ରାତି ମିଶି ଚଉଦ ଘଣ୍ଟା ଆଜ୍ଞା ପାଳନ କରୁଥିଲେ ମଧ୍ୟ ଠାପୁଆ, ହଡ଼ା ବଳଦ । ସବୁ ସମୟରେ ଆଜ୍ଞାବହ, ଶ୍ରୀଚରଣ ସେବକ ହୋଇଥିଲେ ମଧ୍ୟ ଅବାଧ୍ୟ । ତେଣୁ ଧରାରେ ସେମାନଙ୍କ ସ୍ଥିତି, ବଂଶ ବୃଦ୍ଧି ହାକିମମାନଙ୍କ ଆଖିକୁ ଦୋଷାବହ ଦେଖାଯିବା ସ୍ୱାଭାବିକ ।

 

ଥରେ ପ୍ରବଳପ୍ରତାପୀ ଜିଲାବୋର୍ଡ଼ ଚେୟାରମ୍ୟାନ ମଫସଲ ଗସ୍ତରେ ଯାଇଥିଲେ । ତାଙ୍କୁ ତ କେହି ଚିହ୍ନନ୍ତି ନାହିଁ, ପଚାରିବ କିଏ କାହିଁକି ? ଚା କପେ ବି ମିଳିଲା ନାହିଁ । ଜିଲାବୋର୍ଡ଼ ହୋଦା କାନ୍ଧରେ ପକାଇ ପରେ ଚପରାସି ସେଠାରେ ପହଞ୍ଚି ଜଗନ୍ନାଥଙ୍କ ଆଗରେ ଗରୁଡ଼ ଦୁଇ ହାତ ଯୋଡ଼ି ବସି ରହିଲା ପରି ଅଭିନୟ କରିବାରୁ ଲୋକେ ଜାଣିଲେ ଯେ ଏ ଚେୟାରମ୍ୟାନ । ତା ପରେ ରୋହିମାଛ, କୁକୁଡ଼ା, ଅଣ୍ଡା, ପାଚିଲା କଦଳୀ ବୋଝ ଆସି ଜମା ହୋଇଗଲା । ସେହି ଚପରାସି କିରାଣୀ କ୍ଷତ୍ରିୟକୁଳ ନ ଥିଲେ ହାକିମ ପରଶୁରାମ କାହାଲାଗି ପରିଚିତ ହେବେ ? ପୁଣି କାହାକୁ ଧ୍ୱଂସ କରି ନାମ ଅର୍ଜିବେ ?

 

ଧର୍ମପତ୍ନୀ ସୀତାଙ୍କୁ ହରଣ କରି ନେବାରୁ ରାମଙ୍କ ହାତରେ ଦଶମୁଣ୍ଡ ରାବଣ ମଲା, ତାର ବଂଶ ବୁଡ଼ିଗଲା । ହାକିମଙ୍କ ଧର୍ମପତ୍ନୀ, ଅଧର୍ମପତ୍ନୀ ଯେ ହେଉନା କାହିଁକି, ତାଙ୍କ ବୋଲ ନ ମାନିଲେ ହାକିମ ରାମ ବଂଶ ଧ୍ୱଂସ କରିଦେବା ସ୍ୱତଃସିଦ୍ଧ କଥା । ଦଶଶିର ଯେଉଁଠି ସମ୍ଭଳା ନ ପଡ଼ିଲା, ଏ ଯୁଗର କିରାଣୀ ଚପରାସି ପିଅନ ଅର୍ଦ୍ଦଳି ବା କି ଛାର !

 

ମହାବଳୀ ବଳରାମ ଲଙ୍ଗଳ ମୁନରେ ଯମୁନା ଗତିପଥ ବଦଳାଇ ଦେଲେ । ଏ କାଳର ବଳରାମ ହାକିମ କଲମ ମୁନରେ କଅଣ ନ କରିପାରୁଛନ୍ତି ? ବଳରାମ ମଦିରାପାନରେ ସ୍ଥିର ଚିତ୍ତ ହୋଇ ଯୋଗ ସାଧନା କରୁଥିଲେ । ହାକିମ ତ ରାତିଦିନ ଭୋଗ ମଦିରାରେ ନିମଜ୍ଜିତ । ସେ ନିଜ ବଂଶ ଧ୍ୱଂସର ନିୟାମକ ଥିଲେ । ଏ ଯୁଗ ବଳରାମ ନିଜ ବଂଶ ରକ୍ଷା ଲାଗି ଦେଶ, ଜାତି ସମସ୍ତଙ୍କୁ ଧ୍ୱଂସ କରିବାକୁ ତତ୍ପର । ଓଡ଼ିଆ କବି ସେତେବେଳେ ଆକୁଳ କଣ୍ଠରେ ଗାଇଥିଲେ–

 

‘‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ ।’’ କିନ୍ତୁ ଆଜିର ବଳରାମମାନଙ୍କ ଦର୍ଶନ ହେଉଛି, ଜଗତ ପଛକେ ରସାତଳକୁ ଯାଉ, ମୋ ଭୋଗ-ବିଳାସ ଅତୁଟ ରହିଥାଉ ।

 

ରାଜପୁତ୍ର ବୁଦ୍ଧଦେବ ନବଜାତ ପୁତ୍ର ଓ ଯୁବତୀ ସ୍ତ୍ରୀକୁ ଛାଡ଼ି ବଣକୁ ପଳାଇ ଯାଇଥିଲେ-। ତାଙ୍କର ଗୋଟିଏ ସ୍ତ୍ରୀ, ଗୋଟିଏ ପୁତ୍ର । ତେଣୁ ସେ ବଣକୁ ଚାଲିଯିବା ସମ୍ଭବ ହେଲା-। ମାତ୍ର କଳିକାଳର ବୁଦ୍ଧଦେବ–ହାକିମମାନଙ୍କର ଯେ ବହୁସଂଖ୍ୟକ ପତ୍ନୀ–ଯୁବତୀ, ପ୍ରୌଢ଼ା, ବୃଦ୍ଧା–ସେ କାହାକୁ ଉପେକ୍ଷା କରି ସଂସାରତ୍ୟାଗୀ ହେବେ ? ଯୁଆଡ଼େ ଯିବେ, ତେଣେ ତ ତାଙ୍କ ବଂଶଧର–ସେଠାରେ ମାୟାମମତା–ଡୋରିରେ ବନ୍ଧା ହୋଇ ପଡ଼ିବେ । ତଥାପି ଯୌବନ, ଧନ ସମ୍ପତ୍ତି, କ୍ଷମତା, ପ୍ରଭୁତ୍ୱ ସବୁ ତ୍ୟାଗ କରି ଚାଲିଯାଆନ୍ତେ; ମାତ୍ର ବଣରେ ତ ମଟରଗାଡ଼ିର ଚକ ଗଡ଼ିବାକୁ ରାସ୍ତା ନାହିଁ, ସେଠାରେ ସିନେମା ମଞ୍ଚ ପ୍ରତିଷ୍ଠା କରାଯାଇ ନାହିଁ, କ୍ଲବ୍‌ ବାର୍‌ ପ୍ରଭୃତି କିଛି ନାହିଁ ।

 

‘‘ଯୋଗ ସାଧିବେ କାହା ଘେନି ?’’

 

ତେର ହାତ ଖଡ୍‌ଗ ପ୍ରସ୍ତୁତ ହେଉଅଛି କଳ୍‌କୀ ଅବତାର ପାଇଁ । ସେ ତ ଭବିଷ୍ୟତ କଥା । ଜ୍ୟୋତିଷୀମାନେ ଚକ୍ର କାଟି ଖଡ଼ି ପକାଇ ଦିବ୍ୟଦୃଷ୍ଟିରେ ତାହା ଦର୍ଶନ କରିବେ, ମାର୍ଗ ବତାଇବେ ।

 

ତେବେ କିରାଣୀକୁଳ କାହାକୁ ଭଜିବେ ? କାହାର ପାଦ ବନ୍ଦନା କରିବେ ? କେଉଁ ଦର୍ଶନରେ ଉଦ୍‌ବୁଦ୍ଧ ହେବେ ? ଏହି ଗୋଲକଧନ୍ଦାରେ ପଡ଼ି ଓଡ଼ିଆ ଭାଗବତକାର ଜଗନ୍ନାଥ ଦାସ ବଡ଼ ବିବ୍ରତ ହୋଇ ଉଠିଅଛନ୍ତି । ତାଙ୍କର ଅନ୍ତର୍ବେଦନା ପ୍ରକାଶ କରି ଲେଖିଅଛନ୍ତି–

 

‘‘ଏ ବ୍ରହ୍ମ ମତ୍ସ୍ୟ ଅବତାର

କେହି ଯେ ମାଗିବ ଆଧାର

।।

କେ ଅବା କୁର୍ମକୁ ଭଜଇ

କେ ବା ବରାହ ସୁମରଇ।।

 

ନରସିଂହ କେ ପୂଜା କରେ

ହିରଣ୍ୟକଶିପୁ ବିଦାରେ

।।

ବାମନ ମୂର୍ତ୍ତି ଅବତାର

କେବା ଭଜଇ ନିଷ୍ଠାଚାର

।।

କେ ପର୍ଶୁରାମ ମନ୍ତ୍ର ଦୀକ୍ଷା

ତାହାକୁ ସେହି ମାର୍ଗ ଆଚ୍ଛା

।।

କେ ରାମ ନାମ ମନ୍ତ୍ର ଗାଇ

ସେ ମାର୍ଗେ ଭଜନ୍ତି ଚିତ୍ତୋଇ

।।

କେ କୃଷ୍ଣ ରାମ ହରି ମନ୍ତ୍ରେ

ପୂଜନ୍ତି ଏହି ଧର୍ମ ତନ୍ତ୍ରେ

।।

କେ ଜପ ମନ୍ତ୍ର ନେଇ ଟାଣ

ଯେମନ୍ତେ କରନ୍ତି ଭଜନ

।।

କେହୁ କଳଙ୍କୀ ମନ୍ତ୍ର ନେଇ

ଜପଇ ମନ୍ତ୍ର ନ୍ୟାସ ଦେଇ

।।

କେ ନାରାୟଣ ମନ୍ତ୍ର ପାଇ

ଗାୟତ୍ରୀ ସାବିତ୍ରୀ ଜପଇ

।।

କେ ଶିବ ଶକ୍ତି ମନ୍ତ୍ର ଦୀକ୍ଷା

ଯାହାର ଅଟଇ ଯେ ପନ୍ଥା

।।

ଏମନ୍ତ ମାର୍ଗେ ଭିନ୍ନଭିନ୍ନ

କରି ଭଜନ୍ତି ମୂଢ଼ ଜନ

।।

ଯେ ଯେତେ ମାର୍ଗରେ ଭଜଇ

ମୋତେ ପାଇବେ ଅବା କାହିଁ ?

।।

ବ୍ରହ୍ମକୁ ଚିହ୍ନଇ ଯେ ନର

ନିକଟେ ଲଭେ ମୋ ପୟର

।।

 

(ଶ୍ରୀମଦ୍‌ଭାଗବତ, ତ୍ରୟୋଦଶ ସ୍କନ୍ଧ, ସପ୍ତମ ଅଧ୍ୟାୟ)

 

ଏ ଯୁଗରେ ଜନ୍ମଗ୍ରହଣ କରିଥିଲେ ଜଗନ୍ନାଥ ଦାସ ଲେଖିଥାଆନ୍ତେ–

 

କଂଗ୍ରେସ ଆଇକୁ କେ ଭଜେ

ଅର୍ସ କଥାରେ କେହି ମଜ୍ଜେ

।।

ଜନତା ପଦ କେ ସେବଇ

ଲୋକଦଳରେ ମତ୍ତ କେହି

।।

ପୁଣି ଭାରତୀୟ ଜନତା

କାହାକୁ କରେ ଉଗ୍ରମତ୍ତା

।।

କେ ଧୁଏ ବିଦେଶୀ ଚରଣ

କମ୍ୟୁନିଷ୍ଟରେ ସେ ଶରଣ

।।

ମାର୍କସବାଦୀ କମ୍ୟୁନିଷ୍ଟ

ଭାବଇ କେହି ତାର ଇଷ୍ଟ

।।

ଲୋହିଆ ମଞ୍ଚେ କେ ବିହରେ

ଫରଓ୍ୟାର୍ଡ଼ ବାନା କେ ଧରେ

।।

ରାଷ୍ଟ୍ରୀୟ ସଂଘ କେ ପୂଜଇ

ସେଠାରେ ମୁକତି ଖୋଜଇ

।।

କ୍ଷମତା ମଦେ ମତ୍ତ ସର୍ବେ

ସରା ମଣନ୍ତି ଧରା ଗର୍ବେ

।।

ବ୍ରହ୍ମକୁ ନ ପାରିଲେ ଚିହ୍ନି

ପାଆନ୍ତି ନାହିଁ ତେଣୁ ଚିନି

।।

☆☆☆

 

ମନୁଷ୍ୟ–ଏକ ଦୁଇ ଗୋଡ଼ିଆ ଜୀବ

 

ବହୁତ ଦିନର କଥା । ସେତେବେଳକୁ ଦଣ୍ଡକାରଣ୍ୟ ଯୋଜନା ଭାରତ ସରକାରଙ୍କ ପରିକଳ୍ପନାକୁ ଆସି ନ ଥାଏ । ତା ବୋଲି ତାଡ଼କା-ତ୍ରିଶିରା-ଅଧ୍ୟୁଷିତ ଦଣ୍ଡକାରଣ୍ୟ ଅନୁନ୍ନତ ଅଞ୍ଚଳ ନ ଥିଲା । ସଭ୍ୟତା, ଶିକ୍ଷା, ସଂସ୍କୃତିର ସମୃଦ୍ଧିରେ ତାର ଖ୍ୟାତି ଥିଲା ତ୍ରିପୁରପ୍ରସାରୀ ।

ଦଣ୍ଡକାରଣ୍ୟ ବିଶ୍ୱବିଦ୍ୟାଳୟ–‘ବ୍ୟାଘ୍ର ବିହାର’ ଅଧୀନରେ ଜଣେ ଉଦୀୟମାନ ଛାତ୍ର ଗବେଷଣା କରୁଥିଲେ । ବିଷୟବସ୍ତୁ ଥିଲା ମନୁଷ୍ୟ । ବହୁ ଅଧ୍ୟୟନ ପରେ ସେ ଯେଉଁ ପ୍ରାମାଣିକ ‘ଥେସିସ୍‌’ ଲେଖିଥିଲେ, ତାର ଶୀର୍ଷକ ‘‘ମନୁଷ୍ୟ–ଏକ ଦୁଇ ଗୋଡ଼ିଆ ଜୀବ ।’’ ସେହି ନିବନ୍ଧ ବହୁ ପଣ୍ଡିତଙ୍କ ଦ୍ୱାରା ପରୀକ୍ଷିତ ଓ ପ୍ରଶଂସିତ ହୋଇଥିଲା । ସେ ଡକ୍‌ଟରେଟ ଉପାଧିରେ ଭୂଷିତ ହୋଇଥିଲେ ।

ଡକ୍‍ଟର ଶେର୍‌ ବାହାଦୂର ନାମ ସେ ସମୟରେ ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲା ।

ଡକ୍‍ଟର ଶେର୍‍ ବାହାଦୂର ତାଙ୍କ ନିବନ୍ଧର ମୁଖବନ୍ଧରେ ଲେଖିଥିଲେ–ବିଧାତା ଜୀବଜଗତ ସୃଷ୍ଟି କରିବା ପାଇଁ ଯେତେବେଳେ ମନ କଲେ, ପ୍ରଥମେ ପଞ୍ଚଭୂତ–କ୍ଷିତ୍‌, ଅପ୍‌, ତେଜଃ, ମରୁତ୍‍ ଓ ବ୍ୟୋମ, ଏହି ଉପାଦାନ ସଂଗ୍ରହ କରିଥିଲେ । ତାକୁ ଦଳି, ମନ୍ଥି, ଚକଟି ସେଥିରେ ନାନା ପ୍ରକାର ପ୍ରାଣୀ ତିଆରି କଲେ । ବାଘ, ସିଂହ, ଭାଲୁ, ହାତୀ, ଗଣ୍ଡାଠାରୁ ଆରମ୍ଭ କରି ପଶୁପକ୍ଷୀ କୀଟପତଙ୍ଗ–ଏହିପରି ଚଉଷଠୀ କୋଟି ପ୍ରାଣୀ ସୃଷ୍ଟି ହେଲେ । ସେହି କାମରେ ଲାଗିଲାଗି ବିଧାତା କ୍ଳାନ୍ତ, ଶ୍ରାନ୍ତ ହୋଇ ପଡ଼ିଲେ । ଏଣେ ଉପାଦାନ ମଧ୍ୟ ଶେଷ ହୋଇଆସିଲା । କ୍ଲାନ୍ତି ହେତୁ ତାଙ୍କ ଆଖି ବୁଜି ହୋଇ ପଡ଼ିଲା ।

କିଛି ସମୟ ପରେ ଅର୍ଦ୍ଧନିମିଳିତ ଚକ୍ଷୁରେ ଚାହିଁ ଦେଖିଲେ, ଆଉ ସାମାନ୍ୟ କିଛି ଉପାଦାନ ବଳିପଡ଼ିଛି । ସର୍ବାଙ୍ଗସୁନ୍ଦର ଜୀବଟିଏ ଗଢ଼ିବାକୁ ଆଉ ଇଚ୍ଛା ହେଲା ନାହିଁ । ଉପାଦାନ ବି ଅଣ୍ଟି ନ ଥାନ୍ତା । ତେଣୁ ବିରକ୍ତିର ସହିତ ସେଗୁଡ଼ିକୁ ସେ ତଳୁ ଉଠାଇ ଦୂରକୁ ଫିଙ୍ଗିଦେଲେ ।

 

ଚାହୁଁ ଚାହୁଁ ତାହା ଗୋଟିଏ ଲମ୍ବା ଜୀବରେ ପରିଣତ ହୋଇଗଲା । ସରୁ ଦେହ, ମୁଣ୍ଡ ସାନ, ଗୋଡ଼ ମାତ୍ର ଦୁଇଟି । ବେଶି ଉପାଦାନ ଥିଲେ ସିନା ଗୋଟିଏ ପୂର୍ଣ୍ଣାଙ୍ଗ ପ୍ରାଣୀ ହୋଇଥାଆନ୍ତା ! ‘ଯେତିକି ଚୂନାକୁ ସେତିକି ପିଠା ।’

 

ମାଲ ମସଲା ନ ଅଣ୍ଟିବାରୁ ଦେହ ହେଲା ସରୁ, ଗୋଡ଼ ଚାରିଗୋଟି ପରିବର୍ତ୍ତରେ କେବଳ ଦୁଇଟି । ଲାଞ୍ଜ ମୋଟେ ନାହିଁ । ଦେହ ଲୋମହୀନ । ପୁଣି ବିଧାତାଙ୍କର ବିରକ୍ତି ମନୋଭାବ ହେତୁ ପ୍ରାଣୀଟିର ସ୍ୱଭାବ ହୋଇଗଲା ଚିଡ଼ା–ଟିଙ୍ଗ୍‌ଟିଙ୍ଗା ।

 

ଏହି କିମ୍ଭୁତକିମାକାର ଜୀବଟିକୁ ନେଇ କଅଣ ବା କରାଯିବ ? ଏକେତ ଦୁର୍ବଳ ଶରୀର, ସେଥିରେ ପୁଣି ଟାଣୁଆ ଶିଙ୍ଗ ନାହିଁ କି ମୁନିଆ ଦାନ୍ତ, ନଖ ନାହିଁ । ଗୋଟିଏ ନିତାନ୍ତ ଅକ୍ଷମ, ଅପଦାର୍ଥ, ଅସହାୟ ଜୀବ । ଏଭଳି ଗୋଟିଏ ପ୍ରାଣୀ ବଞ୍ଚି ରହିବାର ଆବଶ୍ୟକତା ବା କଅଣ ? ଏହାର ଜୀବନରେ ସାର୍ଥକତା ବା କାହିଁ ?

 

ବିଧାତା ବଡ଼ ଭାବନାରେ ପଡ଼ିଗଲେ । ଜୀବଟି ନିଜକୁ ରକ୍ଷା କରିବାକୁ ଏକାବେଳକେ ଅସମର୍ଥ । ଶୀଘ୍ର ଦଉଡ଼ି ପାରିବ ନାହିଁ, ବେଶି ଦୂରକୁ ଦେଖିପାରିବ ନାହିଁ, ଘ୍ରାଣ ଶକ୍ତି, ଶ୍ରବଣ ଶକ୍ତି ଅତି କ୍ଷୀଣ । ଆହା ! ବିଚାରା ଅସହାୟ ପ୍ରାଣୀ !

 

ସୃଷ୍ଟିକର୍ତ୍ତା ବିଚାରି ଠିକ୍‌ କଲେ, ବଣ ଜଙ୍ଗଲ ଭିତରେ ବା ଏ ଜୀବଜନ୍ତୁଙ୍କ ମଧ୍ୟରେ ରହିଲେ ଏ ପ୍ରାଣୀ ଜଗତରେ ତିଷ୍ଠି ପାରିବ ନାହିଁ । ତେଣୁ ସେମାନଙ୍କ ପାଇଁ ନୂଆ ରାଜ୍ୟ, ସମତଳ ଭୂମି ସୃଷ୍ଟି କରାଗଲା । ସେହି ଅଞ୍ଚଳରେ ସେମାନେ ବାସ କଲେ । ଚିଡ଼ା ସ୍ୱଭାବ ତ ! ନିଜନିଜ ଭିତରେ ସବୁ ସମୟରେ ମରାମରି, କାମୁଡ଼ାକାମୁଡ଼ି ଲଗାଇଦେଲେ । ଯୁଗଯୁଗ ଧରି ସେମାନଙ୍କର ଏହି ଲୀଳା ଲାଗି ରହିଥିବ ।

 

ସେହି ପ୍ରାଣୀର ନାମ ଦିଆଗଲା ମନୁଷ୍ୟ । କେହି କହିଲା ମଣିଷ । କେହି ବା ଡାକିଲା ମାନବ ।

 

ଏହି ଜୀବଟି ଆଉ ସ୍ୱାଧୀନତା ପାଇପାରିଲା ନାହିଁ । ସ୍ୱାଧୀନତା କଅଣ, ତାହା ଜୀବନରେ ଅନୁଭବ ବି କରିପାରିଲା ନାହିଁ ।

 

ଆମେମାନେ ଅତି ଶୈଶବରେ କେବଳ ମାଆ କୋଳରେ, ମାଆର ତତ୍ତ୍ୱାବଧାନରେ ରହିଥାଉ । ବଡ଼ ହୋଇଗଲେ ଆମେ ପୂରାପୂରି ସ୍ୱାଧୀନ । ସ୍ୱାଧୀନ ଭାବରେ ଆମେ ଆହାର, ସ୍ୱାଧୀନ ଭାବରେ ଆମେ ବିହାର କରୁ । କେବେହେଲେ ପରମୁଖାପେକ୍ଷୀ ହେଉନାହିଁ କି ପରର ସାହାଯ୍ୟ ଉପରେ ନିର୍ଭର କରୁ ନାହିଁ । ‘ନିଜ ହାତରେ ଆମେ ନିଜେ ଚଉଦ ପା ।’

 

କିନ୍ତୁ ଏହି ମଣିଷଜୀବଟି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପରନିର୍ଭରଶୀଳ । ଅନ୍ୟର ସାହାଯ୍ୟ ନ ପାଇଲେ ମୁହୂର୍ତ୍ତେ ବି ଚଳିପାରିବ ନାହିଁ ।

 

ସେ ଖାଇବ–ତା ପାଇଁ ଆଉ ଜଣେ ଖାଦ୍ୟପଦାର୍ଥ ଉତ୍ପାଦନ କରିଦେବ । ଚାଷୀ ଚାଷ କରି ଫସଲ ନ କଲେ, ସେ ଖାଇବାକୁ ପାଇବ ନାହିଁ । ପୁଣି ଚାଷୀ ଚାଷ କରିବ ଅନ୍ୟମାନଙ୍କ ଉପରେ ନିର୍ଭର କରି । ଜଣେ ହଳ ତିଆରି କରିବ, ଆଉ ଜଣେ ଲୁହା ହତିଆର ଯୋଗାଇଦେବ । ତା ନ ହେଲେ ଚାଷୀ ଚାଷ ବି କରିପାରିବ ନାହିଁ ।

 

ଆମେ ଦେହରେ ବହଳ ଲୋମ ପାଇଅଛୁ । ସେଥିରେ ଲଜ୍ଜା ତାଙ୍କୁ । କିନ୍ତୁ ଉପାଦାନ ଅଭାବରୁ ମନୁଷ୍ୟ ଦେହ ଲୋମହୀନ । ବିଚାରା କରିବ କଅଣ ? ଲଜ୍ଜା ଢାଙ୍କିବାକୁ ସେହିପରି ପର ହାତକୁ ଚାହିଁ ରହେ । ତା ପାଇଁ ଜଣେ କପାଚାଷ କରିବ । ଆଉ ଜଣେ ସୂତା କାଟି ଦେବ । ତୃତୀୟ ବ୍ୟକ୍ତି ଲୁଗା କପଡ଼ା ବୁଣିବ । ତା ହେଲେ ଯାଇ ମଣିଷ ନିଜକୁ ଲଜ୍ଜାରୁ ରକ୍ଷା କରିପାରିବ ।

 

ଆମେ ନିଘଞ୍ଚ ବଣବୁଦା ମଧ୍ୟରେ, ପାହାଡ଼ ପର୍ବତର ଗୁମ୍ଫା ଭିତରେ ଜୀବନ କଟାଇଦେଉ । ଖରା, ବର୍ଷା, ଶୀତ ଆମର କିଛି କ୍ଷତି କରିପାରେ ନାହିଁ । କିନ୍ତୁ ମଣିଷ ସେପରି କଦାପି ଚଳିପାରିବ ନାହିଁ । ତା ପାଇଁ ଗୋଟିଏ ଘର ଦରକାର । ସେ ଘର ସେ ପୁଣି ନିଜେ କରିପାରିବ ନାହିଁ । ଅନ୍ୟ ପାଖରେ ଶରଣ ପଶିବ । ସେମାନେ ତା ଘର ତିଆରି କରିଦେବେ । ତେବେ ଯାଇ ସେ ସେଠାରେ ରହିବ–ଖରା ବର୍ଷାରୁ ନିଜକୁ ରକ୍ଷା କରିବ ।

 

ପ୍ରତି କ୍ଷେତ୍ରରେ ଏହି ପ୍ରାଣୀଟିକୁ ପର ଉପରେ ନିର୍ଭର କରିବାକୁ ପଡ଼େ । ସେ ଆଦୌ ଆତ୍ମନିର୍ଭରଶୀଳ ନୁହେଁ । ଜଗତର ଅନ୍ୟ କୌଣସି ଜୀବ ତା ପରି ଏତେ ଅସହାୟ ନୁହେ କି ପରର ଦୟା ଉପରେ ଏତେ ନିର୍ଭର କରେ ନାହିଁ ।

 

ଆମେ ରୋଗ ବଇରାଗରେ ପଡ଼ିଲେ ମନକୁମନ ଯାଇ ବଣର ଘାସ, ପତର ଚୋବାଇ ଖାଇଦେଉ । ସଙ୍ଗେସଙ୍ଗେ ଦେହ ଭଲ ହୋଇଯାଏ । ମାତ୍ର ମଣିଷକୁ ସାମାନ୍ୟ ଟିକିଏ ଜର କି ସର୍ଦ୍ଦି ହେଲେ, ସେ ଡାକ୍ତର, କବିରାଜ, ହାକିମଙ୍କ ଶରଣ ପଶେ । ସେମାନେ ଦୟା ନ କଲେ ଯନ୍ତ୍ରଣାରେ ଛଟପଟ ହେଉଥାଏ ।

 

ଯାହା ପ୍ରତିଦିନ ତ୍ୟାଗ କରିବାର କଥା, ଆମେ ତାହା ସ୍ୱାଧୀନଭାବରେ ଯେଉଁଠାରେ ଇଚ୍ଛା ସେଠାରେ ବିସର୍ଜନ କରିଥାଉ । ମାତ୍ର ଏହି ମଣିଷଜୀବ ଖୋଜେ ଏକାନ୍ତ ସ୍ଥାନ–ଗୋପନୀୟ ଜାଗା । ଆମମାନଙ୍କ ଅପେକ୍ଷା ସେ କେତେ ପରାଧୀନ, କେତେ ଅସହାୟ, ଅପଦାର୍ଥ, ତାର ଏହି ଦୈନନ୍ଦିନ କାର୍ଯ୍ୟାବଳୀରୁ ଜଣାଯାଏ ।

 

ଆମେ ସେମାନଙ୍କ ଅଗ୍ରଜ, ତେଣୁ ପୂଜ୍ୟ । ନାନା ପ୍ରକାରରେ ସେମାନେ ଆମମାନଙ୍କୁ ପୂଜା କରନ୍ତି, ଭକ୍ତିରେ ମୁଣ୍ଡିଆ ମାରନ୍ତି । ଭୟ କରନ୍ତି ଯେତିକି, ଖାତିର୍‌ ବି କରନ୍ତି ସେତିକି ।

 

ବାଘ, ସିଂହ, ଷଣ୍ଢ, ହାତୀ, ଏପରି କି ମୟୂର, ହଂସ, ପେଚା, କ୍ଷୁଦ୍ରଜୀବ ମୂଷା ସେମାନଙ୍କ ଇଷ୍ଟ ଦେବଦେବୀଙ୍କ ବାହନ । ତେଣୁ ନମସ୍ୟ ।

 

ଆମ ଭିତରେ ଯେପରି ବିଭିନ୍ନ ସଂପ୍ରଦାୟ ରହିଅଛି, ଯଥା ମହାବଳ ବାଘ, ଚିତାବାଘ, ଗଧିଆ ବାଘ; ସେମାନଙ୍କ ମଧ୍ୟରେ ବି ସେହିପରି କେତେ ସଂପ୍ରଦାୟ ସୃଷ୍ଟି ହୋଇଅଛି । ସେ ସବୁ ହେଲା, ଧନୀ–ଗରିବ, ପାଠୁଆ–ଅପାଠୁଆ, ମୁନିବ–ଚାକର । ପୁଣି ନେତା, ଏମ୍‌.ଏଲ.ଏ., ମନ୍ତ୍ରୀ ଏଭଳି ମଧ୍ୟ କେତେ ଗୋଷ୍ଠୀ ରହିଅଛନ୍ତି ।

 

ନେତାମାନେ ବାଘ ବକରି ଏକ ତୁଠରେ ପାଣି ପିଆନ୍ତି–ଏଭଳି ଏକ ପ୍ରବାଦ ସେମାନଙ୍କ ମଧ୍ୟରେ ପ୍ରଚଳିତ ଅଛି । ପିଲାମାନେ ବାଘ–ଚକ୍ରି ଖେଳ ଖେଳି ଆମଙ୍କୁ ସ୍ମରଣ କରନ୍ତି-। ଆମେ ତାଙ୍କର ଗୁରୁଜନ–ମାମୁଁ । ସେଥିପାଇଁ ସେମାନେ ଆମଙ୍କୁ ଶ୍ରଦ୍ଧା କରନ୍ତି ।

 

ଏହି ପ୍ରାଣୀଗୁଡ଼ିକ ଅତ୍ୟନ୍ତ ମନ୍ଦ ପ୍ରକୃତିର । ନିତାନ୍ତ ଅଳସ, ପରଶ୍ରୀକାତର । କୌଣସି ପରିଶ୍ରମ କରନ୍ତି ନାହିଁ । କେବଳ ପର ପରିଶ୍ରମର ଫଳ, ପରର ରୋଜଗାର ମାରିନେବାକୁ ଚେଷ୍ଟା କରୁଥାଆନ୍ତି ।

 

ଆମେ କେବଳ ଖାଇବା ପାଇଁ ଆମ ଖାଦ୍ୟ ଜୀବମାନଙ୍କୁ ଶିକାର କରୁ । ନିଜ ଜାତିର କୌଣସି ଜୀବକୁ ମାରିବା ଆମର ଧର୍ମ ନୁହେଁ । କିନ୍ତୁ ଏହି ମାନବପ୍ରାଣୀ ନିଜ ଜାତିର ଜୀବଙ୍କ ମାଂସ ନ ଖାଇଲେ ମଧ୍ୟ ସେମାନଙ୍କୁ ମାରି ପକାଇବାକୁ ସବୁବେଳେ ଉଦ୍ୟମ କରୁଅଛନ୍ତି । ସେଥିପାଇଁ କେତେ ନୂଆନୂଆ ଅସ୍ତ୍ର ଶସ୍ତ୍ର ପ୍ରତିଦିନ ତିଆରି କରୁଅଛନ୍ତି ବନ୍ଧୁକୁ, ବୋମା, ପରମାଣୁ ବୋମା, ହାଇଡ଼୍ରୋଜେନ ବୋମା । ନିଜ ବଂଶ କିପରି ଲୋପ ପାଇଯାଉ, ପ୍ରତ୍ୟେକଙ୍କର କେବଳ ଏହି ଭାବନା । ନିଜର ବଳ, ସାହସ ନାହିଁ । ଅନ୍ୟର ବଳରେ ବଳୀୟାନ ହୋଇ ନିଜନିଜ ଭିତରେ ଯୁଦ୍ଧ ଲଗାନ୍ତି । ହଜାର ହଜାର, ଲକ୍ଷ ଲକ୍ଷ ସଂଖ୍ୟାରେ ମରନ୍ତି ।

 

ତଥାପି ଏମାନଙ୍କ ସଂଖ୍ୟା କମୁ ନାହିଁ । ଦିନକୁଦିନ ବଢ଼ି ଚାଲିଛି । ଅଥଚ ଆମେ ନିଜ ଭିତରେ ମରାମରି ନ ହେଉଥିଲେ ମଧ୍ୟ ଆମ ସଂଖ୍ୟା କମିଯାଉଛି । ବଂଶ ବୁଡ଼ିଯିବାକୁ ବସିଲାଣି ।

 

ମନୁଷ୍ୟ ନାମଧ୍ୟେୟ ଏହି ପ୍ରାଣୀଟିର ପେଟ ସାନ, ଆଖି ବଡ଼ । ଖାଏ ଅତି ଅଳ୍ପ କିନ୍ତୁ ଲୋଭ ଅତି ବେଶି । ଯାହା ଯେଉଁଠାରୁ ପାଏ, ସେ ସବୁ ଗୋଟାଇ ଆଣି ନିଜ ଗୁମ୍ଫା ଭିତରେ ଲୁଚାଇ ରଖେ । ନିଜେ ତ ଏତେ ଖାଇବା ସମ୍ଭବ ନୁହେଁ; ନିଜ ଜାତିଭାଇଙ୍କୁ ସେଥିରୁ ବଞ୍ଚିତ କରେ କେବଳ । ଯେଉଁମାନେ ଖାଇବାକୁ ନ ପାଇ ଦୁର୍ବଳ ହୋଇପଡ଼ନ୍ତି, ସେମାନଙ୍କ ନାମ ଦିଆଯାଏ ଗରିବ–ଭୋକିଲା ।

 

ଯାହାର ବଳ ବହୁତ, ସାହସ ଓ ବିକ୍ରମ ବେଶି, ଆମମାନଙ୍କ ମଧ୍ୟରେ ସେ ହୁଏ ସର୍ଦ୍ଦାର–ଯୁଥପତି । ମାତ୍ର ମଣିଷଜୀବ ଭିତରର ସର୍ଦ୍ଦାର ପାଇଁ ଏ ସବୁ ଦରକାର ନାହିଁ । ଯେ ଖାଦ୍ୟଦ୍ରବ୍ୟ ଯେତେ ବେଶି ଲୁଚାଇ ରଖିପାରିଲା, ତା’ର ବଳ ପରାକ୍ରମ ଥାଉ ନ ଥାଉ, ସେ ହୁଏ ସର୍ଦ୍ଦାର, ସମସ୍ତଙ୍କର ଭକ୍ତିଭାଜନ ।

 

ଟଙ୍କା ଏମାନଙ୍କର ଜୀବନସର୍ବସ୍ୱ । ତାହା କୌଣସି ଲୋଭନୀୟ ଖାଦ୍ୟପଦାର୍ଥ ନୁହେଁ । ଅତି ଟାଣ, କୌଣସି ଧାତୁରେ ତିଆରି ଗୋଲାକାର କ୍ଷୁଦ୍ର ଚକ୍‌ତିଟିଏ; ନ ହେଲେ ଚିରୁଳାଏ କାଗଜ–ଏହା ହିଁ ଟଙ୍କା । କୌଣସି କାମରେ ଲାଗିବ ନାହିଁ । ତଥାପି ଏଥିରୁ ଗୁଡ଼ାଏ ହାତପଇଠ କରି ନିଜନିଜ ଗୁମ୍ଫାରେ ସାଇତି ରଖବାକୁ ସମସ୍ତେ ଅତି ବ୍ୟାକୁଳ । ଏହି ନିର୍ଜୀବ ଟିକି ପଦାର୍ଥ ବା କାଗଜଖଣ୍ଡକ ଲାଗି ନିଜନିଜ ଭିତରେ କେତେ ଯେ କାମୁଡ଼ା କାମୁଡ଼ି ଲାଗିଯାଏ, ତାହା କଳ୍ପନା କରି ହେବ ନାହିଁ ।

 

ଏହା ପାଇବାକୁ ମନୁଷ୍ୟ ଅସାଧ୍ୟ ସାଧନ କରେ । ଜାତିଭାଇକୁ ମାରିପକାଇବାକୁ ତିଳେ ହେଲେ କୁଣ୍ଠିତ ହୁଏ ନାହିଁ । ତା’ ପାଖରେ ଜାତିଭାଇ ବଡ଼ ନୁହେଁ; ବଡ଼ ଟଙ୍କା ନାମକ ଏହି ବିଷାକ୍ତ ପଦାର୍ଥଟି ।

 

ତାହାର ଗୋଷ୍ଠୀ ନାହିଁ, ସମାଜ ନାହିଁ, ଦଳ ନାହିଁ–ଏକୁଟିଆ ବାହାଡ଼ା, ସମସ୍ତଙ୍କୁ ମାରି ଏକାକୀ ରହିବାକୁ ବାହାଦୁରି ମନେକରେ ।

 

ସେମାନେ ଗୋଟାଏ ଗୋଟାଏ ‘ମିଉଜିୟମ’ ବା ପଶୁଶାଳା କରୁଅଛନ୍ତି । ସେଥିରେ ସବୁ ଜୀବଜନ୍ତୁଙ୍କୁ ବନ୍ଦୀ କରି ରଖୁଛନ୍ତି । ଆମର ସେହିଭଳି ଗୋଟିଏ ‘ମନୁଷ୍ୟଶାଳା’ କରାଯିବା ଦରକାର । ପୋଷା ମନେଇଲେ, ଶିକ୍ଷିତ–ସଭ୍ୟ କରାଇପାରିଲେ ଏହି ଦୁର୍ବଳ ଜୀବଟି ଆମର ବହୁ ସେବା କରିପାରିବ । ପୁଣି ଆମ ଉତ୍ତର–ପୁରୁଷମାନେ ସେମାନଙ୍କ ଉପରେ ଅଧିକ ଗବେଷଣା କରିବାକୁ ସୁଯୋଗ ପାଇବେ ।

☆☆☆

 

ଦୈବୀ ଦୁର୍ଘଟଣା

 

ଆମ ରାଜ୍ୟଟା ସବୁଦିନ ଅଭିଶପ୍ତ । ପ୍ରତିବର୍ଷ କିଛି ନା କିଛି ଦୈବୀ ଦୁର୍ଘଟଣା ଲାଗିରହିଅଛି । ପ୍ରବଳ ନଈବଢ଼ିରେ ବାରମ୍ବାର ବନ୍ଧ ଭାଙ୍ଗି ଶହଶହ ଗ୍ରାମ, ଘର ଭାଙ୍ଗି ଧ୍ୱଂସ ପାଇ ଯାଉଅଛି । ହଜାର ହଜାର ଲୋକ ବିପନ୍ନ ହେଉଅଛନ୍ତି । କେତେ ଯେ ମରିଯାଉଛନ୍ତି, ତା’ର ହିସାବ ସରକାର ଦଶ କହିଲେ, ନେତାମାନେ ଶହେ କହୁଅଛନ୍ତି ହଜାର ହଜାର ଗାଈ ଗୋରୁ, ଛେଳି ମେଣ୍ଢାଙ୍କ ପତ୍ତା ମିଳୁ ନାହିଁ । ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଫସଲ ନଷ୍ଟ ହୋଇଯାଉଅଛି ।

କେବଳ ଏଇ ଗୋଟିଏ ଦୁର୍ବିପାକ ନୁହେଁ । କେଉଁ ବର୍ଷ ଝଡ଼ ତୋଫାନ ତ କେଉଁ ବର୍ଷ ଘୂର୍ଣ୍ଣିବାତ୍ୟା, କେଉଁ ବର୍ଷ ସମୁଦ୍ର ଜୁଆର ମାଡ଼ିଆସୁଅଛି । ଖରା ସମୟରେ କେଉଁଠାରେ ଘରପୋଡ଼ିରେ ଗୋଟାଏ ଗୋଟାଏ ଗ୍ରାମ ଧ୍ୱଂସ ପାଇଯାଉଅଛି । ଏ ସବୁ ଦୁର୍ବିପାକର ବର୍ଣ୍ଣନାରେ ସମ୍ବାଦପତ୍ର ମୁଖରିତ ହୋଇଉଠୁଅଛି । କେତେ କରୁଣ ଦୃଶ୍ୟର ଫଟୋ ଛାପା ଯାଇ ପାଠକ ମନକୁ ବିଚଳିତ କରି ପକାଉଅଛି । ସମସ୍ତେ ହାହାକାର କରୁଅଛନ୍ତି; ଭାଗ୍ୟକୁ ନିନ୍ଦୁଅଛନ୍ତି, ବିଧାତାକୁ ଗାଳି ଦେଉଅଛନ୍ତି ।

ଏହି ଦୈବୀ ଦୁର୍ଘଟଣାଗୁଡ଼ିକ କଅଣ ଆମର କେବଳ କ୍ଷତି କରୁଅଛି ? କିଛି ହେଲେ ମଙ୍ଗଳ କରୁ ନାହିଁ ? ପଣ୍ଡିତମାନେ ପରା କହନ୍ତି, ଭଗବାନଙ୍କର ପ୍ରତ୍ୟେକ କାର୍ଯ୍ୟରେ ଲୋକଙ୍କର କିଛି ନା କିଛି ମଙ୍ଗଳବିଧାନ ନିହିତ ଅଛି । କବି ଗାଇଅଛନ୍ତି–

‘‘ତୋର ମଙ୍ଗଳ ବିଧାନ,

କରିଅଛି ମରଣକୁ ଅମୃତ ସୋପାନ ।’’

ଟିକିଏ ଢଳେଇ ବିଚାର କଲେ, ଏହି ସବୁ ଧ୍ୱଂସକାରୀ ଦୁର୍ଘଟଣା ଆମ୍ଭମାନଙ୍କର ଯେ କେତେ ବେଶି ଉପକାର କରୁଅଛି, ତାହା ଯେ କେହି ବୁଝିପାରିବ ।

ପ୍ରଥମ କଥା ହେଲା, ଶହଶହ, ହଜାରହଜାର ଲୋକ ମରି ଅମୃତ ସୋପାନ ଆରୋହଣ କରି ସ୍ୱର୍ଗପ୍ରାପ୍ତି ହେଉଅଛନ୍ତି । ଏ ଯୁଗର ଅଭାବ ଅନାଟନ ପରିସ୍ଥିତିରେ ଏହା କଅଣ ସେମାନଙ୍କ ପକ୍ଷରେ ମଙ୍ଗଳପ୍ରଦ ନୁହେଁ ? ସରକାର କହୁଅଛନ୍ତି, ଜନସଂଖ୍ୟା ବୃଦ୍ଧି ପାଇ ଯାଉଅଛି–କମାଅ । ସେମାନେ ସ୍ୱର୍ଗକୁ ଯିବା ଫଳରେ ଜନସଂଖ୍ୟାରୁ ତ କିଛି ହେଲେ କମିଗଲା । ପୁଣି ସେମାନେ ଏଠାରେ ଚାକିରି ନ ପାଇ, ଖାଇବାକୁ ନ ପାଇ କିମ୍ବା ଭେଜାଲ ଦ୍ରବ୍ୟ ଖାଇ ରୋଗ ଯନ୍ତ୍ରଣାରେ ଛଟପଟ ହେବାଠାରୁ ମରିଯିବାଟା କଅଣ ସୁଖକର ନୁହେଁ ? ଯେଉଁ ପିଲା, ତରୁଣ, ଯୁବକମାନେ ମରିଗଲେ, ସେମାନେ ତ ଆଉ ଏଠାରେ ବେକାର ବୋଲି କହି ହା-ହୁତାଶ ହେବେ ନାହିଁ; ଚାକିରି ଦିଅ ବୋଲି ଅଳି କରିବେ ନାହିଁ; କିମ୍ବା ଧର୍ମଘଟ, ଘେରାଉ, ଆନ୍ଦୋଳନ, ଶୋଭାଯାତ୍ରା କରି ସର୍ବସାଧାରଣଙ୍କ ଅଶାନ୍ତିର କାରଣ ହେବେ ନାହିଁ । ଏହା ଫଳରେ ଦେଶରେ ଅହରହ ଲାଗି ରହିଥିବା ଅଶାନ୍ତି, ବିଶୃଙ୍ଖଳା ଲାଘବ ହୋଇଯିବ ନାହିଁ କି ? ସରକାର ଓ ଜନସାଧାରଣ ଶାନ୍ତିରେ ରହିବେ; ଲାହିରେ ତେଲ ପକାଇ ଟିକିଏ ନିଶ୍ଚିନ୍ତରେ ଶୋଇପାରିବେ । ହତଭାଗ୍ୟମାନେ ମୃତ୍ୟୁବରଣ କରିବାଦ୍ୱାରା ସେମାନଙ୍କର ଯେତିକି ମଙ୍ଗଳ, ଦେଶବାସୀ ଶାସିତ ପ୍ରଜା ଓ ଶାସକ ରାଜା (ନା–ନା–ମନ୍ତ୍ରୀ)ଙ୍କ ପକ୍ଷରେ ତାଠାରୁ ଅଧିକ ଶାନ୍ତିପ୍ରଦ ଓ ଆନନ୍ଦଦାୟକ ।

ପୁଣି ଏହିପରି ଗୋଟିଏ ଗୋଟିଏ ଦୁର୍ଘଟଣା ନ ଘଟିଲେ ଦେଶର ଭୂଇଁଫୋଡ଼ ନେତାମାନେ ବିବୃତି ଦେବେ କାହା ଉପରେ ? ସେମାନେ ଯେ ବଞ୍ଚି ରହିଅଛନ୍ତି ଏହାର ପ୍ରମାଣ ମିଳିବ କିପରି ?

 

ବିପନ୍ନ ଅଞ୍ଚଳକୁ ନ ଯାଇ, ଘରେ ଡନ୍‌ଲପ ଗଦି ଉପରେ ଶୋଇରହି ଶହଶହ ନେତା ସମ୍ବାଦପତ୍ରମାନଙ୍କରେ ବିବୃତି ଛପାନ୍ତି, ‘‘ଲୋକମାନେ ପୋକମାଛି ପରି ମରିଗଲେ; ଅଯୋଗ୍ୟ ସରକାରର ଅପାରଗତା ଅକ୍ଷମଣୀୟ; ମନ୍ତ୍ରିମଣ୍ଡଳ ଶୀଘ୍ର ଇସ୍ତଫା ଦିଅନ୍ତୁ ।’’ ଏ ସବୁ ବିବୃତି ସମ୍ବାଦପତ୍ରରେ ବଡ଼ବଡ଼ ଅକ୍ଷରରେ ପ୍ରକାଶ ପାଏ । ସେମାନଙ୍କ ନାମ, ଲୋକମାନଙ୍କ ପ୍ରତି ସେମାନଙ୍କ ବ୍ୟାକୁଳତା ଲୋକେ ପଢ଼ି ବାହାବା କରନ୍ତି । ଯେଉଁ ସମ୍ବାଦପତ୍ର ସେ ଦୀର୍ଘ ବିବୃତିରୁ କିଛି ଅନାବଶ୍ୟକ ଅଂଶ ନ ଛପାଇବ, ତାର ଚଉଦ ପୁରୁଷ ଉଝାଳନ୍ତି ମଦ ଖଟି ବା ମାଂସ ହୋଟେଲରେ ବସି । ଏହି ନେତାମାନଙ୍କ ପକ୍ଷରେ ଏ ସବୁ ଦୁର୍ଘଟଣା ମଙ୍ଗଳକର ନୁହେଁ କି ? ଆସନ୍ତା ନିର୍ବାଚନ-ନଦୀ ପାର ହେବାର ଏହା ଗୋଟିଏ ଗୋଟିଏ ମଟରଲଞ୍ଚ ।

 

କେତେ ଯୁବକ ଯୁବତୀ, କେତେ ନାମ ନ ଥିବା ଅନୁଷ୍ଠାନର କର୍ମକର୍ତ୍ତା, ସଭ୍ୟ, କୌଣସି ଶିକ୍ଷାନୁଷ୍ଠାନ ସହିତ ସଂପର୍କ ନ ଥିବା କେତେ ଛାତ୍ରଙ୍କର ଏ ସବୁ ତ ଗୋଟିଏ ଗୋଟିଏ ପୁଷମାସ । କେହି ବାକ୍‌ସ ଧରି, କେହି ଟିଣ ଡବା କଣା କରି, କେହି ଅଞ୍ଚଳ ପତାଇ (ଆଜିକାଲି ସମସ୍ତେ ଟେରିକଟନ କୋର୍ଟ ପ୍ୟାଣ୍ଟଧାରୀ । ଲୁଗା କାହିଁ ଯେ ଅଞ୍ଚଳ ପତାଇବେ । ତେଣୁ ଖଣ୍ଡେଖଣ୍ଡେ ଗାମୁଛା ବା କନା ଦେଖାଇ) ଚାନ୍ଦା ସଂଗ୍ରହରେ ଲାଗି ପଡ଼ନ୍ତି । ଘର ଘର ବୁଲି (ଅନେକ ସମୟରେ ରାତି ନଅଟା ପରେ) ଦାଣ୍ଡ ବଜାର, ବାଟ ଘାଟରେ ବାଟୋଇଙ୍କୁ ଅଟକାଇ, ଧମକଚମକ ଦେଇ ବିପନ୍ନ ଲୋକଙ୍କ ସାହାଯ୍ୟ ପାଇଁ ଯେତେ ଅର୍ଥ ସଂଗ୍ରହ କରନ୍ତି, ସେଥିରୁ କେତେ ଘଟଣାସ୍ଥଳକୁ ଯାଏ, କେତେ ପକେଟରେ ରହେ, କେତେ ନିଶାପାଣି ମଉଜ ମଜଲିସରେ ଖର୍ଚ୍ଚ ହୁଏ, ତାହାର ହିସାବ କିଏ କଅଣ ଦେଖୁଅଛି ? ଏହି ‘ହାତରୁ ଖାଇ ଘୋଡ଼ା ଆଗରେ ଡେଇଁବା’ ମନକୁମନ ସମାଜସେବୀ, ପରଦୁଃଖକାତର ସ୍ୱେଚ୍ଛାସେବକ ବନି ଯାଉଥିବା ଚାନ୍ଦା ସଂଗ୍ରାହକମାନଙ୍କ ପକ୍ଷରେ ଦୈବୀ ଦୁର୍ବିପାକଗୁଡ଼ିକ ମଙ୍ଗଳକର ନୁହେଁ କି ?

 

ପୁଣି ବିପନ୍ନ ଅଞ୍ଚଳରେ ସାହାଯ୍ୟ ବଣ୍ଟନ ବ୍ୟବସ୍ଥା । କୋଟ–ପ୍ୟାଣ୍ଟ–ବୁଟ୍‌ ପରିହିତ ସ୍ୱେଚ୍ଛାସେବକମାନେ ସାଧାରଣରୁ କିଛି ଅଖାଦ୍ୟ ଅଟା, ଗନ୍ଧିଆ ଚାଉଳ, ପଚା ବିସ୍‌କୁଟ, ଚିରା–ଫଟା ପୁରୁଣା ଲୁଗା ପୋଷାକ ସଂଗ୍ରହ କରି ସରକାରୀ ଗାଡ଼ି ଓ ପେଟ୍ରୋଲ ଖର୍ଚ୍ଚରେ ଯାଇ ବିଭିନ୍ନ ଅଞ୍ଚଳରେ ଫୂର୍ତ୍ତି କରିବାର ସୁଯୋଗ ପାଆନ୍ତି । ସଙ୍ଗରେ ଫଟୋଗ୍ରାଫର ନ ଗଲେ ନ ଚଳେ । ସେମାନଙ୍କ ନାମ, ସଂଗୃହୀତ ଦ୍ରବ୍ୟ ସହ ସେମାନଙ୍କ ଛବି ସମ୍ବାଦପତ୍ରରେ ପ୍ରକାଶ ପାଏ । ପୋଷାକ ମଇଳା ହୋଇଯିବ, ପାଦରେ ପାଣି କାଦୁଅ ଲାଗିବ–ସେଥିପାଇଁ ନିରାପଦ ସ୍ଥାନରେ ମାଲତକ ଜମାଇ ନିକଟସ୍ଥ ଡାକବଙ୍ଗଳା ବା ଗେଷ୍ଟହାଉସରେ ରାତିଟି କଟାଇ ସେମାନେ ସ୍ୱ ସ୍ୱ ସ୍ଥାନକୁ ଫେରିଯାଆନ୍ତି । ସଂଗୃହୀତ ଦ୍ରବ୍ୟରୁ ବିପନ୍ନ ଲୋକଙ୍କ ସାହାଯ୍ୟରେ କେତେ ଲାଗେ, ତାହା ଦେଖିବା ସରକାରଙ୍କ ଦାୟିତ୍ୱ । ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଲାଘବ ହେଉ ବା ନ ହେଉ, ସୌଖିନ ସ୍ୱେଚ୍ଛାସେବକମାନଙ୍କର ଏ କଠୋର ପରିଶ୍ରମ, ଉଦାରତା, ସହନଶୀଳତା ସେମାନେ ବୁଝିବା ଦରକାର । ତାର ମାଧ୍ୟମ ତ ସମ୍ବାଦପତ୍ର ।

 

ସରକାରଙ୍କ ବିରୋଧୀଦଳ ପକ୍ଷରେ ଏଭଳି ଗୋଟିଏ ଗୋଟିଏ ଲୋକଧ୍ୱଂସକାରୀ ଦୁର୍ଘଟଣା ତ ‘କଚେପୁଅ ବାର’ । ସେମାନେ ସରକାରର ଅଯୋଗ୍ୟତା, ହୃଦୟହୀନତା ପ୍ରମାଣ କରିଦେବାର ସୁଯୋଗ ପାଆନ୍ତି; ପୁଣି ଆଗାମୀ ନିର୍ବାଚନ ପାଇଁ ଆଶାନ୍ୱିତ ହୁଅନ୍ତି । କବି ପରା କହିଅଛନ୍ତି–

 

‘‘କିଏ ନ ଜାଣଇ ସୁଖଠାରୁ ସୁଖ ଆଶାରେ ସୁଖ ଅଧିକ ।’’ ସେଇ ଆଶା ସେମାନଙ୍କୁ ଯେଉଁ ସୁଖ ଦିଏ, ସେଥିରେ କିଏ କହିବ, ଏ ସବୁ ଦୁର୍ଘଟଣା ଦୁଃଖଦାୟକ ବୋଲି ?

 

ଦୁଃଖର କଥା, ଏ ସୁଯୋଗ ଓ ସୁବିଧା ସବୁ ନେତା କି ସ୍ୱେଚ୍ଛାସେବକ ପାଆନ୍ତି ନାହିଁ । ସେମାନେ ଲୁଙ୍ଗି ଗାମୁଛା ବା ହାପ୍‌ପ୍ୟାଣ୍ଟ ପିନ୍ଧି ଅଣ୍ଟାଏ, ଛାତିଏ ପାଣି କାଦୁଅ ଚକଟି ରାତିଦିନ ଗାଁ ଗାଁ ବୁଲନ୍ତି । ବିପନ୍ନ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ହାନିଲାଭ ବୁଝନ୍ତି; ସମବେଦନା, ସହାନୁଭୂତି ପ୍ରକାଶ କରି ସେମାନଙ୍କ ମନୋବେଦନା କିଞ୍ଚିତ ହେଲେ ଲାଘବ କରନ୍ତି । ପଚାସଢ଼ା ମୁର୍ଦ୍ଦାର ଉଠାନ୍ତି, ଅଥାନରୁ ଲୋକଙ୍କୁ ଉଦ୍ଧାର କରନ୍ତି । ଅଖିଆ ଅପିଆ ଖରା ବର୍ଷା ମାଡ଼ ଖାଇ ଜ୍ୱରରେ ପଡ଼ନ୍ତି, ନାନା ରୋଗ ଯନ୍ତ୍ରଣା ଭୋଗନ୍ତି । ତଥାପି ନିଜ କଥା କେବେ ହେଲେ ସମ୍ବାଦପତ୍ରକୁ ପଠାନ୍ତି ନାହିଁ । ଯଦି ସମ୍ବାଦପତ୍ରରେ ପ୍ରକାଶ ନ ପାଇଲା, ବିଜୁଳି ପଙ୍ଖା–ଆଲୁଅ ତଳେ ବସି ଲୋକେ ଯଦି ତାହା ନ ପଢ଼ିଲେ, ତେବେ ଏ ଦାନ, ଏ ସେବା, ପରିଶ୍ରମର ମୂଲ୍ୟ ବା କଅଣ ରହିଲା ?

 

ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଦୁଃଖ ଲାଘବ ପାଇଁ ବାହାରୁ, ବିଦେଶରୁ ଯେଉଁସବୁ ଲୁଗା କମଳ, ପୋଷାକ, ଖାଦ୍ୟପଦାର୍ଥ, ବ୍ୟବହାର୍ଯ୍ୟ ଦ୍ରବ୍ୟ ଅଯାଚିତ ଭାବରେ ଆସି କୁଢ଼ାଇ ହୋଇପଡ଼େ, ସେଥିରୁ ଅଧିକାଂଶ ହାଟ ବଜାରରେ ବିକ୍ରି ହେଉଥିବାର କେହି କେହି ଅଭିଯୋଗ କରନ୍ତି । ବିପଦଗ୍ରସ୍ତ ଲୋକେ ତ ସେଭଳି ମୂଲ୍ୟବାନ୍‌ ଜିନିଷ କେବେ ଦେଖି ନ ଥିବେ । ତାକୁ ପାଇ କରିବେ କଅଣ ?

 

‘‘ମୋତି ମୂଲ କାହୁଁ ବୁଝିବ ଶବର ?

ମୋତି ଫିଙ୍ଗି କରେ ଗୁଞ୍ଜାରେ ଆଦର ।’’

 

ତେଣୁ ବଣ୍ଟନ କେନ୍ଦ୍ରାଧିକାରୀ ଶବରକୁ କାଇଁଚ ଦେଇ ସେ ମୂଲ୍ୟବାନ୍‌ ଦ୍ରବ୍ୟଗୁଡ଼ିକୁ ପ୍ରକୃତ ଚିହ୍ନରା ଗ୍ରାହକମାନଙ୍କ ପାଇଁ ବଜାରକୁ ପଠାଇଦିଅନ୍ତି । ଏଥିରେ ଉଭୟଙ୍କର ଲାଭ, ଦେଶର ମଙ୍ଗଳ ।

 

ପୁଣି ପରମ କାରୁଣିକ ବ୍ୟବସାୟୀମାନଙ୍କ କଥା ଧରାଯାଉ । ସେମାନେ ତ ଏହିପରି ଦୁର୍ଘଟଣା ପ୍ରତି ବର୍ଷ ବ୍ୟାପକ ଭାବରେ ଘଟୁଥାଉ ବୋଲି ସେମାନଙ୍କ ଇଷ୍ଟଦେବ ଗଣେଶଙ୍କୁ ନାନାପ୍ରକାର ଉପହାର ଦେଇ ପ୍ରାର୍ଥନା କରୁଥାଆନ୍ତି ।

 

କୌଣସିଠାରୁ ଦୁର୍ଘଟଣାର ସମ୍ବାଦ ମିଳିବା ସଙ୍ଗେସଙ୍ଗେ ସେମାନଙ୍କ ଦୋକାନରୁ ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଯାଦୁମନ୍ତ୍ରର କାଉଁରିକାଠି ପ୍ରଭାବରେ ଉଭାନ ହୋଇଯାଏ । ସାଧାରଣଙ୍କ ମଧ୍ୟରେ ଚହଳ ପଡ଼ିଯାଏ । ପରେ ଅତି କଷ୍ଟରେ ଆସ୍ତେ ଆସ୍ତେ ତାହା ଯେତେବେଳେ ଲୋକଲୋଚନକୁ ଆସେ, ସେତେବେଳେ ଦାମ ବଢ଼ିଯାଇଥାଏ ତିନିଗୁଣ । ଟଙ୍କାକର ମାଲ ତିନି ଟଙ୍କାରେ ବିକି ବ୍ୟବସାୟୀମାନେ ଖାଉଟୀମାନଙ୍କୁ ଅନୁଗୃହୀତ କରିଥାଆନ୍ତି । ଥନ୍ତଲ ପେଟର ପରିଧି ଆଉ ଦୁଇ ସେଣ୍ଟିମିଟର ବଢ଼ିଯାଏ, ଘରର ଲୁହା ସିନ୍ଦୁକ ଫୁଲି ଉଠେ; କୋଠା ଉପରେ କୋଠା ମୁଣ୍ଡ ଟେକେ । ଏଥିରେ କଅଣ ଦେଶର ମଙ୍ଗଳ ହୁଏ ନାହିଁ ?

 

ଏ ସବୁ ମର୍ମସ୍ପର୍ଶୀ ଦାରୁଣ ଦୁର୍ଘଟଣାମାନଙ୍କରେ ଭଗବାନଙ୍କର ଯେ କିପରି ମଙ୍ଗଳବିଧାନ ନିହିତ ଅଛି, ତାହା ପ୍ରତ୍ୟେକେ ହୃଦୟଙ୍ଗମ କରିବା ଉଚିତ ।

☆☆☆

 

ମାରୁ ଭିତରେ ସାରୁ

 

ଗୋଟିଏ ପ୍ରବାଦ ପ୍ରଚଳିତ ଅଛି, ‘ସାରୁ ଭିତରେ ମାରୁ’ । କିନ୍ତୁ ନିଜ ଅଭିଜ୍ଞତାରୁ ମୁଁ ଜାଣେ, ଏଇଟା ଠିକ୍‌ ବିପରୀତ କଥା । ‘ସାରୁ ଭିତରେ ମାରୁ’ ନୁହେଁ , ‘ମାରୁ ଭିତରେ ସାରୁ ।’

 

ସପ୍ତମ ଶ୍ରେଣୀରେ ବର୍ଷବର୍ଷ ଧରି ସାତ ବର୍ଷ ଅଟକିଯିବାରୁ ମୁଁ ସ୍କୁଲକୁ ଯିବା ବନ୍ଦ କରେ ନ କରେ ପାଠ ମୋଠାରୁ ବିଦାୟ ନେଇ ଚାଲିଗଲା । ସେତେବେଳକୁ ବୟସ ସତର ବର୍ଷ–ନାବାଳକି କଟିଯିବାକୁ ବସିଲାଣି ।

 

ଦୈବଯୋଗକୁ ନିର୍ବାଚନ ଆରମ୍ଭ ହୋଇଯାଇଥାଏ । ଜଣେ ପ୍ରାର୍ଥୀଙ୍କର କର୍ମୀ ହୋଇଗଲି । ଗୋଟିଏ ଅଞ୍ଚଳର ନିର୍ବାଚନ ପ୍ରଚାରର ଗୁରୁଦାୟିତ୍ୱ ବୋଝ ମୁଣ୍ଡ ଉପରେ ଲଦା ହୋଇଗଲା । ପଚିଶ କିଲୋ ଓଜନର ପ୍ଳାକାର୍ଡ଼ କାଗଜ ଓ ପନ୍ଦର କିଲୋ ଓଜନର ହାଣ୍ଡବିଲ୍‌ ଧରି କର୍ମକ୍ଷେତ୍ରକୁ ବାହାରି ପଡ଼ିଲି । ସଙ୍ଗରେ ରହିଲେ ପାଞ୍ଚ ଜଣ ସହକାରୀ–ପ୍ରଚାରକ । ସମସ୍ତେ ଅନାହାରୀ ।

 

ପ୍ରାର୍ଥୀ ଆମର ପ୍ରତିଦିନର ଖାଦ୍ୟ ପାଇଁ ପ୍ରତ୍ୟେକ ପିଛା ଦଶ ଟଙ୍କା ଓ ପେୟ ପାଇଁ ପାଞ୍ଚ ଟଙ୍କା ଭୋଟ ଗ୍ରହଣ ଶେଷ ପର୍ଯ୍ୟନ୍ତ ଆଗତୁରା ଦେଇଦେଲେ । ଭୋଟବେଳେ ତ ପ୍ରତ୍ୟେକ ପ୍ରାର୍ଥୀ ଏକାବେଳକେ ମୁକ୍ତହସ୍ତ ଓ ମୁକ୍ତକଚ୍ଛ ହୋଇ ପଡ଼ିଥାଆନ୍ତି ।

 

ପ୍ଳାକାର୍ଡ଼, ହାଣ୍ଡବିଲ୍‌ କାଗଜର ଦାମ୍‌ କିଲୋ ପ୍ରତି ଅଢ଼େଇ ଟଙ୍କା ।

 

ବାପାଙ୍କ ମନଃତୁଷ୍ଟି ପାଇଁ ତାଙ୍କ ହାତରେ ନଗଦ ଦୁଇଶହ ଟଙ୍କା ଦେଇଦେଲି । ମୋତେ ଦେଖି ଦେଲାକ୍ଷଣି ଦାନ୍ତ କାମୁଡ଼ି ଯେଉଁ ବାପା ଗାରୁଗାରୁ ହୋଇ ଉଠୁଥିଲେ, ତାଙ୍କ ମୁହଁରେ ହସ ଫୁଟି ଉଠିଲା ।

 

ଆଗରୁ ଯିଏ ମୋ ଉପରେ ସବୁବେଳେ ଚିଡ଼ିଚିଡ଼ି ହେଉଥିଲେ; ଦେଖିଲା ମାତ୍ରକେ ସମ୍ବୋଧନ କରୁଥିଲେ, କୁଳାଙ୍ଗାର କୁଳବୁଡ଼ା; ଖାଇବାକୁ ନ ଦେବା ପାଇଁ ବୋଉକୁ ବାରମ୍ବାର ତାଗିଦା କରୁଥିଲେ, ସେହି ବାପା ସଙ୍ଗେସଙ୍ଗେ ବଦଳିଗଲେ । ବୋଉକୁ କହୁଥିବାର ଶୁଣିଲି, ‘‘ପୁଅ ପାଠ ପଢ଼ିଥିଲେ କଅଣ ବା କରିଥାଆନ୍ତା ? ଏବେ ତ ଦୁଇଶହ ଟଙ୍କା ପାଇଗଲା; ଏମିତି କେତେ ଶହ ପାଇବ । ତାକୁ ଆଜି ଭଲରୂପେ ଖାଇବାକୁ ଦେବ ।’’

 

ଏଣେ ପ୍ରାର୍ଥୀ ତୁଙ୍ଗ ନେତା ପରାମର୍ଶ ଦେଲେ, ‘‘ତୁମେମାନେ ବର୍ତ୍ତମାନ ତରୁଣ । ନିୟମିତ ପାନ ନ କଲେ ଶକ୍ତି ଆସିବ କୁଆଡ଼ୁ ? କାମ କରିବ କିପରି ? ଦେଶର ଭବିଷ୍ୟତ ତୁମେମାନେ । ମୋ ପାଖରେ ଯେ କାମ କରିବେ, ମୁଁ ଚାହେଁ, ସେମାନେ ଖୁବ୍‌ ଶକ୍ତିଶାଳୀ ହୁଅନ୍ତୁ, ଜୀବନକୁ ଉପଭୋଗ କରନ୍ତୁ ।’’

 

ଗୋପାଲ ଗାଈ ଚରାଏ । କଥାରେ କୁହାଯାଏ, ପଣ୍ଡିତମାନେ ମଣିଷ ଚରାନ୍ତି । କିନ୍ତୁ ନେତାମାନେ ଯେ କର୍ମୀଙ୍କୁ ଚରାଉଛନ୍ତି । ସେମାନଙ୍କ ରୋଗ ବଇରାଗ ଭଲରୂପେ ଜାଣନ୍ତି । ନେଉଳକୁ ପୋଷା ମନାଇବା ପାଇଁ ପ୍ରତିଦିନ ଟିକିଏ ଟିକିଏ ଅଫିମ ଖାଇବାକୁ ଦିଆଯାଏ । ସେହିପରି କର୍ମୀମାନଙ୍କୁ ପୋଷା ମନାଇ ନିଜର କରିବାକୁ ତ ହେବ ।

 

ଉଭୟ ପକ୍ଷରୁ ପ୍ରେରଣା ପାଇ ମନ ଧ୍ୟାନ ଦେଇ ମୁଁ କାମରେ ଲାଗିପଡ଼ିଲି । ପ୍ରତିଦିନ ପ୍ରତି ଘଣ୍ଟାରେ ଗୋଟାଏ ଲେଖାଏଁ ବିରାଟ ସଭା ଡକାଇ ଓଜସ୍ୱିନୀ ଭାଷାରେ ବକ୍ତୃତା ଦେଲି । ନେତାଙ୍କ ଗୁଣ ଗ୍ରାମ, ତାଙ୍କ ତ୍ୟାଗ, ତାଙ୍କ ଦେଶସେବା, ଦୀନଦୁଃଖୀଙ୍କ ପାଇଁ ବ୍ୟାକୁଳତା ବର୍ଣ୍ଣନା କରିବାକୁ ଲାଗିଲି । ଭୋଟରମାନେ ଉଦ୍‌ବୁଦ୍ଧ ହେଲେ । ଅନ୍ତତଃ ସମ୍ବାଦପତ୍ରରେ ଏଇସବୁ କଥା ପ୍ରକାଶ ପାଇଲା । ମୋର ମୂଲ୍ୟ ବଢ଼ିଗଲା ।

 

ଯେଉଁ ସମ୍ବାଦପତ୍ରରେ ସ୍ଥାନ ନ ପାଇଲା, ବା ଯେ ମୋ ବକ୍ତୃତା କାଟଛାଣ୍ଟ କରି କମାଇ ଦେଲେ, ସେମାନଙ୍କୁ ଧମକ ଦେଲି । ଅଫିସ ଦୁଆର ମୁହଁରେ ଅନଶନ ଧର୍ମଘଟ କରିବି ବୋଲି ତାଗଦା କରିଦେଲି । ସେମାନେ ଯେ ଦେଶଦ୍ରୋହୀ, ଗଣତନ୍ତ୍ର ବିରୋଧୀ ଏଇ ପ୍ରଚାର ଚଳାଇଲି ।

 

ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ରାତିରେ ଡକାଇ ପଠାଇଲେ । ନଗଦ ଦଶଖଣ୍ଡି ଶହେଟଙ୍କିଆ ନୋଟ ପକେଟରେ ଗୁଞ୍ଜିଦେଇ ଯେଉଁ ଇଙ୍ଗିତ ଦେଲେ, ତାର ମର୍ମ ବୁଝିପାରିଲି ।

 

ସେହି ଦିନୁ ଦିନରେ ପ୍ରଥମ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚଳାଇଲି ଜୋରସୋରରେ । ରାତିରେ ଦ୍ୱିତୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୁ ବୁଝାଇବାକୁ ଲାଗିଲି । ‘‘ବୁଡ଼ି ବୁଡ଼ି’’ ପାଣି ପିଇଲେ ମହାଦେବଙ୍କ ବୋପା ବି ଜାଣିପାରିବେ ନାହିଁ ।’’ ମୁଁ ତ ଆଉ ନଈପାଣି ପିଉ ନ ଥିଲି, ପିଉଥିଲି ବୋତଲ ପାଣି । ତେଣୁ କୌଣସି ପ୍ରାର୍ଥୀ ମୋ ଅନ୍ତ ପାଇ ପାରିଲେ ନାହିଁ ।

 

ଭୋଟରେ ଦ୍ୱିତୀୟ ପ୍ରାର୍ଥୀ ଯେ ଜୟଯୁକ୍ତ ହେଲେ, ସେଥିପାଇଁ ମୋର ଅବଦାନ ଯଥେଷ୍ଟ ଥିଲା ବୋଲି ପ୍ରାର୍ଥୀ ବୁଝିଲେ । ତାଙ୍କ ଦଳ ଶାସନଗାଦିରେ ବସିବା ସଙ୍ଗେ ସଙ୍ଗେ ମୁଁ ହୋଇଗଲି ଜଣେ ବ୍ୟବସାୟୀ–କଣ୍ଟ୍ରୋଲ ଡିଲର ।

 

ସେତେବେଳେ ମାସକୁ ମାସ ଯେ ଚାରି, ପାଞ୍ଚ ଶହ ଲେଖାଏଁ ଟଙ୍କା ବାପାଙ୍କ ହାତକୁ ବଢ଼ାଇଦେଲି, ସେଥିରେ କେଉଁ ବାପା ବା ଖୁସି ନ ହେବ ?

 

‘‘ଯାହାକୁ ସୁହାଏ କନିଆ ଶାଶୁ ।

ଖଣ୍ଡ ଉପରେ କ୍ଷୀରୀ ବରଷୁ ।’’

 

ଯାହା ଉପରେ ଏମ୍‌.ଏଲ. ଏ ସୁପ୍ରସନ୍ନ, କିଲଟରୀ ଅଫିସର କେଉଁ କେଉଁ କର୍ମଚାରୀର ସାହସ ଅଛି ତା କଥା ଅମାନ୍ୟ କରିବାକୁ ? ଦୂରକୁ ବଦଳି ହୋଇଯିବାର ଭୟ କାହାର ବା ନାହିଁ ? ସପ୍ଳାଇ ଅଫିସ ତ ମୋ ଇଙ୍ଗିତରେ ପରିଚାଳିତ ।

 

ବଜାରରେ ସିମେଣ୍ଟ ମିଳୁ ନାହିଁ । କଳାବଜାରରେ ଦର ତିନିଗୁଣ ବଢ଼ିଗଲାଣି । ମୋର କାମ ହେଲା, ସପ୍ଳାଇ ଅଫିସରୁ ପର୍‌ମିଟ ସଂଗ୍ରହ କରିବା । ପ୍ରତିଦିନ ଚାରି ଛଅଗୋଟି ପରମିଟ ହାସଲ କରିପାରିଲେ ଶହେ, ଦେଢ଼ଶହ ଟଙ୍କା ନଗଦାନଗଦ ହାତପୈଠ ହୁଏ ।

 

ଖାଲି ସିମେଣ୍ଟ ନୁହେଁ । କାହାର ଚିନି ଦରକାର, କିରାସିନି ଟିଣଟିଏ କିଏ ନେଲେ ପନ୍ଦର କୋଡ଼ିଏ ଟଙ୍କା ଲାଭ ପାଇବ, କେହି କେହି ଗହମ ନେବାକୁ ଚାହୁଁଅଛନ୍ତି–ଏ ସବୁ ସଂଯୋଜକ ଅଫିସର ହେଲି ମୁଁ । ଯେ ଉପକାର ପାଇବ, ପ୍ରତ୍ୟୁପକାର କରିବା ତ ତାର ଧର୍ମ । ସେ ବାବତରେ ଯେଉଁ ପଇସା ମିଳେ, ତାହା ଲାଞ୍ଚ ନୁହେ କି କିଳାପୋତାଇ ନୁହେଁ–ହକ୍‌ ପ୍ରାପ୍ୟ ।

 

ବିନା ମୂଳଧନରେ ଏ ବ୍ୟବସାୟରେ ପ୍ରତିଦିନ ପକେଟ ଗରମ ହୋଇଉଠେ ।

 

ସେ ବର୍ଷର ବନ୍ୟା ଗୋଟାଏ ମଣିଷ ପରି ମଣିଷ କରିଦେଲା ମୋତେ ।

 

ଏହି ପ୍ରଳୟଙ୍କରୀ ବନ୍ୟା ଯୋଗୁ ଓଡ଼ିଶାର ସବୁ ଜିଲାରେ ହାହାକାର ପଡ଼ିଗଲା । ଲୋକଙ୍କୁ ଦେବା ପାଇଁ ସରକାରୀ, ବେସରକାରୀ ସାହାଯ୍ୟ ପ୍ରଚୁର ପରିମାଣରେ ଆସି ଜମା ହେଲା ।

 

ଜଣକୁ ପାଞ୍ଚ ଟଙ୍କା ଲେଖାଏଁ ମଜୁରି ଦେଇ ଦଶଜଣ ଆଜ୍ଞାବହ ପିଲା ସଂଗ୍ରହ କରିନେଲି । ବାଡ଼ି ଗାଡ଼ିଆର ପଙ୍କ ପାଣି ଭିତରେ ସେମାନଙ୍କ ସହିତ ଠିଆହେଲି । ସମସ୍ତଙ୍କ ପରିଧାନ ଗାମୁଛା ବା ହାପପ୍ୟାଣ୍ଟ, କାନ୍ଧରେ ମୁଣ୍ଡରେ ଗୋଟିଏ ଲେଖାଏଁ ଟୋକେଇ ବା ବସ୍ତା ।

 

ଫଟୋ ଉଠାଗଲା ପରେ ଆମ କାମ ଶେଷ ହୋଇଗଲା । ତାହା ସମ୍ବାଦପତ୍ରରେ ପ୍ରକାଶ ପାଇଲା । ପୁଣି ଜିଲ୍ଲାପାଳଙ୍କୁ ଦେଖାଇ ଦାବି କଲି, ଆମ ସଂଘ ପକ୍ଷରୁ ମଫସଲର ବନ୍ୟାବିପନ୍ନ ଅଞ୍ଚଳରେ କିପରି ନିଷ୍ଠାର ସହିତ ସାହାଯ୍ୟ ଦିଆଯାଉଅଛି, ତାହାର ପ୍ରମାଣ ଏହି ଫଟୋଚିତ୍ର ଦେବ । ଆମ୍ଭେମାନେ ବହୁ କଷ୍ଟରେ ପାଣି କାଦୁଅ ଚକଟି ଗାଁ ଗାଁ ବୁଲି ଲୋକମାନଙ୍କ ପାଖରେ ପହଞ୍ଚୁଛୁ, ସେମାନଙ୍କୁ ସାହାଯ୍ୟ ଦେଉଛୁ । ସେମାନଙ୍କ ଉପକାର ପାଇଁ ଆମ ହାତରେ ଆଉ ଯଥେଷ୍ଟ ରିଲିଫ ମାଲ ମିଳିବା ଦରକାର ।

 

ମୋର ନିଷ୍ଠା, କର୍ମତତ୍ପରତା, ବିପନ୍ନ ଦୁଃସ୍ଥ ଲୋକଙ୍କ ପାଇଁ ଅନ୍ତରର ବ୍ୟାକୁଳତା ଅନୁଭବ କରି ଜିଲାପାଳ ଦୁଇ ଟ୍ରକ ଚାଉଳ, ଅଟା, ଚୂଡ଼ା, ଗୁଡ଼, ଆଳୁ, ଲୁଣ, କିରୋସିନି, ଅମୂଲ ସ୍ପ୍ରେ, ବିସ୍କୁଟ ପ୍ରଭୃତି ଦେଲେ ।

 

ଦରିଦ୍ର ଲୋକେ ତାହା ପାଇ ଖୁସି ହେଲେ । ଅବଶ୍ୟ ବନ୍ୟା ପାଣି ଘେର ଭିତରେ ଭୋକ ଉପାସରେ ରହିଥିବା ଲୋକେ ନୁହନ୍ତି, ସହରର ଗରିବ ଲୋକ–ଯେଉଁମାନେ ବଜାରରୁ କୌଣସି ଦ୍ରବ୍ୟ ପାଇପାରୁ ନ ଥିଲେ । ଉଚିତ ମୂଲ୍ୟରୁ ସାମାନ୍ୟ କିଛି ଅଧିକା ଦେଇ ସେମାନେ ସେ ସବୁ ଦ୍ରବ୍ୟ କିଣିନେଲେ, ଓ ଭୋକ ଉପାସରୁ ରକ୍ଷା ପାଇଲେ–ଉପକୃତ ହେଲେ ।

 

ସେତେବେଳେ ବାପାଙ୍କ ହାତକୁ ମୁଁ ଏକକାଳୀନ ପାଞ୍ଚ ହଜାର ଟଙ୍କା ବଢ଼ାଇ ଦେଇଥିଲି-

 

ଆଉ ଥରେ ସୁଯୋଗ ଗ୍ରହଣ କରିବା ଲାଗି ସେହି ବଢ଼ିବେଳକୁ ଅପେକ୍ଷା କରି ରହିଅଛି-

 

ଏଇଥିପାଇଁ କହୁଥିଲି–‘‘ମାରୁ ଭିତରେ ସାରୁ’’ । ପରୀକ୍ଷାରେ ଫେଲ ହୋଇଥିବାରୁ ସିନା ମୋର ଭାଗ୍ୟ ଆଜି ପ୍ରସନ୍ନ ହୋଇଛି । ପାସ୍‍ କରିଥିଲେ, ଚାକିରି ଖଣ୍ଡେ ପାଇଁ ବର୍ତ୍ତମାନ ବାରଦୁଆର ଶୁଣ୍ଢିପିଣ୍ଡା ହେଉଥାଆନ୍ତି ସିନା !

☆☆☆

 

ଆମ ଶିକ୍ଷାୟତନ ଓ ଶିକ୍ଷକ

 

ଦୁଇ ଦିନିଆ ଶିକ୍ଷାବିଭାଗ ପରିଦର୍ଶକ ସମ୍ମିଳନୀ ସମାରୋହରେ ଶେଷ ହୋଇ ଯାଇଅଛି । ଏଥିରେ ଯୋଗ ଦେବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଶିକ୍ଷାବିଭାଗ ସବ୍‍ଇନିସ୍‌ପେକ୍ଟର, ଡେପୁଟି ଇନିସ୍‌ପେକ୍ଟର, ଡିଷ୍ଟ୍ରିକ୍ଟ ଇନିସ୍‌ପେକ୍ଟର, ସର୍କଲ ଇନିସ୍‌ପେକ୍ଟର ବହୁ ସଂଖ୍ୟାରେ ଆସିଅଛନ୍ତି । ପରସ୍ପର ସହିତ ପରିଚିତ ହେବା, ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନ କରିବାର ଅପୂର୍ବ ସୁଯୋଗ ମିଳିଅଛି ।

 

ଆଜି ଯେ ଯାହା ଅଞ୍ଚଳକୁ ଫେରିଯିବେ । ଶେଷ ଥରକ ପାଇଁ ଏକାଠି ବସି ଖିଆ ପିଆ କରୁଅଛନ୍ତି ।

 

ପାଟି ବୁଜି ତ ଆଉ ବସି ହେବ ନାହିଁ ?

 

ପରିଦର୍ଶକମାନେ ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ କିପରି କେଉଁ ଅଭିଜ୍ଞତା ହାସଲ କରିଅଛନ୍ତି, ସେହି କଥା କୌଣସି ପ୍ରକାରେ ଉଠିଲା ।

 

ଜଣେ ବୃଦ୍ଧ ଡିଷ୍ଟ୍ରିକ୍ଟ ଇନିସ୍‌ପେକ୍ଟର କହିଲେ, ‘‘ମୋର ଶୁଣା କଥା । ସେ ସମୟରେ ଭକ୍ତକବି ମଧୁସୂଦନ ରାଓ ଇନିସ୍‌ପେକ୍ଟର । ସେ ସବୁ ସ୍କୁଲ ପରିଦର୍ଶନ କରୁଥିଲେ । ଏପରି କି ଗାଁ ଗଣ୍ଡାରେ ପ୍ରାଇମେରୀ ସ୍କୁଲ ବି ବାଦ୍‌ ଯାଉ ନ ଥିଲା ।

 

ଥରେ ଗୋଟିଏ ପ୍ରାଇମେରୀ ସ୍କୁଲ ଦେଖିବାକୁ ଯାଇଥିଲେ । ସାଙ୍ଗରେ ସେ ଅଞ୍ଚଳର ସବ୍‌ଇନିସ୍‌ପେକ୍ଟର–ମୁସଲମାନ, ନାମ ତଲାତଫ ଅଲ୍ଲି ।

 

କର୍ତ୍ତବ୍ୟପରାୟଣ, ଖାଣ୍ଟି ଲୋକ । ଶିକ୍ଷାବିଭାଗରେ ତାଙ୍କର ନାମଯଶ ଥାଏ । ଅନେକେ ପ୍ରଶଂସା କରୁଥିଲେ ।

 

ଇନିସ୍‌ପେକ୍ଟର ମଧୁବାବୁ ଗୋଟିଏ ପିଲାକୁ ହଠାତ୍‌ ପଚାରିଦେଲେ ‘ବିଜ୍ଞାନ’ ବନାନ କର ।’’

 

ପିଲାଟି କହିପାରିଲା ନାହିଁ । ତଳକୁ ମୁହଁ କରି ଠିଆ ହୋଇ ରହିଲା ।

 

ପାଖ ପିଲାର ପାଳି ପଡ଼ିଲା । ସେ ଉଠିପଡ଼ି କହିଲା, ‘‘ବ ହ୍ରସ୍ୱ ଇ ବି ।’’ ବାସ୍‌ ସେତିକି-। ଆଉ ଆଗେଇପାରିଲା ନାହିଁ । ଶିକ୍ଷକ ଯେତେ ଉତ୍ସାହ ଦେଲେ ମଧ୍ୟ ତା ପାଟି ଫିଟିଲା ନାହିଁ-

 

ଗୋଟିଗୋଟି ହୋଇ ଶ୍ରେଣୀର ସବୁ ଠିଆ ହେଲେ କହିବା ପାଇଁ; ମାତ୍ର ବନାନ କରିପାରିଲେ ନାହିଁ ।

 

ଇନିସ୍‌ପେକ୍ଟର ପାଖରେ ଠିଆ ହୋଇଥିବା ସବ୍‌ଇନିସ୍‌ପେକ୍ଟର ତଲାତଫ ଅଲ୍ଲୀଙ୍କୁ ଚାହିଁ ନିର୍ଦ୍ଦେଶ ଦେଲେ, ‘‘ଆପଣ ପିଲାମାନଙ୍କୁ ବତାଇ ଦିଅନ୍ତୁ ।’’

 

ସବ୍ଇନିସ୍‌ପେକ୍ଟରଙ୍କ ମୁଣ୍ଡରେ ବୋଧହୁଏ ବଜ୍ର ପଡ଼ିଲା । ସେ ମୁହଁଟାକୁ ଆମ୍ବିଳା କରି କହିପକାଇଲେ–ସୁର୍‌ମେ ତୋ ବ ହ୍ରସ୍ୱ ଇ ବି, ଆଖର୍‌ ମେ ଦନ୍ତ୍ୟ ନ ଓ ଶାଲା ବିଚ୍‌ମେ କ୍ୟା ନହିଁ ମାଲୁମ ।

 

ଶିକ୍ଷକ ବିଚାରା ପଛକୁ ମୁହଁ ବୁଲାଇ ନିଜର ଉଚ୍ଛଳା ହସ ସମ୍ଭାଳିନେଲେ ।

 

ଜଣେ ଡିଷ୍ଟ୍ରିକ୍‌ଟ ଇନିସପେକ୍‌ଟର ମାଛରୁ କଣ୍ଟା ବାଛୁବାଛୁ କହି ଉଠିଲେ;

 

–ଏହା ତ ଶୁଣିବା କଥା । ମୁଁ ଯାହା ଅଙ୍ଗେ ଲିଭାଇଅଛି, ତାହା ବର୍ଣ୍ଣନା କରୁଅଛି ।

 

ଗୋଟିଏ ପ୍ରାଇମେରୀ ସ୍କୁଲ ପରିଦର୍ଶନ କରିବାକୁ ଯାଇଥିଲି । ଧନୀ ଗ୍ରାମ । ପିଲାମାନେ ବେଶ୍‌ ପରିଷ୍କାର ପରିଚ୍ଛନ୍ନ । ମୁହଁ ହସହସ ।

 

ସାନ ପିଲାଟିକୁ ସମ୍ମୁଖରେ ଦେଖି ପଚାରିଲି, ‘ତୁମ ନାମ କଅଣ ?

 

‘‘ରାମଚନ୍ଦ୍ର’’–ପିଲାଟି ଉତ୍ତର ଦେଲା ।

 

ରହସ୍ୟ କରି କହିଦେଲି, ‘‘ତା’ ହେଲେ ତୁମେ ହିଁ ରାବଣକୁ ମାରିଅଛ ?’’

 

ପିଲାର ମୁହଁ କଳା ପଡ଼ିଗଲା । କାନ୍ଦକାନ୍ଦ ସ୍ୱରରେ ଉତ୍ତର ଦେଲା, ‘‘ନା ସାର୍‍ ମୁଁ, ଜମା ମାରି ନାହିଁ ।’’

 

ପୁଣି ପ୍ରଶ୍ନ–ତା’ ହେଲେ ରାବଣକୁ କିଏ ମାରିଅଛି ?

 

ପିଲାଟି କାନ୍ଦି ପକାଇଲା । ଆଖିରେ ଜମାଟ ବାନ୍ଧି ରହିଥିବା ଲୁହଧାର ବାହାରି ଆସି ତା’ ଦୁଇ ଗଣ୍ଡକୁ ଓଦା କରିଦେଲା ।

 

ମୁଁ ରହସ୍ୟ କିଛି ବୁଝିପାରିଲି ନାହିଁ । ଗୋଟିଗୋଟି ସବୁ ପିଲାଙ୍କୁ ପଚାରିଲି । ଦେଖିଲି ସମସ୍ତଙ୍କ ମୁହଁରେ ଆତଙ୍କ ଖେଳିଯାଉଅଛି । ଉତ୍ତର ଦେବାକୁ ପାଟି ଫିଟୁ ନାହିଁ । କେବଳ ଆଖିରୁ ଲୁହଧାର ନିଗିଡ଼ି ପଡ଼ୁଅଛି ।

 

ସମସ୍ତଙ୍କୁ ଆଶ୍ୱାସନା ଦେଇ ବସାଇଦେଲି । ଶିକ୍ଷକ ମହାଶୟଙ୍କୁ କହିଲି, ‘‘ରାବଣକୁ କିଏ ମାରିଅଛି, ପିଲାଙ୍କୁ ବୁଝାଇ ଦିଅନ୍ତୁ ।’’

 

ଦେଖିଲି, ଶିକ୍ଷକଙ୍କର ମଧ୍ୟ ସେହି ଅବସ୍ଥା । ସେ ଦୁଇ ହାତ ମଳି ବିନୟର ସହିତ କହିଲେ, ‘‘ସାର୍‌, ମୋ ସ୍କୁଲର ପିଲାଏ ଭାରି ଶାନ୍ତ । ସେ କେବେହେଲେ ମାଡ଼ଗୋଳ ଭିତରକୁ ଯାଆନ୍ତି ନାହିଁ । ତାଙ୍କ ଭିତରୁ କେହି ରାବଣକୁ ମାରିନାହାନ୍ତି । ଆଉ କେଉଁ ସ୍କୁଲର ପିଲା ମାରିଥିବେ ।

 

ପାଣି ଗ୍ଲାସକ ପିଇସାରି ଆଉ ଜଣେ ପରିଦର୍ଶକ କହିଲେ, ‘‘ମୋର ମଧ୍ୟ ଥରେ ଏହିପରି ଦଶା ହୋଇଥିଲା ।’’

 

‘‘ନୁଆ ପ୍ରତିଷ୍ଠିତ ପଞ୍ଚାୟତ ମାଇନର ସ୍କୁଲ ପରିଦର୍ଶନରେ ଯାଇଥାଏ । ପ୍ରଧାନ ଶିକ୍ଷକ ଯୁବକ–ବି.ଏ.ଡ଼ି. ଇଡ଼ି. । ଆଉ କେତେ ଜଣ ମଧ୍ୟ ବି.ଏ.ସାର୍ଟିଫିକେଟ ହାସଲ କରିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଥାଆନ୍ତି ।

 

ପିଲାଙ୍କ ସାଧାରଣ ଜ୍ଞାନ ପରୀକ୍ଷା କରିବା ପାଇଁ ପଚାରିଦେଲି, ‘‘ପାଣ୍ଡବମାନେ ବନବାସକୁ ଯାଇଥିଲେ କାହିଁକି ?’’

 

ଉତ୍ତର ମିଳିଲା–ରାବଣକୁ ମାରିବା ପାଇଁ ।

 

‘‘ରାବଣ ତାଙ୍କର କି ଦୋଷ କରିଥିଲା କି ?’’

 

‘‘ସୀତାଙ୍କୁ ହରଣ କରି ନେଇଯାଇଥିଲା ।’’

 

ପ୍ରଧାନ ଶିକ୍ଷକଙ୍କ ମୁହିଁକୁ ଚାହିଁଲି । ଅନୁମାନ କଲି, ସେ ଦୋଦୁଲ୍ୟମାନ ଅବସ୍ଥାରେ ।

 

ଶଙ୍କି ଯାଇ କହିଲେ, ‘‘ଆମ ପାଠ୍ୟ ପୁସ୍ତକରେ ତ ପୁରାଣ କାହାଣୀ ଆଦୌ ସ୍ଥାନ ପାଇ ନାହିଁ । ଆମେ ଜାଣିବୁ କେଉଁଠୁ ? ପିଲାଙ୍କୁ ଶିଖାଇବୁ ବା କିପରି ? ଶୁଣିଛି, ରାମ ରାବଣ ଯୁଦ୍ଧ ହୋଇଥିଲା । ରାବଣ ବୋଧହୁଏ ରାମଙ୍କ ରାଜ୍ୟ ଦଖଲ୍‌ କରିବାକୁ ଉଦ୍ୟମ କରିଥିଲେ ।’’

 

‘‘ପାଣ୍ଡବମାନେ ବନବାସ କରିଥିଲେ କାହିଁକି ?’’

 

‘‘ମୁଁ କହିପାରିବି ନାହିଁ । ଆମ ପାଠ୍ୟର ସେ କଥା କିଛି ନ ଥିଲା ।’’

 

‘‘ବାପା ମା’ ଅତି କୁକ୍ଷଣରେ ମୋ ନାମଟା ମଧୁସୂଦନ ଦେଇଥିଲେ’’ କହିଉଠିଲେ ସର୍କଲ ଇନିସ୍‌ପେକ୍ଟର ଶ୍ରୀ ମଧୁସୂଦନ ଦାସ ।

 

‘‘ଗୋଟିଏ ହାଇସ୍କୁଲର ପୁରସ୍କାର ବିତରଣୀ ସଭା । ସଭାପତିତ୍ୱ କରିବା ପାଇଁ ନିମନ୍ତ୍ରଣ କରାଯାଇଥିଲା । ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚିଲି । ଦେଖିଲି, ବିରାଟ ଆୟୋଜନ । ସ୍କୁଲ ଅଗଣା, ଶ୍ରେଣୀ ଗୃହ ଓ ମଞ୍ଚ ସୁନ୍ଦର ଭାବରେ ସଜ୍ଜା ଯାଇଅଛି । ଶିକ୍ଷକମାନଙ୍କ ଏବଂ ସ୍ଥାନୀୟ ଯୁବକମାନଙ୍କର ରୁଚିବୋଧ ଅଛି ଜାଣି ମନ ଖୁସି ହୋଇଗଲା ।

 

ସଭା ଆରମ୍ଭ ହେଲା । କାର୍ଯ୍ୟକ୍ରମ ଅନୁସାରେ ପ୍ରାଥମିକ ସଙ୍ଗୀତ ଗାନ ପରେ ସଭାପତିଙ୍କ ପରିଚୟ ଦେଇ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଜଣେ ଯୁବକ ଠିଆ ହେଲେ । କାର୍ଯ୍ୟକ୍ରମରେ ଲେଖାଥାଏ, ସେ ଗ୍ରାମ ପଞ୍ଚାୟତର ସରପଞ୍ଚ । ପରେ ଜାଣିଲି, ସେ ଏ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି, ଜଣେ ସମାଜସେବୀ, ନେତା ।

 

ସେ ପରିଚୟ ଦେବାକୁ ଯାଇ କହିଲେ, ‘‘ଆମର ଆଜିର ଯେ ସଭାପତି–ମଧୁବାବୁ, ତାଙ୍କୁ ଆପଣମାନେ ଆଜି ଦେଖୁଅଛନ୍ତି ସିନା; ମୁଁ କିନ୍ତୁ ତାଙ୍କୁ ବହୁଦିନୁ ଜାଣେ । ସେ ଜଣେ ବଡ଼ କବି । ତୁମେମାନେ ସୁବିଧା ପାଇଲେ ମଧୁସୂଦନ ଗ୍ରନ୍ଥାବଳି ପଢ଼ିବ । ତାହା ଏହି ମଧୁବାବୁଙ୍କର କୀର୍ତ୍ତି । ମୁଁ ବହୁତ ଥର ପଢ଼ିଅଛି । କି ସୁନ୍ଦର ଲେଖା ! ପଢ଼ି ବସିଲେ ମନ ମଜ୍ଜିଯାଏ । ସେ ଗ୍ରନ୍ଥାବଳୀରେ ଗୋଟିଏ କବିତା ଅଛି–‘ଚିଲିକା’ । ବଡ଼ ସୁନ୍ଦର କବିତା । ଚିଲିକା ହ୍ରଦରେ କେତେ ପ୍ରକାର ମାଛ ଅଛନ୍ତି, ଗେଣ୍ଡା, କଙ୍କଡ଼ା, କଇଁଛ କିପରି ସେଠାରେ ପୂରି ରହିଅଛନ୍ତି–ସେ କବିତାଟି ପଢ଼ିଲେ ତାହା ଜାଣିପାରିବ । ଏପରି ଜଣେ କବି ଇନ୍‍ସପେକ୍ଟରଙ୍କୁ ଆମେ ଆଜି ଧନ୍ୟ ହୋଇଥାଇଁ-। ଆମ ସ୍କୁଲର ଆଉ ଅଭାବ ଅସୁବିଧା କିଛି ରହିବ ନାହିଁ ।’’

 

ବକ୍ତୃତା ଚାଲିଛି ତ ଚାଲିଛି । ବନ୍ଦ ହେବାକୁ ନାହିଁ । ତଳକୁ ମୁହଁ ପୋତି ଚୁପ୍‌ ହୋଇ ବସିରହିବା ଛଡ଼ା ସଭାପତିଙ୍କର ଆଉ କଅଣ ବା କର୍ତ୍ତବ୍ୟ ଅଛି ?

 

‘‘ଖାଲି କବି ନୁହନ୍ତି । ବଡ଼ ଦେଶସେବକ । ପିଲାମାନେ, ତୁମେ ଶୁଣି ନାହଁ । ମୁଁ କିନ୍ତୁ ପିଲାଦିନେ ଶୁଣିଥିଲେ–ପାଠ ପଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି । ଏ ସେହି ମଧୁବାବୁ ।’’

 

ବକ୍ତୃତା ବନ୍ଦ କରାଇବାକୁ ମୁ୍ଁ ବାରଂବାର ପ୍ରଧାନ ଶିକ୍ଷକ ମହୋଦୟଙ୍କୁ ସଙ୍କେତ ଦେଲି-। ମାତ୍ର ସେ ଯେ ସ୍କୁଲ ସେକ୍ରେଟେରୀ, ପ୍ରଧାନ ଶିକ୍ଷକଙ୍କର ପିତ୍ତ କେତେ ?

 

ଅନ୍ୟ ଜଣେ ଇନିସ୍‌ପେକ୍ଟର ତାଙ୍କ ଅଭିଜ୍ଞତା ବର୍ଣ୍ଣନା କଲେ–‘‘ବେଶି ପୁରୁଣା କଥା ନୁହେଁ, ଏହି ବର୍ଷର ଗୁରୁଦିବସ ।

 

‘‘ସବୁ ସ୍କୁଲକୁ ନିର୍ଦ୍ଦେଶ ଯାଇଥିଲା, ସେପ୍‌ଟେମ୍ବର ପାଞ୍ଚ ତାରିଖରେ ଡକ୍‌ଟର ରାଧା କୃଷ୍ଣନ୍‌ଙ୍କର ଜନ୍ମଦିବସ । ସେ ଦିନଟି ପ୍ରତି ଶିକ୍ଷାନୁଷ୍ଠାନରେ ଗୁରୁଦିବସ ରୂପେ ପାଳନ କରାଯିବ । ଗୁରୁପୂଜା, ସଭା, ସ୍କୁଲଘର ସଜାସଜି ଓ ଯଥାସାଧ୍ୟ ଉତ୍ସବମାନ କରିବାକୁ ହେବ ।

 

ଗୋଟିଏ ସ୍କୁଲର ଶିକ୍ଷକ ଓ କର୍ମକର୍ତ୍ତାମାନେ ଆସି ଅନୁରୋଧ କଲେ, ଆପଣ ଆମ ଗୁରୁଦିବସ ଉତ୍ସବରେ ପୁରୋଧା ହେବ । ଉତ୍ସବ ଉଦ୍‌ଘାଟନ କରିବେ ।

 

ସମ୍ମତି ଜଣାଇଲି । ଗୁରୁ ଛାତ୍ର ସମ୍ପର୍କ ଆମ ଦେଶରେ ଆଗରୁ କିପରି ଥିଲା, ଏବେ ତାର କାହିଁକି ଅଧୋଗତି ଘଟିଛି–ଏହି ସବୁ କଥା ବୁଝାଇବା ପାଇଁ ଗୋଟିଏ ଦୀର୍ଘ ବକ୍ତୃତାର ଖସଡ଼ା ମନେମନେ ସ୍ଥିର କରିନେଲି । ବହୁ ସମୟ ଧରି ସଂକ୍ରାନ୍ତ ଅନେକ ବହି ଘାଣ୍ଟିଲି; ବିଶିଷ୍ଟ ଚିନ୍ତାଶୀଳ, ଶିକ୍ଷାବିତ୍‌ଙ୍କ ଅମୂଲ୍ୟ ଉପଦେଶ ନୋଟ ବହିରେ ଟିପି ରଖିଲି । ଶିକ୍ଷକ-ଛାତ୍ରଙ୍କୁ ଭେଟିବାର ଏହା ଗୋଟିଏ ଅପୂର୍ବ ସୁଯୋଗ । ମନର କଥାଗୁଡ଼ାକ ଗୋଟିଗୋଟି ସେମାନଙ୍କ ଆଗରେ ଉପସ୍ଥାପିତ କରିପାରିବି ବୋଲି ଉତ୍ସାହିତ ହେଲି ।

 

ନିର୍ଦ୍ଦିଷ୍ଟ ସମୟରେ ସ୍କୁଲରେ ପହଞ୍ଚିଲି । ବିରାଟ ଆୟୋଜନ, ସୁନ୍ଦର ସାଜସଜ୍ଜା । ମୋତେ ମଧ୍ୟ ସମ୍ବର୍ଦ୍ଧନା କରିବାରେ ତିଳେ ହେଲେ ତ୍ରୁଟି ନାହିଁ । ଫୁଲମାଳ ଦିଆଗଲା, ଶଙ୍ଖ ବାଜିଲା, ବାଦ୍ୟ ଛୁଟିଲା । ଶିକ୍ଷକ, ପରିଚାଳନା ବୋର୍ଡ଼ କର୍ମକର୍ତ୍ତା ଓ ସ୍ଥାନୀୟ ଉତ୍ସାହୀ ଯୁବକଙ୍କ ରୁଚିବୋଧକୁ ମନେମନେ ଖୁବ୍‌ ପ୍ରଶଂସା କଲି ।

 

ମୁଁ ପ୍ରଧାନ ଅତିଥି, ଉତ୍ସବ ଉଦ୍‌ଘାଟକ । ଗୋଟିଏ ଗୃହର କବାଟ ଆଉଜା ହୋଇଅଛି । ଆଗରେ ନାଲି ଫିତା ବନ୍ଧା ଯାଇଅଛି । ଫଟୋଗ୍ରାଫ୍‌ର ଅପେକ୍ଷା କରି ରହିଅଛି, ମୁଁ କଇଁଚି ଲଗାଇ ଫିତା କାଟିବା ବେଳରେ ହିଁ ସେ ଫଟୋ ଉଠାଇନେବ । ଶିକ୍ଷକ, କର୍ମକର୍ତ୍ତା ଓ ଯୁବକମାନେ ମୋ ପାଖରେ ଠେଲାପେଲା । ସେମାନଙ୍କ ଫଟୋ ଯେପରି ବାଦ୍‌ ନ ଯାଏ ।

 

ଘରଭିତରେ ଭାରତର ପୂର୍ବତନ ରାଷ୍ଟ୍ରପତି, ବିଶ୍ୱର ଜଣେ ଶ୍ରେଷ୍ଠ ଦାର୍ଶନିକ ସର୍ବପଲ୍ଲୀ ଡକ୍‌ଟର ରାଧାକୃଷ୍ଣନ୍‌ଙ୍କ ତୈଳଚିତ୍ର ସଜ୍ଜିତ ହୋଇ ରହିଥିବ । ଫିତା କାଟି କବାଟ ଖୋଲିଦେଲା ପରେ ସେଠାରେ ସମସ୍ତେ ଭକ୍ତିଶ୍ରଦ୍ଧା ଅର୍ଘ୍ୟ ଅର୍ପଣ କରିବେ । ତା’ ପରେ ସାଧାରଣ ସଭା ।

 

ନଡ଼ିଆ ଭାଙ୍ଗି, ଫିତା କାଟି କବାଟ ମେଲା କରିଦେଲି ।

 

ଦେଖାଗଲା, ଗୋଟିଏ ବଡ଼ ଟେବୁଲ ଉପରେ ରାଧା କୃଷ୍ଣଙ୍କର ଗୋଟିଏ ବଡ଼ ଯୁଗଳ ମୂର୍ତ୍ତି ଛବି ଫୁଲପତ୍ରରେ ସଜ୍ଜିତ ହୋଇ ରଖାଯାଇଅଛି । ମୁହଁ ପାଖରେ ବଂଶୀ ଧରି ଉଭୟେ କୁଣ୍ଢାକୁଣ୍ଢି ହୋଇ ଦଣ୍ଡାୟମାନ । ଧୂପ, ଦୀପ, ନୈବେଦ୍ୟର ବିପୁଳ ବ୍ୟବସ୍ଥା ।

☆☆☆

 

ବକ୍ତା ଓ ବକ୍ତୃତା

 

‘‘ଦକ୍ଷିଣ ଆଫ୍ରିକାର ‘ପିଗ୍‌ମି’ (ବାମନ) ଜାତିର ଲୋକମାନେ ସେ ଅଞ୍ଚଳରେ ବାସ କରୁଥିବା ଜୁଲୁ, ହଟେନ୍‌ଟଟ୍‌ ପ୍ରଭୃତି ଅନ୍ୟ ଜାତିର ଲୋକଙ୍କଠାରୁ ଉନ୍ନତ । ସେମାନଙ୍କ ସାମାଜିକ ଚାଲିଚଳଣ ଅନ୍ୟମାନଙ୍କ ଅପେକ୍ଷା ଭଦ୍ର ଓ ସଂଯତ । ଐତିହ୍ୟ ଅତି ପ୍ରାଚୀନ ।

 

‘‘ସେମାନଙ୍କ ମଧ୍ୟରେ ଆବହମାନ କାଳରୁ ଗୋଟିଏ ଅଲିଖିତ ନିୟମର ପରମ୍ପରା ଏପର୍ଯ୍ୟନ୍ତ ଚାଲି ଆସୁଅଛି–ଯାହା କି ଆମର ନେତା, ଅଧ୍ୟାପକ, ସାହିତ୍ୟିକ, ସମ୍ବର୍ଦ୍ଧକ, ବ୍ୟାଖ୍ୟାକାର ବକ୍ତାମାନେ ଅନୁକରଣ କରିବା ନିତାନ୍ତ ଦରକାର ।’’

 

ବନ୍ଧୁଙ୍କଠାରୁ ଆଫ୍ରିକାବାସୀଙ୍କର ଏଭଳି ଅକୁଣ୍ଠ ପ୍ରଶଂସା ଶୁଣି ପରମ୍ପରାଟା ଜାଣିବାକୁ ପ୍ରବଳ ଆକାଂକ୍ଷା ମନରେ ଜାତ ହେବା ସ୍ୱାଭାବିକ । ମୋ ଚାହାଣୀରୁ ବନ୍ଧୁ ତାହା ଠଉରାଇନେଲେ-

 

–‘‘ସେ ପରମ୍ପରାଟି ହେଲା, ଯଦି ସାଧାରଣ ସଭାରେ କେହି କୌଣସି ବିଷୟ କହିବା ପାଇଁ ଦରକାର ପଡ଼ିବ, ତେବେ ବକ୍ତା ଠିଆ ହେବ ଗୋଟିଏ ଗୋଡ଼ରେ । ଅନ୍ୟ ପାଦଟି ଉପରକୁ ଟେକିରଖି ବକ୍ତୃତା ଆରମ୍ଭ କରିବ । ତାହାର ଉଦ୍‌ବୋଧନ, ବ୍ୟାଖ୍ୟାନ, ଭାଷଣ, ବିଶ୍ଳେଷଣ–ଯାହା କହ, ସେ ସମସ୍ତ ଗାଇଦେଇ ଯିବ କେବଳ ଗୋଟିଏ ପାଦ ଭୂଇଁରେ ରଖି । ଯେଉଁ ମୁହୂର୍ତ୍ତରେ ଅନ୍ୟ ପାଦଟି ତାର ଭୂଇଁରେ ଲାଗିଯିବ, ତତ୍‌କ୍ଷଣାତ୍‌ ସେ ବସି ପଡ଼ିବାକୁ ବାଧ୍ୟ । ତାର ବକ୍ତୃତା ବନ୍ଦ-। ଆଉ ପଦେ ହେଲେ କଥା କହିବାର ଅଧିକାର ତାର ନାହିଁ’’–ବନ୍ଧୁ ବୁଝାଇଦେଲେ ।

 

‘‘ଏ ତ ଅତି ଉତ୍ତମ ବ୍ୟବସ୍ଥା ।’’ ମୁଁ କହି ପକାଇଲି । ‘‘ଏଥିରେ ବକ୍ତା ଓ ଶ୍ରୋତା ଉଭୟ ଉପକୃତ ହେଉଥିବେ । ଘଣ୍ଟାଘଣ୍ଟା ଧରି ବକ୍ତାଙ୍କୁ ଠିଆ ହେବାକୁ ପଡ଼ୁନଥିବ; ଶ୍ରୋତାମାନଙ୍କର ମଧ୍ୟ ଧୈର୍ଯ୍ୟଚ୍ୟୁତି ଘଟୁନଥିବ । ବହୁ ସମୟ ବସିରହି ଅର୍ଥହୀନ, ମୂଲ୍ୟହୀନ, ସଙ୍ଗତିହୀନ, ରୁଚିହୀନ ଗୁଡ଼ାଏ କଥା ଶୁଣିବାକୁ ପଡ଼ୁନଥିବ ।’’

 

ବନ୍ଧୁ କହିଲେ, ‘‘ଏହାଦ୍ୱାରା ବକ୍ତାଙ୍କ ଉଦ୍ଦେଶ୍ୟ ସିଦ୍ଧ ହୋଇ ନ ପାରେ । ହୁଏତ ସେ ଯାହା କହିବାକୁ ଚାହୁଁଅଛନ୍ତି, ତା’ର ବିପରୀତ ଧାରଣା ଲୋକଙ୍କ ମନରେ ଜାତ ହୋଇପାରେ ।

 

ମନେକର, କୌଣସି ଭୋଟ ପ୍ରଚାର ସଭାରେ ଜଣେ ପ୍ରାର୍ଥୀ ସରକାରଙ୍କର ନିନ୍ଦା କରିବାକୁ ଚାହାନ୍ତି । ହଜାର ହଜାର ଶ୍ରୋତା ତାଙ୍କ କଥା ଶୁଣିବାକୁ ଉତ୍‌କର୍ଣ୍ଣ ହୋଇ ବସିଅଛନ୍ତି । ବକ୍ତା ମଧ୍ୟ ଖୁବ୍‌ ଓଜସ୍ୱିନୀ ଭାଷାରେ ତାଙ୍କ ପେଟରେ ଜମାଟ ବାନ୍ଧି ରହିଥିବା ଶବ୍ଦ ଭଣ୍ଡାରରୁ ଅତି କଡ଼ାକଡ଼ା କଥାଗୁଡ଼ାକ ଶୁଣାଇ ସରକାରଙ୍କ ଦୁଷ୍କର୍ମଗୁଡ଼ିକୁ ବର୍ଣ୍ଣନା କରୁଅଛନ୍ତି ।

 

‘‘–ଏ ସରକାର ସ୍ୱେଚ୍ଛାଚାରୀ । ଏହି ଦଳର ପ୍ରାର୍ଥୀଙ୍କୁ ପୁଣି ଭୋଟ ଦେଲେ ଆମର ମଙ୍ଗଳ...-। ତଳେ ଲାଗିଥିବା ଗୋଡ଼ଟା ତାଙ୍କର ଟଣକି ଉଠିଲା । ଅଜାଣତରେ ହଠାତ୍‌ ଆର ପାଦଟା ଭୂଇଁରେ ଲାଗିଗଲା । ‘ହେବ ନାହିଁ–ଏତକ କହିବାର ସୁଯୋଗ ସେ ପାଇଲେ ନାହିଁ । ସେତେବେଳେ ଶ୍ରୋତା ବୁଝିବେ କଅଣ ? ଭୋଟ ଯିବ କାହା ପକ୍ଷରେ ?’’

 

ମୋ ପାଟିରୁ ବାହାରି ପଡ଼ିଲା, ‘‘ଆମ ନେତାମାନେ, ଆମ ବକ୍ତାବୃନ୍ଦ ଏଥିରୁ ଶିକ୍ଷାଲାଭ କରିବା ଉଚିତ । ଘଣ୍ଟାଘଣ୍ଟା ଧରି ଶ୍ରୋତାମାନଙ୍କ ଉପରେ ସେମାନେ ଯେଉଁ ଅତ୍ୟାଚାର କରନ୍ତି, ଏ ପ୍ରଥା ପ୍ରଚଳନରେ ସେଥିରୁ ରକ୍ଷା ମିଳନ୍ତା ।’’

 

ବହୁ ପ୍ରଚାର, ଘୋଷଣା ପରେ ହଲ୍‌ରେ ସାହିତ୍ୟ ଆଲୋଚନା ସଭା ଆରମ୍ଭ ହେଲା । ବିଷୟ–ସାହିତ୍ୟରୁ ଅନୈତିକତା ଦୂର କରାଯିବ କିପରି ? ରାଜ୍ୟର ବହୁ ତୁଙ୍ଗ ସାହିତ୍ୟିକ, କବି, ଅଧ୍ୟାପକ, ଚିନ୍ତାଶୀଳ ଜ୍ଞାନୀ ବ୍ୟକ୍ତି ବକ୍ତୃତା ଦେବେ, ନିଜ ନିଜ ମତ ପ୍ରକାଶ କରିବେ, ଓ ସାହିତ୍ୟର, ଘଡ଼ିସନ୍ଧି ବେଳେ ଉପାୟ ବତାଇଦେବେ । ଉଦ୍‌ଘାଟକ, ସଭାପତି, ଆଶୀର୍ବାଦକ, ପ୍ରଧାନ ଅତିଥି, ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ବିଶିଷ୍ଟ ବକ୍ତା, ସମ୍ମାନିତ ବକ୍ତା, ପୂଜ୍ୟ ବକ୍ତା–ଏହିପରି ଅନ୍ତତଃ ଦୁଇ ପୁଞ୍ଜା ଲୋକଙ୍କ ବକ୍ତୃତା ଶୁଣିବାକୁ ପଡ଼ିବ ।

 

ହଲ୍‌ ଜନାରଣ୍ୟ । ନିର୍ଦ୍ଦିଷ୍ଟ ସମୟର ଘଣ୍ଟାକ ପରେ (ସଭାପତିଙ୍କର ଅନିବାର୍ଯ୍ୟ କାରଣବଶତଃ ଟିକିଏ ବିଳମ୍ବ ହୋଇଗଲା) ଉଦ୍ୟୋକ୍ତା ଉଠି ପ୍ରାରମ୍ଭିକ ଭାଷଣ ଦେଲେ ସଭାର ଉଦ୍ଦେଶ୍ୟ ଜଣାଇଦେବା ପାଇଁ । ‘‘ଆଜି ଆମର ବହୁତ ବରେଣ୍ୟ ବ୍ୟକ୍ତି ଅଛନ୍ତି । ସେମାନେ ମତାମତ ଦେବେ । ମୁଁ ମୋର ନିରସ, ମୂଲ୍ୟହୀନ ବକ୍ତୃତା ଦେଇ ଆପଣଙ୍କର ବେଶି କିଛି ସମୟ ନଷ୍ଟ କରିବି ନାହିଁ ।’’

 

ଘଣ୍ଟାଏ ଗଲା, ଦେଢ଼ ଘଣ୍ଟା ବିତିଗଲା; ଦୁଇ ଘଣ୍ଟାକୁ ଆସି ଧକ୍‌କା ଖାଇଲା । ଉଦ୍ୟୋକ୍ତାଙ୍କ ପ୍ରାଥମିକ ଭାଷଣ । ପ୍ରଧାନ ଅତିଥି କହିବାକୁ ଠିଆହେଲା ବେଳକୁ ତିନିଚତୁର୍ଥାଂଶ ଚଉକି ଖାଲି । ସମ୍ବାଦପତ୍ରରେ ସେମାନଙ୍କ ନାମ କି ଫଟୋ ତ ପ୍ରକାଶ ପାଇବ ନାହିଁ । ସେମାନେ କାହିଁକି ଅଯଥା ବସି ରହିବେ ? ଯେଉଁମାନଙ୍କ ଫଟୋଚିତ୍ର ପ୍ରକାଶ ପାଇବ, ମଞ୍ଚ ଉପରେ ବସିଥିବା ସେହି ଅତିଥିବୃନ୍ଦ ଧୈର୍ଯ୍ୟର ସହିତ ଅପେକ୍ଷା କରି ମଶା କାମୁଡ଼ାରୁ ରକ୍ଷା ପାଇବା ପାଇଁ ଘନଘନ ଗୋଡ଼ ହଲାଉଅଛନ୍ତି । ସେମାନେ ଯେ ବହୁ ସାଧ୍ୟସାଧନା ପରେ ଅନେକ ଗୁଡ଼ିଏ ତଥ୍ୟପୂର୍ଣ୍ଣ ବାକ୍ୟ ମୁଖସ୍ଥ କରିଅଛନ୍ତି, ସେଗୁଡ଼ାକ ପେଟ ଭିତର ମନ୍ଥି ପକାଉଅଛି । ଶ୍ରୋତାମାନଙ୍କ ଆଗରେ ଓଗାଳି ନ ପକାଇଲେ ଦିନରେ ଭୋକ ହେବ ନାହିଁ, କି ରାତିରେ ନିଦ ହେବ ନାହିଁ । ମାତ୍ର ତାଙ୍କ ପାଳି ପଡ଼ିବ କେତେବେଳେ ? ଶେଷରେ ଦେଖାଯାଏ, ମଞ୍ଚ ଉପରେ ବସିଥିବା ବରେଣ୍ୟ ଅତିଥିମାନଙ୍କ ବ୍ୟତୀତ ହଲରେ ଆଉ କେହି ନାହାନ୍ତି । ଶ୍ରୋତାମାନେ ହୁଏତ ଘରେ ଖାଇସାରି ଗାଢ଼ନିଦରେ ଘୁଙ୍ଗୁଡ଼ି ମାରୁଥିବେ ।

 

କେହି ପଚାରିଦେଲେ–ଏହା କଅଣ ସତ ? ଅତିରଞ୍ଜନ କରି କହୁନାହଁ ତ ?

 

ପ୍ରଶ୍ନକର୍ତ୍ତା ବନ୍ଧୁ ତାଙ୍କ ଜୀବନରେ କେବେ କୌଣସି ସଭା, ସାଂସ୍କୃତିକ ସମାରୋହ, ପାଠଚକ୍ର, ସଙ୍ଗୀତ ଆସର, ଉଦ୍‌ଘାଟନ ଉତ୍ସବକୁ ଯାଆନ୍ତି ନାହିଁ । ତେଣୁ ଅବିଶ୍ୱାସ କରିବା ତାଙ୍କ ପକ୍ଷରେ ସ୍ୱାଭାବିକ ।

 

ମୁଁ ଗୋଟିଏ ଅନୁଭୂତି ବର୍ଣ୍ଣନା କଲି–

 

ଅର୍ଥନୈତିକ ଆଲୋଚନାଚକ୍ରର ବିଜ୍ଞାପନ ପ୍ରକାଶ ପାଇଥାଏ । ବକ୍ତା ଜଣେ ବିଶିଷ୍ଟ ଅର୍ଥନୀତିବିଦ୍‌ । କେନ୍ଦ୍ର ସରକାରଙ୍କ ବଜେଟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ । ମୁଦ୍ରାସ୍ଫୀତି ଦେଶର ଅର୍ଥନୈତିକ ପରିସ୍ଥତିକୁ କିପରି ଦୋହଲାଇ ଦେଉଅଛି, ସେ ସମ୍ପର୍କରେ ଆଲୋକପାତ କରିବେ । ପୁଣି ସେହି ରାତି ନଅଟା ରେଳଗାଡ଼ିରେ ତାଙ୍କର ଦିଲ୍ଲୀ ଯାତ୍ରା କରିବାର ସିଦ୍ଧାନ୍ତ ଆଗରୁ ହୋଇସାରିଛି ।

 

ଆବାହକ ସନ୍ଧ୍ୟା ସାତଟାରେ ସଭା ଆରମ୍ଭ ହେବ ବୋଲି ଘୋଷଣା କରିଥାଆନ୍ତି । ସାଢ଼େ ସାତଟାବେଳକୁ ହଲ ଭରପୁର । ଉଦ୍ୟୋକ୍ତା ସଭାର ଉଦ୍ଦେଶ୍ୟ ଓ ବକ୍ତାଙ୍କ ପରିଚୟ ଦେବାକୁ ଠିଆହେଲେ । (ବକ୍ତା ସମସ୍ତଙ୍କଠାରେ ସୁପରିଚିତ; ତଥାପି ତାଙ୍କ ପରିଚୟ ବୟାନ କରିବା ଯେ ବିଧି !) ମାଇକ (କମ୍ପୋଜିଟର, ଅନୁରୋଧ ‘କ’ ସ୍ଥାନରେ ‘ପ’ ଦେବ ନାହିଁ । ଯଦି ବା ଉଭୟଙ୍କ ଧର୍ମ ସମାନ ) ଗର୍ଜିଉଠିଲା, ‘‘ଆଜି ଆମର ପ୍ରଧାନ ବକ୍ତା ହେଉଛନ୍ତି...’’ ପରିଚୟ ପ୍ରଦାନ ଚାଲିଛି ତ ଚାଲିଛି । ତାର ବିରାମ ନାହିଁ । ଘଣ୍ଟାକ ପରେ ଶୁଣାଗଲା, ବର୍ତ୍ତମାନ ସଭାର ଉଦ୍ଦେଶ୍ୟ କହୁଅଛି ।

 

ଶ୍ରୋତାମାନଙ୍କ ଅବସ୍ଥା ବୁଝିପାରୁଥିବେ ।

 

ଆବାହକଙ୍କ ପ୍ରାରମ୍ଭିକ ଭାଷଣ ପରେ ବକ୍ତା ଠିଆହେବାର କଥା । ମାତ୍ର ବକ୍ତା କାହାନ୍ତି-? ଚଉକି ଯେ ଖାଲି ପଡ଼ିଅଛି । ଘଣ୍ଟା ଦେଖିଲାବେଳକୁ ସାଢ଼େ ଆଠଟା । ବକ୍ତା ବୋଧହୁଏ ସେତେବେଳେ ଷ୍ଟେସନ ମୁହାଁ ଧାଇଁଥିବେ ।

 

କୌତୁକ କରି ପ୍ରଥମ ବନ୍ଧୁ କହିଲେ, ‘‘ଏ ତ କିଛି ନୁହେଁ; କେବଳ ଦେଢ଼ ଘଣ୍ଟାର ବ୍ୟବଧାନ ମାତ୍ର ।’’

 

ଜଣେ ବକ୍ତା ଭଞ୍ଜ ସାହିତ୍ୟରେ ପଞ୍ଚଶୀଳ ନୀତିର ପ୍ରଭାବ ଉପରେ ବକ୍ତୃତା ଦେଉଥିଲେ-। ବେଦ, ବେଦାନ୍ତ, ଶାସ୍ତ୍ର, ପୁରାଣରୁ ଆରମ୍ଭ କରି ରାଜନୀତି, ଅର୍ଥନୀତି, ସ୍ୱାର୍ଥନୀତି, କମ୍ୟୁନିଷ୍ଟ ଦେଶମାନଙ୍କରେ ଧର୍ମଚର୍ଚ୍ଚାଠାରୁ, ମହାଦେବ-ନାରାୟଣ ଭେଟ–ଦୁନିଆର କୌଣସି କଥା ବାଦ୍ ଗଲା ନାହିଁ । ଶ୍ରୋତାମାନେ ବିରକ୍ତ ହୋଇଉଠିଲେ । ପାଟି ହେଲା–ଭଞ୍ଜ କାହାନ୍ତି ?

 

ଉତ୍ତର ମିଳିଲା–ଆରମ୍ଭ କରିବାକୁ ଯାଉଅଛି ।

 

‘‘ଦୟା କରି ଟିକିଏ ଘଣ୍ଟା ଦେଖନ୍ତୁ । ଦୁଇ ଘଣ୍ଟା ବିତିଗଲାଣି ।’’

 

ବକ୍ତାଙ୍କ ଉତ୍ତର–ଘଣ୍ଟା ବଦଳିଛି, କାନ୍ଥରେ ଟଙ୍ଗା ହୋଇଥିବା କାଲେଣ୍ଡରର କାଗଜ ତ ବଦଳି ନାହିଁ । ଭଞ୍ଜ ସାହିତ୍ୟ ବଡ଼ ଗହନ । ତାହା ଆଲୋଚନା କରିବାକୁ ଗଲେ ଘଣ୍ଟା କଅଣ, ଦିନ ଦିନ, ମାସ ମାସ ବି ବିତିଯିବ ।

 

ପୂର୍ବତନ ମନ୍ତ୍ରୀ, ଭୂତପୂର୍ବ ଏମ୍‌.ଏଲ୍‌.ଏ., ବିଶିଷ୍ଟ ରାଜନୀତିଜ୍ଞ, ସମାଜସେବୀ, ପରଦୁଃଖକାତର, ବିପନ୍ନ ଅଞ୍ଚଳର ବନ୍ଧୁ, ଦେଶସେବକ ସେଥର ମନ୍ତ୍ରୀ ହୋଇପାରିଲେ ନାହିଁ । ସରକାରଙ୍କ ଦୋଷ ଦୁର୍ବଳତା, ପ୍ରିୟାପ୍ରୀତି ତୋଷଣ, ଲାଞ୍ଚ ମିଛ କାରାବର ବଖାଣି ବକ୍ତୃତା ଦେଉଥିଲେ । ଭାଷଣର ବିରାମ ନାହିଁ । ଘଣ୍ଟାକ ପରେ ହଲର କେତେକ ଚଉକି ଖାଲି ହୋଇଗଲା-। ଦୁଇ ଘଣ୍ଟା ବେଳକୁ ବାରପଣ ଚଉକି ଶୂନ୍ୟ । ଯେ କେତେ ଜଣ ବସିଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଢୁଳାଉଅଛନ୍ତି । ଲୋକ ଯେତିକି କମିକମି ଯାଉଥାଆନ୍ତି, ବକ୍ତାଙ୍କ ଭାଷଣ, ଟେବୁଲ ବାଡ଼ିଆ, ମୁଖ ବିକୃତି ସେତିକି ଉଦ୍ଦାମ ହୋଇ ଉଠୁଥାଏ । ଶେଷକୁ ଦେଖାଗଲା, ହଲର ଶେଷ ଧାଡ଼ିର କୋଣରେ ଜଣେ ମାତ୍ର ଶ୍ରୋତା ବସିଅଛନ୍ତି । ବକ୍ତା ଅତି ଉତ୍ସାହର ସହିତ କହି ଚାଲିଥାଆନ୍ତି, ହଲରେ ଜଣେ ମାତ୍ର ଶ୍ରୋତା ଥିବାଯାଏ ମୋ ବକ୍ତୃତା ଚାଲିଥିବ ।’’

 

ଶ୍ରୋତା ଜଣକ ଠିଆହୋଇ କହିଲେ, ‘‘ଆଜ୍ଞା ବକ୍ତୃତା ଶୁଣିବାକୁ ମୁଁ ବସି ନାହିଁ । ହଲର ରକ୍ଷକ ମୁଁ । ଆପଣ ମଞ୍ଚ ଉପରୁ ଚାଲିଗଲେ ଆଲୁଅ ଲିଭାଇବି, ଘର ତାଲା ଦେବି ।’’

 

ମରୁଡ଼ିପ୍ରପୀଡ଼ିତ ଅଞ୍ଚଳର ଅବସ୍ଥା ଅତି ଶୋଚନୀୟ । ସରକାରଙ୍କ ଅଯୋଗ୍ୟତା, ଉଦ୍ୟମହୀନତାରେ ସମସ୍ତେ ଅତିଷ୍ଠ । ସରକାରରେ ସ୍ଥାନ ପାଇ ନ ଥିବା ସବୁ ରାଜନୈତିକ ଦଳର ତୁଙ୍ଗ ନେତାମାନଙ୍କ ପ୍ରରୋଚନାରେ ଗୋଟିଏ ସମ୍ମିଳିତ ବିରାଟ ପ୍ରତିବାଦ ସଭା ହେଉଅଛି । ଦୁଇ ମତବାଦର ଦୁଇ ନେତା ଦୀର୍ଘ ସମୟ ଧରି ଗରମାଗରମ ଭାଷଣ ଦେଇ ଶ୍ରୋତାମାନଙ୍କୁ ତତାଇ ଦେଲେଣି । ତୃତୀୟ ଦଳ ନେତାଙ୍କ ମନ ଖଜବଜ ହେଉଅଛି । ସେ କେତେବେଳେ ସୁଯୋଗ ପାଇବେ ?

 

ତାଙ୍କ ପାଳି ପଡ଼ିଲା । ଗୁରୁଗମ୍ଭୀର ସ୍ୱରରେ ସେ ଆରମ୍ଭ କଲେ, ‘‘ଭାଇମାନେ, ବର୍ତ୍ତମାନ ଅବସ୍ଥାରେ କେବଳ କାମ ଦରକାର । କଥାରେ ଶାଗ ସିଝେ ନାହିଁ । ଖାଲି ବକ୍ତୃତା ଦେଲେ କାହାରି ଦୁଃଖ ଯିବ ନାହିଁ । ତେଣୁ ମୁଁ ଅନ୍ୟ ବନ୍ଧୁଙ୍କ ଭଳି ଆପଣମାନଙ୍କର ଅଧିକ ସମୟ ନେବି ନାହିଁ ଭାଷଣ ଶୁଣାଇ ।’’

 

ତତ୍ପରେ ସମସ୍ୟା ଉପରେ ବକ୍ତୃତା ବନ୍ଧଭଙ୍ଗା ପାଣିସୁଅ ପରି ଚାଲିଲା । ଶାସନରେ ସେ ଥିଲେ କଅଣ କରିଥାଆନ୍ତେ; କିପରି ଦେଶରେ ଦୁଧ ମହୁର ଲହରୀ ଖେଳୁଥାଆନ୍ତା–ତାହା ବୁଝାଉ ବୁଝାଉ ବୋଧହୁଏ ଦେଢ଼ ଘଣ୍ଟା କଟିଗଲା । ଶ୍ରୋତାମାନେ ଅଧୈର୍ଯ୍ୟ ହୋଇଉଠିଲେ । ତାଳି ଉପରେ ତାଳି ଶବ୍ଦ ପ୍ରବଳ ହେଲା । ବକ୍ତା ଭାବିଲେ, ଶ୍ରୋତାମାନେ ଖୁବ୍‌ ଉତ୍ସାହିତ ହୋଇ ପଡ଼ିଲେଣି । ସ୍ୱର ପଞ୍ଚମକୁ ଉଠିଗଲା ।

 

ଶ୍ରୋତା ମହଲରୁ ଶବ୍ଦ ହେଲା, ‘‘ବହୁତ କଥା କହିଲେଣି, ଏଣିକି ଦୟାକରି ବସିପଡ଼ନ୍ତୁ । ଅନ୍ୟ ଦଳର ଲୋକ ଅଛନ୍ତି କହିବାକୁ ।’’

 

ବକ୍ତା କହିଚାଲିଲେ, ‘‘ଏଭଳି ଅଧୈର୍ଯ୍ୟ ହେଲେ ଦେଶର ସମସ୍ୟା ସମାଧାନ ହୋଇପାରିବ ନାହିଁ । ମୋର ଏ ବିରୋଧୀଦଳର ପାଟିରେ ମୁଁ ଦବିଯିବି ନାହିଁ । ଏମାନେ ସରକାରଙ୍କ ଗୋଡ଼ାଣିଆ, ପଞ୍ଚମବାହିନୀ ।’’

 

ବକ୍ତୃତାର ସମାପ୍ତି କେତେବେଳେ, ଜଣାପଡ଼ୁ ନାହିଁ । ଅନ୍ୟ ଦଳର ବକ୍ତାମାନେ ବ୍ୟସ୍ତ, ବିଚଳିତ ।

 

ଶ୍ରୋତାମାନଙ୍କ ମଧ୍ୟରେ ମଝି ଧାଡ଼ିରେ ବସିଥିବା ଜଣେ ବାଳକ ପାଖର ସାଥୀଙ୍କ କାନରେ ଚୁପ୍‌ଚୁପ୍‌ କହିଲେ, ‘‘ଦେଖ, ମୁଁ ତାଙ୍କୁ ବର୍ତ୍ତମାନ ବସାଇ ଦେଉଅଛି ।’’

 

ସେ ଖଣ୍ଡିଏ ଚିରକୁଟ କାଗଜରେ କଅଣ ଲେଖି ସଭାପତିଙ୍କ ହାତରେ ଦେଇ ଆସିଲେ-। ସଭାପତି ତାହା ବକ୍ତାଙ୍କ ହାତକୁ ବଢ଼ାଇ ଦେଲେ ।

 

ବକ୍ତୃତା ଚାଲିଛି–‘‘ଏ ନିର୍ଲଜ ସରକାର ଦେଶବାସୀଙ୍କୁ ଖାଦ୍ୟ ବସ୍ତ୍ର ଯୋଗାଇ ନ ପାରି ଭୋକ ଶୋଷରେ, ଉଲଗ୍ନ–’’ବାକ୍ୟ ଶେଷ ହୋଇ ନାହିଁ । କାଗଜ ଖଣ୍ଡିକ ଉପରେ ଆଖି ବୁଲାଇନେଲେ । ‘‘ଅବସ୍ଥାରେ ପକାଇଲେଣି’’ ଏତକ କହିବାକୁ ସମୟ ମିଳିଲା ନାହିଁ । ଲଥ କରି ବସିପଡ଼ିଲେ ।

 

ସଙ୍ଗେସଙ୍ଗେ ଅନ୍ୟ ଦଳର ବକ୍ତା ଠିଆ ହୋଇଗଲେ ।

 

ପାଖରେ ବସିଥିବା ଶ୍ରୋତା ପିଲାଟିକୁ ପଚାରିଲେ, ‘‘କାଗଜରେ କଅଣ ଲେଖିଥିଲ କି-?’’

 

‘‘ପ୍ୟାଣ୍ଟ ବୋତାମଟା ଖୋଲିଯାଇଅଛି’’–ପିଲାଟିର ଉତ୍ତର ।

Image